Baramati Lok Sabha Constituenc: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବାରାମତି ଲୋକସଭା ଆସନରେ କିଏ ଉଡ଼ାଇବ ବିଜୟ ବାନା ତାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ଏନସିପି।
Trending Photos
BJP vs NCP: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ତାଙ୍କ ନିଜ ଗଡ ବାରାମତିରେ ଚ୍ୟାଲେଞ୍ଜ ଦେଇଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାୱାନକୁଲେ। ଏନେଇ ସେ କହିଛନ୍ତି ଯେ, ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଏବଂ ଏକନାଥ ସିନ୍ଦେ ନେତୃତ୍ୱାଧିନ ଶିବସେନା ଗୋଷ୍ଠୀ ବାରାମତି ଲୋକସଭା ଆସନରେ ବିଜୟ ବାନା ଉଡ଼ାଇବ। ଏହାର ଜବାବ ରଖି ଏନସିପି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ବାରାମତୀ ସାଂସଦ ସୁପ୍ରିୟା ସୁଲେଙ୍କୁ ପରାସ୍ତ କରିବାର ସ୍ୱପ୍ନ ଦେଖିବା ବିଜେପି ବନ୍ଦ କରିଦେବା ଆବଶ୍ୟକ।
ରାଜ୍ୟର ବାରମତି ଗସ୍ତରେ ଆସି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାୱାନକୁଲେ (Maharashtra BJP President Chandrashekhar Bawankule) କହିଛନ୍ତି ଯେ, ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ (Lok Sabha Election 2024) ବିଜେପି ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଶିବସେନା ଗୋଷ୍ଠୀ (Shiv Sena Shinde Faction) ବାରାମତି ଲୋକସଭା ଆସନରେ (Baramati Lok Sabha Constituency) ବିଜୟ ବାନା ଉଡ଼ାଇବ।
ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଦେଶର ୧୪୦ ଲୋକସଭା ଆସନରେ ଦଳୀୟ ଆଧାର ବିସ୍ତାର କରିବାକୁ ଏକ ଅଭିଯାନ କାର୍ଯ୍ୟକାରୀ କରିଛି। ଏହିକ୍ରମରେ ମହାରାଷ୍ଟ୍ରର ବାରାମତି ସମେତ ମୋଟ ୧୫ ଲୋକସଭା ଆସନ ଉପରେ ସ୍ୱତନ୍ତ୍ର ନଜର ରଖିଛି ଦଳ। ଏନେଇ ପ୍ରତିକ୍ରିୟା ରଖି ରଖି ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି ଯେ, ଆସନ୍ତା ୨୦୨୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ନେତୃତ୍ୱାଧିନ ଶିବସେନା ଏବଂ ବିଜେପି ରାଜ୍ୟର ମୋଟ ୪୮ ଲୋକସଭା ସିଟ୍ ମଧ୍ୟରୁ ୪୫ ଆସନ ଜିତିବ।
ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷଙ୍କ ଏହି ବୟାନ ଉପରେ ଜବାବ ରଖିଛି ଏନସିପି। ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ବାରାମତୀ ସାଂସଦ ସୁପ୍ରିୟା ସୁଲେଙ୍କୁ (Supriya Sule) ପରାସ୍ତ କରିବାର ସ୍ୱପ୍ନ ଦେଖିବା ବିଜେପି ବନ୍ଦ କରିଦେଉ। ରାଜ୍ୟର ପୁଣେ ଜିଲ୍ଲାରେ ଅବସ୍ଥିତ ବାରମାତି ହେଉଛି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ (NCP Supremo Sharad Pawar) ଗଡ଼। ଯିଏ ଏଠାରୁ ଅନେକ ଥର ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କ ଝିଅ ସୁପ୍ରିୟା ସୁଲେ ବର୍ତ୍ତମାନ ଏଠାକାର ସାଂସଦ ଥିବା ବେଳେ ଏବଂ ପୁତୁରା ଅଜିତ ପାୱାର (Ajit Pawar) ହେଉଛନ୍ତି ସ୍ଥାନୀୟ ବିଧାୟକ।
Also Read: Maharashtra Politics: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବର୍ଷିଲେ ଏନସିପି ସୁପ୍ରିମୋ ଶରଦ ପାୱାର
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏନସିପି ମୁଖପାତ୍ର ମହେଶ ତାପସୀ (NCP Spokesperson Mahesh Tapase) କହିଛନ୍ତି ଯେ ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାୱାନକୁଲେ ଦାବି କରିଛନ୍ତି ଯେ ତାଙ୍କ ଦଳ ୨୦୨୪ ଲୋକସଭା ନିର୍ବାଚନରେ ବାରାମତି ଆସନ ଜିତିବ। ହେଲେ ଏହି ଦାବି କଦାପି ସତ୍ୟ ବୋଲି ପ୍ରମାଣିତ ହେବ ନାହିଁ। ବାରାମତି ଦଖଲ କରିବାର ସ୍ୱପ୍ନ ମଧ୍ୟ ଦେଖିବା ବିଜେପି ବନ୍ଦ କରିଦେବା ଆବଶ୍ୟକ।
ପୂ୍ର୍ବରୁ ଏନସିପି ସୁପ୍ରିମୋ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସାରିଛନ୍ତି। ନିକଟରେ ରାଜ୍ୟର ଠାଣେ ଜିଲ୍ଲାରେ ଆୟୋଜିତ ହୋଇଥିବା ଦଳୀୟ ସମୀକ୍ଷା ବୈଠକରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ ତାଙ୍କର ଏକଥା ଧାରଣା ନ ଥିଲା ଯେ ତାଙ୍କ ଆଙ୍ଗୁଠି ଧରି ରାଜନୀତି ଶିଖି ବ୍ୟକ୍ତି ଦେଶ ପାଇଁ ଏତେ ସାଂଘାତିକ ହୋଇଯିବେ। ଦଳୀୟ ସମୀକ୍ଷା ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ଶରଦ ପାୱାର। ଏହି ସମୟରେ ଗଣମାଧ୍ୟମ ପକ୍ଷରୁ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନ ଉପରେ ଜବାବ ରଖି ଏନସିପି ସୁପ୍ରିମୋ କହିଛନ୍ତି ଯେ ସେ ଜାଣି ନାହାଁନ୍ତି ଯେ ତାଙ୍କ ଆଙ୍ଗୁଠି ଧରିଥିବା ବ୍ୟକ୍ତି ଦେଶ ପାଇଁ ଏତେ ଭାରୀ ପଡ଼ିଯିବେ। ମହାରାଷ୍ଟ୍ର ବାରମତି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ସେ ଏନସିପି ଶରଦ ପାୱାରଙ୍କ ଆଙ୍ଗୁଠି ଧରି ରାଜନୀତିରେ ଆଗକୁ ବଢିଥିଲେ।