ଦଳ ବଦଳକୁ ନେଇ ମୁଁହ ଖୋଲିଲେ ମୋକିମ, ଦେଲେ ଏଭଳି ସୂଚନା
Advertisement

ଦଳ ବଦଳକୁ ନେଇ ମୁଁହ ଖୋଲିଲେ ମୋକିମ, ଦେଲେ ଏଭଳି ସୂଚନା

ମୋକିମଙ୍କ ଦଳ ପରିବର୍ତ୍ତନର ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା। ରାଷ୍ଟ୍ରପତି ନିର୍ବାଚନ ପରେ ରାଜ୍ୟପାଳ ମୋକିମଙ୍କ ଘରକୁ ଯିବା ସବୁଆଡ଼େ ଚର୍ଚ୍ଚା ପାଲଟିଥିଲା। 

ଦଳ ବଦଳକୁ ନେଇ ମୁଁହ ଖୋଲିଲେ ମୋକିମ, ଦେଲେ ଏଭଳି ସୂଚନା

ଭୁବନେଶ୍ୱର: ବିଗତ କିଛି ଦିନ ହେବ କଂଗ୍ରେସ ବିଧାୟକ (Congress MLA) ମୋକିମଙ୍କୁ ନେଇ ରାଜ୍ୟ ରାଜନୀତିରେ ବେଶ ଉଷ୍ମତା ଦେଖିବାକୁ ମିଳିଛି। ନିକଟରେ କଂଗ୍ରେସରୁ ୩୦ ଜଣ ନେତା ଏକ ସଙ୍ଗେ ଛାଡ଼ିବାକୁ ଦଳବଦଳ ଚର୍ଚ୍ଚାକୁ ନେଇ ଖୋରାକ ଯୋଗାଇଛି। କିନ୍ତୁ ଦଳ ବଦଳକୁ ନେଇ କିଛି ଭିନ୍ନ ମତ ରଖିଛନ୍ତି ନିଜେ ମୋକିମ (Mohammed Moquim)। ଶୁଣିବାକୁ ମିଳୁଥିଲା କି ମୋକିମ ପିସିସି ସଭାପତି (PCC President) ହେବା ପାଇଁ ଲବି କରିଥିଲେ। ମାତ୍ର ହାଇକମାଣ୍ଡ ତାଙ୍କ ପରିବର୍ତ୍ତେ ଶରତ ପଟ୍ଟନାୟକଙ୍କୁ (Sarat Patnaik) ସଭାପତି ଦାୟିତ୍ୱ ଦେଇଥିଲେ। ଫଳରେ ଏହାକୁ ନେଇ ମୋକିମ ଅସନ୍ତୋଷ ଥିବା ଆଲୋଚନା ହୁଏ। ସେପଟେ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେ ରାଷ୍ଟ୍ରପତି ନିର୍ବାଚନରେ (President Election) ଏନଡିଏ ସମର୍ଥିତ ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ (Droupadi Murmu) ସମର୍ଥନ ଜଣାଇଥିଲେ। ଯାହା ପରେ ତାଙ୍କର ଦଳ ପରିବର୍ତ୍ତନ ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିକ ମାହୋଲରେ ଆଲୋଚନା ଜୋରଦାର ହୋଇଥିଲା। 

କେବଳ ଏତିକି ନୁହେଁ ବିଗତ ଦିନରେ ଘଟିଥିବା କିଛି ଘଟଣା ମୋକିମଙ୍କ ଦଳ ପରିବର୍ତ୍ତନର ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା। ରାଷ୍ଟ୍ରପତି ନିର୍ବାଚନ ପରେ ରାଜ୍ୟପାଳ ମୋକିମଙ୍କ ଘରକୁ ଯିବା ସବୁଆଡ଼େ ଚର୍ଚ୍ଚା ପାଲଟିଥିଲା। ଏହା ସହିତ ଆହୁରି ମଧ୍ୟ କୁହାଯାଉଛି କି ମୋକିମଙ୍କ ଇଙ୍ଗିତରେ କଂଗ୍ରେସରୁ ୩୦ ଜଣ ବରିଷ୍ଠ ନେତା କଂଗ୍ରେସ ଛାଡ଼ିବା ଦଳ ପରିବର୍ତ୍ତନର ଇସାରାକୁ ମଜବୁତ କରିଛି। କଂଗ୍ରେସର ରାଜନୈତିକ କାର୍ଯ୍ୟକ୍ରମ ଠାରୁ ନିଜକୁ ଦୂରେଇ ରଖିବା ଭଳି ଘଟଣାକୁ ଦେଖିଲେ ମୋକିମଙ୍କୁ ନେଇ ହେଉଥିବା ଚର୍ଚ୍ଚାକୁ ଏଡାଇ ଦିଆଯାଇ ନ ପାରେ। 

ସେପଟେ ଏନେଇ ମୁହଁ ଖୋଲିଛନ୍ତି ଖୋଦ ମୋକିମ। ଦଳ ପରିବର୍ତ୍ତନକୁ ନେଇ ସୃଷ୍ଟି ହେଉଥିବା ପ୍ରଶ୍ନକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ଜୋର ଦେଇ କହିଛନ୍ତି କି ସେ କଂଗ୍ରସେ ରହିଛନ୍ତି। ତାଙ୍କ ରକ୍ତରେ କଂଗ୍ରେସର ରକ୍ତ ବୋହୁଛି। ମୁଁ କଂଗ୍ରେସରେ ରହିଛି, ରହିବି ମଧ୍ୟ। ଦଳ ବଦଳକୁ ନେଇ ଯେଉଁ ଚର୍ଚ୍ଚା ଜାରି ରହିଛି ତାହା କେବଳ ଗୁଜବ। 

ସେ ଆହୁରି ମଧ୍ୟ କହିଛନ୍ତି କି ବର୍ତ୍ତମାନ ଦଳ ପରିବର୍ତ୍ତନର କୌଣସି ଆଭାସ ନାହିଁ। ଅନ୍ୟ ଦଳ ସହିତ ଯୋଗାଯୋଗ କରିବା ତ ଦୁରର କଥା। ନିକଟରେ ଛାଡ଼ିଥିବା କିଛି କଂଗ୍ରେସ ନେତାଙ୍କ ଦଳ ଛାଡ଼ିବା ନେଇ ସେ କହିଛନ୍ତି କି ସେମାନେ କାହିଁକି ଛାଡ଼ିଲେ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ତେବେ ଦଳରେ ଅବହେଳିତ ହେବାରୁ ଦଳ ଛାଡ଼ିଛନ୍ତି ବୋଲି ଦଳ ଛାଡ଼ିଥିବା ଜଣେ ବରିଷ୍ଠ ନେତା ତାଙ୍କୁ କହିଛନ୍ତି ବୋଲି ମୋକିମ ସୂଚନା ଦେଇଛନ୍ତି। ତେବେ ସେମାନେ କେଉଁ ଦଳକୁ ଯିବେ ତାହା ସମ୍ପୂର୍ଣ୍ଣ ଭାବେ ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ତାହା ଉପରେ ମୁଁ କୌଣସି ମତ ଦେଇ ପାରିବି ନାହିଁ ବୋଲି ସେ ସୂଚନା ପ୍ରଦାନ କରିଥିଲେ। 

ଅଧିକ ପଢନ୍ତୁ: ଚୀନକୁ ଭାରତର ଶକ୍ତ ଚାପୁଡା, ଅବଦୁଲ ରାଉଫଙ୍କ ସମର୍ଥନକୁ ଭାରତ କହିଲା ରାଜନୈତିକ

ଅଧିକ ପଢନ୍ତୁ: ୩୦ ଜଣ ଲୋକଙ୍କ ସହିତ ବୁଡ଼ିଲା ଡଙ୍ଗା; ବର୍ତ୍ତମାନ ପର୍ଯ୍ୟନ୍ତ ଚାରିଟି ମୃତଦେହ ଉଦ୍ଧାର