ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ନେଇ ଏବେ ତୀବ୍ର ହୋଇଉଠିଛି ରାଜ୍ୟ ରାଜନୀତି।
Trending Photos
ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ନେଇ ଏବେ ତୀବ୍ର ହୋଇଉଠିଛି ରାଜ୍ୟ ରାଜନୀତି। ଦୀର୍ଘ ଦିନ ଧରି ଚୁପ ରହିଥିବା ରାଜନୈତିକ ଦଳ ଏବେ ନେତାଜୀଙ୍କୁ ନେଇ ବେଶ ତତ୍ପର ହୋଇଉଠିଛନ୍ତି। ସୁଭାଷ ବୋଷଙ୍କ ୧୨୫ତମ ଜନ୍ମତିଥିକୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ପରାକ୍ରମ ଦିବସ ଭାବେ ପାଳିବା ସହ ତାଙ୍କ ବୀରତ୍ୱକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ୟାପକ ଯୋଜନା କରିଛନ୍ତି।
ସେପଟେ କେନ୍ଦ୍ରର ଏଭଳି କାର୍ଯ୍ୟକ୍ରମ ପରେ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ ନେତାଜୀଙ୍କ ଜନ୍ମ ମାଟି କଟକରେ ସୁଭାଷ ବୋଷଙ୍କ ନାଁରେ ବସ ଟର୍ମିନାଲ ଶିଳାନ୍ୟାସ କରିଛନ୍ତି। ଜାତୀୟ ସ୍ତରରେ ସୁଭାଷଙ୍କୁ ନେଇ ପିଏମ ମୋଦିଙ୍କ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଲଢେଇ ତୀବ୍ର ହୋଇଥିବାବେଳେ ଏହାର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିଛି। ବିଜେପି ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି।
Also Read: 'ନେତାଜୀ ଜଣେ ସଚ୍ଚା ହିନ୍ଦୁ ଥିଲେ; ହେଲେ ସେ ସବୁ ଧର୍ମକୁ ସମ୍ମାନ କରୁଥଲେ'
ପିଏମ ମୋଦି ସୁଭାଷଙ୍କ ନାମରେ ଟ୍ରେନ ଚଳାଇବା ସହ ଅନେକ ପ୍ରକଳ୍ପ ତାଙ୍କ ନାଁରେ ଘୋଷଣା କରିବା ପରେ କାହିଁକି ହଠାତ ରାଜ୍ୟ ସରକାରଙ୍କୁ ସୁଭାଷ ବୋଷଙ୍କ କଥା ମନେପଡିଲା ବୋଲି ପ୍ରଶ୍ନ କରିଛି ଦଳ। ଏପରିକି ସୁଭାଷ ବୋଷ କଟକରେ ଜନ୍ମ ହୋଇଥିଲେ ମଧ୍ୟ କାହିଁକି ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାର ମନେ ପକାଉନଥିଲେ। ଏପରିକି ଓଡିଶାରେ ଖାଲି ବିଜୁ ବାବୁଙ୍କ ଛାଡିଲେ ଆଉ କାହାକୁ ମନେ ପକାଇବା ଦେଖାଯାଉନି ବୋଲି କହିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ। ଏ ପ୍ରଙ୍ଗରେ ପ୍ରତିଯୋଗିତା ନକରିବାକୁ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି।
Also Read: ଦିଦିଙ୍କ ଗଡରେ ମୋଦିଙ୍କ ଭାଷଣ, ମୁଖ୍ୟମନ୍ତ୍ରୀଙ୍କୁ ଜନତାଙ୍କ ବିରୋଧ
ସେପଟେ କଂଗ୍ରେସ ସୁଭାଷ ବୋଷଙ୍କୁ ଦଳର ବୋଲି ଦାବି କରିଛି। ସେ ଜାତୀୟସ୍ତରରେ ଦଳୀୟ ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ସୁଭାଷ ବୋଷ ଖୋଦ କଂଗ୍ରେସର। ତାଙ୍କୁ ନେଇ ଅନ୍ୟ ଦଳ ରାଜନୀତି କରିବା ଠିକ ନୁହେଁ ବୋଲି କହିଛନ୍ତି କଂଗ୍ରେସ ନେତା ଶରତ ରାଉତ। ଅନ୍ୟପକ୍ଷେ ନେତାଜୀଙ୍କ ଜନ୍ମବର୍ଷିକୀ ଅବସରରେ ବିଜେଡି ଏହାକୁ ବ୍ୟାପକ ଭାବେ ପାଳନ କରିଛି। ଏପରିକି ତାଙ୍କୁ ଓଡିଶାର ଗର୍ବ ବୋଲି କହିବା ସହ ତାଙ୍କ ବୀରତ୍ୱ, ପ୍ରତିଭାକୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଛି। ଏହାସହିତ ଜଣେ ବିଶ୍ୱସ୍ତରୀୟ ବୀରଙ୍କୁ ନେଇ ବିରୋଧି ରାଜନୀତି ନକରନ୍ତୁ ବୋଲି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି।