କେମିତି ଅଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ?
Advertisement

କେମିତି ଅଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ?

ICUରୁ ଭେଣ୍ଟିଲେଟରକୁ ଯାଇଥିବା ପ୍ରଦୀପ୍ତ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଭବାନୀପାଟଣା ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାୟକ ନିଜେ ସୋସିଆଲ ମିଡିଆରେ ନିଜର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି।

ଡିଜାଇନ ଫଟୋ

ଭୁବନେଶ୍ୱର: ଦୀର୍ଘ ତିନି ମାସରୁ ଊର୍ଦ୍ଧ୍ୱ ସମୟ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି ଓଡିଶା ବାଧାନସଭା ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ। କୋରୋନା ଆକ୍ରାନ୍ତ ହେବା ପରେ ଅସୁସ୍ଥ ହୋଇ ସେଠାରେ ଚିକିତ୍ସାଧିନ ଅଛନ୍ତି। ICUରୁ ଭେଣ୍ଟିଲେଟରକୁ ଯାଇଥିବା ପ୍ରଦୀପ୍ତ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଭବାନୀପାଟଣା ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାୟକ ନିଜେ ସୋସିଆଲ ମିଡିଆରେ ନିଜର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। 

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଥିବା ପ୍ରଦୀପ୍ତ ବୁଧବାର ସକାଳେ ନିଜ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ। ସେହି ପୋଷ୍ଟରେ ନିଜର ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, "ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମାଁ ମାଣିକେଶ୍ଵରୀଙ୍କ ଅପାର କୃପା ତଥା ମୋର ଆରୋଗ୍ୟ କାମନା କରି ଭଗବାନଙ୍କ ପାଖରେ ଦୀପ ଜାଳି ମୋ ପାଇଁ ପୂଜା ଅର୍ଚ୍ଚନା କରିଥିବା ଏବଂ ମୋତେ ଭଲପାଉଥିବା ଜନସାଧାରଣଙ୍କ ପ୍ରାର୍ଥନା ଦ୍ବାରା ମୁଁ ଧୀରେ ଧୀରେ ସୁସ୍ଥ ହେଉଛି। ମୋର ସମସ୍ତ ଶୁଭେଚ୍ଛୁମାନଙ୍କୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ।"

Also Read: ରାଜ୍ୟ ସରକାର ବାହାନାବାଜି କରୁଛନ୍ତି: BJP

ସେ ପୁଣି ଲେଖିଛନ୍ତି, "ମୁଁ କୋଭିଡରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ମୋ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇ ସମସ୍ତ ପ୍ରକାରର ଉନ୍ନତମାନର ଚିକିତ୍ସା ପାଇଁ AIIMS ନିର୍ଦ୍ଦେଶକଙ୍କ ସହ ପ୍ରଧାନମନ୍ତ୍ରୀ Narendra Modi ଯୋଗାଯୋଗରେ ଥିଲେ। ମୋ ପରିବାରର ମାନସିକ ସ୍ଥିତିକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀ ମୋ ସ୍ତ୍ରୀ ସହ କଥା ହେଇଥିଲେ। ମୋର ଜୀବନର ସବୁଠୁ କଷ୍ଟଦାୟକ ସମୟରେ ପ୍ରଧାନମନ୍ତ୍ରୀ ମୋ ପରିବାରର ମୁଖିଆ ସାଜି ମୋ ପରିବାର ସହ ଠିଆ ହୋଇଥିଲେ, ମୁଁ ଅନ୍ତର୍ମନରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।"

 

ଏହା ବ୍ୟତୀତ ବିଜେପି ନେତା ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ପ୍ରଦୀପ୍ତଙ୍କୁ କିଛି ଅସୁବିଧା ହେବାକୁ ଦେବି ନାହିଁ, ଏହି ବିଶ୍ୱାସର ସହ ପ୍ରତ୍ୟେକ ଦିନ AIIMS କତୃପକ୍ଷଙ୍କ ସହ ବିଚାର ବିମର୍ଶ କରି ମୋତେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସବୁ ପ୍ରକାରର ଉଦ୍ୟମ କରିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଇଙ୍କୁ କୃତଜ୍ଞତାର ସହ ଧନ୍ୟବାଦ। ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ Naveen Patnaik ମୋର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିଲେ, ତାଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ। BJPର ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦ, ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବି ବହୁତ ବହୁତ ଧନ୍ୟବାଦ ମୋର ବିପଦ‌ ସମୟରେ ସମସ୍ତେ ମୋର ପରିବାର ସହ ଠିଆ ହେଇଥିଲେ।"

Also Read: ସୁପ୍ରିମକୋର୍ଟଙ୍କ ବଡ଼ ଫଇସଲା; ଏବେ ବାଳିକା ବି ଦେଇ ପାରିବେ NDA ପରୀକ୍ଷା, ପରେ ହେବ ନାମଲେଖା

"ମୁଁ ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ। ଏବେ ମୁଁ ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛି। ଆପଣମାନଙ୍କ ଅପାର ଭଲ ପାଇବା ଏବଂ ମାଁ ମାଣିକେଶ୍ଵରୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଧୀରେ ଧୀରେ ସୁସ୍ଥ ହେଉଛି। ମୋତେ ଫେସବୁକ୍ ଏବଂ ଟ୍ୱିଟର ମାଧ୍ୟମରେ ରାଜ୍ୟର ବହୁ ସମସ୍ୟା ଲୋକ ଜଣାଉଛନ୍ତି। ମୋର ସ୍ବାସ୍ଥ୍ୟ ଅବସ୍ଥା ପାଇଁ ମୁଁ ଆପଣମାନଙ୍କ ସହ ମିଶି ପାରୁ ନାହିଁ ଏବଂ ଓଡ଼ିଶାବାସୀଙ୍କ ହକ୍ ଓ ଅଧିକାରର ଲଢେଇ ଲଢି ପାରୁନାହିଁ। ତଥାପି ଯାହା କିଛି ସମସ୍ୟା ମୋର ଦୃଷ୍ଟିଗୋଚର ହେଉଛି ମୁଁ ଚିଠି ଜରିଆରେ ଓଡିଶା ସରକାରକୁ ଜଣାଉଛି। ମୁଁ ସମ୍ପୂର୍ଣ୍ଣ ଭଲ ହୋଇ ବହୁତ ଶୀଘ୍ର ପୂର୍ବ ଭଳି ଆପଣମାନଙ୍କ ସହ ମିଶିବି। ମୁଁ ଆପଣମାନଙ୍କ ପାଖକୁ କେବେ ଯାଇପାରିବି, ସେହି ସମୟକୁ ବ୍ୟାକୁଳତାର ସହ ଅପେକ୍ଷା କରିଛି..!!'' ବୋଲି ପ୍ରଦୀପ୍ତ ନାୟକ ତାଙ୍କ ଫେସବୁକରେ ଲେଖିଛନ୍ତି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୯ ତାରିଖରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କୋଭିଡ ପିଜିଟିଭ ହୋଇଥିଲେ। କୋରୋନା ସଂକ୍ରମିତ ହେବାପରେ ସେ ପ୍ରଥମ କିଛି ଦିନ ହୋମ ଆଇସୋଲେସନରେ ଥିଲେ। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୨୬ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ମେ ୫ ତାରିଖ ପୂର୍ବାହ୍ନରେ ପ୍ରଦୀପ୍ତ ସ୍ବାସ୍ଥ୍ୟ ହଠାତ୍ ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି ।