)
Odisha Election 2024: ପାଖେଇ ଆସୁଛି ନିର୍ବାଚନ। ଏନେଇ ସରଗରମ ରହିଛି ରାଜ୍ୟ ରାଜନୀତି। ୨୦୧୪ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ର ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ ସୂଚରିତା ମହାନ୍ତି। ଦୀର୍ଘ ୧୦ବର୍ଷ ପରେ ପୁନର୍ବାର ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ୨୦୨୪ ନିର୍ବାଚନରେ ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ଲଢିବା ପାଇଁ ସୁଯୋଗ ଦେଇଛି କଂଗ୍ରେସ। ସୁଚରିତାଙ୍କ ନାମ ଘୋଷଣା ହେବା ପରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି।
ଦ୍ୱିତୀୟ ଥର ପାଇଁ ପୁରୀରୁ ନିର୍ବାଚନ ଲଢିବାର ସୁଯୋଗ ଦେଇଛନ୍ତି ମହାପ୍ରଭୁ। ଏଥର ନିଶ୍ଚୟ ଶୁଭଫଳ ମିଳିବ ବୋଲି ଆଶା ରହିଛି। କଂଗ୍ରେସ ପ୍ରତି ଜନସମର୍ଥନ ବଢୁଥିବାରୁ ଏଥର ବିଜୟ ସୁନିଶ୍ଚ। ୨୦୧୪ରେ ପୁରୀରେ ପ୍ରଥମ ଥର ଲାଗି ପ୍ରାର୍ଥୀ ହୋଇଥିଲି। ଏବେ ଆଉ ପୁରୀ ପାଇଁ ନୁଆ ନୁହେଁ। ପୁରୀବାସୀ ପୁରୀଝିଅ ଭାବେ ମୋତେ ଗ୍ରହଣ କରିବେ। ସାମ୍ନାରେ ବିରୋଧି ଯେଉଁ ପ୍ରାର୍ଥୀ ଥାଆନ୍ତୁ ନା କାହିଁକି ଏଥର ଲଢେଇ କରିବା ମୋ ପାଇଁ ସହଜ ହେବ ବୋଲି କହିଛନ୍ତି ସୂଚରିତା। ସେପଟେ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ କଂଗ୍ରେସର କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ ସହ ତାଙ୍କୁ ସ୍ୱାଗତ କରିଥିଲେ। ତେବେ କଂଗ୍ରେସ ପକ୍ଷରୁ ପୁରୀ ସଂସଦୀୟ କ୍ଷେତ୍ର ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ସରିଯାଇଛି। ମହାପ୍ରଭୁଙ୍କ ଦର୍ଶନ ସାରି ପ୍ରଚାର ଆରମ୍ଭ କରିବେ ବୋଲି ସୁଚରିତା କହିଛନ୍ତି।