West Bengal Politics: ଶେଷ ହୋଇଯିବ କି ବିଜେପି ଅସ୍ଥିତ୍ୱ?
Advertisement
Article Detail0/zeeodisha/odisha1158145

West Bengal Politics: ଶେଷ ହୋଇଯିବ କି ବିଜେପି ଅସ୍ଥିତ୍ୱ?

ଯଦି  କାହା ପାଖରେ କୌଣସି ଅଭିଯୋଗ କିମ୍ବା ପରାମର୍ଶ ରହିଛି ସେ ଏହାକୁ ସାଧାରଣରେ ଉଠାଇବା ବଦଳେ ଦଳୀୟ ମଞ୍ଚରେ ଉପସ୍ଥାପନ କରିବା ଆବଶ୍ୟକ।

West  Bengal  Politics:  ଶେଷ ହୋଇଯିବ କି  ବିଜେପି ଅସ୍ଥିତ୍ୱ?

କୋଲକାତା:  ଦଳରେ ଚାଲିଥିବା ଦଳୀୟ କନ୍ଦଳର  ତୁରନ୍ତ ସମାଧାନ କରାଯାଉ। ନହେଲେ ଦଳର ଅସ୍ଥିତ୍ୱ ସଂକଟରେ  ପଡ଼ିଯିବ।  ବିଜେପି  ପଶ୍ଚିମବଙ୍ଗ ରାଜ୍ୟ ଶାଖା ଉଦ୍ଦେଶ୍ୟରେ ଦଳକୁ ଏଭଳି ଏକ ଚେତାବନୀ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଚିବ ଅନୁପମ ହାଜରା।  ଏନେଇ  ସେ  କହିଛନ୍ତି  ଦଳରେ  ଯେଉଁଠି ସମସ୍ୟା  ରହିଛି ତାହାକୁ  ଚିହ୍ନଟ କରି ତାହାର ସମାଧାନ କରାଯାଉ।  

ନିକଟରେ ରାଜ୍ୟର ଆସନସୋଲ ଲୋକସଭା ଏବଂ  ବାଲିଗଞ୍ଜ ବିଧାନସଭା  ଆସନରେ ହୋଇଥିବା ଉପନିର୍ବାଚନରେ ଦଳର ପରାଜୟକୁ ନେଇ   ପଶ୍ଚିମବଙ୍ଗ ବିଜେପି  ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ରାଷ୍ଟ୍ରୀୟ ସଚିବ ଅନୁପମ ହାଜରା  କହିଛନ୍ତି ବାହାରକୁ ସବୁ କିଛି ଠିକ ଠାକ  ରହିଛି ବୋଲି  ଦେଖାଇବା ବଦଳରେ ନେତୃତ୍ୱ ପ୍ରସଙ୍ଗର ସମାଧାନ ପାଇଁ ପ୍ରୟାସ କରାଯିବା ଆବଶ୍ୟକ।    

 ଆସନସୋଲ ଲୋକସଭା ଆସନରେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ  ଅଗ୍ନିମିତ୍ରା ପାଲ୍ ଙ୍କ ଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି। ସେହିପରି  ଟିଏମସି ପ୍ରାର୍ଥୀ ବାବୁଲ ସୁପ୍ରିୟୋ ପ୍ରତିଦ୍ୱନ୍ଦ୍ୱୀ ସିପିଏମ ପ୍ରାର୍ଥୀ ସୈରା ଶାହ ହଲିମଙ୍କୁ ୨୦ ହଜାର ୨୨୮ ଖଣ୍ଡ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଠାରେ  ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି।  ଏହି ନିର୍ବାଚନରେ ଦଳର ପରାଜୟ ପରେ  ପଶ୍ଚିମବଙ୍ଗ ବିଜେପି ଶାଖାରେ ଆରମ୍ଭ ହୋଇଯାଇଛି ଗୋଷ୍ଠୀ କନ୍ଦଳ।

ଯଦି ଦଳରେ ରହିଥିବା ସମସ୍ୟା ଉପରେ ଚର୍ଚ୍ଚା କରା ନଯାଏ ତାହେଲେ ଏହାକୁ କିପରି ସୁଧରାଯିବ?  ଯଦି ଆପଣ ସମାଲୋଚନା ବରଦାସ୍ତ କରି ପାରୁନାହାଁନ୍ତି  ତାହେଲେ ଆପଣଙ୍କ  ଅସ୍ଥିତ୍ୱ ସଂକଟରେ  ପଡ଼ିପାରେ।  ଯଦି ଆପଣ ସବୁ ବେଳେ କୁହନ୍ତି  ଯେ ସବୁ କିଛି  ଠିକ ଅଛି ତାହେଲେ ସମସ୍ୟାର ସମାଧାନ କିପରି କରିବେ?  ଏଭଳି ପ୍ରଶ୍ନ ଦଳ ଉଦ୍ଦେଶ୍ୟରେ ପଚାରିଛନ୍ତି   ବିଜେପି ରାଷ୍ଟ୍ରୀୟ ସଚିବ ଅନୁପମ ହାଜରା। 

ଅନ୍ୟପଟେ  ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ଦିଲ୍ଲୀପ ଘୋଷ କହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ବିଜେପି  ସମସ୍ତଙ୍କୁ ସାଥିରେ ନେଇ ଚାଲିବା ଆବଶ୍ୟକ।  ଶାସକ ଟିଏମସି ସରକାରର କୁଶାସନ ବିରୋଧରେ ଏକଜୁଟ ହୋଇ କାମ କରିବା ଆବଶ୍ୟକ।   

ଅନ୍ୟପଟେ  ରାଜ୍ୟର ବିଷ୍ଣୁପୁର ଲୋକସଭା ଆସନର ବିଜେପି ସାଂସଦ  ସୌମେତ୍ର ଖାନ କହିଛନ୍ତି   ପଶ୍ଚିମବଙ୍ଗ ବିଜେପି ଏକ ରୋଗରେ ଆକ୍ରାନ୍ତ ହୋଇଛି।  ଏହାକୁ କେନ୍ଦ୍ରୀୟ ନେତୃତ୍ୱ ରୂପକ ଔଷଧ ଆବଶ୍ୟକ।  ନିକଟରେ ରାଜ୍ୟର ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ଉପରେ ପ୍ରତିକ୍ରିୟା ରଖି  ସେ କହିଥିଲେ   ରଜନୀତିରେ ପରିପକ୍ୱତା ହାସଲ କରନଥିବା ଅନଭିଜ୍ଞ ନେତାଙ୍କ  ହାତରେ ରାଜ୍ୟ ନେତୃତ୍ୱ ରହିଛି।  

ଏହାର ଜବାବ ଦେଇ ପଶ୍ଚିମବଙ୍ଗ ବିଜେପି ସଭାପତି  ସୁକାନ୍ତ ମଜୁମଦାର  କହିଛନ୍ତି ସମସ୍ତେ ଦଳୀୟ ଅନୁଶାସନ ମାନିବା ଆବଶ୍ୟକ।  ଯଦି  କାହା ପାଖରେ କୌଣସି ଅଭିଯୋଗ କିମ୍ବା ପରାମର୍ଶ ରହିଛି ସେ ଏହାକୁ ସାଧାରଣରେ ଉଠାଇବା ବଦଳେ ଦଳୀୟ ମଞ୍ଚରେ ଉପସ୍ଥାପନ କରିବା ଆବଶ୍ୟକ।

ପଶ୍ଚିମବଙ୍ଗ ବିଜେପି ଶାଖାରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଉପରେ ପ୍ରତିକ୍ରିୟା ରଖି ଶାସକ ଟିଏମସି ପକ୍ଷରୁ କୁହାଯାଇଛି ପ୍ରଥମେ ସେମାନେ ନିଜ ସମସ୍ୟାର ସମାଧାନ ନିଜେ କରନ୍ତୁ। ସେମାନେ ରାଜ୍ୟରେ ଟିଏମସି ସରକାର ଗାଦିଚ୍ୟୁତ କରିବା  ପାଇଁ  ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ପୂର୍ବରୁ ନିଜ ସମସ୍ୟାର ସମାଧାନ କରିବା ଆବଶ୍ୟକ।

Also Read: 2022 By Poll Result: ବାଜିମାରିଲେ ବିରୋଧି; ବିଜେପିକୁ ଲାଗିଲା ଝଟକା