Odisha News: ସୁଲତାଙ୍କୁ ହଟାଇଲେ କିଆଁ, ନବୀନଙ୍କୁ ଉତ୍ତରୀୟ ପିନ୍ଧାଇବା ପଡ଼ିଲା କି ମହଙ୍ଗା?
Advertisement
Article Detail0/zeeodisha/odisha1900456

Odisha News: ସୁଲତାଙ୍କୁ ହଟାଇଲେ କିଆଁ, ନବୀନଙ୍କୁ ଉତ୍ତରୀୟ ପିନ୍ଧାଇବା ପଡ଼ିଲା କି ମହଙ୍ଗା?

Odisha News: ସବୁବେଳେ ମହିଳାଙ୍କ ସଶକ୍ତିକରଣ କଥା କହୁଥିବା ବିଜୁ ଜନତା ଦଳ ହଠାତ୍‍ ଏକ ସାମ୍ବିଧାନିକ ପଦବୀରୁ ମହିଳା ସଦସ୍ୟଙ୍କୁ ବିରତି ଦେଇ ଜଣେ ପୁରୁଷ ସଦସ୍ୟଙ୍କୁ ନିଯୁକ୍ତି ଦେଲେ କାହିଁକି? ସୁଲତାଙ୍କର ଭୁଲ୍‍ ରହିଲା କେଉଁଠି?

 

 

ସୌ: ସୋସିଆଲ ମିଡିଆ (Sulata Deo)

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟସଭାରେ ଏହାର ମୁଖ୍ୟ ଛାଟିଆଙ୍କୁ ବଦଳାଇଛି । ସାଂସଦ ସୁଲତା ଦେଓଙ୍କ ବଦଳରେ ମାନସ ମଙ୍ଗରାଜଙ୍କୁ ମଙ୍ଗ ସମ୍ଭାଳିବା ଦାୟିତ୍ୱ ଦିଆଯାଇଛି । ଏ ବିଷୟରେ ଦଳର ସଂଗଠନ ସମ୍ପାଦକ ଏକ ସଂକ୍ଷିପ୍ତ ବିଜ୍ୟପ୍ତି ଜାରି କରିଛନ୍ତି । ପ୍ରଶ୍ନ ଉଠୁଛି, ସବୁବେଳେ ମହିଳାଙ୍କ ସଶକ୍ତିକରଣ କଥା କହୁଥିବା ବିଜୁ ଜନତା ଦଳ ହଠାତ୍‍ ଏକ ସାମ୍ବିଧାନିକ ପଦବୀରୁ ମହିଳା ସଦସ୍ୟଙ୍କୁ ବିରତି ଦେଇ ଜଣେ ପୁରୁଷ ସଦସ୍ୟଙ୍କୁ ନିଯୁକ୍ତି ଦେଲେ କାହିଁକି? ସୁଲତାଙ୍କର ଭୁଲ୍‍ ରହିଲା କେଉଁଠି? ସୁଲତା ପାରିଲେନି ନା ଆଉ କିଛି ରାଜନୀତିକ ରଙ୍ଗ ଏଥିରେ ଉନ୍ମାଚିତ ହେଉଛି?

ବିଗତ କିଛିଦିନ ହେଲା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଫିଜିଓ ଥେରାପିଷ୍ଟ ଶ୍ରଦ୍ଧାଙ୍କୁ ନାଇ ରାଜନୀତିକ ମାହୋଲ୍‍ ସରଗରମ ହୋଇଥିଲା। ବିଧାନସଭା ଭିତରେ ଓ ବାହାରେ ବିଜେପି ପକ୍ଷରୁ ଏନେଇ ପ୍ରତିବାଦ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମଗାଯାଇଥିଲା। ମୁଖ୍ୟମନ୍ତ୍ରୀ ବି ବିଧାନସଭାର ଶେଷଦିନରେ ବିରୋଧୀଙ୍କୁ ଶ୍ରଦ୍ଧା କିଏ ତା’ର ବିବରଣୀ ରଖିଥିଲେ। ଏବେ କିନ୍ତୁ ଆଉଜଣେ ମହିଳାଙ୍କ ନେଇ ବିଜେଡିର ଚର୍ଚ୍ଚା ସେ ହେଉଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ତାଙ୍କୁ ରାଜ୍ୟସଭାର ମୁଖ୍ୟ ଛାଟିଆ ପଦବୀରୁ ବହିଷ୍କାର କରାଯିବା ପଛରେ ଯେଉଁ କାରଣ ଚର୍ଚ୍ଚା ହେଉଛି ତାହା ହେଲା ସୁଲତାଙ୍କ ଓଭର କନ୍‍ଫିଡେଣ୍ଟ। ଗାନ୍ଧି ଜୟନ୍ତୀରେ ବିଜେଡିର ପଦଯାତ୍ରାକୁ ଶୁଭାରମ୍ଭ କରିବା ଲାଗି ଯେଉଁ ସଭା ଆୟୋଜନ କରାଯାଇଥିଲା ସେଥିରେ ସୁଲତାଙ୍କ ଏହି ଓଭର କନ୍‍ଫିଡେଣ୍ଟ ଦେଖିବାକୁ ମିଳିଥିବା କୁହାଯାଉଛି। ଯେତେବେଳେ ଦଳର ନେତାମାନେ ତାଙ୍କୁ ଅତୀତରା ‘ସୂର୍ଯ୍ୟ’ ବୋଲି ଅଭିହିତ କରିଛନ୍ତି, ସେହି ସମୟରେ ସୁଲତା ତାଙ୍କ ପାଖକୁ ଯିବାକୁ ଦୁଃସାହସ କରିଥିଲେ। ସମସ୍ତ କାଏଦା କଟକଣାକୁ ଧୂଳିସାତ କରି ସୁଲତା ମଞ୍ଚ ଉପରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାନ୍ଧରେ ବିଜେଡି ଉତ୍ତରୀୟ ପକାଇଥିଲେ। ନବୀନଙ୍କୁ ଏସବୁ ଭଲ ଲାଗି ନଥିଲା। ଯଦିଓ ମଞ୍ଚ ଉପରେ ସୁଲତାଙ୍କୁ ପ୍ରତି ନମସ୍କାର କରିଥିଲେ, କିନ୍ତୁ ପରେ ସେ ଉତ୍ତରୀୟକୁ ନେଇ ବିରକ୍ତ ହୋଇଥିବା ଦେଖାଯାଇଥିଲା। ଏପରିକି ସେ ତାକୁ କାଢ଼ି ଫିଙ୍ଗି ଦେବାକୁ ଚେଷ୍ଟା କରିଥିଲେ। କ୍ୟାମେରାରେ ଏ ଦୃଶ୍ୟ କଏଦ ହୋଇଥିଲା । ଆଉ ତାହା ସୋସିଆଲ ମିଡିଆରେ ଯଥେଷ୍ଟ ଚର୍ଚ୍ଚିତ ହୋଇଥିଲା। 

ଏହା ନବୀନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଥିବା କେହି କେହି କହିଥିଲେ। ଦଳ କିନ୍ତୁ ଏହାକୁ ଏକ ଶୃଙ୍ଖଳିତ ଆଚରଣ ବୋଲି ଗ୍ରହଣ କରି ନାହିଁ। କାର୍ଯ୍ୟକ୍ରମ ଏଜେଣ୍ଡାରେ ଏସବୁ ନଥିବାବେଳେ ସୁଲତା ନିଜକୁ ଅଧିକ ପ୍ରଚାରିତ କରିବା ଲାଗି ଏପରି  କରିଥିବା କୁହାଯାଉଛି। ଆଉ ଏହି ଆଚରଣ ଯୋଗୁ ତାଙ୍କୁ ରାଜ୍ୟସଭାର ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଯାଇଥିବା ଚର୍ଚ୍ଚା ହେଉଛି। 

ଅପରପକ୍ଷେ ଏହି ସମାବେଶରେ ଅନୁମତି ନଥାଇ ଆଉଜଣେ ବିଜେଡି ମହିଳା ନେତ୍ରୀଙ୍କୁ ବି ଦେଖିବାକୁ ମିଳିଥିଲା । ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର । ଓଡ଼ିଶା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ରହିଛନ୍ତି। ଶ୍ରୀମୟୀ ପ୍ରଥମେ ମଞ୍ଚ ଉପରକୁ ଚଢ଼ି ନବୀନଙ୍କୁ ବିଜେଡି ବ୍ୟାଜ୍ ପିନ୍ଧାଇଥିଲା। ଯାହାକୁ ପରେ ନବୀନ ତାଙ୍କ ଅଙ୍ଗରକ୍ଷୀଙ୍କୁ କାଢ଼ିଦେବାକୁ କହିଥିଲେ। ଏଣୁ ତାଙ୍କ ଉପରେ ମଧ୍ୟ କେବେ ଡେମୋକ୍ଲିସ୍‍ ଖଣ୍ଡା ଖସିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। 

ହେଲେ ନବୀନଙ୍କ ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ଜଣେ ମହିଳାଙ୍କ ପଦବୀ ହରଣ କରିବା ବିଜେଡି ପାଇଁ ବୁମେରାଂ ହୋଇପାରେ ବୋଲି ବି ଆଶଙ୍କା କରାଯାଉଛି। ଏହାକୁ କିପରି ବିଜେଡିର ରଣନୀତିକାରମାନେ ଗ୍ରହଣ କରୁଛନ୍ତି ତାହାକୁ ଅପେକ୍ଷା।