BJD: ବିଜେପି ପାଇଁ ବିଜେଡି ଜରୁରୀ, କାହିଁକି? କେନ୍ଦ୍ରରେ ପୂର୍ବଭଳି ନିଜ କଥାକୁ ରଖିପାରିବ କି ବିଜେଡି
Advertisement
Article Detail0/zeeodisha/odisha2297240

BJD: ବିଜେପି ପାଇଁ ବିଜେଡି ଜରୁରୀ, କାହିଁକି? କେନ୍ଦ୍ରରେ ପୂର୍ବଭଳି ନିଜ କଥାକୁ ରଖିପାରିବ କି ବିଜେଡି

ସେଇଥିପାଇଁ ଓଡ଼ିଶାରେ ବିଜେପି ନିଜର ଶପଥଗ୍ରହଣ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପରାଜିତ ଦଳର ମୁଖ୍ୟଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରିତ କରିଥିଲା। ଶପଥ ନେଉଥିବା ପ୍ରତିଟି ମନ୍ତ୍ରୀ ତାଙ୍କର ଆଶୀର୍ବାଦ ନେଉଥିବା ଲକ୍ଷ୍ୟ କରାଯାଇଥିଲା।

BJD: ବିଜେପି ପାଇଁ ବିଜେଡି ଜରୁରୀ, କାହିଁକି? କେନ୍ଦ୍ରରେ ପୂର୍ବଭଳି ନିଜ କଥାକୁ ରଖିପାରିବ କି ବିଜେଡି

BJD: ଭୁବନେଶ୍ୱର: ଏକ ବୃହତ୍ତର ସ୍ୱାର୍ଥ ପାଇଁ ବିଜେପି ସହ ମେଣ୍ଟ କରିବାକୁ ଆଗ୍ରହ ପ୍ରକାଶ କରିଥିବା ବିଜେଡିର କେନ୍ଦ୍ରୀୟ ରାଜନୀତି କ’ଣ ହେବ? ଏହା ଶାସକ ଏନ୍‍ଡିଏକୁ ସମର୍ଥନ କରିବ ନା ନାହିଁ? ପୁଣି ଏନ୍‍ଡିଏର ନୀତିକୁ ଆଗକୁ ପାରିତ କରିବା ପାଇଁ ବିଜେପି, ଓଡ଼ିଶାରେ ପରାଜିତ ବିଜେଡିକୁ ସାଙ୍ଗରେ ନେବ ନା ନାହିଁ? 
ଏ ପ୍ରଶ୍ନ ଏବେ ଗୁରୁତ୍ୱ ବହନ କରୁଛି। କାରଣ ଗତ ଦଶନ୍ଧିରେ ସମଦୂରତ୍ୱ ରାଜନୀତିକୁ ପସନ୍ଦ କରୁଥିବା ଶକ୍ତିଶାଳୀ ବିଜେଡି କିନ୍ତୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଏନ୍‍ଡିଏର ନୀତିକୁ ସମର୍ଥନ କରିଆସିଥିଲା। ବିଶେଷକରି ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛଦ, ନାଗରିକତ୍ୱ ସଂଶୋଧନ ନୀତିକୁ ବିଜେଡି ଉଭୟ ଗୃହରେ ସମର୍ଥନ କରିବା ସହ ପାରିତ କରିବାରେ ସହାୟକ ହୋଇଥିଲା। ଏବେ ଯଦିଓ ବିଜେଡିର କୌଣସି ସାଂସଦ ଲୋକସଭାରେ ନାହାନ୍ତି କିନ୍ତୁ ରାଜ୍ୟସଭାରେ ୯ଜଣ ସଦସ୍ୟ ରହିଛନ୍ତି। ଏହି ୯ ଜଣ ସଦସ୍ୟଙ୍କ ଭୋଟ କୌଣସି ଗୁରୁତ୍ୱ ପର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍‍କୁ ପାରିତ କରିବାରେ ସହାୟକ ହେବେ। ପୁଣି ଆଗକୁ ‘ଏକ ଦେଶ ଏକ ନିର୍ବାଚନ’, ‘ଏକକ ଦେଓ୍ୱାନୀ ସଂହିତା’ ଭଳି ପ୍ରମୁଖ ଆଇନ ରହିଛି, ଯାହା ବିଜେପିର ନିର୍ବାଚନୀ ଏଜେଣ୍ଡାରେ ରହିଛି। ଏହି ଏଜେଣ୍ଡାକୁ ବିଜେପି କାର୍ଯ୍ୟକାରୀ କରିବା ତଥା ଉଭୟ ଗୃହରେ ଏହାକୁ ଯଥା ସମ୍ଭବ ସୁରୁଖୁରରେ ପାରିତ କରିବାକୁ ଚାହିଁବ। ଏଣୁ ବିଜେଡିର ସମର୍ଥନ ଆଶା କରିବା ସ୍ୱଭାବିକ। 
ଏବେ ରାଜ୍ୟସଭାର ୨୪୫ ଆସନ ମଧ୍ୟରୁ ୨୩୦ ଆସନରେ ପ୍ରତିନିଧି ରହିଛନ୍ତି। ୧୦ଟି ନିର୍ବାଚିତ ଆସନ ଏବଂ ୫ଟି ମନୋନୀତ ସଦସ୍ୟଙ୍କ ଆସନ ଖାଲି ପଡ଼ିଛି। ଉପସ୍ଥିତ ଥିବା ସଦସ୍ୟଙ୍କ ଭିତରୁ ୧୧୭ ହେଉଛନ୍ତି ଏନ୍‍ଡିଏ ସଦସ୍ୟ। ଏବଂ ୮୦ ଜଣ ହେଉଛନ୍ତି ବିରୋଧି ଇଣ୍ଡିଆ ମେଣ୍ଟର ସଦସ୍ୟ। ଅର୍ଥାତ୍‍ ବିଲ୍‍ ପାରିତ କରିବା ଲାଗି ଏନ୍‍ଡିଏକୁ ଅନ୍ୟ କାହାର ସମର୍ଥନ ଆବଶ୍ୟକ ନପଡ଼ିପାରେ କିନ୍ତୁ ସୁରୁଖୁରୁରେ ପାରିତ କରିବା ତଥା ଅଧିକ ସମର୍ଥନ ରେକର୍ଡ କରିବା ଲାଗି  ବିଜେପି ପୁରୁଣା ତଥା ପରାଜିତ ସହଯୋଗୀଙ୍କ ସହାୟତା କାମନା କରିପାରେ। 

ସେଇଥିପାଇଁ ଓଡ଼ିଶାରେ ବିଜେପି ନିଜର ଶପଥଗ୍ରହଣ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପରାଜିତ ଦଳର ମୁଖ୍ୟଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରିତ କରିଥିଲା। ଶପଥ ନେଉଥିବା ପ୍ରତିଟି ମନ୍ତ୍ରୀ ତାଙ୍କର ଆଶୀର୍ବାଦ ନେଉଥିବା ଲକ୍ଷ୍ୟ କରାଯାଇଥିଲା। ଗଣତନ୍ତ୍ରରେ ଏହା ଏକ ଅପୂର୍ବ ଦୃଷ୍ଟାନ୍ତ ବୋଲି ଲୋକେ ଅଭିହିତ କରିଥିଲେ ମଧ୍ୟ ଏଥିରେ ଦୁଇଦଳର ପରସ୍ପର ଆବଶ୍ୟକତା ସ୍ପଷ୍ଟ ହେଉଥିଲା। 

ପ୍ରଶ୍ନ ଉଠୁଛି ଯଦି ବିଜେଡି ସମର୍ଥନ ପ୍ରକାଶ କରିବ ତେବେ ତାହା କ’ଣ ନିଃସର୍ତ୍ତ ରହିବ? ଅନ୍ୟ ଏକ ସହଯୋଗୀ ଭାବେ ପରିଚିତ ଆନ୍ଧ୍ର ପ୍ରଦେଶର ଓ୍ୱାଇଏସ୍‍ଆର୍‍ କଂଗ୍ରେସ ଏ ପରିପ୍ରେକ୍ଷୀରେ ନିଜର ମତକୁ ସ୍ପଷ୍ଟ କରିସାରିଛି। କେନ୍ଦ୍ରରେ କୌଣସି ସମର୍ଥନ ସେ ଏନ୍‍ଡିଓ ବା ୟୁପିଏକୁ ହେଉ ଦେବା ଲାଗି ସର୍ତ୍ତ ରଖିବ ଦଳ। ଯେଉଁ ଦଳ ସର୍ତ୍ତ ପୂରଣ କରିବ ଜଗନ ମୋହନ ରେଡ୍ଡୀ ତାଙ୍କ ପ୍ରତି ନିଜର ଏବଂ ଦଳର ସମର୍ଥନ ଜାହିର କରିବେ। 

ଅପରପକ୍ଷେ ବିଜେଡି ଏହାକୁ ସ୍ପଷ୍ଟ କରି ନାହିଁ। ଏପରିକି ପୂର୍ବରୁ ସମର୍ଥନ କରିଥିବା କୃଷକ ବିଲ୍‍ରୁ ପରବର୍ତ୍ତୀ ସମୟରେ ବିଜେଡି ସମର୍ଥନ ପ୍ରତ୍ୟାହାର କରିଥିଲା। ଏ କ୍ଷେତ୍ରରେ ମଧ୍ୟ ଦଳ ସର୍ତ୍ତ ରଖିପାରେ। ଏ ସର୍ତ୍ତ ମୁଖ୍ୟତଃ ଦଳରେ ଏକଦା ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିବା ପୂର୍ବତନ ସଚିବ ଭିକେ ପାଣ୍ଡିଆନ୍‍ ଏବଂ ଅନ୍ୟ ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ରୋକିବାରେ ସହାୟକ ହୋଇପାରେ। ଅର୍ଥାତ ଏ ସର୍ତ୍ତ ରାଜ୍ୟର ବିଜେପି ସରକାରଙ୍କୁ ପରୋକ୍ଷରେ ବିଜୁ ଜନତା ଦଳର ତତ୍‍କାଳୀନ ସରକାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ଦୂରରେ ରଖିପାରେ। ଅର୍ଥାତ୍‍ ଏହି ସରକାର  କେନ୍ଦ୍ରୀୟ ନେତାଙ୍କ ଇଙ୍ଗିତରେ ଦାନ୍ତ ନଥିବା ସରକାରରେ ପରିଣତ ହୋଇପାରନ୍ତି।