ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନକୁ ନେଇ ସଜାଗ ପ୍ରଶାସନ
Advertisement
Article Detail0/zeeodisha/odisha774077

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନକୁ ନେଇ ସଜାଗ ପ୍ରଶାସନ

ସେପଟେ କାର୍ତ୍ତିକ ପ୍ରତିପଦା ଠାରୁ ହବିଷ୍ୟାଳି ଶ୍ରୀକ୍ଷେତ୍ରରେ ପହଞ୍ଚି ସଂକଳ୍ପ କରି ବ୍ରତ ଆରମ୍ଭ କରିବାର ପରମ୍ପରା ରହିଛି। 

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନକୁ ନେଇ ସଜାଗ ପ୍ରଶାସନ

ସଞ୍ଜୟ ମହାପାତ୍ର, ପୁରୀ: ଆଶ୍ୱିନ ଶୁକ୍ଲ ଏକାଦଶୀ ତିଥିରୁ ଶ୍ରୀମନ୍ଦିର (Shreemandir) ରେ ଆଜି ଠାରୁ ଆରମ୍ଭ ହୋଇଛି କାର୍ତ୍ତିକ (Kartik) ନୀତିକାନ୍ତି। ମହାପ୍ରଭୁଙ୍କୁ ରାଧା ଦାମୋଦର ବେଶ କରାଯାଇଥିବା ବେଳେ ବାଳଧୁପ ଭୋଗ ମଧ୍ୟ ଆରମ୍ଭ ହୋଇଛି। ସେପଟେ କାର୍ତ୍ତିକ ମାସର ନୀତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସେବାୟତ ନିଯୋଗ ସହ ସମନ୍ୱୟ ରଖି କାର୍ଯ୍ୟ କରାଯିବାର ବ୍ୟବସ୍ଥା ହୋଇଛି। 

ସେପଟେ ଶ୍ରୀକ୍ଷେତ୍ରରେ ଥିବା କିଛି ବ୍ୟକ୍ତିବିଶେଷ ଏକାଦଶୀ ଠାରୁ ସଂକଳ୍ପ କରି ବ୍ରତ ଆରମ୍ଭ କରିଥିବା ବେଳେ କାର୍ତ୍ତିକ ପ୍ରତିପଦା ଅର୍ଥାତ କୁମାର ପୂର୍ଣିମା (kumar purnima) ପର ଦିନ ଠାରୁ ହବିଷ୍ୟାଳି ବ୍ରତ ଆରମ୍ଭ କରି କାର୍ତ୍ତିକ ପୂର୍ଣିମା (kartik Purnima) ରେ ଶେଷ କରିଥାନ୍ତି। ଚଳିତ ବର୍ଷ କୋଭିଡ କଟକଣାକୁ ନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ବଳବତ୍ତର ରହିଥିବାରୁ ଶ୍ରୀମନ୍ଦିର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ଓ ହବିଷ୍ୟାଳି।

ସରିଲା ପାର୍ବଣର ରୁତୁ। ଆରମ୍ଭ ହୋଇଛି ପୁଣ୍ୟର ମାସ କାର୍ତ୍ତିକ। ଆଉ କାର୍ତିକ ପ୍ରତିପଦା ଠାରୁ ଆରମ୍ଭ ହେବ ବ୍ରତ। ଆଜି ଆଶ୍ୱିନ ଶୁକ୍ଲ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି। ଦଶହରା ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏକମାସ ଧରି ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି। କୋଭିଡ କଟକଣା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ କଟକଣା ରହିଥିବାରୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। 

ହେଲେ ବିନା ଭକ୍ତରେ ଚାଲିଛି କାର୍ତ୍ତିକ ନୀତି। ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ଦ୍ୱାରଫିଟା, ଏହା ପରେ ମଙ୍ଗଳଆରତୀ, ମଇଲମ, ତଡପଲାଗି, ଅବକାଶ ପରେ ରାଧାଦାମୋଦର ଵେଶ, ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ, ପରେ ଦ୍ୱୀତୀୟ ଭୋଗମଣ୍ଡପ ପରେ ଦିବା ପହୁଡ ଏବଂ ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ବଡସିଂହାରବେଶ ଆଦି ନୀତି କରାଯାଉଛି। ସେପଟେ ଭକ୍ତ ମହାପ୍ରସାଦ ପାଇବା ପାଇଁ ଉତ୍ତର ଦ୍ୱାର ଓ ଦକ୍ଷିଣଦ୍ୱାରରେ ସୁଆର ମହାସୁଆର ପକ୍ଷରୁ କାଉଣ୍ଟର ଖୋଲିଥିବା ବେଳେ ଉଭୟ ଦ୍ୱାରରେ ଛାମୁଣ୍ଡିଆ କରାଯାଇ ମହାପ୍ରସାଦ ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ଆଶ୍ୱିନ ଶୁକ୍ଲ ଏକାଦଶୀ ଠାରୁ ୩୫ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେପଟେ କାର୍ତ୍ତିକ ପ୍ରତିପଦା ଠାରୁ ହବିଷ୍ୟାଳି ଶ୍ରୀକ୍ଷେତ୍ରରେ ପହଞ୍ଚି ସଂକଳ୍ପ କରି ବ୍ରତ ଆରମ୍ଭ କରିବାର ପରମ୍ପରା ରହିଛି। ହେଲେ ଯେଉଁମାନେ ଶ୍ରୀକ୍ଷେତ୍ରରେ ରହିଛନ୍ତି ସେମାନେ ଦଶହରା ଯୁକ୍ତ ଏକାଦଶୀ ତିଥିରେ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ସେମାନେ ଏକମାସ ଓ ପଞ୍ଚୁକ ୫ ଦିନ ଧରି କାର୍ତିକ ବ୍ରତ କରିଥାନ୍ତି। ହେଲେ ପ୍ରଶାସନିକ ଗାଇଡଲାଇନ୍ସ (Adminstrative Guidelines) ମାନି ଏଥର କାର୍ତ୍ତିକ ବ୍ରତ ପାଳ କରିବାକୁ ଥିବା ସହ ମାସ୍କ (Mask) ପିନ୍ଧିବା ଓ ସାନିଟାଇଜର (Sanitizer) ବ୍ୟବହାର କରିବା ସବୁଠୁ ଗୁରୁତ୍ୱପୁର୍ଣ୍ଣ। 

ମହାପ୍ରଭୁଙ୍କ ଯାହା ଇଛା ଥିବ ସେଭଳି ଭାବେ ବ୍ରତ କରିବୁ ବୋଲି କହିଛନ୍ତି ହବିଷ୍ୟାଳି। ଚଳିତ ବର୍ଷ ପଞ୍ଚୁକ ପଡୁଛି ୬ ଦିନ। ନଭେମ୍ବର ୨୫ ତାରିଖରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୨୬ରେ ବାଙ୍କଚୂଡା ବେଶ, ୨୭ରେ ନାଗାର୍ଜୁନ ବେଶ, ୨୮ତାରିଖରେ ତ୍ରିବିକ୍ରମବେଶ, ୨୯ରେ ଲକ୍ଷ୍ମୀନୂସିଂହ ବେଶ ଶେଷରେ ୩୦ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଏ ନେଇ ବିଜୟାଦଶମୀ ଠାରୁ ନାଗାର୍ଜୁନ ବେଶ ଆୟୋଜନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।