ରଥ ଖଳାରେ ଜୋରସୋରରେ ଚାଲିଛି ନିର୍ମାଣ କାର୍ଯ୍ୟ; ସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ଜୋରଦାର
Advertisement

ରଥ ଖଳାରେ ଜୋରସୋରରେ ଚାଲିଛି ନିର୍ମାଣ କାର୍ଯ୍ୟ; ସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ଜୋରଦାର

ରାତି ୧ଟାରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ପ୍ରାତଃ ୪ଟାରେ ଶେଷ ହେବ।

ରଥ ଖଳାରେ ଜୋରସୋରରେ ଚାଲିଛି ନିର୍ମାଣ କାର୍ଯ୍ୟ; ସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ଜୋରଦାର

ପୁରୀ: ସ୍ନାନ ପୂର୍ଣ୍ଣିମା ନୀତିକାନ୍ତିକୁ ନେଇ ହୋଇଛି ପ୍ରାରମ୍ଭିକ ଆଲୋଚନା। ଦଇତାପତି ନିଯୋଗ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ। କୋରୋନା ସଂକ୍ରମିତ ହୋଇନଥିବା ପାଳିଆ ସେବାୟତ ଏଥର ଯାତ୍ରାରେ ସାମିଲ ହେବେ। ସ୍ନାନ ପୂର୍ଣ୍ଣିମାର ୪୮ ଘଣ୍ଟା ପୂର୍ବରୁ ପାଳିଆ ସେବକଙ୍କ କରାଯିବ ଆରଟିପିସିଆର ଟେଷ୍ଟ। କେବଳ ପାଳିଆ ସେବକ ହିଁ ଅନୁମତି ପତ୍ର ଦେଖାଇ ଶ୍ରୀମନ୍ଦିର ପରିସରରେ ପ୍ରବେଶ କରିପାରିବେ। 

ରାତି ୧ଟାରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ପ୍ରାତଃ ୪ଟାରେ ଶେଷ ହେବ। ସକାଳ ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିଜେ କରିବେ। ସକାଳ ୯ଟାରୁ ୧୦ଟା ମଧ୍ୟରେ ହେବ ଶ୍ରୀଜୀଉଙ୍କ ସ୍ନାନ ପୂର୍ଣ୍ଣିମା (Snan Purnima) ନୀତି। ଏହା ପରେ ଗଜପତି ମହାରାଜା ସ୍ନାନ ବେଦୀକୁ ଯାଇ ଛେରାପହଁରା ନୀତି କରିବେ। ଦିନ ୧୧ଟାରୁ ୧୨ଟା ମଧ୍ୟରେ ଶ୍ରୀଜୀଉଙ୍କ ହାତୀ ବେଶ କରାଯିବ। ଅପରାହ୍ନ ୫ଟାରେ ବାହୁଡା ପହଣ୍ଡି। ଆଉ ରାତି ୭ଟା ସୁଦ୍ଧା ପହଣ୍ଡି ସାରି ଅଣସର ପିଣ୍ଡିକୁ ବିଜେ କରିବେ ମହାପ୍ରଭୁ। ପହଣ୍ଡି ପୂର୍ବରୁ ଶ୍ରୀଅଙ୍ଗରୁ ସୁବର୍ଣ୍ଣର ଚିତା ସହ ରାହୁରେଖା ବାହାର କରାଯିବ। ହେଲେ ଛତିଷା ନିଯୋଗ ବୈଠକରେ ଏହି ନିସ୍ପତ୍ତି ଉପରେ ଚୂଡାନ୍ତ ମୋହର ଲଗାଯାଇ ନୀତି କାନ୍ତି କରାଯିବ ବୋଲି କହିଛନ୍ତି ଦଇତାପତି ନିଯୋଗ ସଭାପତି ରବିନ୍ଦ୍ର ଦାସମହାପାତ୍ର। 

Also Read: ଜୋରସୋରରେ ଚାଲିଛି ରଥ ନିର୍ମାଣ; ବିନା ବିନାଭକ୍ତରେ ପାଳିତ ହେବ ଦେବସ୍ନାନ ପୂର୍ଣ୍ଣିମା

ସେପଟେ ରଥ ଖଳା (Chariot Mill) ଠାରେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ (Chariot Construction) କାର୍ଯ୍ୟ। ତିନି ରଥର ଚକ ଅଖ (Chariot Axle-Wheel) ଡେରା ନୀତି ସମ୍ପୂର୍ଣ୍ଣ ହୋଇଥିବା ବେଳେ ରଥ ଖଳାରେ ଚାରିନାହାକା କାର୍ଯ୍ୟ ଶେଷ ହୋଇଛି। ସେପଟେ ରଥର ଫ୍ରେମକୁ ନମ୍ବରିଂ କରାଯାଇ କଳସା ଯାଇଛି। ଅନ୍ଯପଟେ ସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶକୁ ନେଇ ରାଘବ ଦାସ ମଠ ପକ୍ଷରୁ ଚାଲିଛି ନିର୍ମାଣ କାର୍ଯ୍ୟ।

ଚାଲିଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କାର୍ଯ୍ୟ। ରଥକାର୍ଯ୍ଯ ଏବେ ଖଳାରୁ ବାହାରକୁ ଆସିଲାଣି। ଭଉଁରୀ ଦିନ ନାହାକା ଚକଅଖ ଡେରା ହୋଇଥିବା ବେଳେ ଶନିବାର ୩ ରଥର ବାକି ୧୮ ଅଖରେ ୩୬ ଚକ ସଂଯୋଗ କରାଯାଇ ଅଖଚକ ଡେରା ନୀତି ସମ୍ପର୍ଣ୍ଣ ହୋଇଛି। ତିନି ରଥର ଚେଚିସ୍ (Chariot Chassis) ବା ଦଣ୍ଡା ଫ୍ରେମ୍ ଶେଷ ହୋଇଥିବା ବେଳେ ତାହାକୁ ନମ୍ବରିଂ କରି କଳସା ଯାଇ ଫ୍ରେମ୍ ଗୁଡିକ ଖୋଲାଯାଇଛି। ପ୍ରତି ରଥର ଦୁଇଟି ଗର ଗରା ଚଉପଟ ପରେ ବିନ୍ଧ ଖୋଦେଇ କାର୍ଯ୍ୟ ଶେଷ ହୋଇଛି। 

Also Read: ଆଗକୁ Snan Purnima-Rathyatra; କୋଭିଡ କଟକଣା ମଧ୍ୟରେ ଆୟୋଜନ କରୁଛି ପ୍ରଶାସନ

ଏହା ସହିତ ରଥର ଟି ଲେଖାଏଁ ଜୋଖାର କାମ ଆରମ୍ଭ ହୋଇଥିବା ବେଳେ ନନ୍ଦିଘୋଷ (Nandighosh Chariot) ରଥ, ତାଳଧ୍ଵଜ (Taladhwaja Chariot) ରଥ ପାଇଁ ୧୬ ଏବଂ ଦର୍ପଦଳନ ରଥ (Darpadalana Chariot) ପାଇଁ ୧୨ଟି ଲେଖାଏଁ ଜୋଖା ନିର୍ମାଣ ହେବ। ସେପଟେ ଗତକାଲି ରୂପକାର ନାଟଗୋଡ ଖୋଦେଇ ଅନୁକୂଳ କରାଯାଇଥିବା ବେଳେ ୩ ରଥ ପାଇଁ ୮ଟି ଲେଖାଏଁ ୨୪ଟି ନିର୍ମାଣ କରାଯିବ। କାମର ବେଗକୁ ଦେଖି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମଧ୍ୟ ଚାରି ନାହାକା ଉଠିପାରେ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା ବିଜୟ ମହାପାତ୍ର ଏବଂ ଭୋଇ ସର୍ଦ୍ଦାର ରବି ଭୋଇ।

ସେପଟେ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ମହାପ୍ରଭୁ ହାତୀବେଶରେ ଶୃଙ୍ଗାର ହୋଇ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି। ଏଣୁ ରାଘବ ଦାସ ମଠ ପକ୍ଷରୁ ସେବକଙ୍କୁ ଲଗାଯାଇ ନିର୍ମାଣ କରାଯାଉଛି ହାତୀବେଶ। ସୋଲ, ଜରୀ, ଜମ୍ବୁରା, କଇଁଥ ଅଠା, ବେତ,ବାଉଁଶ କାଠି ଆଦିରେ ଏହି ବେଶ ପ୍ରସ୍ତୁତ କରାଯାଉଛି। ସ୍ୱତନ୍ତ୍ର ମାପରେ ଏହି ବେଶକୁ ନିର୍ମାଣ କରି ସ୍ନାନ ପୂର୍ଣ୍ଣିମା ଦିନ ବେଶ କାରିଗର ଶ୍ରୀମନ୍ଦିର (Srimandir) ଗାରଦରେ ଦାଖଲ କରିଥାନ୍ତି। ଆଉ ଏହାକୁ ସିଂହାରୀ, ପୁଷ୍ପାଳକ ଆଦି ସେବକ ମାନେ ଧଳାହାତୀ ଆଉ କଳାହାତୀ ଭଳି ବେଶ କରିବା ସହ ମହାପ୍ରଭୁ ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେଇଥାନ୍ତି। 

Also Read: Rathyatra 2021: ଆୟୋଜନ ନେଇ ଜୋରସୋରରେ ପ୍ରସ୍ତୁତି କରୁଛି Srimandir Administration

ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ ହୋଇଥାଏ ବୋଲି କହିଛନ୍ତି ବେଶ କାରିଗର ବସନ୍ତ ରଣା । ସେପଟେ କିଭଳି ଶୃଙ୍ଖଳାର ସ୍ନାନଯାତ୍ରା ହେବ ସେ ନେଇ ପ୍ରସ୍ତୁତ ହୋଇଛି ରଣନୀତି। ଏ ବାବଦରେ ଜଣାଇଛନ୍ତି ଉପଜିଲ୍ଲାପାଳ। ରଥ ନିର୍ମାଣ କାମ ଅଗ୍ରଗତି ହେଉଥିବା ବେଳେ ସେପଟେ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆଗାମୀ ସପ୍ତାହରେ ହେବାକୁ ଥିବା ଛତିଷା ନିଯୋଗ ବୈଠକରେ ଚୁଡାନ୍ତ ହେବ ସ୍ନାନଯାତ୍ରା ନେଇ ଜାରି ହେବାକୁ ଥିବା ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP)।