ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ମାମଲା: ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରଖିଛି ପ୍ରଶାସନ
Advertisement

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ମାମଲା: ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରଖିଛି ପ୍ରଶାସନ

ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ଜୋନରୁ ଘର ଛାଡିବା ଆରମ୍ଭ କରିଛନ୍ତି ବିସ୍ଥାପିତ ପରିବାର । ଜମି ସରକାରଙ୍କୁ ବିକ୍ରି କରିଦେବା ପରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି । ସରକାରଙ୍କ ସ୍ୱତନ୍ତ୍ର ପ୍ୟାକେଜ ଆଉ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ରଖି ଜମି ବିକ୍ରି କରିବା ସହ ଘର ଛାଡିଛନ୍ତି । 

ଫାଇଲ ଫଟୋ

ସଞ୍ଜୟ ମହାପାତ୍ର, ପୁରୀ: ଶ୍ରୀମନ୍ଦିର ଠାରୁ ୭୫ମିଟର ପରିଧିରୁ ଖାଲି ହେଉଛି ଘର । ଦୁଇଦିନ ମଧ୍ୟରେ ବାସେଳିସାହୀ ମୌଜାରୁ ଦୁଇଟି ବିସ୍ଥାପିତ ପରିବାର କ୍ଷତିପୂରଣ ପାଇବା ପରେ ଘର ଛାଡିଛନ୍ତି । ପିଲାଛୁଆଙ୍କ ସହ ଘରର ବନ୍ଧ,କବାଟ, ଦିଅଁ ଓ ଆସବାବ ପତ୍ର ଧରି ଅନ୍ୟତ୍ର ପଳାଇଛନ୍ତି । ସେପଟେ ନିଜ ଘରକୁ ଲାଗି ରହିଥିବା ଘର ଖାଲି ହେଉଥିବା ଦେଖି ଅନ୍ୟମାନେ ଭୟଭୀତ ହେଉଛନ୍ତି । ସେମାନେ ଜମି ଦେବେ ନାହିଁ ବୋଲି ଜିଦରେ ଅଟଳ ରହିଥିବା ବେଳେ SIA ପ୍ରୋସେସରେ ଜମି ଅଧିଗ୍ରହଣ କରାଯାଉଛି । କାହାରିକୁ ଅସନ୍ତୁଷ୍ଟ କରାଯାଉ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ଜୋନରୁ ଘର ଛାଡିବା ଆରମ୍ଭ କରିଛନ୍ତି ବିସ୍ଥାପିତ ପରିବାର । ଜମି ସରକାରଙ୍କୁ ବିକ୍ରି କରିଦେବା ପରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି । ସରକାରଙ୍କ ସ୍ୱତନ୍ତ୍ର ପ୍ୟାକେଜ ଆଉ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ରଖି ଜମି ବିକ୍ରି କରିବା ସହ ଘର ଛାଡିଛନ୍ତି । ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ବାସେଳିସାହୀ ମୌଜାର ଦୁଇଟି ପରିବାର କ୍ଷତିପୂରଣ ବାବଦ ଅର୍ଥ ପାଇବା ପରେ ପ୍ରଶାସନ ହାତକୁ ଟେକି ଦେଇ ଘରଦ୍ୱାର ଛାଡି ପଳାଇଛନ୍ତି ।  ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ସମସ୍ତ ପରିବାର ଜଣେ ପରେ ଜଣେ ଘରଛାଡିବାକୁ ପ୍ରସ୍ତୁତ ହେଉଛନ୍ତି ।

 ସାମାଜିକ ପ୍ରଭାବ ସର୍ଭେକ୍ଷଣ ଆଧାରରେ ବିସ୍ଥାପିତଙ୍କୁ ଥଇଥାନ ଯୋଜନାରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉଛି । କାହାରିକୁ ଅସନ୍ତୋଷ କରାଯାଉନାହିଁ । ସଠିକ୍ ପ୍ୟାକେଜ ଓ ୧୦ ପ୍ରତିଶତ ସ୍ୱତନ୍ତ୍ର ବେନିଫିଟ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୫୫ରୁ ଉର୍ଦ୍ଧ୍ୱ ପ୍ଲଟ କିଣାଯାଇଛି । ୬୦ରୁ ଉର୍ଦ୍ଧ୍ୱ ଲୋକ ବିକ୍ରି ପାଇଁ ଆବେଦନ କରିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।

ସେପଟେ ସାହି ଅଞ୍ଚଳରୁ ଘର ଖାଲି ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଛି । କେତେକ ନିଜ ଜିଦ ଛାଡି ସରକାରଙ୍କୁ ଜମି ଦେବାକୁ ଇଚ୍ଛା ପ୍ରକାଶ କରୁଥିବା ବେଳେ ଆଉ କିଛି ନିଜ ଜିଦରେ ଅଟଳ ରହିଛନ୍ତି । ବାସେଳିସାହୀର ମିନତୀ ପଣ୍ଡା ଏବେବି ନିଜ ଜିଦରେ ଅଟଳ ରହିଛନ୍ତି । କସ୍ମିନକାଳେ ଜମି ଛାଡିବେ ନାହିଁ ଆବଶ୍ୟକ ପଡିଲେ ବୁଲ ଡୋଜର ଆଗରେ ଜୀବନ ଦେବୁ କହିଛନ୍ତି ସେମାନେ । ପୁରୁଷ ପୁରୁଷ ଧରି ବାସ କରୁଥିବା ଏହି ଭିଟାମାଟି କେମିତି ଛାଡିବୁ ବୋଲି ପ୍ରଶ୍ନ କରିଛନ୍ତି । ତେବେ ତାଙ୍କ ଘର ପାଖରୁ  ଘର ଫାଙ୍କା ହେବା ନେଇ ସେ ଭୟଭୀତ ଥିବା କହିଛନ୍ତି ।  ସେପଟେ ଇନ୍ଦ୍ରମଣୀ ଲେଙ୍କା ଜଣେ ବରିଷ୍ଠ ନାଗରିକ ସେ ଘର ଛାଡିଲେ କେଉଁଠି ଯିବେ ବୋଲି ପ୍ରଶ୍ନ କରିଛନ୍ତି ।

ସରକାରଙ୍କ ସ୍ୱତନ୍ତ୍ର ପ୍ୟାକେଜ ଓ ୧୦ ପ୍ରତିଶତ ବେନିଫିଟ ଜମି ଅଧିଗ୍ରହଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିଛି । କ୍ଷତିପୂରଣ ପାଇବା ପରେ ଆନନ୍ଦରେ ଘର ଛାଡୁଛନ୍ତି ବିସ୍ଥାପିତ ପରିବାର । ହେଲେ ଆସନ୍ତା ଡିସେମ୍ବର ୨ରୁ ୧୦ପ୍ରତିଶତ ଅତିରିକ୍ତ ବେନିଫିଟ ବନ୍ଦ ହୋଇଯିବ । ଆଉ ତାପରେ କିଭଳି ବିସ୍ଥାପିତମାନେ ଜମି ବିକ୍ରି କରିବାକୁ ଇଚ୍ଛା ପ୍ରକଟ କରିବେ ତାହା ଉପରେ ରହିବ ସମସ୍ତଙ୍କ ନଜର ।