ପୁଣି ତାହା ଏକ ନାଳ ହୋଇଥିବାରୁ ପର୍ଯ୍ୟଟକ ବେଳାଭୂମିର ଗୋଟିଏ ପଟୁ ଅନ୍ୟପଟକୁ ଯିବା ପାଇଁ ସମସ୍ୟା ହେଉଥିବା ବେଳେ ସେଠାରୁ ଫେରିକି ଯିବାକୁ ପଡୁଥିଲା। ଖାଲି ସେତିକି ନୁହେଁ ୨ କିଲୋମିଟର ଦେଇ ବୁଲିବାକୁ ପଡୁଥିଲା।
Trending Photos
ସଞ୍ଜୟ ମହାପାତ୍ର, ପୁରୀ: ଶହ ଶହ ବର୍ଷ ଧରି ସୁବର୍ଣ୍ଣ ବେଳାଭୂମି (Golden Beach) କୁ ୨ ଭାଗ କରିଦେଇଥିଲା ବାଙ୍କି ମୁହାଁଣ (Banki Muhana)। ପର୍ଯ୍ୟଟକ ଗୋଟିଏ ପାର୍ଶ୍ୱରୁ ଅନ୍ୟପାର୍ଶ୍ୱକୁ ଯିବା ପାଇଁ ପ୍ରତିବନ୍ଧକ ସାଜିଥିଲା ମୁହାଁଣ ନିକଟରେ ସୃଷ୍ଟି ହୋଇଥିବା ନଳା। ପର୍ଯ୍ୟଟକଙ୍କ ପାଇଁ ନାଳ ଉପରେ ଏକ ପୋଲ (Bridge) ନିର୍ମାଣ ନିର୍ମାଣ କରାଯାଇଛି। ଯାହା ଫଳରେ ପର୍ଯ୍ୟଟକ ଏଣିକି ଚକ୍ରତୀର୍ଥ ବେଳାଭୂମିକୁ ବୁଲିକି ନଯାଇ ସିଧାସଳଖ ବେଳାଭୂମି (Beach) ରେ ବୁଲିବା ସହ ମଜାନେଇ ପାରିବେ।
ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବେଳାଭୂମିକୁ ନିଳାଦ୍ରୀ ପାର୍କ (Niladri Park), ବ୍ଲୁ ଫ୍ଲାଗ ବିଚ (Blue Flag Beach) ସହ ଯୋଡା ଯାଇଛି। ସେପଟେ ସହରର ବର୍ଜ୍ୟଜଳ ସିଧାସଳଖ ବାଙ୍କିମୁହାଣ ଦେଇ ସମୁଦ୍ରରେ ମିଶୁଥିବାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଏଠାରେ ନିର୍ମାଣ ହୋଇଥିଲା ଏସିଆର ସର୍ବବୃହତ ବର୍ଜ୍ୟଜଳ ବିଶୋଧନ ପରିଚାଳନା ପ୍ରକଳ୍ପ। ହେଲେ ଆଜି ନଳା ପାଣି ସମୁଦ୍ରରେ ସିଧାସଳଖ ମିଶୁଥିବାରୁ ଏହାକୁ ନେଇ ଦେଖିବାକୁ ମିଳିଛି ଅସନ୍ତୋଷ।
ପୁରୀ ବେଳାଭୂମିରେ ବାଙ୍କି ମୁହାଁଣ ଦେଇ ସିଧାସଳଖ ସମୁଦ୍ରରେ ମିଶୁଛି ସହରର ବର୍ଜ୍ୟଜଳ। ପୁଣି ତାହା ଏକ ନାଳ ହୋଇଥିବାରୁ ପର୍ଯ୍ୟଟକ ବେଳାଭୂମିର ଗୋଟିଏ ପଟୁ ଅନ୍ୟପଟକୁ ଯିବା ପାଇଁ ସମସ୍ୟା ହେଉଥିବା ବେଳେ ସେଠାରୁ ଫେରିକି ଯିବାକୁ ପଡୁଥିଲା। ଖାଲି ସେତିକି ନୁହେଁ ୨ କିଲୋମିଟର ଦେଇ ବୁଲିବାକୁ ପଡୁଥିଲା। ଆଉ ଚକ୍ରତୀର୍ଥ ବେଳାଭୂମି ସହ ସୁବର୍ଣ୍ଣ ବେଳାଭୂମିକୁ ଦୁଇ ଭାଗ କରିଦେଇଥିଲା ଏହି ବାଙ୍କି ମୁହାଁଣ ନଳା। ଗତ କିଛି ଦିନ ତଳେ ଫାଇଭ ଟି ସଚିବ (5T Secretary) ଙ୍କ ସମୀକ୍ଷା ପରେ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।
ଦୁଇ ବେଳାଭୂମି ମଝିରେ ଥିବା ନଳା ଉପରେ ଗଢାଯାଇଛି ପୋଲ। ଆଉ ପର୍ଯ୍ୟଟକ ବ୍ଲୁ ଫ୍ଲାଗ ବିଚ ବୁଲିବା ପରେ ନିଳାଦ୍ରୀ ପାର୍କ ବୁଲି ସାରି ସିଧାସଳଖ ପୋଲ ଦେଇ ଚକ୍ରତୀର୍ଥ ବିଚକୁ ଅନାୟସରେ ଯାଇପାରୁଛନ୍ତି। ଯାହା ଫଳରେ ମହାପ୍ରଭୁଙ୍କ ଦାରୁ ଲାଗିଥିବା ପବିତ୍ର ବାଙ୍କୀ ମୁହାଣ ପୁଣିଥରେ ହସି ଉଠିବା ସହ ଏହି ପବିତ୍ରସ୍ଥଳ ପର୍ଯ୍ୟଟନ ଓ ସଂସ୍କୃତିର ପ୍ରାଣକେନ୍ଦ୍ରରେ ପରିଣତ ହୋଇପାରିଛି। ଏଠାରେ ଥିବା ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍କୁ ବ୍ୟବସ୍ଥିତ କରାଯିବ। ସେପଟେ ଚକ୍ରତୀର୍ଥ ବେଳାଭୂମିରେ ଯେଉଁ ସ୍ଥାନରେ ମହାପ୍ରଭୁଙ୍କ ଦାରୁ ଲାଗିଥିଲା ତାହାର ପବିତ୍ରତା ରକ୍ଷା କରାଯିବା ପାଇଁ ଏହା ବେଶ ସହାୟକ ହେବ।
ବାଙ୍କୀ ମୁହାଁଣ ହୃଦୟପାର୍କର କିଭଳି ସଫଳ ଉପଯୋଗ ହୋଇପାରିବ ସେ ନେଇ ମଧ୍ୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଷ୍ଟର୍ଲିଂ ଠାରୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବେଳାଭୂମିର ବିକାଶ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ। ୧୯୯୮ ରେ ଦେଶର ପ୍ରଥମ ସର୍ବବୃହତ ବର୍ଜ୍ୟଜଳ ବିଶୋଧନ ପ୍ରକଳ୍ପ ବାଙ୍କି ମୁହାଁଣ ନିକଟରେ କରାଯାଇଛି । ହେଲେ ବାତ୍ୟାରେ ତାହା ସମ୍ପୁର୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ରାଜ୍ୟ ସରକାର ଏନେଇ ୩ଶହ କୋଟି ଅର୍ଥ ମଞ୍ଜୁର କରିଥିଲେ।
ହେଲେ ବର୍ତ୍ତମାନ ସୁଦ୍ଧା ସମୁଦ୍ରରେ ବର୍ଜ୍ୟଜଳ ସିଧାସଳଖ ଯାଇ ମିଶୁଥିବାରୁ ତାହା ପରିବେଶ ପ୍ରତି କ୍ଷତିକାରକ। ବର୍ତ୍ତମାନ ପର୍ଯ୍ୟଟନର ବିକାଶକୁ ଗୁରୁତ୍ୱ ଦିଆଯାଇ ପୁରୀର ବେଳାଭୂମି ବିକାଶ ପାଇଁ ପ୍ରାଧାନ୍ୟ ଦିଆଯାଇଥିବା ସହ ବାଙ୍କୀ ମୁହାଣ ଓ ଗୋଲଡେନ ବିଚକୁ ଭାଗ ଭାଗ କରି ରଖିଥିବା ବାଙ୍କୀ ମୁହାଣ ବେଳାଭୂମିକୁ ଯୋଡି ଦିଆଯାଇଛି। ହେଲେ ପ୍ରକଳ୍ପକୁ ସଠିକ ଭାବେ କାର୍ଯ୍ୟକ୍ଷମ କରାଯାଉନଥିବାରୁ ପର୍ଯ୍ୟଟକ ଅନେକ ସମୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରଶାସନ ଏ ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ପରିବେଶବିତ। ସେପଟେ ସହରର ଦୀର୍ଘ ଦିନର ସମସ୍ୟାରେ ସୁଧାର ହେବା ସ୍ୱାଗତଯୋଗ୍ୟ ହେଲେ ବାଙ୍କି ମୁଁହାଣର ନଳାପାଣିକୁ ରୋକିବାରେ ମଧ୍ୟ ପଦକ୍ଷେପ ନିଆଯିବା ଦରକାର ବୋଲି କହିଛନ୍ତି ବୁଦ୍ଧିଜୀବୀ। ପୁରୀ ବେଳାଭୂମି ଏକ ନୂଆ ରୂପ ନେବାକୁ ଯାଉଛି। 'ମୋ ବିଚ୍', ବିଚ୍ ପରିଚାଳାନ କମିଟି ଓ ମୋ ଧାମ ଓ ମୋ ଗର୍ବ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବେଳାଭୂମିର ବିକାଶ କରାଯାଉଛି। ବ୍ଲୁ ଫ୍ଲାଗ୍ ବେଳାଭୂମିର ମଧ୍ୟ ବିକାଶ କରାଯାଇଛି। ବେଳାଭୂମିରେ ଉଠା ଦୋକାନୀମାନଙ୍କୁ ବ୍ୟବସ୍ଥିତ କରିବାକୁ ମଧ୍ୟ ଯୋଜନା କରାଯାଉଛି। ଏସବୁ ଭିତରେ ବାଙ୍କି ମୁହାଣର ସ୍ଥାୟୀ ସମାଧାନ ଉପରେ ମଧ୍ୟ ବିଚାର ଏକାନ୍ତ ଅପରିହାର୍ଯ୍ୟ ।