ସହରବାସୀଙ୍କୁ ଭିକ୍ଷା ମାଗିଲେ ପୁରୀ ଜିଲ୍ଲାପାଳ
Advertisement

ସହରବାସୀଙ୍କୁ ଭିକ୍ଷା ମାଗିଲେ ପୁରୀ ଜିଲ୍ଲାପାଳ

ଏଥର ଲୋକମାନେ ନିଜ ଘରର ଅଳିଆ ଧରି ଆଉ କେଉଁଠାକୁ ଯିବେ ନାହିଁ ବରଂ ଅଳିଆ ସଂଗ୍ରହ ପାଇଁ ପ୍ରତି ଘରେ ପହଞ୍ଚିବ ପୌରସଂସ୍ଥାର ସ୍ୱଚ୍ଛ ସବାରୀ। 

ସହରବାସୀଙ୍କୁ ଭିକ୍ଷା ମାଗିଲେ ପୁରୀ ଜିଲ୍ଲାପାଳ

ପୁରୀ: ପୁରୀରେ "ମୋ ପୁରୀ ସ୍ୱଚ୍ଛ ପୁରୀ"କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଥିରେ ଖୋଦ୍ ଜିଲ୍ଲାପାଳ ପୁରୀବାସିଙ୍କୁ ମାଗିଛନ୍ତି ଭିକ୍ଷା । ସେ ଟଙ୍କା ମାଗୁ ନାହାନ୍ତି ଅଳିଆ ମାଗୁଛନ୍ତି ବୋଲି ନରମ କଣ୍ଠରେ ଭିକ୍ଷା ମାଗି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି । ସେପଟେ ଟିକେ ସହଯୋଗ କଲେ ପୁରୀ ଚାରିମାସ ମଧ୍ୟରେ ବିଶ୍ୱର ଅଳିଆ ସହର ନୁହଁ ସ୍ୱଚ୍ଛ ଆଉ ସୁନ୍ଦର ସହର ଭାବେ ଏକ ନମ୍ବର ସ୍ଥାନ ଅଧିକାର କରିପାରିବ ବୋଲି କହିଛନ୍ତି। ଘରଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବ ସ୍ୱତନ୍ତ୍ର ଗାଡି। ଗାଡିରେ ଲାଗିବ ଜିପିଏସ୍ ସିଷ୍ଟମ ଆଉ ପ୍ରତି ଘରେ ଲାଗିବ କ୍ଯୁଆର କୋଡ୍। ଫଳରେ ସ୍ୱଚ୍ଛତାକୁ ନେଇ ଆରମ୍ଭ ହୋଇଥିବା ଅଭିଯାନରେ ସ୍ୱଚ୍ଛତା ଆସିବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ। ସେପଟେ ପୌରାଞ୍ଚଳରେ ପ୍ରତି ତିନିହଜାର ପରିବାରଙ୍କ ପାଇଁ ଗୋଟିଏ ଲେଖାଏଁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ନିର୍ମାଣ କରାଯିବ ଓ ଏହି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରେ ସଲିଡ୍ ୱଷ୍ଟ ମ୍ଯାନେଜମେଣ୍ଟ କରାଯିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୌର ନିର୍ବାହୀ ଅଧିକାରୀ ଓ ପୌରସଂସ୍ଥାର ବହୁ ପୂର୍ବତନ ନଗରପାଳ ଯୋଗଦାନ କରିଥିଲେ।

ଏଥର ଲୋକମାନେ ନିଜ ଘରର ଅଳିଆ ଧରି ଆଉ କେଉଁଠାକୁ ଯିବେ ନାହିଁ ବରଂ ଅଳିଆ ସଂଗ୍ରହ ପାଇଁ ପ୍ରତି ଘରେ ପହଞ୍ଚିବ ପୌରସଂସ୍ଥାର ସ୍ୱଚ୍ଛ ସବାରୀ। ଆଉ ନିଜର ଅଳିଆକୁ ଆଣି ଏହି ଗାଡିରେ ଦେବାପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ଅଳିଆ ସଂଗ୍ରହ ପାଇଁ ବୁଲିବ ୪୦ଟି ଗାଡି। ଯେଉଁ ଅଞ୍ଚଳକୁ ଗାଡି ଯାଇନପାରିବ ସେଠାରେ ପହଞ୍ଚିବ ଇ-ଅଟୋ। ଗାଡିରେ ଲାଗିବ ଜିପିଏସ୍ ସିଷ୍ଟମ ଆଉ ପ୍ରତି ଘରେ ଲାଗିବ କ୍ଯୁଆର କୋଡ୍ ସେନସର। କ୍ଯୁଆର କୋଡ୍ ସେନସରରୁ ଜଣାପଡିଯିବ କାହା ଘରୁ କେତେ ଅଳିଆ ବାହାରୁଛି। ଆଉ ଅଳିଆ ନଦେଲେ ଘରେ ଲାଗିବ କଡା ନୋଟିସ। ମୋ ପୁରୀ ସ୍ୱଚ୍ଛ ପୁରୀ କାର୍ଯ୍ଯକ୍ରମ ଅବସରରେ ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ। ଫନୀ ବାତ୍ଯା ପରେ ସ୍ଥିତି ସଜାଡିବାକୁ ଟିକେ କଷ୍ଟ ଥିଲା। କିନ୍ତୁ ସମସ୍ତଙ୍କ ସହଯୋଗରେ ସହର ସ୍ଥିତିରେ ସୁଧାର ଆସିଛି। ଆଉ ଏବେ ଚାରିଧାମ ମଧ୍ୟରେ ପୁରୀ ଏକ ନମ୍ବର ହେବ ବୋଲି ଆଶା ରଖିଥିବା କହିଛନ୍ତି ଜିଲ୍ଲାପାଳ।

 ସେପଟେ ପୌରସଂସ୍ଥାର ପ୍ରତି ତିନି ହଜାର ପରିବାରର ଅଳିଆକୁ ପୃଥକୀକରଣ ଓ ନଷ୍ଟ କରାଯିବା ପାଇଁ ବସିବ ଗୋଟିଏ ଲେଖାଏଁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର। ସହରରେ ୧୧ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ବସିବ ବୋଲି କୁହାଯାଇଛି । ଯାହାକି ଏହା କମ୍ପୋଷ୍ଟ ଓ ସିମେଣ୍ଟ ଉତ୍ପାଦିତ ହୋଇପାରିବ। ଏଥିଲାଗି ଏକ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସବୁଠୁ ବଡ କଥା ହେଉଛି ଏହି କାର୍ଯ୍ଯରେ ପୌରସଂସ୍ଥାର ୬୦୦କର୍ମଚାରୀ ନିୟୋଜିତ ହେବେ। ମୋ ପୁରୀ ସ୍ୱଚ୍ଛ ପୁରୀ କାର୍ଯ୍ଯକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଥିବା ଜଣାପଡିଛି।