ପୁରୀ ସହରକୁ ସ୍ୱଚ୍ଛ ରଖିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ଅଭିନବ ପଦକ୍ଷେପ।
Trending Photos
ସଞ୍ଜୟ ମହାପାତ୍ର, ପୁରୀ: ସହରକୁ ସଫାସୁତୁରା ରଖିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ (Puri Dist Admin) ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ। ଏହି କ୍ରମରେ ପୁରୀ ଜିଲ୍ଲପାଳ (puri) ବଲୱନ୍ତ ସିଂ ଶ୍ରୀମନ୍ଦିର Srimandir) ନିକଟରେ ଆନୁଷ୍ଠାନିକ ଭାବେ "କୈବଲ୍ୟ ରଥ" କୁ ଶୁଭାରମ୍ଭ କରିଛନ୍ତି। "ମୋ ଧାମ ମୋ ଗର୍ବ" ଅଭିଯାନ ଅଧିନରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି ପୁରୀ ପୌରସଂସ୍ଥା (Puri Municpality)।
ବ୍ୟବହୃତ ଅଭଡା କୁଡୁଆ, ବଳିଯାଇଥିବା ପ୍ରସାଦ ଓ ଫୁଲ, ଫଳ ଚୋପା, ଦୀପ, ଧୂପକାଠି ଭଳି ବ୍ୟବହୃତ ପୂଜା ସାମଗ୍ରୀ ଆଦି ସୁବ୍ୟବସ୍ଥିତ ଭାବେ ଘରୁ ସଂଗ୍ରହ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ଗାଡିର ଶୁଭାରମ୍ଭ କରାଯାଇଛି। ଏହି ରଥ ମଣିକର୍ଣ୍ଣିକା ସାହି, ହରଚଣ୍ଡି ସାହି, ଗୌଡବାଡ ସାହି, ଯମ୍ବେଶ୍ୱର, ଗରାକୂଅ ଲେନ, ଢିପ ଯାଗା, ମହାସୁଆର ସାହି, ପାଳ ହରଚଣ୍ଡି, ଶୀତଳ ପିଣ୍ଡା, ଗୋଚ୍ଛିକାର ସାହି, ପଣାପ୍ରିୟ ଲେନ, ବିମାନବଡୁ ସାହି ଆଦି ଅଞ୍ଚଳରେ ଘରଘର ବୁଲି ଏହି ସବୁ ସାମଗ୍ରୀ ସଂଗ୍ରହ କରିବ।
ଏହାକୁ ମୁଦୁଲି ଯାଗା ପଛପାଖରେ ପ୍ରସ୍ତୁତ କରାଯାଇଥିବା ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରଖାଯିବ। ପ୍ରତ୍ୟେକ ଦିନ ସକାଳ ୯ ରୁ ୧୧ ଘଟିକା ପର୍ଯ୍ୟନ୍ତ ଏହି ଗାଡି ଚାଲିବ। ଭଜନ ସମ୍ରାଟ ଭିକାରୀ ବଳଙ୍କ କୋଠ ଭୋଗଖିଆ ଭଜନ ଏହି ରଥରେ ବାଜିବ ଯାହାଦ୍ୱାରା ଏହି ସବୁ ସାମଗ୍ରୀ ସଂଗ୍ରହ ନିମନ୍ତେ ଗାଡି ଆସିବାର ସୂଚନା ମିଳିବ। ଏହି ଗାଡିର ଶୁଭାରମ୍ଭ କରିବା ଅବସରରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସେବାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।