Snana Yatra 2023: ଆସନ୍ତାକାଲି ସ୍ନାନଯାତ୍ରା, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ
Advertisement
Article Detail0/zeeodisha/odisha1722993

Snana Yatra 2023: ଆସନ୍ତାକାଲି ସ୍ନାନଯାତ୍ରା, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

Snana Yatra 2023: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା (Snana Yatra 2023) । ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ (lord jagannath) ସ୍ନାନ କରିବା ପରେ ଭକ୍ତଙ୍କୁ ଦୁର୍ଲଭ ହାତୀ ବେଶ ବା ଗଜାନନ ବେଶରେ ଦର୍ଶନ ଦେବେ । ଏଣୁ ଏହି ବେଶ ପ୍ରସ୍ତୁତି କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି । ମହାପ୍ରଭୁଙ୍କୁ ଏହି ବେଶରେ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ପଢନ୍ତୁ ଏହି ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Snana Yatra 2023: ଆସନ୍ତାକାଲି ସକାଳେ ରତ୍ନବେଦୀ (Puri)ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ  (lord jagannath) । ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ  (Snana Yatra 2023)ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବେ ତିନି ଠାକୁର । ଏହି ଅବସରରେ ମହାପ୍ରଭୁ ହାତୀବେଶ ବା ଗଜାନନ ବେଶରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। ସ୍ନାନବେଦୀରେ ମହାପ୍ରଭୁଙ୍କ ଏହି ହାତୀବେଶ ବା ଗଜାନନ ବେଶ ସବୁଠାରୁ ଆକର୍ଷଣୀୟ ହୋଇଥିବା ବେଳେ ଶ୍ରୀମନ୍ଦିର ପାରମ୍ପରିକ ବେଶ କାରିଗରମାନେ ରାଘବ ଦାସ ମଠ ଓ ଗୋପାଳତୀର୍ଥ ମଠରେ ଏହି ବେଶ ନିଷ୍ଠାର ସହ ପ୍ରସ୍ତୁତି କରୁଛନ୍ତି। ଗୋପାଳତୀର୍ଥ ମଠ ବଳଭଦ୍ର ଓ ସୁଦର୍ଶନଙ୍କ ବେଶ ପ୍ରସ୍ତୁତ କରୁଥିବା ବେଳେ ରାଘବଦାସ ମଠ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ତିଆରି କରିଥାନ୍ତି। ଗତ ଅକ୍ଷୟତୃତୀୟା ଠାରୁ ସୋଲ, ଚିତ୍ରକର, ଦରଜୀ ଓ ରଣା ସେବାୟତମାନେ ହବିଷାନ୍ନ ଗ୍ରକ୍ଷଣ କରି ଅତି ନିଷ୍ଠାର ସହିତ ଏହି ବେଶକୁ ନିର୍ମାଣ କରୁଛନ୍ତି।

ବିଶେଷ କରି ଏହି ବେଶ ନିର୍ମାଣ ପାଇଁ ସମସ୍ତ ପ୍ରାକୃତିକ ଦ୍ରବ୍ୟର ବ୍ୟବହାର କରାଯାଏ। ବାଉଁଶ,କଦଳୀ ପଟୁକା,ସୋଲ, ଜରି, ଜମ୍ୱୁରା, କନା ଓ କଇଁଥ ଅଠା ବ୍ୟବହାର କରାଯାଇ ଏହି ବେଶକୁ ବେଶ୍ ଆକର୍ଷଣୀୟ ଭାବେ ନିର୍ମାଣ କରିଥାନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ତରାସ, କିଆଫଳି, ଚନ୍ଦ୍ରସୂର୍ଯ୍ୟ, ଛତି, କାନ,ଚିତା, ଥୋଡହସ୍ତ, ଅଧର, ତୋରଣା ଓ ଗଜଖୁମ୍ବ ତିଆରି ହେଉଥିବା ବେଳେ ଦେବୀ ସୁଭଦ୍ରାଙ୍କ ପାଇଁ ତଡକୀ, ନାକୁଆସୀ, ତରାସ, ଛତି, ଚୂଳ ଓ ଚିତା ତିଆରି ହେଉଛି। ସେହିପରି ପ୍ରଭୁ ସୁଦର୍ଶନଙ୍କ ପାଇଁ ସବୁଜ ରଙ୍ଗର ଚକ୍ର,ଚୂଳ ଓ ଓଲାର ତିଆରି ଚାଲିଛି। ପ୍ରଭୁ ବଳଭଦ୍ରଙ୍କ ପାଇଁ ଧଳାରଙ୍ଗ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ କଳାରଙ୍ଗର ବେଶ ପ୍ରସ୍ତୁତ କରୁଛନ୍ତି ଶ୍ରୀମନ୍ଦିରର ପାରମ୍ପରିକ ଶିଳ୍ପୀ ମାନେ।‌ ପ୍ରାୟ ଏକମାସ ଧରି ଏହି ବେଶ ନିର୍ମାଣ କରିବା ପରେ ଦେବସ୍ନାନ ପୂର୍ଣ୍ଣମୀର ଅପରାହ୍ନରେ ବେଶ କାର୍ଯ୍ୟ ଶେଷ କରାଯାଇ ଏକ ବିରାଟ ପଟୁଆରରେ ଶ୍ରୀମନ୍ଦିରକୁ ନିଆଯାଇଥାଏ। ମହାପ୍ରଭୁଙ୍କ ହାତୀବେଶ ନିର୍ମାଣ ପାଇଁ ପ୍ରାୟ ୧୦ ରୁ ଉର୍ଦ୍ଧ ଶିଳ୍ପୀ ବେଶ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି। ମହାପ୍ରଭୁଙ୍କ ବେଶ ନିର୍ମାଣକୁ ଏକ ସେବା ଭାବେ ଗ୍ରହଣ କରି ଏହି କାରିଗର ମାନେ ନିଜକୁ ଧନ୍ୟ ମନେ କରନ୍ତି।

Also Read: Odisha Train Accident: ଟ୍ରେନ ଦୁର୍ଘଟଣା ପରେ ଯାତ୍ରୀଙ୍କ ଠାରୁ ମନଇଚ୍ଛା ବସଭଡ଼ା ନେଇଛନ୍ତି ମାଲିକ

Also Read: Odisha Train Accident: ଛାତିଥରା ଟ୍ରେନ ଦୁର୍ଘଟଣା ପାଇଁ ବନ୍ଦ ହେଲା ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

ସେପଟେ, ରଥ ଯାତ୍ରା (rath yatra 2023) ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ଜୁନ୍‌‌ ୨୦ରେ ରଥଯାତ୍ରା ଅନୁଷ୍ଠିତ ହେବ। ସେହିଦିନ ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ଅପରାହ୍ନ ୧ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ। ଚିତା ଲାଗି ପରେ ବେଶ ଶେଷ ହେବ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। ସେହିପରି ବୈଠକରେ ଜୁନ୍‌‌ ୨୮ ତାରିଖ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ହୋଇଛି। ୨୯ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ୩୦ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ। ଜୁଲାଇ ୧ ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍‌‌ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି।