ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି
Advertisement

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି

ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହୋଇଛି ସୂର୍ଯ୍ୟପରାଗ ନୀତି

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହୋଇଛି ସୂର୍ଯ୍ୟପରାଗ ନୀତି । ଗତକାଲି ତଡପ ଲାଗି ବେଶ ପରେ ଆଉ କୌଣସି ନୀତି ସୂର୍ଯ୍ୟପରାଗକୁ ନେଇ ହୋଇନଥିଲା । ଆଜି ସକାଳୁ ୮ଟା  ୨୦ ମିନିଟ ୮ ସେକଣ୍ଡରେ ସୂର୍ଯ୍ୟପରାଗ ଲାଗିବା ପରେ ଶ୍ରୀ ମନ୍ଦିରରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଦେବ ନୀତି । ଯେହେତୁ ତଡପ ଲାଗି ପରେ ନୀତି ବନ୍ଦ ରହିଥିଲା ଆଜି ପରାଗ ସମୟରେ କରାଗଲା ଗ୍ରହଣ ମହାସ୍ନାନ । ତା ପରେ ବଡ ସିଂହାର ବେଶ ହୋଇ କରାଗଲା ଖଇକୋରା ଭୋଗ । ତା ପରେ ମଙ୍ଗଳଆଳତୀ ପରେ ରୋଷହୋମ କରାଯାଇ ପହିଲି ଭୋଗ କରାଯିବା ପରେ ଅବକାଶ, ମଇଲମ ପରେ ମହାପ୍ରଭୁଙ୍କୁ ସାଧା ବେଶ କରାଯାଇଥିଲା । ତା ପରେ ଅନ୍ୟାନ୍ୟ ନୀତି ବଢି ମହାପ୍ରଭୁଙ୍କର ପହିଲି ଭୋଗ ନୀତି କରାଯାଇଛି । ସୂର୍ଯ୍ୟପରାଗ ଥିବାରୁ ଗ୍ରହଣ ନୀତିରେ ବିଳମ୍ବ ହୋଇଥିବା ଯୋଗୁଁ ଅନ୍ୟାନ୍ୟ ନୀତି ବିଳମ୍ବ ହୋଇଛି ।
ତେବେ ବିଭିନ୍ନ ନିଯୋଗ ପକ୍ଷରୁ ନୀତି ତ୍ୱରିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଦିନ ଦୁଇଟା ସୁଦ୍ଧା ମହାପ୍ରସାଦ କିଭଳି ଭକ୍ତ ପାଇବେ ତାହାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ଖାଲି ସେତିକି ନୁହେଁ ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ ହେବା ସହ ଭକ୍ତମାନେ ଅତି ଆନନ୍ଦର ସହ ମହାପ୍ରଭୁଙ୍କର ଦର୍ଶନ କରିଥିବା ବେଳେ ଗ୍ରହଣ ବେଳେ ବି ଦର୍ଶନ କରି ଅହେତୁକ ପୁଣ୍ୟ ଲାଭ କରିଛନ୍ତି । ସେପଟେ ଆଜିର ବିଶେଷ ଦିନରେ ମହାପ୍ରଭୁଙ୍କୁ ଦର୍ଶନ  କରିବା ପାଇଁ ବେଶ ଭିଡ ଜମିଥିଲା ଭକ୍ତଙ୍କର । ସକାଳୁ ସକାଳୁ ଅନେକ ଭକ୍ତ ସୂର୍ଯ୍ୟପରାଗ ନେଇ ଶ୍ରୀମନ୍ଦିର ସମ୍ମୁଖରେ ବସି କରିଥିଲେ ଭଜନ କୀର୍ତ୍ତନ । ଆଉ ପରାଗ ସର୍ବମୋକ୍ଷ ହେବା ପରେ ପୁଣି ଥରେ ବୃଦ୍ଧିପାଇଥିଲା ଭକ୍ତଙ୍କର ଗହଳ ଚହଳ । ସେବାୟତମାନେ ମନ୍ଦିରରେ ପହଣ୍ଡି  ନୀତି ତ୍ୱରାନ୍ୱିତ କରି ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇଥିଲେ ।