ଏମିତି ହେବ ସ୍ୱର୍ଗଦ୍ୱାର...
Advertisement
Article Detail0/zeeodisha/odisha640319

ଏମିତି ହେବ ସ୍ୱର୍ଗଦ୍ୱାର...

ଆରମ୍ଭ ହେଲା ପୁରୀ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ।

ଫଟୋ ସୌଜନ୍ୟ: ଜୀ ମିଡିଆ

ସଞ୍ଜୟ ମହାପାତ୍ର, ପୁରୀ: ଆରମ୍ଭ ହେଲା ପୁରୀ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ । ଆଜି ନିର୍ମାଣ କାମକୁ ଶୁଭାରମ୍ଭ କରିଛନ୍ତି ପୁରୀ ଜିଲାପାଳ । ପ୍ରାଥମିକ ପର୍ଯ୍ୟାୟରେ କରାଯିବ ୧୪ ଯୋଡା ପିଣ୍ଡି  । ସମୁଦାୟ କାମକୁ ୫ ମାସ ଭିତରେ ଶେଷ କରିବାକୁ ଫୋନିକ୍ସ କମ୍ପାନୀକୁ ଦିଆଯାଇଥିବା ବେଳେ ଓବିସିସି ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଧିବଦ୍ଧ ପୁଜାର୍ଚ୍ଚନା ପରେ ଗୋଟିଏ ଏକର ପରିମିତ ସ୍ୱର୍ଗଦ୍ୱାରର ଅର୍ଦ୍ଧାଶ ଅଞ୍ଚଳର ମାପଚୁପ କରାଯାଇଛି । ଜିଲ୍ଲାପାଳ ବଲୱନ୍ତ ସିଂ ଓ ଫୋନିକ୍ସ ଫାଉଣ୍ଡେସନ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି  । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟ ପାଇଁ ୫ କୋଟିର ଅନୁଦାନ ଘୋଷଣା କରିଥିଲେ । ସେପଟେ କାର୍ଯ୍ୟ ସରିବା ପରେ ପାର୍କିଂ ପାଇଁ ଜମି ଅଧିଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏଥର ବାସ୍ତବ ରୂପ ନେବ ହିନ୍ଦୁମାନଙ୍କର ଭାବାବେଗ ଓ ଆସ୍ଥା ବିଶ୍ୱାସର ପ୍ରତୀକ ସ୍ୱର୍ଗଦ୍ୱାର । ସମୁଦ୍ର ପଟୁ ସ୍ୱର୍ଗଦ୍ୱାରକୁ ଦେଖିଲେ ଶ୍ରୀମନ୍ଦିର ଆକୃତିର ଦୃଶ୍ୟମାନ ହେବାକୁ କରାଯାଇଛି ସ୍ୱତନ୍ତ୍ର ମାଷ୍ଟର ପ୍ଲାନ । ସ୍ୱର୍ଗଦ୍ୱାରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କାର ଘୋଷଣା ପରେ ଆରମ୍ଭ ହୋଇଥିଲା ଉଚ୍ଛେଦ କାର୍ଯ୍ୟ । ସ୍ୱର୍ଗଦ୍ୱାରର ଅଧା ଅଞ୍ଚଳକୁ ଶବ ସତ୍କାର ପାଇଁ ସଂରକ୍ଷଣ ରଖାଯାଇ ଅନ୍ୟ ଅଧା ଅଞ୍ଚଳରେ ଥିବା ଟିକେଟ ଘର, ପଥଶ୍ରାଦ୍ଧ ଗୃହ, ଯାତ୍ରୀ ପ୍ରତୀକ୍ଷାଳୟ କରାଯିବ । ଆନ୍ଧ୍ରପ୍ରଦେଶ ମହାପ୍ରସ୍ଥାନମ ଢାଞ୍ଚାରେ ହେବ ସ୍ୱର୍ଗଦ୍ୱାରର କଳେବର । 

fallback

ପୂର୍ବରୁ ହୋଇଥିବା ଡିଜାଇନରେ କରାଯାଇଛି ପରିବର୍ତ୍ତନ । ସ୍ୱର୍ଗଦ୍ୱାରର ମୁଖ୍ୟ ରାସ୍ତାରେ ଉଚ୍ଛେଦ କରାଯାଇ ଖାଲି ସ୍ଥାନକୁ ସମାନ୍ତରାଳ କରି ଆରମ୍ଭ ହେବ କାର୍ଯ୍ୟ । ଫୋନିକ୍ସ ଫାଉଣ୍ଡେସନ ଓ ଓଡିଶା ସେତୁ ନିର୍ମାଣ ନିଗମର ମିଳିତ ସହଯୋଗରେ ସ୍ୱର୍ଗଦ୍ୱାରର ଶ୍ମଶାନ ଘାଟ ନବୀକରଣ ପ୍ରକଳ୍ପର ପ୍ରାଥମିକ ପର୍ଯ୍ୟାୟର କାର୍ଯ୍ୟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୪ ଯୋଡା ଶବ ସତ୍କାର ପାଇଁ ପିଣ୍ଡି ନିର୍ମାଣ କରାଯିବ । ଆସନ୍ତା ୫ରୁ ୬ ମାସ ଭିତରେ ଏହି ପ୍ରକଳ୍ପ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜିଲାପାଳ । ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱର୍ଗଦ୍ୱାରର ସମ୍ମୁଖ ଭାଗରୁ ଶବଦାହ ପିଣ୍ଡି ଓ ଅସ୍ଥି ସଂରକ୍ଷଣ ଲକର , ସ୍ନାନାଗାର , ପାନୀୟ ଜଳ , ଯାତ୍ରୀ ପ୍ରତୀକ୍ଷାଳୟ ଆଦି ନିର୍ମାଣ କରାଯିବ  । ପ୍ରଥମ ଦଫାରେ କାର୍ଯ୍ୟକୁ ନେଇ ଶବ ସତ୍କାର ପାଇଁ ଆସୁଥିବା ମୃତକଙ୍କ ସମ୍ପର୍କୀୟ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

ନିର୍ମାଣକୁ ନେଇ ପୌରସଂସ୍ଥା ପକ୍ଷରୁ ବ୍ୟାରିକେଡିଂ କରିବା ପାଇଁ ସହଯୋଗ କରାଯିବ । ସ୍ୱର୍ଗଦ୍ୱାରରେ ଆବଶ୍ୟକ ଯାଗାରେ କିଭଳି ଶବଦାହରେ ସମସ୍ୟା ସୃଷ୍ଟି ନ ହେବ, ସେନେଇ ପୌରସଂସ୍ଥା ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ । କାମ ଚାଲୁଥିବା ବେଳେ ଯେଭଳି ଶବଦାହରେ ଅସୁବିଧା ନ ହେବ ତାହାକୁ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ । ସ୍ୱର୍ଗଦ୍ୱାରକୁ ଖାଲି ଆମ ସ୍ଥାନୀୟ ଲୋକେ ନୁହେଁ, ଏଠି ଦେଶର ବିଭିନ୍ନ ସ୍ଥାନରୁ ଅନେକ ଶବ ଦାହ ପାଇଁ ଆସିଥାଏ  । ତେଣୁ ଦିନକୁ ଦିନ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ଏଥିରେ ଜଡିତ ରହୁଥିବାରୁ ଏହାର ବିକାଶ ଆବଶ୍ୟକ  । ସେପଟେ ଏହି ଉନ୍ନତିକରଣ ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଡିଜାଇନ କରାଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟ ସହଯୋଗ ରହିଛି ବୋଲି କହିଛନ୍ତି ସେବାୟତ ।

ଶ୍ରୀକ୍ଷେତ୍ରକୁ ଐତିହ୍ୟସହର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନରେ ସ୍ଥାନିତ ହୋଇଥିଲା ସ୍ୱର୍ଗଦ୍ୱାରର କଳେବର  । ଆଉ ଆଜି ନିର୍ମାଣ ପାଇଁ ପୁଜାର୍ଚ୍ଚନା ପରେ ଏବେ ଆରମ୍ଭ ହୋଇଛି ସ୍ୱର୍ଗଦ୍ୱାରର ନବୀକରଣ  । ତେବେ ଏହା ପରବର୍ତ୍ତୀ ସମୟରେ କିଭଳି ରୂପ ନେବ ତାହା ଉପରେ ସମସ୍ତଙ୍କର ନଜର  ।