Short Story In Odia: କାହାଣୀ ଶୁଣିବାକୁ କାହାକୁ ବା ଭଲ ନଲାଗେ। ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏବେ ଫୋନର ବ୍ୟବହାର ଅଧିକ କରୁଛନ୍ତି। ଆଉ ସେ ଜେଜେ ମା କାହାଣୀ ଶୁଣିବାକୁ ମିଳୁନି। ଏବେ ସଭିଁଏ କାହାଣୀ ପଢିବାକୁ ହେଲେ ଗୋଟିଏ କ୍ଲିକରେ ଫୋନରୁ ବୁଢୀ ମା କାହାଣୀ ସଂଗ୍ରହ କରିନେଉଛନ୍ତି। ଆଉ ଏହି ଚାହିଦାକୁ ନେଇ ଜୀ ଓଡ଼ିଶା ପରିବାର ପକ୍ଷରୁ ଏହି ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ଏଣିତକି ପ୍ରତିଦିନ ଏକ କୁନି କାହାଣୀକୁ ଆମେ ସ୍ଥାନ ଦେବାକୁ ଯାଉଛୁ। ପଞ୍ଚତନ୍ତ୍ର କାହାଣୀ ଠାରୁ ଆରମ୍ଭ କରି ନୀତିଶିକ୍ଷା ପର୍ଯ୍ୟନ୍ତ ସବୁ କିଛି ପାଇପାରିବେ ଗୋଟିଏ କ୍ଲିକ୍ ରେ...
Trending Photos
Short Story In Odia: ସିଂହକୁ ମା' ଦୁର୍ଗାଙ୍କ ବାହନ ଭାବେ ପରିଣତ ହେବାର କାହାଣୀ ଆରମ୍ଭ ହୁଏ ଯେତେବେଳେ ଦେବୀ ପାର୍ବତୀ ଘୋର ତପସ୍ୟା କରି ଭଗବାନ ଶିବଙ୍କୁ ତାଙ୍କ ସ୍ୱାମୀ ଭାବରେ ଗ୍ରହଣ କରିବାକୁ ଚେଷ୍ଟା କରୁଥିଲେ। ବର୍ଷ ବର୍ଷ ଧରି ତପ କରିବା ପରେ ଭୋଲେ ଭଣ୍ଡାରୀ ମାତା ପାର୍ବତୀଙ୍କୁ ତାଙ୍କ ପତ୍ନୀ ଭାବରେ ଗ୍ରହଣ କରିଥିଲେ । ଏହି ସମୟରେ, ତପସ୍ୟା ହେତୁ ମାତା ପାର୍ବତୀଙ୍କ ରଙ୍ଗ ଅତ୍ୟନ୍ତ କଳା ହୋଇଯାଇଥିଲା । ଦିନେ ଏପରି କଥାବାର୍ତ୍ତା ସମୟରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ବେଳେ ବେଳେ କାଳୀ ବୋଲି ଡାକିଦିଅନ୍ତି। ହେଲେ ମାତା ପାର୍ବତୀ ଏହାକୁ ପସନ୍ଦ କରନ୍ତି ନାହିଁ, ସେ କ୍ରୋଧିତ ହୋଇ ପୁନର୍ବାର ତପସ୍ୟା କରିବାକୁ ଲାଗିଲେ।
ଗୋଟିଏ ଦିନ ଏକ ସିଂହ ମାତା ପାର୍ବତୀ ନିକଟରେ ପହଞ୍ଚିଲା, ଯେତେବେଳେ ମାତା ପାର୍ବତୀ ତପସ୍ୟା କରୁଥିଲେ। ତାଙ୍କୁ ଖାଇବାକୁ ଇଚ୍ଛା ରଖି ସିଂହଟି ବାରମ୍ବାର ସେଠାରେ ବୁଲାବୁଲି କରୁଥିଲା । ମାତା ପାର୍ବତୀ ତପସ୍ୟାରେ ବ୍ୟସ୍ତ ଥିବା ଦେଖି ସିଂହ ମଧ୍ୟ ସେଠାରେ ଅପେକ୍ଷା କରି ରହିଲା । ଦେବୀଙ୍କୁ ଅପେକ୍ଷା କରି ସିଂହର ବର୍ଷେ ବର୍ଷେ କାଳାତିପାତ ହେଲା । ମା ପାର୍ବତୀଙ୍କ ଉଜ୍ଜ୍ୱଳତା କାରଣରୁ ସିଂହଟି ମାତା ପାର୍ବତୀଙ୍କ ନିକଟରେ ପହଞ୍ଚିପାରୁନଥାଏ। ଯେତେ ଚେଷ୍ଟା କରୁଥିଲେ ମଧ୍ୟ ଅସଫଳ ହେଉଥିଲା ସିଂହ। ଏମିତି ହଉ ହଉ ଅନେକ ବର୍ଷ ବିତିଗଲା । ମାଙ୍କ ତପରେ ଖୁସି ହୋଇ ଭଗବାନ ଶିବ ପ୍ରକଟ ହେଲେ ଏବଂ ମାଙ୍କୁ କହିଲେ... ତୁମର ଯାହା ବି ବର ଦରକାର...କୁହ !
ଦେବୀ ପାର୍ବତୀ ନିଜର ଗୋରା ରଙ୍ଗକୁ ଫେରାଇଆଣିବାକୁ କହିଲେ। ଭଗବାନ ଆଶୀର୍ବାଦ ଦେଇ ସେଠାରୁ ଚାଲିଗଲେ । ଏହାପରେ ମାତା ପାର୍ବତୀ ଗାଧୋଇବାକୁ ଚାଲିଗଲେ। ଗାଧୋଇବା ବେଳେ ତାଙ୍କ ଶରୀରରୁ ଏକ ଦେବୀ ଜନ୍ମ ନେଲେ । ଯାହାଙ୍କ ନାମ କୌଶିକି। ସେ ସମୟରେ ତାଙ୍କ ଶରୀରରୁ କଳାରଙ୍ଗ ମଧ୍ୟ ଉଭେଇ ଯାଇଥିଲା ଓ ପୂର୍ବପରି ସେ ନିଜ ଗୋରା ରଙ୍ଗ ପାଇଯାଇଥିଲେ । ଏହି କାରଣରୁ ମାତା ପାର୍ବତୀଙ୍କ ନାଁ ଗୌରୀ ବୋଲି କୁହାଯାଏ। ଗାଧୋଇବାର କିଛି ସମୟ ପରେ ମାଙ୍କ ନଜର ସେହି ସିଂହ ଉପରେ ପଡ଼ିଲା। ସିଂହକୁ ଦେଖି ସେ ତୁରନ୍ତ ଭଗବାନ ଶିବକୁ ଉପାସନା କଲେ ସିଂହ ପାଇଁ ମଧ୍ୟ ବରଦାନ ମାଗିଲେ।
ମାତା ପାର୍ବତୀ ଭଗବାନଙ୍କୁ କହିଲେ ହେ ନାଥ...ଏହି ସିଂହ ମୋତେ ତା ଶିକାର କରିବ ବୋଲି ବର୍ଷ ବର୍ଷ ଧରି ଅପେକ୍ଷା କରିଛି। ମୁଁ ତପସ୍ୟା କରିବା କାଳରେ ଏହି ସିଂହଟି ବି ସେତିକି ସମୟ ତପ କରିଛି । ତେବେ ବରଦାନ କାରଣରୁ ଏହି ସିଂହକୁ ମୋ ବାହନ କରିଦିଅ । ଭଗବାନ ପ୍ରସନ୍ନ ହୋଇ ମାତା ପାର୍ବତୀଙ୍କ କଥା ମାନି ନେଲେ...ଆଉ ସିଂହକୁ ତାଙ୍କର ବାହନ କରିଦେଲେ। ଆଶୀର୍ବାଦ ମିଳିବା ପରେ ସିଂହକୁ ନିଜର ବାହନ କରିନେଲେ ମାତା...ଆଉ ସେବେଠୁ ମାତାଙ୍କୁ ମା ଶେରାବାଲି ବା ଦୁର୍ଗା ବୋଲି କହି ଆରାଧନା କରାଯାଏ।
ନୀତିଶିକ୍ଷା- ଅପେକ୍ଷା ଓ ଧୈର୍ଯ୍ୟର ଫଳ ସବୁ ବେଳେ ମିଠା ହୋଇଥାଏ...