Prathamastami: ଓଡିଆଙ୍କ ପର୍ବ ପର୍ବାଣୀ ସବୁଠୁ ନିଆରା । ଏଠି ବାରମାସରେ ତେରପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବପର୍ବାଣିର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ ।
Trending Photos
Prathamastami: ଓଡିଆଙ୍କ ପର୍ବ ପର୍ବାଣୀ ସବୁଠୁ ନିଆରା । ଏଠି ବାରମାସରେ ତେରପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବପର୍ବାଣିର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ । ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ପ୍ରଥମାଷ୍ଟମୀ ,ଓଡ଼ିଶାର ଏକ ପାରମ୍ପରିକ ପର୍ବ । ପ୍ରଥମାଷ୍ଟମୀ ଦିନ ଘରର ବଡ ଅର୍ଥାତ ବଂଶର ବଡ଼ ପୁଅଝିଅ ମାନେ ପୋଢ଼ୁଆଁ ହୋଇଥାନ୍ତି । ମାମୁଁ ଘର ତରଫରୁ ବଡ଼ ଭଣଜା ଭାଣିଜୀଙ୍କୁ ପୋଢୁଆଁ କରିବାର ପରମ୍ପରା ରହି ଆସିଛି । ମାମୁଁଙ୍କ ତରଫରୁ ମିଳିଥିବା ନୂଆ ପୋଷାକ ପରିଧାନ କରି ବନ୍ଦାପନା ହୋଇଥାନ୍ତି ଭଣଜା ଭାଣିଜୀମାନେ ।ଜେ୍ୟଷ୍ଠ ସନ୍ତାନମାନଙ୍କର ସୁଖ ସମୃଦ୍ଧି କାମନା କରିବା ସହ ଦୀର୍ଘଜୀବନ କାମନା କରିବା ପାଇଁ ପାଳନ ହୋଇଥାଏ ପୂଜାବିଧି । ନୂଆବସ୍ତ୍ର ପରିଧାନ କରିସାରିବା ପରେ ଏକ ଭକ୍ତିମୟ ପରିବେଶରେ ଈଶ୍ୱରଙ୍କ ଆଶିଷ କାମନା କରି ବନ୍ଦାପନା କରାଯାଇଥାଏ । ଘରର ମାଆମାନେ ଏହି ପୂଜାବିଧି କରିଥାନ୍ତି ।
ଏହି ଦିନ ପ୍ରତ୍ୟକଙ୍କ ଘରେ ଏଣ୍ଡୁରି ପିଠା ପ୍ରସ୍ତୁତ ହୋଇଥାଏ । ହଳଦି ପତ୍ରରେ ପ୍ରସ୍ତୁତ ଏହି ଏଣ୍ଡୁରୀ ପିଠା ଭୋଗ ହୋଇଥାଏ । ଏବଂ ଏହାକୁ ଘରର ଜ୍ୟଷ୍ଠମାନେ ପ୍ରଥମେ ଖାଇଥାନ୍ତି । ଏହି ଦିନ କେବଳ ପ୍ରତ୍ୟକ ଘରେ ଏଣ୍ଡୁରି ପିଠା ହୋଇଥାଏ । ଏଣ୍ଡୁରୀ ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ହୋଇଥାଏ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ । କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ହୋଇଥାଏ । ଏହା ସ୍ବାସ୍ଥ୍ୟ ପାଇଁ ବେଶ ହିତକର ସାବ୍ୟସ୍ତ ହୋଇଛି। କାହିଁକିନା ଏହା ସିଝା ପିଠା । ଏଥିରେ କୌଣସି ତେଲ ବ୍ୟବହାର ହୋଇ ନ ଥାଏ । ଏହା ଶସ୍ୟ ଏବଂ ଡାଲିର ଏକ ମିଶ୍ରଣ । ଯେଉଁଥିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ। ଏହା ଏକ ପ୍ରୋବାୟୋଟିକ୍ ଖାଦ୍ୟ, ଯାହା ଆମ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଭଲ ।ଏହା ସାଧାରଣ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ।ଏଥିରେ ପ୍ରୋବୋଟିକ୍ସ, ମିନେରାଲ୍ସ ଏବଂ ଭିଟାମିନ୍ ଭରପୂର ପରିମାଣରେ ଥାଏ ।
ସେହିପରି, ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠ (ଲିଙ୍ଗରାଜ ମନ୍ଦିର ସଂଲଗ୍ନ)କୁ ଯାଆନ୍ତି ପଢୁଆଁ ହେବା ପାଇଁ । ଏହିମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ । ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ପରିଚିତ । ‘ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ’ ବୋଲି ପ୍ରବାଦ ଅଛି ।