)
ଭୁବନେଶ୍ୱର: ଓଡ଼ିଶାର ୧୫ ଜାତି ତଥା ୫୦ ଉପଜାତିଙ୍କୁ କେନ୍ଦ୍ର ସରକାର ଅନୁସୂଚିତ ଜାତି ତାଲିକାରେ ସାମିଲ୍ କରିଛନ୍ତି। ଏଥିରୁ ୪ ଜାତିଙ୍କୁ ସମ୍ବେଦନଶୀଳ ଜନଜାତି ବା ପିଭିଟିଜି ତାଲିକାରେ ସାମିଲ୍ କରାଯାଇଛି। ଏହାଦ୍ୱାରା ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସରକାରୀ ସୁବିଧା ସହ ଆରକ୍ଷଣ ସୁବିଧା ମିଳିପାରିବ। ପ୍ରଥମ ରାଜ୍ୟସଭାରେ ଏ ସମ୍ପର୍କିତ ବିଧେୟକ ପାରିତ ହେବା ପରେ ଲୋକସଭାରେ ଏହି ବିଧେୟକ ଗୁରୁବାର ପାରିତ ହେବା ଦ୍ୱାରା ସ୍ୱତନ୍ତ୍ର ଭାବେ ଏହି ଜନଜାତିଙ୍କ ବିକାଶ କରାଯିବା ସମ୍ଭବ ହେବ ବୋଲି ଆଶା କରାଯାଇଛି।
ଦ୍ରୁତଗତିରେ ହ୍ରାସ ପାଉଥିବା ଯେଉଁ ୪ ଜନଜାତିଙ୍କୁ ସମ୍ବେଦନଶୀଳ ଆଦିମ ଅଧିବାସୀ ବା ପିଭିଟିଜି ତାଲିକାରେ ସାମିଲ୍ କରାଯାଇଛି ସେମାନେ ହେଉଛନ୍ତି ପାଉଡ଼ି ଭୂୟାଁ, ଚୁକ୍ତିଆ ଭୂୟାଁ, ବୋଣ୍ଡୋ ଏବଂ ମାଙ୍କଡ଼ିଆ। ଏହାଙ୍କ ସହ ଅନ୍ୟ ୫୦ ଉପଜାତି ଜାତିଙ୍କୁ ଜନଜାତି ତାଲିକାରେ ସାମିଲ୍ କରାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ବନ୍ଧରେ ଏକ ପ୍ରସ୍ତାବ ବିଧାନସଭାରେ ପାରିତ କରାଯିବା ପରେ ସମୁଦାୟ ୧୬୯ଟି ଜାତିର ଲୋକଙ୍କୁ ଜନଜାତି ତାଲିକାରେ ସାମିଲ୍ କରିବା ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଥିଲା। ଏହାର ସାମ୍ବିଧାନିକ ଏବଂ ବୈଧାନିକ ଯୁକ୍ତିକୁ ବିଚାର କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସୀ ରିପୋର୍ଟ ଦେବା ପରେ ଗୁରୁବାରଦିନ ଏହାକୁ ଲୋକସଭାରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାଓ୍ୱାର ଆଗତ କରିଥିଲେ। ପରେ ଏହାକୁ ଆଲୋଚନା ପରେ ପାରିତ କରାଯାଇଥିଲେ।
ମନ୍ତ୍ରୀ ଭାରତୀ ସାମ୍ବିଧାନିକ (ଅନୁସୂଚିତ ଜାତି, ଜନଜାତି) ଆଦେଶ, ଓଡ଼ିଶା - ୧୯୫୦ର ସଂଶୋଧନ ସହ ଆନ୍ଧ୍ରପ୍ରଦେଶ ସରକାରଙ୍କଦ୍ୱାରା ପ୍ରସ୍ତାବିତ ସଂଶୋଧନକୁ ମଧ୍ୟ ଏକ ବିଧେୟକ ଭାବେ ଆଗତ କରିଥିଲେ। ଆନ୍ଧ୍ରପ୍ରଦେଶ ଦ୍ୱାରା ଏହି ସଂଶୋଧନ ଦ୍ୱାରା ବଣ୍ଡା ପର୍ଜା, କୋଣ୍ଡା ପର୍ଗା, ଏବଂ କଣ୍ଡା ସବରଙ୍କୁ ଆଦିବାସୀ ତାଲିକାରେ ସାମିଲ କରାଯାଇଛି।