)
Babasaheb Bhim Rao Ambedkar Bus Terminal: ବରମୁଣ୍ତାସ୍ଥିତ ବହୁ ପ୍ରତୀକ୍ଷିତ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ (Babasaheb Bhim Rao Ambedkar Bus Terminal) ମାର୍ଚ୍ଚ ୧ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ଉଦ୍ଦଘାଟନ ହେବ । ଏନେଇ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।
ସୂଚନାଯୋଗ୍ୟ, ଏଣିକି ବରମୁଣ୍ତା ବସଷ୍ଟାଣ୍ତରେ ବିମାନ ବନ୍ଦର ଭଳି ସୁବିଧା ସୁଯୋଗ ପାଇବେ ରାଜ୍ୟବାସୀ । ନବୀନ ଓଡିଶାର ନୂଆରୂପ ଭାବେ ବରମୁଣ୍ତା ବସ ଟର୍ମିନାଲ ଉଭା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଶୁକ୍ରବାର ଏହାର ଲୋକର୍ପଣ କରିବେ ନେଇ ସୂଚନା ମିଳିଛି । ଏନେଇ ପ୍ରବେଶରୁ ପ୍ରସ୍ଥାନ ବସ ବେ’ରୁ ଆହାର କେନ୍ଦ୍ର ପର୍ଯ୍ୟନ୍ତ ସବୁ ସ୍ଥାନକୁ ଚକାଚକ କରାଯାଇଛି । ଏହାର କୋଣ ଅନୁକୋଣରେ ହାଇଟେକ ବ୍ୟବସ୍ଥା କରାଯାଇଛି । ଅତ୍ୟାଧୁନିକ ଏଲଇଡ଼ି ସ୍କ୍ରିନରେ ବସ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବ । ଅନ୍ୟପଟେ ଏଠାରେ ବୈଦ୍ୟୁତିକ ସିଡ଼ି, ଲିଫ୍ଟ ସହ ଫୁଡ଼ କୋର୍ଟର ମଧ୍ଯ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ବିଶ୍ରାମ ପାଇଁ ଶୀତତାପ ନିୟନ୍ତ୍ରିତ କୋଠରିର ବ୍ୟବସ୍ଥା କରାଯାଇଛି ବୋଲି ବିଡ଼ିଓ (BDA) ପକ୍ଷରୁ ସୂଚନା ମିଳିଛି । ଅତ୍ୟାଧୁନିକ ସୁବିଧା ସହ ଏଠାରେ କାନ୍ଥବାଡ଼ରେ ଓଡ଼ିଆ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଫେବୃଆରୀ ଶେଷ ସୁଦ୍ଧା ବରମୁଣ୍ତା ବସ ଟର୍ମିନାଲ ନବୀକରଣ କାମ ସାରିବାକୁ ୫-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ତିଆନ୍ (V.K Pandian) ନିର୍ଦ୍ଦେଶ ଦେଇଥିଲେ ।
ପ୍ରକାଶ ଥାଉ କି, ବିଡ଼ିଓ ଦ୍ବାରା ୧୫.୫ ଏକରରୁ ଅଧିକ ଜମିରେ ବିଏସଏବିଟି ବରମୁଣ୍ତା ପ୍ରକଳ୍ପଳରେ ଯାତ୍ରୀଙ୍କ ସୁବିଧା, କାର୍ଯ୍ୟାଳୟ ସ୍ଥାନ, ପାର୍କିଂ,ଫୁଡ଼ କୋର୍ଟ, ବାଣିଜ୍ୟିକ ସ୍ଥାନ ଇତ୍ୟାଦିର ବିକାଶ କରାଯାଇଛି । ଏହି ବସଷ୍ଟାଣ୍ତ ଦୈନିକ ୩୦ ହଜାର ଯାତ୍ରୀଙ୍କ ପାଇଁ ପରିବହନର ମୁଖ୍ୟ ମାଧ୍ୟମ ହେବ ।