)
Holi 2024: ଆଜି ରଙ୍ଗର ପର୍ବ ହୋଲି । ଏନେଇ ଉତ୍ସବ ମୁଖର ହୋଇପଡିଛି ଗାଁଠୁ ସହର। ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କିଏ ନିଜ ପରିବାର ଓ ପ୍ରିୟଜନ ସହ ହୋଲି ସେଲିବ୍ରେସନ୍ ଆରମ୍ଭ କରୁଛି ତ ଆଉ କିଏ ନିଜ ସାଙ୍ଗମାନଙ୍କ ସହ ପିଚକାରିରେ ରଙ୍ଗ ଖେଳୁଛି। କେବଳ ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ବି ଆରମ୍ଭ ହୋଇଥିବା ବେଳେନାଚ ଗୀତର ଆସର ବି ଜମିବାକୁ ଲାଗିଲାଣି। ସେପଟେ, ଏହି ରଙ୍ଗର ପର୍ବ ହୋଲିକୁ ଶାନ୍ତି ଶୃଙ୍ଖଳାର ପାଳନ କରିବା ପାଇଁ କମିଶନରେଟ ପୋଲିସ ଟୁଇନସିଟି ବାସୀଙ୍କୁ ନିବେଦନ କରିଛି। ଶାନ୍ତି ଶୃଙ୍ଖଳାରେ ହୋଲି ପାଳନ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ତେବେ ଏହାରି ମଧ୍ୟରେ ଅମାନିଆଙ୍କ ଉପରେ କମିଶନରେଟ୍ ପୋଲିସର ନଜର ରହିବ । ବିଶେଷ କରି ହୋଲି ପାର୍ଟି ଅନୁଷ୍ଠିତ ହେଉଥିବା ସ୍ଥାନରେ ଚକ୍କର କାଟିବ ପୋଲିସ । ହୋଲି ସୁରକ୍ଷା ପାଇଁ କମିଶନରେଟ୍ ପୋଲିସ ସ୍ୱତନ୍ତ୍ର ପଦକ୍ଷପ ନେଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ବିଶେଷ କରି, ଅପମିଶ୍ରଣ ତଥା କେମିକାଲ ରଙ୍ଗ ବ୍ୟବହାର କରାଗଲେ ପୋଲିସ ପକ୍ଷରୁ ଆକ୍ସନ ନିଆଯିବ । ଅପମିଶ୍ରଣ ବିକ୍ରୟ ହେଉଥିବା ଖବର ମିଳିଲେ ଦୋକାନୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଡିଏସ୍ପି ରାଙ୍କର ଅଧିକାରୀଙ୍କ ନେତୃତ୍ୱରେ ହୋଲି ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏଥିସହ ବିଭିନ୍ନ ସ୍ଥାନ ଗୁଡିକରେ ୧୫ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ରଙ୍ଗ ଖେଳିବା ପରେ ଲୋକମାନେ ନଦୀ ଏବଂ ପୋଖରୀରେ ଗାଧୋଇବାକୁ ଯାଉଥିବାରୁ ଲିଙ୍ଗରାଜର ବିନ୍ଦୁସାଗର ଏବଂ ଦୟା ନଦୀ ଘାଟ ସମେତ ବିଭିନ୍ନ ସ୍ଥାନରେ ଓଡ୍ରଫ୍ ଟିମ୍ ମୁତୟନ କରାଯାଇଛି । ଯୁବତୀମାନଙ୍କୁ ଅଶ୍ଳୀଳ କମେଣ୍ଟ କିମ୍ବା ଅସଦାଚରଣ ଅଭିଯୋଗ ଆସିଲେ ଘଟଣାକୁ ଗୁରତର ସହ ନିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି । ହୋଲି ପାର୍ଟି କରୁଥିଲେ ପ୍ରଥମେ ପୋଲିସର ଅନୁମତି ନେବାପାଇଁ କୁହାଯାଇଛି । ଏଥିସହ ନିଶାଦ୍ରବ୍ୟ ବିକ୍ରି ସ୍ଥାନରେ ପୋଲିସ୍ ରେଡ୍ କରିବ ବୋଲି ସୂଚନା ମିଳିଛି ।