ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ସଦସ୍ୟଙ୍କ ଉଦବୋଧନ
Advertisement
Article Detail0/zeeodisha/odisha2248236

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ସଦସ୍ୟଙ୍କ ଉଦବୋଧନ

ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ସହଯୋଗରେ ବିଶ୍ୱବିଦ୍ୟାଳୟରେ ଶିକ୍ଷାର ବିକାଶ ସମ୍ଭବ- ପ୍ରଫେସର ମହାନ୍ତି

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ସଦସ୍ୟଙ୍କ ଉଦବୋଧନ

କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆଜୀବନ ଅଧ୍ୟକ୍ଷ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଜୀ’ଙ୍କ ଜନ୍ମଦିବସ ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସାରଗର୍ଭକ ଇଣ୍ଟରଫେସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆଦିଲ୍ଲୀସ୍ଥିତ  ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗର ପ୍ରମୁଖ ସଦସ୍ୟ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅଧ୍ୟାପନା ବିଭାଗର ଅଧିକାଂଶ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗଙ୍କ ପକ୍ଷରୁ ପ୍ରଦତ୍ତ ବିଭିନ୍ନ ଯୋଜନା, ପରିଯୋଜନା ଓ ଶୈକ୍ଷଣିକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

​​ପ୍ରଫେସର  ମହାନ୍ତି ‘ଶିଳ୍ପ ଏବଂ ଶୈକ୍ଷିକ ସଂଗଠନଗୁଡ଼ିକ ମଧ୍ୟରେ ସମ୍ବାଦ’ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ଅବସରରେ ସେ ଗବେଷଣା ଓ ବିକାଶ, ପରାମର୍ଶ, ନୈତିକତା ଆଧାରରେ ବିଭିନ୍ନ ବିଷୟରେ ପ୍ରତିଯୋଗୀ ମନୋଭାବ ସୃଷ୍ଟି, ଶିକ୍ଷାରେ ଧର୍ମର ବିଭିନ୍ନ ତତ୍ତ୍ୱର ସମାବେଶ ଓ ଏହାଦ୍ୱାରା ଶିକ୍ଷାର ଗୁଣବତ୍ତାରେ ଆସୁଥିବା ସୁଧାର ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ଦୀର୍ଘ ବର୍ଷର ଅଭିଜ୍ଞ ଶିକ୍ଷାବିତ ପ୍ରଫେସର  ମହାନ୍ତି ଭାରତରେ ଶିକ୍ଷାର ଉନ୍ନତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ସେ ବ୍ରିଟିଶ କାଉନସିଲ୍, ଚାର୍ଲସ ୱାଲେସ୍, ସାଲ୍ଜବର୍ଗ, କଥା ଓ ଫୁଲ୍ ବ୍ରାଇଟ୍ ସମେତ ବହୁ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଖାଲି ସେତିକି ନୁହେଁ, ଇଂରାଜୀ ଏବଂ ଓଡ଼ିଆରେ ୨୭ ଟି ପୁସ୍ତକର ରଚନା କରିଛନ୍ତି । ତାଙ୍କର ଅଭିଭାଷଣ ଉପସ୍ଥିତ ଶ୍ରୋତାମାନଙ୍କୁ ଆଇସିଏସଏସଆର, ଆଇସିପିଆର ସମେତ ଅନ୍ୟାନ୍ୟ ମାଧ୍ୟମରେ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ନିମନ୍ତେ ଆବେଦନ କରିବାକୁ ଉତ୍ସାହିତ କରିଥିଲା । ଏଥିସହ ଶିଳ୍ପୋଦ୍ୟୋଗରେ ଇଣ୍ଟର୍ନଶିପ୍ ସାଙ୍ଗକୁ ବିଭିନ୍ନ ଶିଳ୍ପ ସହଭାଗୀମାନଙ୍କ ସହ ଯୋଗାଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି. ଆର୍. ଶର୍ମା ଏଥିରେ ଯୋଗଦେଇ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଏପରି କାର୍ଯ୍ୟକ୍ରମ ବିଭିନ୍ନ ବିଭାଗୀୟ ପ୍ରାଧ୍ୟାପକଙ୍କ ସମେତ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ମାନ ଅଭିବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ ବୋଲି ମତ ପୋଷଣ କରିଥିଲେ । ସେ କହିଥିଲେ, ଆୟୋଗର ସଦସ୍ୟ ତଥା ଉଚ୍ଚତର ଶିକ୍ଷା ସହ ଜଡ଼ିତ ବହୁ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ଏହିପରି ‘ଇଣ୍ଟରଫେସ୍’ ଆୟୋଜନ ଦ୍ୱାରା ଫାକଲ୍ଟି ସଦସ୍ୟମାନଙ୍କର ଆଭ୍ୟନ୍ତରୀଣ ଦୃଷ୍ଟିଭଙ୍ଗୀରେ ଉନ୍ନତି ପରିଲକ୍ଷିତ ହେବ । କଳା, ସଂସ୍କୃତି ଓ ଭାରତୀୟ ଶିକ୍ଷା (ଏଫଏସିଆଇଏସ) ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର କମଳା   ପ୍ରସାଦ  ମହାପାତ୍ର ମୁଖ୍ୟ ଅତିଥି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅତିଥିମାନଙ୍କର ମଧ୍ୟ ପରିଚୟ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରୁ ବିଶ୍ୱବିଦ୍ୟାଳୟର ଛାତ୍ରୀ ଏଲିସା ଉଚ୍ଚକୋଟୀର ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହ ସମ୍ପର୍କ ବଳବତ୍ତର ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଗବେଷଣା ଏବଂ ଉନ୍ନନିୟ ବିଭାଗ ନିର୍ଦ୍ଦେଶକ ପ୍ରଫେସର ସୁନିଲ କୁମାର ଧଳ ଧନ୍ୟବାଦ ଅର୍ପଣ କରିବା ସହ ପ୍ରଫେସର ଶ୍ରୀ ମହାନ୍ତିଙ୍କ ସହ ବିଶ୍ୱବିଦ୍ୟାଳୟର ସହଭାଗିତା ଛାତ୍ରଛାତ୍ରୀଙ୍କ ପାଇଁ ଲାଭପ୍ରଦ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଯେପର୍ଯ୍ୟନ୍ତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଏବଂ ଗବେଷଣାରେ ଉତ୍କୃଷ୍ଟତା ହାସଲ ନିମନ୍ତେ ପ୍ରୟାସ ଜାରି ରଖିଥିବ, ସେ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଏହିପରି ନୂତନ ପ୍ରୟୋଗମାନ ଏହାକୁ ବିକାଶ କ୍ଷେତ୍ରରେ ଆଗେଇନେବ ବୋଲି ମତପ୍ରକାଶ ପାଇଥିଲା ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ, ସମସ୍ତ ବିଭାଗର ଡିନ୍ ଓ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ । ପୂର୍ବରୁ ଅଗ୍ରିମ ଧ୍ୟାନ କାର୍ଯ୍ୟକ୍ରମ, ସହଜ ସମାଧି ଧ୍ୟାନ ଯୋଗ, ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ବହୁମୂଲ୍ୟ ଅଭିଭାଷଣ, ରୋଭର ଓ ରେଞ୍ଜରମାନଙ୍କ ବିଭିନ୍ନ ସେବା ପ୍ରକଳ୍ପ ସାଙ୍ଗକୁ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ‘ସଂଗୀତ, ଜ୍ଞାନ ଓ ଧ୍ୟାନ’ର ଏକ ସୁମଧୁର ସନ୍ଧ୍ୟା ମାଧ୍ୟମରେ ବିଶ୍ୱବିଦ୍ୟାଳୟ ପରିସରରେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମ ସପ୍ତାହ ଖୁବ୍ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥିଲା ।