Nimapara: ନିମାପଡ଼ାରେ ବିଜେଡିର ବିଜୟ, ସମୀର ଓ ପ୍ରଭାତୀଙ୍କ ପାଇଁ ଲଜ୍ଜାଜନକ କହିଲା ଦଳ
Advertisement
Article Detail0/zeeodisha/odisha2392541

Nimapara: ନିମାପଡ଼ାରେ ବିଜେଡିର ବିଜୟ, ସମୀର ଓ ପ୍ରଭାତୀଙ୍କ ପାଇଁ ଲଜ୍ଜାଜନକ କହିଲା ଦଳ

Nimapara NAC: ୧୧ ସଦସ୍ୟ ଏନଏସିରେ ୮ ଜଣ ସଦସ୍ୟ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଆଜି ଅନୁଷ୍ଠିତ ଅନାସ୍ଥା ଭୋଟରେ ୮ଟି ଭୋଟର ଆବଶ୍ୟକ ହେଉଥିଲା । କିନ୍ତୁ, ଅନାସ୍ଥା ଭୋଟ ବିପକ୍ଷରେ ସାତଟି ଭୋଟ ପଡିଥିଲା ବେଳେ ଗୋଟିଏ ଭୋଟ ନାକଚ ହୋଇ ଯାଇଥିଲା ।

Nimapara BJD NAC Chairperson

ଭୁବନେଶ୍ୱର: ରାଜ୍ୟରେ ସରକାର ଦଖଲ ପରେ ପଞ୍ଚାୟତଗୁଡ଼ିକୁ ନିଜ କବଳକୁ ଆଣିବା ଲାଗି ରାଜନୀତିକ ଉଦ୍ୟମ ଆରମ୍ଭ କରିଛି ବିଜେପି। ଏହିକ୍ରମରେ ଯାଜପୁର ଜିଲ୍ଲାର ଧର୍ମଶାଳା, କେନ୍ଦୁଝର ସଦର, ବାଂଶପଣି ପ୍ରଭୃତି ବ୍ଲକରେ ଦଳକୁ ସଫଳତା ମିଳିବା ପରେ ଆଜି କିନ୍ତୁ ନିମାପଡ଼ା ହାତରୁ ଖସି ଯାଇଛି। ଏଠାରେ ବିଜେପିର ସମୀକରଣ ଅକାମୀ ହୋଇଛି। ଫଳରେ ବିଜେଡି ପୂର୍ବପରି ଏଠାରେ କ୍ଷମତା ଦଖଲ କରି ରଖିବାରେ ସମକ୍ଷମ ହୋଇପାରିଛି। 

ପୁରୀ ଜିଲ୍ଲାର ନିମାପଡ଼ା ଆସନଟି ଗଲା ସାଧାରଣ ନିର୍ବାଚନ ସମୟରେ ବେଶ ଚର୍ଚ୍ଚାକୁ ଆସିଥିଲା। ଏଠାରେ ବିଜେଡିର  ପୂର୍ବତନ ସଦସ୍ୟ ତଥା ମନ୍ତ୍ରର ସମୀର ଦାଶଙ୍କୁ ଟିକଟ ନମିଳିବାରୁ ରାତାରାତି ସମୀକରଣ ବଦଳି ଯାଇଥିଲା। ବିଜେଡିର ଅନେକ ଭୋଟ ବିଜେପି ଆଡ଼କୁ ସ୍ଥାନାନ୍ତରଣ ହେବାରୁ ନିମାପଡା ବିଧାନସଭା ଆସନ ବିଜେପ ପକେଟକୁ ଯାଇଛି। ଏଠାରୁ ବିଧାୟକ ହୋଇଥିବା ପ୍ରଭାତୀ ପରିଡ଼ାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦବୀ ମଧ୍ୟ ମିଳିଛି। ହେଲେ ଆଜି କିନ୍ତୁ ନିମାପଡ଼ା ଏନ୍‍ଏସିର ଅଧ୍ୟକ୍ଷାଙ୍କ ପ୍ରତି ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ସମୀର-ପ୍ରଭାତୀ ସମୀକରଣ ଆଉ ଜନତାଙ୍କ ଉପରେ କାଟୁ କରୁ ନାହିଁ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି। 

ଘଟଣାଟି ଏହିପରି। ଆଜି ନିମାପଡ଼ା ଏନ୍‍ଏସି ଅଧ୍ୟକ୍ଷା ସୁସ୍ମିତା ସାହୁଙ୍କ ବିପକ୍ଷରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ସମସ୍ତେ ଭାବିଥିଲେ ଆଜି ବି ବିଜେଡିର ନିର୍ବାଚିତ କାଉନ୍ସେଲର ବିଜେପି ଶିବିରରେ ଯୋଗ ଦେଇ ସୁସ୍ମିତାଙ୍କୁ ହରାଇଦେବେ। କିନ୍ତୁ ଫଳାଫଳ ଯାହା ଘଟିଥିଲା ତାହା ରାଜନୀତିକ କ୍ଷେତ୍ରରେ ସମସ୍ତଙ୍କ ଚମକାଇ ଦେଇଛି। 

୧୧ ସଦସ୍ୟ ଏନଏସିରେ ୮ ଜଣ ସଦସ୍ୟ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଆଜି ଅନୁଷ୍ଠିତ ଅନାସ୍ଥା ଭୋଟରେ ୮ଟି ଭୋଟର ଆବଶ୍ୟକ ହେଉଥିଲା । କିନ୍ତୁ, ଅନାସ୍ଥା ଭୋଟ ବିପକ୍ଷରେ ସାତଟି ଭୋଟ ପଡିଥିଲା ବେଳେ ଗୋଟିଏ ଭୋଟ ନାକଚ ହୋଇ ଯାଇଥିଲା ।

ବିଜୁ ଜନତା ଦଳ ତରଫରୁ ଦିଆଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ବିଭିନ୍ନ ପଦରେ ଥିବା ବ୍ୟକ୍ତିଙ୍କୁ ପ୍ରଲୋଭନ ମାଧ୍ୟମରେ ପଦଚ୍ୟୁତ କରିବା ପାଇଁ ହୀନ ଉଦ୍ୟମ କରିଆସୁଛି ବିଜେପି । ବିଜେପିର ଏହି ଉଦ୍ୟମ ଆଜି ପଣ୍ଡ ହୋଇଯାଇଛି । ବିଜେପିର ଏହି ଅନୈତିକ କାର୍ଯ୍ୟ ପଦାରେ ପଡିବା ସଙ୍ଗେ ସଙ୍ଗେ ଆଗାମୀ ଦିନ ପାଇଁ ଏହା ଏକ ସତର୍କ ଘଣ୍ଟି ସଦୃଶ୍ୟ ହୋଇଛି । ଏହା ଉଭୟ ସମୀର ଏବଂ ପ୍ରଭାତୀଙ୍କ ପାଇଁ ଲଜ୍ଜାଜନକ ବୋଲି ସେ କହିଛନ୍ତି।

Also Read: Ratna Bhandar: ୨୩ରେ ହେବ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସିନ୍ଦୁକ ସ୍ଥାନାନ୍ତର, ଭକ୍ତଙ୍କ ଦର୍ଶନ ଅପରାହ୍ଣ ୧ଟାରୁ ବନ୍ଦ

Also Read: କାହିଁକି ହେଲାନି ବିଜେଡିର ‘ଜନ ଜାଗରଣ’, ହାରିଗଲେ କି ‘ଅପରେଜେୟ’