Trending Photos
Odisha News: ଭୁବନେଶ୍ୱର: ପ୍ରାୟ ୪ ମାସ ପରେ ରାଜ୍ୟରେ ନିଯୁକ୍ତି ହେବେ ବାଚସ୍ପତି। ବାଚସ୍ପତି ପଦକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ହଟିବ ପରଦା। ଆସନ୍ତା ୨୧ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ଏଥିପାଇଁ ଆଜି ସରକାର ତାରିଖ ଘୋଷଣା କରିଛନ୍ତି। ଘୋଷଣା ସୂଚୀ ଅନୁଯାୟୀ ୧୮ ତାରିଖରେ ନାମାଙ୍କନ ଦାଖଲ କରାଯିବ ଓ ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ପ୍ରାୟ ୪ ମାସ ହେବ ଏହି ପଦ ଖାଲି ପଡ଼ିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆସନ୍ତା ୨୨ ତାରିଖରୁ ବିଧାନସଭାର ମୌସୂମୀ ଅଧିବେଶନ ଆରମ୍ଭ ହେଉଛି।
ସୂଚନାଯୋଗ୍ୟ ଗତ ମେ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ବିକ୍ରମ କେଶରୀ ଆରୁଖ ଇସ୍ତଫା ପ୍ରଦାନ କରିଥିଲେ। ପରେ ସେ ଅର୍ଥ ବିଭାଗ ଦାୟିତ୍ୱରେ ରହିଛନ୍ତି। ତେବେ ସେ ଇସ୍ତଫା ଦେବା ପରଠାରୁ ହିଁ ଏହି ପଦ ଖାଲି ରହିଛି। ବାଚସ୍ପତିଙ୍କ ପଦ ଖାଲି ଥିବାରୁ ଉପ ବାଚସ୍ପତି ରଜନୀକାନ୍ତ ସିଂହ ବାଚସ୍ପତିଙ୍କ କାର୍ଯ୍ୟ ତୁଲାଇ ଆସୁଛନ୍ତି।
ବିଧାନସଭା ପରିଚାଳନା ବ୍ୟତୀତ ଅନେକ ପ୍ରକାରର ସରକାରୀ କାର୍ଯ୍ୟ ତଥା ଦାୟିତ୍ୱ ବାଚସ୍ପତି କାର୍ଯ୍ୟସୂଚୀର ପରିସର ଭୁକ୍ତ। ବିଧାନସଭାର ପ୍ରଶାସନ ଠାରୁ ଆରମ୍ଭ କରି ଅର୍ଥନୈତିକ କ୍ଷମତା ପର୍ଯ୍ୟନ୍ତ ବାଚସ୍ପତିଙ୍କ ଉପରେ ନିର୍ଭର କରିଥାଏ। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଆଗାମୀ କିଛି ଦିନ ମଧ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସରକାର ନୂଆ ବାଚସ୍ପତିଙ୍କୁ ନିଯୁକ୍ତି ନଦେବା ବିଜେଡ଼ିରେ ଅସ୍ଥିରତା ବା ମନମୁଖି ଭାବନାକୁ ପଦାରେ ପକାଇଛି।
ଆଗକୁ ରହିଛି ମୌସୁମୀ ଅଧିବେଶନ ରହିଛି। ୧୬ଶ ବିଧାନସଭାର ଦ୍ୱିତୀୟ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇ ସାରିଛନ୍ତି। ସେ ୨୦୨୨ ମସିହା ଜୁନରେ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ସେ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ଥାନରେ ନୂତନ ବାଚସ୍ପତିଙ୍କୁ ନିଯୁକ୍ତ କରିନାହାନ୍ତି ରାଜ୍ୟ ସରକାର। ଫଳରେ ଦୀର୍ଘ ଦିନ ହେବ ଏହି ସ୍ଥାନ ଟି ଖାଲି ରହିଛି। ସେପଟେ ଉପବାଚସ୍ପତି ରଜନୀକାନ୍ତ ସିଂହ ବାଚସ୍ପତିଙ୍କ କାର୍ଯ୍ୟ ତୁଲାଇ ଆସୁଛନ୍ତି। ସରକାରଙ୍କ ଏଭଳି ବିଳମ୍ବିତ ନିଷ୍ପତ୍ତିକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି। ରାଜ୍ୟରେ ବିଜେଡ଼ି ବିଧାୟକଙ୍କ ସଂଖ୍ୟା ଅଧିକ ରହିଛି। ଶାସକ ଦଳରେ ୧୦୮ ଜଣ ବିଧାୟକଙ୍କ ସହ ବିଧାୟକ ରହିଥିଲେ ମଧ୍ୟ ସରକାର କାହିଁକି ନୂତନ ବାଚସ୍ପତିଙ୍କୁ ନିଯୁକ୍ତ କରୁନାହାନ୍ତି ତାହା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ସେପଟେ ରାଜ୍ୟର ବାଚସ୍ପତି ପଦ ଖାଲି ପଡ଼ିଥିବା ବେଳେ ରାଜ୍ୟପାଳ ଗଣେଶୀ ଲାଲ କାର୍ଯ୍ୟକାଳ ମଧ୍ୟ ଗତ ମେ ମାସରୁ ସରିଗଲାଣି। ରାଜ୍ୟପାଳ ପଦରେ ନିଜର କାର୍ଯ୍ୟକୁ ଜାରି ରଖିଛନ୍ତି। ଯଦିଓ ସାମ୍ବିଧାନିକ ଆଇନ ଅନୁଯାୟୀ ନୂତନ ରାଜ୍ୟପାଳ ଦାୟିତ୍ୱ ନ ନେବା ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିବା ରାଜ୍ୟପାଳ ନିଜର କାର୍ଯ୍ୟ ଜାରି ରଖିପାରିବେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସରକାର ଓଡ଼ିଶା ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତି ଦେଇ ନାହାନ୍ତି।
ସାମ୍ବିଧାନିକ ଦୃଷ୍ଟିରୁ ଏହି ଦୁଇଟି ଯାକ ପଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟପାଳ ହେଉଛନ୍ତି ରାଜ୍ୟ ଶାସନର ମୁଖ୍ୟ ଓ ବାଚସ୍ପତି ହେଉଛନ୍ତି ଆଇନ ପ୍ରଣୟନ କରୁଥିବା ବିଧାନସଭାର ମୁଖ୍ୟ। ରାଜ୍ୟପାଳଙ୍କ ବିନା ରାଜ୍ୟ ଶାସନ ଚାଲିପାରିବ ନାହିଁ। ସେହିପରି ବାଚସ୍ପତିଙ୍କ ବିନା ବିଧାନସଭା ଅଚଳ ରହିଥାଏ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟ ରାଜ୍ୟପାଳ ଓ ବାଚସ୍ପତି ପଦରେ ଅସ୍ଥାୟୀ ଭାବେ ଦୁଇ ଜଣ କାର୍ଯ୍ୟ କରୁଛନ୍ତି। ଅପରପକ୍ଷରେ ୫ ବର୍ଷର କାର୍ଯ୍ୟକାଳ ସରିବା ପରେ ମଧ୍ୟ ନୂତନ ରାଜ୍ୟପାଳ ଦାୟିତ୍ୱ ନ ନେବା ପର୍ଯ୍ୟନ୍ତ ସେହି ରାଜ୍ୟପାଳଙ୍କ କାର୍ଯ୍ୟ ଶେଷ ହୋଇନଥାଏ। ସେ ରାଜ୍ୟପାଳ ପଦରେ ରହି କାର୍ଯ୍ୟ କରିପାରନ୍ତି।
ଉପରୋକ୍ତ ବ୍ୟବସ୍ଥା ଅନୁଯାୟୀ ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପଦବୀରେ ରହିବାରେ କୌଣସି ସମସ୍ୟା ନାହିଁ। କିନ୍ତୁ ତାଙ୍କର ସ୍ଥାନରେ ନୂତନ ରାଜ୍ୟପାଳଙ୍କୁ କାହିଁକି ନିଯୁକ୍ତି ପ୍ରଦାନ କରାଯାଉନାହିଁ ତାହାକୁ ନେଇ ଆଲୋଚନା ଜୋର ଧରିଛି। ପ୍ରଫେସର ଗଣେଶୀ ଲାଲ ୨୦୧୮ ମସିହାରେ ମେ ମାସରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ। ଗତ ମେ ମାସରେ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି। କିନ୍ତୁ ଓଡ଼ିଶା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତି ଦେଇ ନାହାନ୍ତି ଭାରତ ସରକାର। ତେବେ ନୂତନ ରାଜ୍ୟପାଳଙ୍କୁ ନେଇ ରାଜ୍ୟବାସୀଙ୍କର ବେଶ ଉତ୍କଣ୍ଠା ରହିଛି।
Also Read: OIL Price: ୩୧ ପ୍ରତିଶତରୁ ଅଧିକ ଶସ୍ତା ହୋଇଛି କଚ୍ଚା ତେଲ, କିନ୍ତୁ ଦର ଖସାଉ ନାହାନ୍ତି ମୁନାଫାଖୋର ତୈଳକମ୍ପାନୀ