Padma Mukha Besha: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ, ଜାଣନ୍ତୁ ଏହି ବେଶ ପଛର କିମ୍ବଦନ୍ତୀ
Advertisement

Padma Mukha Besha: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ, ଜାଣନ୍ତୁ ଏହି ବେଶ ପଛର କିମ୍ବଦନ୍ତୀ

Padma Mukha Besha:  ବଡ଼ଛତା ମଠ ପକ୍ଷରୁ ପ୍ରଦତ୍ତ ସାମଗ୍ରୀରେ ଶ୍ରୀମନ୍ଦିର ଦୟଣାମାଳି ସେବକ ବସନ୍ତ ରଣାଙ୍କ ନେତୃତ୍ବରେ ବେଶ କାରିଗରମାନେ ଏହି ପଦ୍ମବେଶକୁ ପ୍ରସ୍ତୁତ କରିଛନ୍ତି । ସଂଧ୍ଯା ଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ପଦ୍ମବେଶ ବିଜେ କରାଯିବ । ବଡ଼ ସିଂହାର ବେଶରେ ଏହା ଶ୍ରୀଜିଉଙ୍କୁ ଲାଗି ହେବ । 

ସୌଜନ୍ୟ-ସୋସିଆଲ ମିଡିଆ

Padma Mukha Besha:  ଆଜି ପଦ୍ମ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏନେଇ ଶୁକ୍ରବାର ସମସ୍ତ ପ୍ରସ୍ତୁତ ସରିବା ସହ ସ୍ବତନ୍ତ୍ର ନୀତକାନ୍ତି ଚୂଡ଼ାନ୍ତ ହୋଇଛି । ବଡ଼ଛତା ମଠ ପକ୍ଷରୁ ପ୍ରଦତ୍ତ ସାମଗ୍ରୀରେ ଶ୍ରୀମନ୍ଦିର ଦୟଣାମାଳି ସେବକ ବସନ୍ତ ରଣାଙ୍କ ନେତୃତ୍ବରେ ବେଶ କାରିଗରମାନେ ଏହି ପଦ୍ମବେଶକୁ ପ୍ରସ୍ତୁତ କରିଛନ୍ତି । ସଂଧ୍ଯା ଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ପଦ୍ମବେଶ ବିଜେ କରାଯିବ । ବଡ଼ ସିଂହାର ବେଶରେ ଏହା ଶ୍ରୀଜିଉଙ୍କୁ ଲାଗି ହେବ । ପରଦିନ ଅବକାଶ ପୂର୍ବରୁ ବେଶ ଓଲାଗି ହେବ । ବଡ଼ ସିଂହାର ବେଶରେ ମହାପ୍ରଭୁଙ୍କୁ ପଦ୍ମବେଶ ଲାଗି ହୋଇଥାଏ । ଏହାପରେ ପହୁଡ଼ ନୀତୁ ଅନୁଷ୍ଠିତ ହୋଇଥାଏ । ତେଣୁ ରାତିରେ ଭକ୍ତମାନେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରିପାରିନଥାନ୍ତି ।

ପରଦିନ ମଙ୍ଗଳ ଆଳତି ପରେ ଶ୍ରୀଜିଉଙ୍କ ପଦ୍ମବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗେ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରୀଜିଉଙ୍କ ଏହି ସମ୍ପୂର୍ଣ୍ଣ ବେଶ କାର୍ଯ୍ୟ ପାଣି ସୋଲରେ ତିଆରି କରାଯାଇଥାଏ । ଏଥିପାଇଁ ପଦ୍ମ ପାଖୁଡ଼ା, ପଦ୍ମ କେଶର, ଡାଳି, ଆମ୍ବକଷି, ୭ଟି ଗଛ, ୭ଟି ସିଂହାସନ, ୩ଟି ଶ୍ରୀମୁଖ ପଦ୍ମ ସବୁକିଛି ସୋଲ ଓ ଜରିରେ ତିଆରି କରାଯାଉଛି । ଏହାକୁ ବାଦ ଦେଲେ ୩ଟି ବଡ଼ ଚୂଳ ମଧ୍ଯ ପ୍ରସ୍ତୁତ କରାଯାଉଛି । ପ୍ରଥମେ ସୋଲକୁ କାଟି ପଦ୍ମ ରୂପ ଦିଆଯାଇଛି । ସେପଟେ ସନ୍ତରାରେ ଶ୍ରୀଜିଉଙ୍କ ବଳ ପ୍ରସ୍ତୁତ କରାଯାଉଛି ।

କୁହାଯାଏ, ସପ୍ତଦଶ ଶତାଦ୍ଦୀରୁ ବଡ଼ଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ । ସେବେଠୁ ନିରବଚ୍ଛିନ୍ନ ଭାବେ ଏହି ବେଶ କରାଯାଉଛି । ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସରିବା ପରେ ରାତିରେ ଚନ୍ଦନଲାଗି ଓ ବଡ଼ସିଂହାର ବେଶ ସମୟରେ ଏହି ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହେବ । ଏହାପରେ ଶ୍ରୀଜିଉଙ୍କ ନିକଟରେ ଖିରି ଓ ଅମାଲୁ ଭୋଗ ଲାଗି କରାଯାଏ ।  ବେଶ ପ୍ରସ୍ତୁତ କରୁଥିବା ଶିଳ୍ପୀଙ୍କ କହିବା ଅନୁଯାୟୀ,  ଶ୍ରୀମୁଖରେ ତୁଳସୀକୁ ବଳା ସଦୃଶ ପ୍ରସ୍ତୁତ କରି ସଜ୍ଜିତ କରାଯାଏ । ପରେ ବେଶ ବନ୍ଧା ଯାଇଥାଏ ।

ପଦ୍ମମୁଖ ବେଶର କିମ୍ବଦନ୍ତୀ

କିମ୍ବଦନ୍ତୀ ଅନୁଯାୟୀ, ସାଧୁ ମନୋହର ଦାସ ମହାପ୍ରଭୁଙ୍କ ଦର୍ଶନ ଲାଗି ବହୁ ଦୂରରୁ ଚାଲିଚାଲି ଆସିଥିଲେ । ଫଳରେ ସେ କ୍ଲାନ୍ତ ହୋଇ ତୃଷାର୍ତ୍ତ ଅବସ୍ଥାରେ ଏକ ପୋଖରୀ ନିକଟରେ ଅଟକିଯାଇଥିଲେ । ସେହି ପୋଖରୀରେ ପଦ୍ମ ଫୁଲ ଫୁଟିଥିବାର ସେ ଦେଖିଥିଲେ । ପରେ ସେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଫୁଲକୁ ତୋଳି ନେଇଥିଲେ । ମାଘ ଅମାବାସ୍ୟା ଦିନ ଶ୍ରୀମନ୍ଦିରରେ ପହଁଞ୍ଚି ସେ ଆଣିଥିବା ପଦ୍ମ ଫୁଲ ଲାଗି କରିବାକୁ ସେବକଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ମଇଳା ଗାମୁଛାରେ ବନ୍ଧା ଥିବାରୁ ଫୁଲ ଗୁଡ଼ିକ ଶୁଖିଯାଇଥିଲା । ଫଳରେ ସେବକମାନେ ଏହି ଫୁଲକୁ ମହାପ୍ରଭୁଙ୍କୁ ଲାଗି କରିବାକୁ ମନା କରିଦେଇଥିଲେ । ଫଳରେ ସେ ଫେରି ଆସି ବଡ଼ଦାଣ୍ତ ନିକଟରେ ମୁ୍ର୍ଚ୍ଛା ହୋଇଯାଇଥିଲେ । ସେହିଦିନ ରାତିରେ ମହାପ୍ରଭୁ ଗଜପତିଙ୍କୁ ସ୍ବପ୍ନରେ ସାଧୁ ଆଣିଥିବା ଫୁଲ ଲାଗି କରିବାକୁ କହିଥିଲେ । ସେବକମାନେ ଶୁଖିଲା ପଦ୍ମ ଫୁଲ ଗୁଡ଼ିକ ଲାଗି କରିବା ପରେ ସେଗୁଡ଼ିକ ସତେଜ ହୋଇ ଉଠିଥିଲା ।  ଏହା ଦେଖି ସେବକମାନେ ସାଧୁ ମନୋହର ଦାସ ରତ୍ନ ସିଂହାସନ ନିକଟକୁ ପାଛୋଟି ନେଇଥିଲେ । ମହାପ୍ରଭୁଙ୍କ ଏହି ଦର୍ଶନ କରି ସେ ବିମୋହିତ ହୋଇଥିଲେ । ଏହାର ଖିରି ପ୍ରସାଦଖାଇ ସେ ପ୍ରସ୍ଥାନ କରିଥିଲେ । ପ୍ରକାଶ ଥାଉ କି, ବଡ଼ଛତା ମଠ ପକ୍ଷରୁ ବେଶର ସମସ୍ତ ଖର୍ଚ୍ଚ ବହନ କରାଯାଏ । ବେଶ ପାଇଁ ଆବଶ୍ୟକ ସୋଲ, ଜରି, କନା, ବେତ, ବାଉଁଶ, କଇଁଥ ଆଦି ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ । ପଣ୍ତୁ ପୂର୍ଣ୍ଣିମାଠାରୁ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଏ ।

ଏହା ବି ପଢନ୍ତୁ- Padma Mukha Besha: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ, ଜାଣନ୍ତୁ ଏହି ବେଶର ମାହାତ୍ମ୍ୟ