Top 10 News: ପ୍ରଭୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ସବୁଠି ଭକ୍ତିମୟ ପରିବେଶ, ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2401646

Top 10 News: ପ୍ରଭୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ସବୁଠି ଭକ୍ତିମୟ ପରିବେଶ, ଆଜିର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ଦିନଯାକର ୧୦ଟି ବଡ଼ ଖବର

Top 10 News: ପ୍ରଭୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ସବୁଠି ଭକ୍ତିମୟ ପରିବେଶ, ଆଜିର ୧୦ ବଡ଼ ଖବର

Top 10 News Today

01- ସାରା ଦେଶ ସମେତ ରାଜ୍ୟ ମଧ୍ୟ ପାଳନ କରାଯାଉଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପର୍ବ । ବାଳ ଗୋପାଳଙ୍କୁ ସ୍ୱାଗତ କରିବାକୁ ଉତ୍ସବମୁଖର ହୋଇଉଠିଛି ଗାଁଠୁ ସହର । ରାଜଧାନୀର ଇସ୍କନ ମନ୍ଦିରରେ ଆଜି ଭକ୍ତଙ୍କ ପ୍ରବଳ ଗହଳୀ ଦେଖିବାକୁ ମିଳିଛି । ଏଥିସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

02- ଛତିଶଗଡ ବିଜାପୁରେ ନକ୍ସଲ ସଙ୍ଗଠନ ଛାଡି  ୨୫ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଉକ୍ତ ନକ୍ସଲମାନଙ୍କ ଉପରେ ୩୭ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆତ୍ମସମର୍ପଣ କରିବା ପରେ ନକ୍ସଲମାନେ କହିଛନ୍ତି ଯେ, ସରକାରଙ୍କ ନିୟମ ଅନୁଯାୟୀ ଆମେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛୁ । 

03- କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୯୦ ବିଧାନସଭା ଆସନ ଭିତରୁ ଏହି ତାଲିକାରେ ୧୫ ଜଣଙ୍କ ନାମ ରହିଛି। ଏହା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଉଦ୍ଦିଷ୍ଟ  ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବରୁ ବିଜେପି ପକ୍ଷରୁ ୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ତାଲିକାକୁ ଫେରାଇ ନିଆଯାଇଥିବା କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅନନ୍ତନାଗ, ଡୋଡା, ସେଫିଆନ ଭଳି ନିର୍ବାଚନ ମଣ୍ଡଳୀଗୁଡ଼ିକ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଅଗଷ୍ଟ ୨୭ ଅର୍ଥାତ ଆସନ୍ତା କାଲି ନାମାଙ୍କନ ଦାଖଲର ଶେଷ ଦିନ ରହିଛି। 

04- ଆଜି ପାକିସ୍ତାନରେ ୨୩ ଜଣଙ୍କୁ ରାସ୍ତା ମଝିରେ ଠିଆ କରାଯାଇ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ବଲୁଚିସ୍ତାନର ମୁସାଖାଇଲ ଅଞ୍ଚଳରେ ଘଟିଛି। ବନ୍ଧୁକ ସହିତ ସଶସ୍ତ୍ର ଲୋକମାନେ ସେମାନଙ୍କୁ ଜବରଦସ୍ତ ଗାଡିରୁ ବାହାର କରି ଏକ ଲାଇନରେ ଠିଆ କରାଇଲେ ଏବଂ ପରେ ସେମାନଙ୍କୁ ଗୋଟିଏ ପରେ ଗୋଟିଏ ଗୁଳି କରି ହତ୍ୟା କରାଯାଇଛି। ଗୁଳି ଚଳାଇବା ପୂର୍ବରୁ ସେମାନଙ୍କର ଆଇଡି କାର୍ଡ ଯାଞ୍ଚ କରାଯାଇଥିଲା ଏବଂ ସେମାନଙ୍କ ଜାତି ମଧ୍ୟ ଚିହ୍ନଟ କରାଯାଇଥିଲା। ଲୋକଙ୍କୁ ଗୁଳି ଚଳାଇବା ପରେ ଆକ୍ରମଣକାରୀମାନେ ମଧ୍ୟ ସେମାନଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲେ। AFP ରିପୋର୍ଟରେ ପାକିସ୍ତାନରେ ହୋଇଥିବା ହତ୍ୟାକାଣ୍ଡ ନିଶ୍ଚିତ ହୋଇଛି।

05- ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ। ସେଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ସେଥିପାଇଁ ରାତି ୭ଟାରୁ ରାତି ୧୧ଟା ଯାଏଁ ମହାପ୍ରଭୁଙ୍କ  ସାଧାରଣ ଦର୍ଶନ ବନ୍ଦ ରହିଛି।

06- ମହିଳା ଓ ଶିଶୁ ବିକାଶ ବିଭାଗ ଆଜି ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ଯୋଜନା 'ସୁଭଦ୍ରା'ର ଗାଇଡ୍‌ଲାଇନ୍ ଜାରି କରିଛି । କେବଳ ୨୧ରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ବୟସର ମହିଳାମାନେ ଏଥିପାଇଁ ଆବେଦନ କରିପାରିବେ । ବୟସ ପ୍ରମାଣପତ୍ର ପାଇଁ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ସଠିକ୍ ବିବେଚନା କରାଯିବ । ୧ ଜୁଲାଇ ୨୦୨୪ ସୁଦ୍ଧା ଯେଉଁ ମହିଳାଙ୍କ ବୟସ ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିବ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ।

07- ରାଜଧାନୀରୁ ଜବତ ହୋଇଛି ୫୦ କେଜି ସୁନା ଏବଂ ୨ କ୍ୱିଣ୍ଟାଲ ରୁପା । ଏୟାରପୋର୍ଟ ପାଖରେ ଯାଞ୍ଚ ସମୟରେ ଏକ କଣ୍ଟେନରରୁ ଏତେ ପରିମାଣର ସୁନା ଓ ରୁପା ଜବତ କରିଛି ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । ଏତେ ପରିମାଣର ସୁନା କାହାର ଏବଂ ଏହା କେଉଁ ସ୍ଥାନକୁ ଯାଉଥିଲା ସେନେଇ ଖୋଳତାଡ ଚଳାଇଛି ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । କୁହାଯାଉଛି ଯେ, ଜବତ ସୁନା ଏବଂ ରୁପା ପାଖାପାଖି ୩୦ କୋଟି ଟଙ୍କାରୁ ଅଧିକ ହେବ ।

08- ସହକର୍ମୀଙ୍କ ଉପରକୁ ଗରମ ପାଣି ଫିଙ୍ଗି ନିଲମ୍ୱିତ ହେଲେ ଜଣେ ହାବିଲଦାର । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି ଏହି ଘଟଣା ।  କନେଷ୍ଟବଳ ଦୁଷ୍ମନ୍ତ ଦେହୁରୀ ଡ୍ୟୁଟିରେ ବିଳମ୍ୱରେ ପହଞ୍ଚିବା କାରଣରୁ ହାବିଲଦାର ନୂତନ ମଲ୍ଲିକ ତାଙ୍କ ଉପରେ ବିରକ୍ତ ହୋଇଥିଲେ । କଥା କଟାକଟିରୁ ଉତକ୍ଷିପ୍ତ ହୋଇ ସହକର୍ମୀଙ୍କ ଉପରକୁ ଗରମ ପାଣି ଫିଙ୍ଗିଥିଲେ ନୂତନ । ଫଳରେ ଗଭୀରଭାବେ ଆହତ ହୋଇଛନ୍ତି କନେଷ୍ଟବଳ ଦୁଷ୍ମନ୍ତ ଦେହୁରୀ । ତାଙ୍କୁ ତୁରନ୍ତ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । 

09- ବାର୍ଡ ଫ୍ଲୁର ହଟସ୍ପଟ ପାଲଟିଛି ପିପିଲି । ସବୁ ଜିଲ୍ଲାକୁ ଜାରି ହେଲା ନିର୍ଦ୍ଦେଶନାମା । ସଂକ୍ରମଣ ରୋକିବାକୁ ଚାଲିଛି କୁକୁଡା ମରା ଅଭିଯାନ । ପିପିଲି ବାର୍ଡ ଫ୍ଲୁର ହଟ୍‌ସ୍ପଟ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏନେଇ ଜିଲ୍ଲା ଗୁଡିକୁ ଆଡଭାଇଜରି ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ପିପିଲିରେ ଅଛନ୍ତି ରାପିଡ ରେସପନ୍ସ ଟିମ୍। ବାର୍ଡ ଫ୍ଲୁ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି। ବାର୍ଡ ଫ୍ଲୁ ହେଲେ ତୁରନ୍ତ କୁକୁଡ଼ାକୁ ମାରି ପୋତିଦେବା ଉଚିତ। ପ୍ରତିଦିନ ପବ୍ଲିକ ହେଲଥ ୟୁନିଟ ଦ୍ବାରା ତଥ୍ୟ ସଂଗ୍ରହ କରାଯାଉଛି। 

10- ମଙ୍ଗଳବାର ଉତ୍ତର ଓଡ଼ିଶା ଯଥା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି।

Also Read- ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ସହନଶୀଳ ଚାଉଳ ବିକଶିତ

Also Read- Trigrahi Yog: ୩ ଗ୍ରହର ମହାସଂଯୋଗ, ରାଜା ପରି ବଞ୍ଚିବେ ଏହି ରାଶିର ବ୍ୟକ୍ତି