Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2304875

Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today: ଅତି ସଂକ୍ଷେପରେ ଜାଣନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today: 

01- ଗାଁ ମାଟିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ଜନ୍ମମାଟି କେନ୍ଦୁଝରରେ ପହଞ୍ଚିବା ପରେ ଘଟଗାଁ ମାଆ ତାରିଣୀଙ୍କ ଦର୍ଶନ କରିବା ସହ ମନ୍ଦିର ପାଇଁ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି । ବର୍ତ୍ତମାନ ୫୦ କୋଟି ଟଙ୍କାର କାମ ଚାଲିଥିବା ସମୟରେ ଆଉ ୫୦ କୋଟି ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଖର୍ଚ୍ଚ ହେବ । ମାଆ ତାରିଣୀଙ୍କ ପୀଠକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ର ସହିତ ଆଲୋଚନା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

02- ISROକୁ ଆଉ ଏକ ସଫଳତା ମିଳିଛି । ପୁନଃବ୍ୟବହାର ହୋଇପାରୁଥିବା ‘ରି-ୟୁଜେବଲ ଲଂଚ ଭେହିକିଲ୍’ ବା RLVର ପୁଣି ଏକ ସଫଲ ପରୀକ୍ଷଣ ହୋଇଛି । କ୍ରମାଗତ ଭାବେ ତୃତୀୟ ଥର ପାଇଁ ଏହି RLV ଜ୍ଞାନ କୌଶଳର ସଫଳ ପରୀକ୍ଷଣ ହୋଇଛି।

03- କଂଗ୍ରେସର ପିସିସି ସଭାପତିଙ୍କ ଉପରକୁ କାଳିମାଡ ଘଟଣାରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ କମିଟିର ପଦକ୍ଷେପ ନିଆଯାଇଛି। କଂଗ୍ରେସରୁ ୬ବର୍ଷ ପାଇଁ ୫ଜଣଙ୍କୁ ବହିଷ୍କୃତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଯୋଗୁ ସେମାନଙ୍କୁ ବହିଷ୍କାର କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେମାନେ ହେଲେ କର୍ମୀ ପ୍ରକାଶ ମିଶ୍ର, ଶ୍ରୀୟାସ୍ମିତା ପଣ୍ଡା, ସନ୍ଦୀପ ରାଉତରାୟ, ଅମରେଶ ପରିଡ଼ା ଓ ଆର୍ୟନ ସାସମଲ ବହିଷ୍କୃତ ହୋଇଛନ୍ତି। ସିସିଟିଭି ଭିଡିଓ ଫୁଟେଜ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛି। 

04- ସୁଭଦ୍ରା ଯୋଜନାରେ ଓଡ଼ିଶାର ସବୁ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍। ଏନେଇ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ରାଜ୍ୟ କ୍ୟାବିନେଟ  ଅନୁମୋଦନ ଲାଭ କରିବା ପରେ ଏବେ ଡ୍ରାଫ୍ଟିଙ୍ଗ ଷ୍ଟେଜରେ ଅଛି । ଆଗାମୀ ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ। ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ ଟଙ୍କା। ଆଗାମୀ ଦୁଇ ବର୍ଷ ଭିତରେ ଏହି ଟଙ୍କାକୁ ମହିଳାମାନେ ନିଜ ଘରର ଆବଶ୍ୟକତା ଲାଗି ବ୍ୟୟ କରିପାରିବେ।

05- ପାଗ ଅନୁକୂଳ ଥିବା କାରଣରୁ ୨୪ ଜୁନ ସୋମବାର ଦିନରୁ ସ୍କୁଲ କାର୍ଯ୍ୟ ସ୍ବାଭାବିକ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଛନ୍ତି । ଖରା ଛୁଟି ଜୁନ୍ ୧୮ରେ ସ୍କୁଲ ଖୋଲିଥିଲା ।

06- ଯୌନ ନିର୍ଯାତନା ମାମଲାରେ କର୍ଣ୍ଣାଟକ ଜେଡିଏସ ନେତା ସୂରଜ ରେବନ୍ନା ଗିରଫ। ସୁରଜ ହେଉଛନ୍ତି ପୂର୍ବତନ ଜେଡିଏସ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ବଡ଼ ଭାଇ। ଜଣେ ପୁରୁଷଙ୍କ ସହ ଯୌନ କେଳଙ୍କାରୀ ଘଟଣାରେ ତାଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଜ୍ବଳ। ଗତ ଜୁନ ୧୬ ତାରିଖରେ କର୍ଣ୍ଣାଟକ ହାସନ ଜିଲ୍ଲାର ଏକ ଫାର୍ମ ହାଉସରେ ସୂରଜ ଜଣେ ୧୭ ବର୍ଷ ବୟସ୍କ ପୁରୁଷ କର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ସେହି ବ୍ଯକ୍ତିଜଣକ ଅଭିଯୋଗ କରିଥିଲେ। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୂରଜ। ସେ କହିଛନ୍ତି ଅଭିଯୋଗକାରୀ ତାଙ୍କୁ ୫ କୋଟି ଟଙ୍କା ମାଗିଥିଲେ। ମାତ୍ର ସେ ଦେଇ ନଥିବାରୁ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ

07- AICC ଅଧ୍ୟକ୍ଷ ଖଡ଼ଗେଙ୍କୁ ଭେଟିଛନ୍ତି ଓଡ଼ିଶାର ୬ ବିଧାୟକ । କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଏହି ଭେଟଘାଟ ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ଏନେଇ ଚର୍ଚ୍ଚା ହେଉଥିବା ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ହୋଇଛି । ସୌଜନ୍ୟମୂଳକ ସାକ୍ଷାତ ହୋଇଥିବା କହିଛନ୍ତି ସାଂସଦ ଉଲାକା । ବିଧାୟକ ଦଳ ନେତା କିଏ ହେବେ ସେ ସମ୍ପର୍କରେ ହାଇକମାଣ୍ଡ ନିଷ୍ପତ୍ତି ନେବେ । ଯାହା ନିଷ୍ପତ୍ତି ନିଆଯିବ ତାହାକୁ ଗ୍ରହଣ କରିବୁ ବୋଲି ବିଧାୟକ ରାମଚନ୍ଦ୍ର କାଡ଼ାମ କହିଛନ୍ତି ।

08- ଖୁବ୍‌ଶୀଘ୍ର ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକଙ୍କୁ ନିଯୁକ୍ତି କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଥମ ୧୦୦ ଦିନର ଏଜେଣ୍ଡା ମଧ୍ୟରେ ଏହି ବିଷୟ ମଧ୍ୟ ରହିଛି । 

09- ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦିବ୍ୟସ୍ନାନ ପରେ ଏବେ ଜ୍ୱରରେ ପୀଡ଼ିତ ମହାପ୍ରଭୁ। ଜୟବିଜୟ ଦ୍ୱାର ଓ କଳାହାଟ ଦ୍ୱାର ମଝିରେ ଅଣସର ଘରେ ଶ୍ରୀଜିଉ ବିଜେ କରିଛନ୍ତି। ଫଳରେ ଆଜି ଠାରୁ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଇବାର ନିୟମ ରହିଛି । ଏଥିପାଇଁ ରବିବାର ବିଳମ୍ବିତ ରାତିରେ ପଟିଦିଅଁ ଓ ଅନ୍ୟ ଦେବଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। 

10- ରାଜ୍ୟର ସମସ୍ତ ଅଞ୍ଚଳକୁ ପ୍ରବେଶ କରିଛି ମୌସୁମୀ ବାୟୁ । ମୌସୁମୀ ସକ୍ରିୟ କାରଣରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ତେବେ ୨୬ ଜୁନରୁ ବର୍ଷାର ମାତ୍ରା ବଢିବ ବୋଲି କୁହାଯାଇଛି । ଏନେଇ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।