)
Top 10 News Today:
01- ଲାଠିପଡା ସମାବେଶରେ ବରିଷ୍ଠ ବିଜେପି ନେତା ଅମିତ ଶାହ ବିଜେଡିକୁ କଡା କାଉଣ୍ଟର କରିଛନ୍ତି । ଲୋକଙ୍କୁ ସମ୍ୱୋଧନ କରି କହିଥିଲେ ଯେ, ଓଡ଼ିଶାର ଗୌରବକୁ ପୁନଃ ସଂସ୍ଥାପିତ କରିବାର ନିର୍ବାଚନ ଏହା । କୋଣସି ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ଓଡ଼ିଆ କହୁଥିବା ଓଡ଼ିଶା ମାଟିର ସନ୍ତାନ ହିଁ ମୁଖ୍ୟମନ୍ତ୍ରୀ ହେବେ । ୭୫ରୁ ଅଧିକ ସିଟ୍ ଜିତି ଓଡ଼ିଶାରେ ବିଜେପି ସରକାର ବନାଇବା ସମ୍ପର୍କରେ ଶାହ କହିଥିଲେ । ଏଥିସହ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଏବଂ ଭୋଟିଂ ସମୟରେ ବୁଥ ରିଗିଂ ନେଇ ମଧ୍ୟ କଡା କାଉଣ୍ଟର କରିଥିଲେ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା କାହିଁକି ଗରିବ ବୋଲି ମଧ୍ୟ ଶାହ ପଚାରିଛନ୍ତି ।
02- ଆପ୍ ନେତା ମନୀଷ ସିସୋଦିଆ ମନି ଲଣ୍ଡରିଂ କେସ୍ ଏବଂ ଦୁର୍ନୀତି ମାମଲାରେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ଜେଲରୁ ମୁକୁଳିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ସିସୋଦିଆଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଛି । କିନ୍ତୁ ମନୀଷଙ୍କୁ ଏପର୍ଯ୍ୟନ୍ତ କୋର୍ଚଙ୍କ ପକ୍ଷରୁ କୌଣସି ଆଶ୍ୱସ୍ତିଜନକ ଖବର ମିଳିନାହିଁ । ଅନ୍ୟପଟେ ମନୀଷଙ୍କ ପାଇଁ ଆଉ ଏକ ଚିନ୍ତାର ବିଷୟ ପାଲଟିଛି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟଙ୍କ ରାୟ । ମନୀଷଙ୍କ ହାଜତ ଅବଧିକୁ ବଢାଇଛନ୍ତି କୋର୍ଟ । ୨୦୨୩ ଫେବୃଆରୀ ମାସରେ ସିସୋଦିଆଙ୍କୁ ଗିରଫ କରିଥିଲା ଇଡି । ମେ ୩୧ ପର୍ଯ୍ୟନ୍ତ ହାଜତରେ ରହିବେ ଆପ୍ ନେତା ମନୀଷ ସିସୋଦିଆ ।
03- ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱରରେ ନିର୍ବାଚନୀ ପ୍ରଚାର କରିଛନ୍ତି । ବିଜେଡିର ବିଭିନ୍ନ ଯୋଜନା ଏବଂ ସୁବିଧା ସମ୍ପର୍କରେ କହିଛନ୍ତି । ବିଜୁ ଜନତା ଦଳ ଏକମାତ୍ର ରାଜନୈତିକ ଦଳ ଯିଏ ତାର ନିର୍ବାଚନ ଇସ୍ତାହାରରେ ମିଡିଲ କ୍ଲାସ ଲୋକମାନଙ୍କ ଉନ୍ନତିକୁ ସ୍ଥାନ ଦେଇଛି । ସମସ୍ତଙ୍କୁ BSKYରେ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବ, ମିଡିଲ୍ କ୍ଲାସ ଲୋକଙ୍କ ପାଇଁ ଏଭଳି ସୁବିଧା ଆଉ କେଉଁଠି ନାହିଁ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଂ ଲୋନ୍ ପାଇଁ ସୁଧ ହାର କମ୍ ରହିବ, ଏହା ମଧ୍ୟ କେଉଁଠି ନାହିଁ । ଶିକ୍ଷା ଋଣରେ ମଧ୍ୟ ସୁଧ ହାର କମ୍ ରହିବ । ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟରେ ମିଡିଲ୍ କ୍ଲାସm ମାନଙ୍କ ପାଇଁ ରହାତି ଦର ରହିବ । ପୁଅଙ୍କୁ ୧୨ ହଜାର ଓ ଝିଅଙ୍କୁ ୧୪ ହଜାର ଟଙ୍କାର ଛାତ୍ରବୃତ୍ତି ମିଳିବ । ମିଡିଲ କ୍ଲାସ ଲୋକଙ୍କ ମୁଣ୍ଡ ଉପରୁ ବୋଝ ହାଲକା କରିବା ପାଇଁ ଓ ସେମାନଙ୍କ ଖର୍ଚ୍ଚ କମାଇବା ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏସବୁ ପଦକ୍ଷେପ ନେଇଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।
04- ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ନିମାପଡ଼ା ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ କରାଯାଇଛି। ସେମାନଙ୍କ ସଭ୍ୟ ପଦ କାହିଁକି ରଦ୍ଦ ନହେବ ସେନେଇ ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି। ୪ ବିଧାୟକ ଦଳ ବଦଳ ନିରୋଧୀ ଆଇନ ଉଲ୍ଲଂଘନ କରିଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ବିଧାନସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବାଚସ୍ପତିଙ୍କ ନିର୍ଦ୍ଦେଶରେ ଓଡ଼ିଶା ବିଧାନସଭା ସଚିବ ଏହି ନୋଟିସ ଜାରି କରିଛନ୍ତି ।
05- ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଅପକ୍ଷାକୃତ କମ୍ ମତଦାନ ହୋଇଛି। ନିର୍ବାଚନ କମିଶନଙ୍କ ସର୍ବଶେଷ ତଥ୍ୟାନୁସାରେ ରାଜ୍ୟରେ ହାରାହାରି ୬୯.୧୯% ଭୋଟିଂ ବା ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ସମୁଦାୟ ୩୫ଟି ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ କରାଯାଇଥିଲା । ସବୁଠାରୁ ଅଧିକ ମତଦାନ ସୋନପୁରଠାରେ ରେକର୍ଡ କରାଯାଇଛି। ଏଠାରେ ହାରାହାରି ୮୧.୨୩% ଭୋଟିଂ ହୋଇଥିବା ବେଳେ ଭଟଲିରେ ୭୯.୨୩%, ଝାରସୁଗୁଡ଼ାରେ ୭୮.୫%, ବୀରମହାରାଜପୁରରେ ୭୮.୩୭%, ପଦମପୁରରେ ୭୫୧.୨%, ବ୍ରଜରାଜ ନଗରରେ ୭୫.୦୨% ମତଦାନ ହୋଇଛି।
06- ଶ୍ରୀ ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ ବୋଲି କହି ଅଡ଼ୁଆ ପରିସ୍ଥିତିରେ ପଡ଼ି ସଫେଇ ଓ କ୍ଷମା ମାଗିଛନ୍ତି ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ସେ ଏହି ଭୁଲ୍ ପାଇଁ ୩ ଦିନ ଉପବାସ କରିବେ ବୋଲି କହିଛନ୍ତି। କିନ୍ତୁ ସମ୍ବିତଙ୍କ ଏହି ବୟାନକୁ ନେଇ ରାଜନୀତିକ ଉଷ୍ମତା ଦେଖାଦେଇଛି। ଦେଶର ଦୁଇ ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଏବଂ ୟୁଏନ୍ଆଇକୁ ସାକ୍ଷାତକାର ଦେଇ ବିଜେଡିର ଦ୍ୱିତୀୟ ଷ୍ଟାର୍ କ୍ୟାମ୍ପେନର ଭିକେ ପାଣ୍ଡିଆନ୍ କହିଛନ୍ତି, ସେମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି କିନ୍ତୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ। ମୁଖ୍ୟମନ୍ତ୍ରୀ ସବୁବେଳେ ଭଗବାନଙ୍କୁ ରାଜନୀତିର ବାହାରେ ରଖିଛନ୍ତି ବୋଲି କହିଛନ୍ତି ଶ୍ରୀ ପାଣ୍ଡିଆନ।
07- ବିଜେପିର ବିଜୟକୁ ନେଇ ବଡ ବୟାନ ଦେଲେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ପ୍ରଶାନ୍ତ କିଶୋରଙ୍କ ମତରେ ଏଥର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେବ ଭବିଷ୍ୟବାଣୀ କରିବା ସହ, ବିଜେପିକୁ ଏଥର ଲୋକସଭା ନିର୍ବାଚନରେ ପାଖାପାଖି ୩୦୦ ସିଟ୍ ମିଳିବାର ସମ୍ଭାବନା ଥିବା କହିଛନ୍ତି । ପ୍ରଶାନ୍ତ କିଶୋର କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଅର୍ଥାତ ବିଜେପି ପୁଣି ଥରେ ସରକାର ଗଢ଼ିବ।
08- ଖୋରଧା ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଏ ମର୍ମରେ ଭୁବନେଶ୍ୱରସ୍ଥିତ ସର୍କିଟ୍ ହାଉସ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୨୩ ତାରିଖରେ ଜୟଦେବ, ଜଟଣୀ, ବେଗୁନିଆ ଓ ଚିଲିକା ନିମନ୍ତେ ପୁଲିଂ ପାର୍ଟିମାନେ ବୁଥ୍ ଅଭିମୁଖେ ଯାତ୍ରା କରିବେ । ସେହିଭଳି ୨୪ ତାରିଖରେ ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୁଲିଂ ପାର୍ଟିମାନେ ବୁଥ୍ ଅଭିମୁଖେ ଗସ୍ତ କରିବେ ।
09- ନୂଆପଡ଼ା ଜିଲ୍ଲା କୋମନା ଥାନା ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ୪ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ଜଣାଯାଇଛି। ମାଓ କ୍ୟାମ୍ପରୁ ୪ ଲକ୍ଷ ମୂଲ୍ୟର ୨ ହଜାର ନୋଟ୍ ସହ ଦେଶୀ ବନ୍ଧୁକ ଓ ୪ ଗୁଳି ଜବତ ମଧ୍ୟ ହୋଇଛି। ଗତକାଲି ଶିବନାରାୟଣପୁର ଜଙ୍ଗଲରେ ୨୦ରୁ ୩୦ ନକ୍ସଲ ସଂଗଠିତ ହୋଇଥିବା ଗୋଇନ୍ଦା ସୂତ୍ରରୁ ଖବର ପାଇ ସ୍ବତନ୍ତ୍ର ସୁରକ୍ଷା ବାହିନୀର (ଏସ୍ଓଜି) ସର୍ଚ୍ଚ ଅପରେସନରେ କରିଥିଲା।
10- ଆସନ୍ତା କାଲି ଲଘୁଚାପ। ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଦିଗରେ ଏହା ସୃଷ୍ଟି ହୋଇ ଉତ୍ତର ପୂର୍ବ ଦିଗ ଆଡ଼କୁ ଗତିକରିବ। ଏହାର ପ୍ରଭାବରେ ୨୩ ତାରିଖ ସକାଳୁ ପବନ ଓ ବର୍ଷା ହୋଇପାରେ। ୨୫ ତାରିଖ ସକାଳୁ ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ପଡ଼ିବ। ବାଲେଶ୍ୱର ଜିଲ୍ଲାକୁ ଏଥିଲାଗି ପୀତ ସତର୍କତା ଜାରି କରାଯାଇଛି। ୭ରୁ ୧୧ ସେଣ୍ଟିମିଟର ଯାଏ ଏଠାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟ ଉପକୂଳ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଝରରସୁଗୁଡ଼ା, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ର କିଛି ଅଞ୍ଚଳରେ ୨୪ ତାରିଖ ଦିନ ହାଲୁକା ବର୍ଷା ଓ ଘଡ଼ଘଡ଼ି ହୋଇପାରେ।