Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପକ୍ଷରୁ ୩୮ ଜଣ ପ୍ରାର୍ଥୀଙ୍କ ନାମ ତାଲିକାରେ ପ୍ରକାଶ କରାଯାଇଛି। ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀରୁ ନିର୍ବାଚନ ଲଢିବେ। ମୁଖ୍ୟମନ୍ତ୍ରୀ ଆତିଶୀ ପୁଣି ଥରେ କାଲକାଜୀରୁ ନିର୍ବାଚନ ଲଢିବେ। ସେହିଭଳି ସୌରଭ ଭରଦ୍ୱାଜ ଗ୍ରେଟର କୈଲାଶରୁ ପ୍ରାର୍ଥୀ ହୋଇଛନ୍ତି । ଆମ୍ ଆଦମୀ ପାର୍ଟି ମଦନ ଲାଲଙ୍କ ଟିକେଟ୍ ବାତିଲ କରି କସ୍ତୁରବା ନଗରରୁ ରମେଶ ପେହଲୱାନଙ୍କୁ ଟିକେଟ୍ ଦେଇଛି। ରମେଶ ପେହଲୱାନ ଏବଂ ତାଙ୍କ କାଉନସିଲର ପତ୍ନୀ କୁସୁମ ଲତା ବିଜେପି ଛାଡି AAP ରେ ଯୋଗ ଦେଇଛନ୍ତି।
Headlines 02- ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ସମ୍ପ୍ରସାରିତ ହୋଇଛି। ନାଗପୁରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବିଜେପି, ଶିବସେନା ଓ ଏନସିପି ମନ୍ତ୍ରୀମାନେ ଆଜି ଶପଥ ନେଇଛନ୍ତି। ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଆଜି ୩୯ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପସ୍ଥିତ ଥିଲେ। ମନ୍ତ୍ରୀମଣ୍ଡଳ ଭାଗବଣ୍ଟା ମଧ୍ୟ ସରିଛି ଏବଂ ଆଜି ରାତି ସୁଦ୍ଧା ପୋର୍ଟଫୋଲିଓ ତାଲିକା ପ୍ରକାଶ ପାଇବ ବୋଲି କୁହାଯାଉଛି। ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ରହିବ।
Headlines 03- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତକାଳରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଜିଲ୍ଲାର ବିକାଶର ଧାରାକୁ ଆଗେଇ ନେବା ପାଇଁ ଏହି ପ୍ରକଳ୍ପ ଗୁଡିକର ବିଶେଷ ଯୋଗଦାନ ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ରାଜ୍ଯରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନିଯୁକ୍ତି ସୁଯୋଗ ଇତ୍ୟାଦି କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଲୋକଙ୍କ ସରକାର ପ୍ରାଥମିକତା ଦେଉଛନ୍ତି। ଆଜି କୋରାପୁଟ ଜିଲ୍ଲାର ପ୍ରଥମ ସରକାରୀ ସେବିକା ମହାବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ୩୦୦ ଶଯ୍ୟା ବିଶିଷ୍ଠ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନଙ୍କ ପାଇଁ ମୋଟ ୯୬ଟି ଆବାସିକା ଗୃହର ଶୁଭାରମ୍ଭ କରାଯାଇଛି।
Headlines 04- ପୁରୀ ପୋଲିସର ବଡ ସଫଳତା। ସିସିଟିଭି ଧରାଇଲା ଲୁଟେରା ଗ୍ୟାଙ୍ଗ୍। ୭ ଜଣ ଆନ୍ତରାଜ୍ୟ ଲୁଟେରାଙ୍କୁ ଧରିଲା ସିଂହଦ୍ବାର ଥାନା ପୋଲିସ। ଭିଡର ସୁଯୋଗ ନେଇ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କୁ କରୁଥିଲେ ଲୁଟ୍। ସମସ୍ତ ଲୁଟେରା ପଶ୍ଚିମବଙ୍ଗର ସୂଚନା। ଲୁଟେରାଙ୍କ ମଧ୍ୟରେ ୪ ଜଣ ମହିଳା ଓ ୩ ଜଣ ପୁରୁଷ। ଗତକାଲି ଜଣେ ଭକ୍ତଙ୍କ ଠାରୁ ଟଙ୍କା ଓ ବେକରୁ ସୁନାଚେନ୍ ଛିନତାଇ କରିଥିଲେ ଲୁଟେରା। ସୁନାଚେନ୍ ସମେତ ୪୦୦୦ ଟଙ୍କା,,୪ଟି ମୋବାଇଲ ଫୋନ୍ ଓ ଗୋଟିଏ ଚାରିଚକିଆ ଯାନ ଜବତ।
Headlines 05- ବେଙ୍ଗାଲୁରୁ ଏଆଇ ଇଞ୍ଜିନୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ପୋଲିସର ବଡ ଆକ୍ସନ। ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆ, ନିକିତାଙ୍କ ମା’ ନିଶା ଓ ଭାଇ ଅନୁରାଗଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ। ପତ୍ନୀ ନିକିତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିବାବେଳେ ତାଙ୍କ ମା’ ଓ ଭାଇଙ୍କୁ ପ୍ରୟାଗରାଜରୁ ଗିରଫ କରାଯାଇଛି।
Headlines 06- ସ୍ବାସ୍ଥ୍ୟକାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ଏକସଙ୍ଗେ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟକାର୍ଡ । ଇନସ୍ୟୁରାନ୍ସ ନୁହେଁ ଆସ୍ୟୋରାନ୍ସ ମୋଡ୍ରେ ଚିକିତ୍ସା କରାଯିବ । ଉଭୟ ଆୟୁଷ୍ମାନ ଓ ଗୋପବନ୍ଧୁ କାର୍ଡରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ସାରା ଦେଶରେ ୨୭ ହଜାରରେ ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଏବେ ମାସକୁ ୩୨୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
Headlines 07- ଦୀପ ନିଆଁରେ ଜଣେ ମହିଳା ଶ୍ରଦ୍ଧାଳୁ ଜଳି ଯାଇଛନ୍ତି। ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରରେ ଆଜି ଅପରାହ୍ଣରେ ଏହି ଅଘଟଣ ଘଟିଛି। ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ହେଲେ ମୀନାକ୍ଷୀ ବରାଳ। ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କୁରୁଣ୍ଟି ଗାଁର ମୀନାକ୍ଷୀ ବରାଳ ନିଜ ପରିବାର ଲୋକଙ୍କ ସହିତ ଘଟଗାଁ ତାରିଣୀ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ସେଠାରେ ସେ ମା’ଙ୍କ ଦର୍ଶନ କରିବା ସହିତ ଦୀପଷ୍ଟାଣ୍ଡରେ ଦୀପ ଜାଳୁଥିଲେ। ଏହି ସମୟରେ ଅସାବଧାନତା ଯୋଗୁଁ ତାଙ୍କର ଶାଢ଼ିରେ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ଏହି ନିଆଁ ସାରା ଶରୀରକୁ ବ୍ୟାପି ଯାଇଥିଲା। ସେଠାରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେଠାରୁ ତାଙ୍କୁ ଡାକ୍ତର କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।
Headlines 08- ସୀମାନ୍ତ ଛତିଶଗଡ଼ ସୁକମା ପୁଲିସକୁ ମିଳିଛି ପୁଣି ଏକ ବଡ ସଫଳତା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗମନ ପୂର୍ବରୁ ୫ ଜଣ ଦୁର୍ଦାନ୍ତ ନକ୍ସଲଙ୍କ ଆତ୍ମସମର୍ପଣ ଏକ ବଡ଼ ସଫଳତା ବୋଲି ପୁଲିସ କହିଛି। ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ୫ ଜଣ ନକ୍ସଲ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ୮ ଲକ୍ଷ ରେଖାଏଁ ପୁରସ୍କାର ରହିଥିବା ବେଳେ ଜଣକ ନାମରେ ୫ ଲକ୍ଷ ଏବଂ ଅନ୍ୟ ଦୁଇ ଜଣଙ୍କ ନାମରେ ୨ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା। ଏମାନଙ୍କ ମୁଣ୍ଡରେ ମୋଟ ୨୫ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା।
Headlines 09- ୧୧ ମାସ ପରେ ଖୋଲିଲା ବିରଜା - ଆଗ୍ନେଶ୍ୱର ହାଟ। ବେଆଇନ ଭାବେ ବିରଜା ପ୍ରକଳ୍ପ ନିର୍ମାଣ ଆଳରେ ଏହାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ବ୍ୟବସାୟ ନହେବାରୁ ଚାଷୀ ଆଉ ବ୍ୟବସାୟୀ ତୀବ୍ର ଅସନ୍ତୁଷ୍ଟ ଥିଲେ। ଆଜି ସକାଳୁ ବିରଜା-ଆଗ୍ନେଶ୍ୱର ହାଟରେ ଦୁଇ ପ୍ଲାଟୁନ ପୁଲିସ ସୁରକ୍ଷା ସହ ଆରମ୍ଭ ହୋଇଛି ବ୍ୟବସାୟ। ଏହି ହାଟ ଏବଂ ବିରଜା ପରିକ୍ରମା ପ୍ରକଳ୍ପକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ଅନେକ ଗିରଫ ହୋଇଥିଲେ। ପରେ ଜ଼ିଲ୍ଲା ପ୍ରଶାସନ ଉଭୟ ବ୍ୟବସାୟୀ, ସେବାୟତ, ବୁଦ୍ଧିଜୀବୀମାନଙ୍କୁ ନେଇ ୨ ଟି ସମନ୍ୱୟ ବୈଠକ ପରେ ହାଟ ଖୋଲିବାକୁ ନିଷ୍ପତ୍ତି ହୋଇଥିଲ।
Headlines 10- ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଜି.ଉଦୟଗିରିରେ ୫.୨ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି ପାରଦ। ଅସମ୍ଭାଳ ଶୀତରେ ଜନ ଜୀବନ ପ୍ରଭାବିତ ହୋଇଛି। ରାଉରକେଲା ୭.୨ ଡିଗ୍ରୀରେ ରହିଛି। ୧୫ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଆଜିବି ଶୀତର ପ୍ରକୋପ ଜାରି ରହିବ। ରାଉରକେଲାରେ ୭ ଡିଗ୍ରୀ, ଝାରସୁଗୁଡା, କେନ୍ଦୁଝର ଓ ଝାରସୁଗୁଡାରେ ରାତି ତାପମାତ୍ରା ୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Also Read- ଜାଗମରାରେ ଖୋଲିଲା " ଲଣ୍ଡନ ବେରୀ" ର ପ୍ରଥମ ଆଉଟଲେଟ
Also Read- PM Awas Yojana: ସମାନ ପରିବାରର ୨ ଜଣ ସଦସ୍ୟଙ୍କୁ ମିଳିପାରିବ କି ଲାଭ ? ଜାଣନ୍ତୁ