Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2383017

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଆଜି ରାଜ୍ୟ ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ମୁଖ୍ୟ ସଚିବ ପଦ ସହିତ ସେ ଏହି ଦାୟିତ୍ୱକୁ ମଧ୍ୟ ତୁଲାଇବେ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ଅଧିନିୟମ ୧୯୫୫ ଆଇନର ପ୍ରାବଧାନ ଅନୁଯାୟୀ, ମନ୍ଦିରର ପ୍ରଶାସନ, ସଞ୍ଚାଳନ ଓ ପରିଚାଳନା ଭାର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଉପରେ ନ୍ୟସ୍ତ ରହିଛି । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ପରିଚଳନା କମିଟିର ସଦସ୍ୟମାନେ ରହିଛନ୍ତି ।

2- ଓଡ଼ିଶା ଉପକୂଳରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଲଙ୍ଗ ରେଞ୍ଜ ଗ୍ଲାଇଡ୍ ବମ୍ (LRGB), ଭାରତୀୟ ବାୟୁସେନା (IAF)ର Su-30 MK-I ପ୍ଲାଟଫର୍ମରୁ ଗୋରବର ସଫଳ ପରୀକ୍ଷଣ କରିଛି । ଗୌରବ ହେଉଛି ଏକ ଏପରି କ୍ଷପଣାସ୍ତ୍ର ଯେଉଁଥିରେ ୧ ହଜାର କେଜିର  ଗ୍ଲାଇଡ୍ ବୋମା ସହ ଦୂର ଦୂରାନ୍ତରେ ଥିବା ଶତୃକୁ ଟାର୍ଗେଟ୍ କରିବାରେ ସକ୍ଷମ । INS ଏବଂ GPS ଡାଟା ସହିତ ଅତ୍ୟଧିକ ସଠିକ୍ ହାଇବ୍ରିଡ୍ ନେଭିଗେସନ୍ ସ୍କିମ୍ ବ୍ୟବହାର କରି ଏହାକୁ ନିର୍ମାଣ କରାଯାଇଛି । ଯାହା ସଠିକ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହେବ । ଗୌରବ ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରାଟ (RCI) ଦ୍ୱାରା ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ବିକଶିତ ହୋଇଛି । 

3-ଚିକିତ୍ସା ପାଇଁ ଆସିଥିବା ୨ ମହିଳା ରୋଗୀଙ୍କୁ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‍ପିଟାଲରେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଡାକ୍ତର । ଆଜି କମିଶନରେଟ୍‌ ପୋଲିସ୍‌ ଏକ ମାମଲା ରୁଜୁ କରି ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି। ୨ ପୀଡ଼ିତାଙ୍କ ସମ୍ପର୍କୀୟ ପୁରୀ ଘାଟ ଥାନାରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାର ତଦନ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩ ଜଣିଆ କମିଟି ଗଠନ ହୋଇଛି । ଯେଉଁଥିରେ ଏସସିବିର ବରିଷ୍ଠ ସଦସ୍ୟ ରହିଛନ୍ତି ।

4- ଭୁବନେଶ୍ୱର-ପୁରୀ ରାସ୍ତା ୬ ଲେନ୍‌ ବିଶିଷ୍ଟ ହେବ । ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରେସମିଟ୍‌ ମାଧ୍ୟମରେ ଏହ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ବଡ଼ବିଲରୁ ଚଣ୍ଡିଖୋଲ ପ୍ରାୟ ୨ଶହ କିମି ରାସ୍ତା ୮ ଲେନ୍‌ ସହ ୨ ଲେନ୍‌ ସର୍ଭିସ ରୋଡ୍  ହେବା ନେଇ ମଧ୍ୟ କହିଛନ୍ତି । ଏଥିସହ ଏନ୍‌ଏଚ୍‌-୫୭ ଖୋର୍ଦ୍ଧା-ନୟାଗଡ଼ ରାସ୍ତାକୁ ୪ ଲେନ୍‌ ବିଶିଷ୍ଟ କରାଯିବା ସହ ସର୍ଭିସ ରୋଡ୍‌ ମଧ୍ୟ ରହିବ । ଏଥିରେ ପ୍ରାୟ ୧୧ଶହ କୋଟି ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି କେସିଙ୍ଗା-ଜୁନାଗଡ଼ ଏନ୍‌ଏଚ୍‌-୨୬ ମଧ୍ୟ ୪ ଲେନ୍‌ ବିଶିଷ୍ଟ ହେବ । କେସିଙ୍ଗା-ଜୁନାଗଡ଼ ପାଇଁ ପ୍ରାୟ  ୧ ହଜାର କୋଟି ଟଙ୍କାର ବଜେଟ୍ ରଖାଯାଇଛି ।

5-କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରହିଛି। ଏବେ ନିର୍ବାଚନ ନକରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଅନ୍ୟ କିଛି ପଂଚାୟତ ସମିତିରେ ଅଧ୍ୟକ୍ଷ ନିର୍ବାଚନ ସହ କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ବାହାରିଥିଲା। ତେବେ ହାଇକୋର୍ଟଙ୍କ ରୋକ୍‌ ଥିବାରୁ ଏବେ ନିର୍ବାଚନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

6-ସାଧାରଣ ଲୋକଙ୍କ ମତାମତ ନିଆଯିବା ପରେ ଜାରି ହେବ ସୁଭଦ୍ରା ଯୋଜନାର ଏସ୍ଓପି। ଏନେଇ ଆଜି ଏଭଳି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ପ୍ରସ୍ତୁତ ସରିଛି, ଲୋକଙ୍କ ମତାମତକୁ ଅପେକ୍ଷା କରାଯାଇଛି। ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍‌ଓପି ସାର୍ବଜନୀନ ହେବ। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀଙ୍କୁ ଏହି ଯୋଜନା ମାଧ୍ୟମରେ ଟଙ୍କା ଦିଆଯିବ। ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ପ୍ରସ୍ତୁତ ସରିଛି ହେଲେ, ଏଥିରେ ଲୋକଙ୍କ ମତାମତ ଲୋଡିଛନ୍ତି ଲୋକଙ୍କ ସରକାର। ଏଥିପାଇଁ ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି। 

7-ରାଜ୍ୟରେ ଜାରି ରହିଛି ବର୍ଷା।  ଆସନ୍ତା ୧୭ ତାରିଖ ଯାଏଁ  ରାଜ୍ୟର ଅଧିକାଂଶ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।  ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।  ନିଅଣ୍ଟିଆ ବର୍ଷା ସ୍ଥିତି ବଢିବ। ପାଣିପାର ବିଶେଷଜ୍ଞ ପ୍ରଫେସର୍  ସୁରେନ୍ଦ୍ରନାଥ ପଶୁପାଳକ  ପୂର୍ବାନୁମାନ କରିଛନ୍ତି ଯେ,  ମଙ୍ଗଳବାର ସକାଳେ  ପଶ୍ଚିମବଙ୍ଗ ଓ ସଂଲଗ୍ନ  ଅଞ୍ଚଳରେ ଏକ ଦୁର୍ବଳ  ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି।  ଆସନ୍ତା ୧୯ ତାରିଖ ଯାଏଁ ଏହା ପଶ୍ଚିମବଙ୍ଗ  ଓ ସଂଲଗ୍ନ ଝାଡଖଣ୍ତ ଉପରେ  ରହିପାରେ। ଏହା ମୌମୁମୀ  ଟ୍ରପ୍ ର ଏକ ଅଂଶ ବିଶେଷ ହେବ।  

8-ଭାଙ୍ଗ ଏବେ ନିଶାଦ୍ରବ୍ୟ। ଆଉ ଆଗଭଳି ସର୍ବସାଧାରଣରେ ମିଳିବନି ଭାଙ୍ଗ। ଭାଙ୍ଗକୁ ନିଶା ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ସରକାର। ସରକାର କହିଛନ୍ତି କି ଓଡିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦, ୨୦୧୩)ର ଧାରା ୨ର କ୍ଲଜ (t) ଅନୁଯାୟୀ ଅବକାରୀ ବିଭାଗ ଏହି ଘୋଷଣା କରିଛି। ସରକାର ଆହୁରି ମଧ୍ୟ କହିଛନ୍ତି ଭାଙ୍ଗ ଗଞ୍ଜେଇ ପତ୍ରରୁ ପ୍ରସ୍ତୁତ। ଯାହାକୁ ଧୂମପାନ, ଚୋବାଇ ଖାଇବା ଏବଂ ପଣା ଆଦିରେ ମିଶାଇ ବ୍ଯବହାର କରାଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ଏହା ବ୍ଯବହୃତ ହୋଇଥାଏ। ତେବେ ବିଭିନ୍ନ ସ୍ଥାନରେ ଭାଙ୍ଗକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ।

9-ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ମିଳିଛି ବଡ଼ ଆଶ୍ୱସ୍ତି। ଚିକିତ୍ସା ନିମନ୍ତେ ୭ ଦିନର ପାରୋଲ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ । ଆଶାରାମର ମହାରାଷ୍ଟ୍ରରେ ଚିକିତ୍ସା କରାଯିବ, ସେନେଇ ପୋଲିସ ହେପାଜତରେ ଚିକିତ୍ସା ପାଇଁ ମହାରାଷ୍ଟ୍ର ଯିବ ଆଶାରାମ । ଏନେଇ ହାଇକୋର୍ଟର ବିଚାରପତି ଡକ୍ଟର ପୁଷ୍ପେନ୍ଦ୍ର ସିଂ ଭାଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନ୍ତରୀଣ ପାରୋଲକୁ ଅନୁମୋଦନ କରିଛନ୍ତି ।

10-ପାରା ଅଲମ୍ପିକ୍ସ ପାଇଁ ଏକ ଦୁଃଖଦ ଖବର। ୨୦୨୦ ଟୋକ୍ୟୋ ଅଲମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କୁ ୨୦୨୪ ପାରା ଅଲମ୍ପିକ ଖେଳିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।  ଆଣ୍ଟି ଡୋପିଂ ମାମଲାରେ ଆନ୍ତର୍ଜାତିକ କୋର୍ଟ ଦେଇଥିବା ରାୟକୁ ଆଧାର କରି ବିଶ୍ୱ ବ୍ୟାଡମିଣ୍ଟନ ସଂଘ ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ୧୮ ମାସ ପାଇଁ ସେ କୌଣସି ଆନ୍ତର୍ଜାତିକ ଇଭେଣ୍ଟରେ ଯୋଗ ଦେଇ ପାରିବ ନାହିଁ ବୋଲି ସୂଚନା ମିଳିଛି।