Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2309956

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
 
ରଥଯାତ୍ରାର ସୁରକ୍ଷା ପାଇଁ ଏଆଇ ଏବଂ ସକାଳର ୧୦ ମୁଖ୍ୟ ଖବର
 
1. ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଏଥିଲାଗି ସଂସଦର ଏକ ଯୁଗ୍ମ ଅଧିବେଶନ ଡକାଯାଇଛି। ଲୋକସଭା ଗୃହରେ ଏହି ମିଳିତ ଅଧିବେଶନ ବସିବ। ସକାଳ ୧୧ଟା ବେଳେ ଭାରତର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସଂସଦରେ ସ୍ୱାଗତ କରାଯିବ। ପରମ୍ପରା ଅନୁସାରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି, ଲୋକସଭାର ବାଚସ୍ପତି, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ, ମହାସଚିବ ପ୍ରମୁଖ ଏହି ସ୍ୱଗତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ସେ ଏନ୍‍ଡିଏ ସରକାରଙ୍କ ତୃତୀୟ ପାଳିର ଉଦ୍ଦେଶ୍ୟ ଓ ଆଭିମୁଖ୍ୟକୁ ନିଜ ଅଭିଭାଷଣେ ରଖିପାରନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଆରମ୍ଭ ହେବ ରାଜ୍ୟସଭା ଅଧିବେଶନ।
 
2. ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ରହିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏହା ହେବ ଓଡ଼ିଶାରେ ବିଜେପି ସରକାରର ପ୍ରଥମ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ସହ ପ୍ରଥମ ସୌଜନ୍ୟମୂଳକ ବୈଠକ। ଏଥିରେ ରାଜ୍ୟ ବିଜେପିର ନିର୍ବାଚନ ପ୍ରତିଶୃତି ପୂରଣ, ରାଜ୍ୟକୁ ଆବଶ୍ୟକ ଅର୍ଥ ପ୍ରଦାନ ବାବଦରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। 
 
3. ରଥଯାତ୍ରାର ସୁରୁଖୁର ପରିଚାଳନା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି।  ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସିସିଟିଭିରେ ଅପରାଧୀଙ୍କ ଚେହେରା ଜାଣିବା ଲାଗି ଏଆଇ ଉପଯୋଗ କରିବାକୁ ନିଷ୍ପତ୍ତି ନେଇଛି ପୁଲିସ ପ୍ରଶାସନ।  ଜୁଲାଇ ୭ ତାରିଖରେ ଏଥର ରଥଯାତ୍ରା ପଡ଼ୁଛି। ୫୩ ବର୍ଷ ପରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଏବଂ ରଥଯାତ୍ରା ପଡ଼ୁଥିବାରୁ ଏଥର ରଥଯାତ୍ରାର ସ୍ୱାତନ୍ତ୍ର୍ୟ ରହିଛି। ଏଥିରେ ସାକ୍ଷୀ ହେବା ଲାଗି ରାଷ୍ଟ୍ରପତି, ଗୃହମନ୍ତ୍ରୀ ରାଜ୍ୟଗସ୍ତରେ ଆସୁଥିବା ନିଣଣ୍ଚିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଉପସ୍ଥିତ ରହିବେ। 
 
4. ଶ୍ରୀମନ୍ଦିରରେ ଆଜି ଏକ ବିଶେଷ ପରମ୍ପରା ପାଳନ କରାଯିବ। ଅଣସର ଘରେ ଥିବା ତିନି ବିଗ୍ରହଙ୍କୁ ପାରମ୍ପରିକ ଉପାୟରେ ପ୍ରସ୍ତୁତ ଫୁଲୁରି ତେଲ ମାଲିସ କରାଯିବ। ସ୍ୱତନ୍ତ୍ର ଦଇତା ଓ ପତିମହାପାତ୍ର ସେବକମାନେ ମଧ୍ୟାହ୍ନ ଧୂପ ପରେ ଏଥିପାଇଁ ଫୁଲୁରି ତେଲ ବିଜେ କରିବାକୁ ପରାମର୍ଶ ଦେବେ। ଏହିକ୍ରମରେ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ତିଆରି କରି ଆସୁଥିବା ବଡ଼ ଓଡ଼ିଆ ମଠକୁ ଏଥିଲାଗି ଆଦେଶ ପଠାଇବେ। ଏହିକ୍ରମରେ ବଡ଼ ଓଡ଼ିଆ ମଠ ପକ୍ଷରୁ ତିନୋଟି ତିନି ସରିକିଆ ମାଟି ଘଡ଼ିରେ ତେଲ ଆସି ଅଣସର ଘରେ ବିଜେ କରାଯିବ। ବିଶ୍ୱାସ ରହିଛି ଏହି ତେଲ ମାଲିସ ପରେ ଶ୍ରୀ ବିଗ୍ରହମାନେ ନବଯୌବନ ପ୍ରାପ୍ତ ହେବେ।
 
5. ରାଜ୍ୟର ବିଭିନ୍ନ ବିଭାଗ ଏବଂ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ପୁଣିଥରେ ଲୋକଙ୍କ ଦୁଃଖ ଶୁଣାଯିବ। ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଭାଗୀୟ ମୁଖ୍ୟ ଓ ସଚିବ ସ୍ତରରେ ଏପରି ଜନ ଶୁଣାଣି ପ୍ରତି ସୋମବାର ଅନୁଷ୍ଠିତ ହେବ। ସେମାନଙ୍କ ଅଭିଯୋଗକୁ ଆବଶ୍ୟକ ସ୍ଥଳେ ବିଭାଗୀୟ ସ୍ତରରେ ସମାଧାନ ପାଇଁ ଆଦେଶ ଦେବେ ନହେଲେ ତାହାକୁ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି।
 
 
6. ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ  ପକ୍ଷରୁ ଜୁଲାଇ ୨ ଏବଂ ୩ ତାରିଖରେ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିପାଇଁ ସମସ୍ତ ଜିଲ୍ଲାର ସଦର ମହକୁମାରେ ପ୍ରମାଣପତ୍ର ବିତରଣ କେନ୍ଦ୍ର କରାଯାଇଛି । ପ୍ରଧାନ ଶିକ୍ଷକମାନେ ଆବଶ୍ୟକ ତଥ୍ୟ ଦେଇ କୃତୀ ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ର ନେଇପାରିବେ । ବିଦ୍ୟାଳୟରେ ଜୁଲାଇ ୯ ତାରିଖ ଦିନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି।
 
 
7. ପୂର୍ବତନ ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲ୍‍ କୃଷ୍ଣ ଆଡଭାନୀ ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କୁ ଗତକାଲି ରାତିରେ ଦିଲ୍ଲୀ ଏମ୍‍ସକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହସ୍‍ପିଟାଲ୍‍ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କୁହାଯାଇଛି। ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଭାରତ ରତ୍ନ ଉପାଧିରେ ସମ୍ମାନୀତ କରିଥିଲେ। 
 
8. ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରେ ବସିପାରେ। ଏଥିରେ ଏକ କାମଚଳା ବଜେଟ୍‍ ଆଗତ କରିବାକୁ ପ୍ରସ୍ତୁତି ହୋଇଛି। ଦୁଇ ମାସ ପାଇଁ ଏ ବଜେଟ୍‍ କାର୍ଯ୍ୟକାରୀ ହେବ। ଏହା ବିଭିନ୍ନ ବିଭାଗର ଖର୍ଚ୍ଚଦାବି ସମ୍ପର୍କିତ ରହିବ।  କେନ୍ଦ୍ର ସରକାରଙ୍କ ବଜେଟ୍‍ ଉପସ୍ଥାପନ ପରେ ରାଜ୍ୟରେ ପୂର୍ଣ୍ଣାଙ୍ଗ ବଜେଟ୍‍ ଉପସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି।
 
9. ଓଡ଼ିଶା କ୍ୟାଡର ଆଇଏଫ୍‍ଏସ୍‍ ଅଧିକାରୀ ଭି କାର୍ତ୍ତିକ ବିବାଦରେ ଫଶିଛନ୍ତି। କାଏମ୍ବାଟୁରଠାରେ କିଛି ମହିଳା ଟ୍ରେନି ଅଧିକାରୀଙ୍କୁ ଅଶାଳୀନ ଚିତ୍ର ଓ ଭିଡିଓ ପଠାଇବା ନେଇ ଅଭିଯୋଗ ହୋଇଛି। ଏହା ସହ ତାଙ୍କ ବିରୁଦ୍ଧରେ ଯୌନଶୋଷଣ ଅଭିଯୋଗ ମଧ୍ୟ ଆସିଛି। ଏହି ଅଭିଯୋଗ ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ ହୋଇଛି।
 
10. ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ଦଳିତ ମହିଳାଙ୍କୁ ପୁଲିସ ଥାନା ଭିତରୁ ଘୋଷାରି ବାହାର କରିବା ତଥା ତାଙ୍କୁ ମାଡ଼ ମାରିବା ଭିଡିଓ ଭାଇରାଲ ହେଉଛି। ମହିଳା ଜଣକ ଥାନାରେ ଥିବା ତାଙ୍କ ସ୍ୱାମୀଙ୍କୁ ଭେଟିବା ନେଇ ଆସିଥିଲେ। ସାଙ୍ଗରେ ତାଙ୍କର ଶିଶୁପୁତ୍ର ମଧ୍ୟ ରହିଥିବା ଭିଡିଓରେ ଦେଖା ଯାଇଛି।  ଏହା ଏକ ସମ୍ବାଦନଶୀଳ ଘଟଣା ହୋଇଥିବାରୁ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।