Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2162721

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ସଂକ୍ଷେପରେ ପଢି ନିଅନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: 

1- ସାବରମତି-ଆଗ୍ରା ସୁପରଫାଷ୍ଟ ଟ୍ରେନର ଚାରିଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ଅଜମେରର ମଦାର ରେଳ ଷ୍ଟେସନରେ ରାତି ପ୍ରାୟ ୧.୦୪ ସମୟରେ ଘଟିଥିବାର ଜଣାପଡ଼ିଛି।  ସାବରମତି-ଆଗ୍ରା କ୍ୟାଣ୍ଟ ସୁପରଫାଷ୍ଟ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ରେଳ ଅଧିକାରୀଙ୍କ କହିବାନୁସାରେ, ଲୋକୋ ପାଇଲଟ ଟ୍ରେନକୁ ଅଟକାଇବା ପାଇଁ ଜରୁରୀକାଳୀନ ବ୍ରେକ ମଧ୍ୟ ପ୍ରୟୋଗ କରିଥିଲେ ମଧ୍ୟ ଏହି ଦୁର୍ଘଟଣାକୁ ଏଡ଼ାଇ ପାରିନଥିଲେ। 

2- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ ଗସ୍ତର କିଛି ଦିନ ପରେ ଅରୁଣାଚଳ ପ୍ରଦେଶକୁ ନେଇ ଚୀନ ନୂଆ ପଦକ୍ଷେପ ନେଇଛି। ଚୀନ୍ ସେନା ଅରୁଣାଚଳ ପ୍ରଦେଶ ଉପରେ ନିଜର ଦାବି ଜାହିର କରି ଆସିଛି। ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଅରୁଣାଚଳ ପ୍ରଦେଶ ଚୀନ୍‌ର ଏକ ଅଂଶ। ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ସିନିୟର କର୍ଣ୍ଣେଲ ଝାଙ୍ଗ ଜିଆଓଗାଙ୍ଗ କହିଛନ୍ତି ଯେ ଜିଜାଙ୍ଗର ଦକ୍ଷିଣ ଭାଗ (ତିବ୍ଦତ ପାଇଁ ଚୀନ୍ ନାମ) ଚୀନ୍ ଅଞ୍ଚଳର ଏକ ଅଂଶ ଏବଂ ବେଜିଂ ବେଆଇନ ଭାବେ ପ୍ରତିଷ୍ଠିତ ଅରୁଣାଚଳ ପ୍ରଦେଶକୁ କଦାପି ଗ୍ରହଣ କରିବ ନାହିଁ।

3- ଆଗାମୀ ନିର୍ବାଚନ ପାଇଁ ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଗୁଇନ୍ଦା ଆଇଜି ଅନୁପ ସାହୁ, ସ୍ପେସାଲ ଇଣ୍ଟେଲିଜେନ୍ସ ୱିଙ୍ଗର ଡିଆଇଜି ଉମାଶଙ୍କର ଦାଶଙ୍କ ସମେତ ବହୁ ବରିଷ୍ଠ ଆଇପିଏସ୍ ଅଧିକାରୀ ଉପସ୍ଥିତ ଅଛନ୍ତି। ଅପରେସନ୍ ଆଇଜି ଦେବଦତ୍ତ ସିଂହ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି।

4- ଓଡ଼ିଶାର ନମ୍ୱର-୧ ଡାକ୍ତରଖାନା ଭାବେ ସାରା ଭାରତବର୍ଷରେ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ୍ କୁ ଜାତୀୟ ଗୁଣାତ୍ମକ ଆସ୍ୟୁରାନ୍ସ‌ ଷ୍ଟାଣ୍ଡାର୍ଡ (ଏନ୍‌‌କ୍ୱାସ୍‌‌) ତରଫରୁ କ୍ୱାଲିଟି ସାର୍ଟିଫିକେଟ୍‌‌ ପ୍ରଦାନ କରାଯାଇଛି। ଓଡ଼ିଶାର ସମସ୍ତ ଡାକ୍ତରଖାନା ମଧ୍ୟରୁ କ୍ୟାପିଟାଲ୍ ହସ୍ପିଟାଲକୁ ନମ୍ୱର-୧ ହସ୍ପିଟାଲ ଭାବେ ଚୟନ କରାଯାଇଛି। ୨୦୨୩ ଜୁଲାଇ ୭ ତାରିଖରେ ଏନ‌କ୍ୱାସ୍‌‌ ଟିମ୍‌‌ କ୍ୟାପିଟାଲ୍ ହସ୍ପିଟାଲ୍ ଗସ୍ତ କରି ହସ୍ପିଟାଲରେ ଥିବା ୧୮ଟି ବିଭାଗକୁ ୩ ଦିନ ଧରି ବିସ୍ତୃତ ଭାବେ ଯାଞ୍ଚ କରିଥିଲେ। ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଅସ୍ତ୍ରୋପଚାର, ରୋଗୀଙ୍କ ସୁରକ୍ଷା, ଜୀବାଣୁ ମୁକ୍ତ ପରିବେଶ, ମାନବସମ୍ୱଳ ଏବଂ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁବିଧା ଭଳି ବିଭିନ୍ନ ବିଷୟ ଉପରେ ତଦାରଖ କରିଥିଲା ଟିମ୍।

5- ସମ୍ପର୍କୀୟ ଭାଉଜଙ୍କୁ ପ୍ରେମ ନିବେଦନ ସହ ଅଶ୍ଲୀଳ ମେସେଜ୍ ପଠାଇବା କାରଣରୁ ହତ୍ୟାକାଣ୍ଡ ହୋଇଛି । ପତ୍ନୀଙ୍କ ନିକଟକୁ ଆସୁଥିବା ମେସେଜକୁ ପଢିନେଇଥିଲେ ସ୍ୱାମୀ । ଯାହା ଫଳରେ ସମ୍ପର୍କୀୟ ଭାଈଙ୍କ ସହ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ଝିମିଟି ଖେଳରୁ ମହାଭାରତ ପରି ଉଭୟଙ୍କ ମଧ୍ୟରେ ମାରପିଟ୍ ଲାଗିବା ସହ ଶେଷରେ ଛୁରୀରେ ଆକ୍ରମଣ କରିଥିଲେ ସମ୍ପର୍କୀୟ ଭାଈ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବାଲିପାଟଣା ନିକଟସ୍ଥ ମଝିହରା ମହଲାସାହିରେ ।  ମୃତ ବ୍ୟକ୍ତିଙ୍କ ଅକ୍ଷୟ ମାଝି ବୋଲି ଜଣାପଡିଛି ।

6- ନିର୍ବାଚନ ତାରିଖ ଘୋଷଣା ପରେ ଏବେ ଦଳ ପ୍ରାର୍ଥୀ ଘୋଷଣା କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଜି ସକାଳୁ ନବୀନ ନିବାସରେ ଚାଲିଛି ଗୁରୁତ୍ଵପୁର୍ଣ୍ଣ ବୈଠକ। ପୁରୀ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ସହ ବିଧାୟକ ଏବଂ ଆଶାୟୀ ନେତା ପହଞ୍ଚିଛନ୍ତି ନବୀନ ନିବାସରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ। ବୈଠକ ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ, ରୁଦ୍ର ମହାରଥୀ, ନୟାଗଡ ବିଧାୟକ ଅରୁଣ ସାହୁ, ରଣପୁର ବିଦାୟକ ସତ୍ୟ ନାରାୟଣ ପ୍ରଧାନ, ସଞ୍ଚୟ ଦାସ ବର୍ମା, ପ୍ରଣବ ପଟ୍ଟନାୟକ, ଶୁଭାଶିଷ ଖୁଣ୍ଟିଆ ଆଦି। ତେବେ ପୂର୍ବରୁ ଗତ ଗୁରୁବାର ଦିନ ନିର୍ବାଚନୀ ରଣନୀତି ନେଇ ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଥିଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

7- ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ। ଏହି ପରିପ୍ରେକ୍ଷିରେ ପୁଣି ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗସ୍ତ କରିଛନ୍ତି। ପ୍ରାର୍ଥୀ ତାଲିକା ଉପରେ ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ। ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଥିବା ନିର୍ବାଚନ କମିଟି ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା କୁହାଯାଇଛି। ଦଳର ପର୍ଯ୍ୟବେକ୍ଷକ ମାନେ ଦେଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ସର୍ଟ ଲିଷ୍ଟ କରାଯାଇଛି। ତେଣୁ ଏହି ତାଲିକା ଉପରେ ଆଲୋଚନା କରିବାକୁ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

8- ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ। ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପକୁ ବିରୋଧ କରି ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ। କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନକୁ ଅଟକ ରଖି ପ୍ରତିବାଦ କରୁଛି ସଂଘ। ଶୁଆକାଠିରୁ ଗୁହାଳଡିହି ରେଳ ପ୍ରକଳ୍ପ ହେଲେ କେନ୍ଦୁଝର ଜିଲ୍ଲାର ପାଖାପାଖି ୩ଲକ୍ଷ ଲୋକଙ୍କ ଜୀବିକା ଉପରେ ପ୍ରଭାବ ପଡିବ। ତେଣୁ ଏହି ପ୍ରକଳ୍ପକୁ ବିରୋଧ କରି ସଂଘ ବନ୍ଦ ପାଳନ କରାଯାଉଛି ବୋଲି କହିଛି ସଂଘ। ଟ୍ରକ ମାଲିକ ସଂଘ ପକ୍ଷରୁ ଡକାଯାଇଥିବା ଏହି ବନ୍ଦକୁ ୧୫ ସଂଗଠନ ପକ୍ଷରୁ ମିଳିଛି ସମର୍ଥନ। ବନ୍ଦ ପାଳନ ଫଳରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ଯାତାୟତଠୁ ଆରମ୍ଭ କରି ଦୋକାନ ବଜାର ପର୍ଯ୍ୟନ୍ତ ସମସ୍ତ ପ୍ରଭାବିତ ହୋଇଛି।

9- ପ୍ରସିଦ୍ଧ YouTuber ଏଲଭିଶ ଯାଦବଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ଏଲଭିସ ଗିରଫ ହେବା ପରେ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ସାପ ବିଷ ମାମଲାରେ ଏଲଭିଶ ଯାଦବଙ୍କ ବିରୋଧରେ ଏକାଧିକ ଧାରା ଆଧାରରେ ମାମଲା ରୁଜୁ ହୋଇଛି। କିନ୍ତୁ ଆପଣ ଜାଣନ୍ତି କି NDPS ଅଧିନିୟମ ଅନୁଯାୟୀ ଏଲଭିଶ ଜାମିନ ପାଇପାରିବେ ନାହିଁ। ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ -୨୨୨ (WLPA-1972) ଏବଂ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୯/୩୯/୪୮/୪୯/୫୦/୫୧ ଅଧୀନରେ ଏଲଭିଶ ଯାଦବଙ୍କୁ ବୁକ୍ କରାଯାଇଥିଲା। କିନ୍ତୁ ପରେ ଏଲଭିଶଙ୍କ ଉପରେ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ-୧୫୫ (NDPS-1985) ମଧ୍ୟ ଲାଗୁ କରାଯାଇଥିଲା। ଏଲଡିଶଙ୍କ ଉପରେ NDPS ଆକ୍ଟର ଧାରା ୨୯ ଏବଂ ୨୭ ମଧ୍ୟ ଲାଗୁ କରାଯାଇଛି, ଯାହା ଅଧୀନରେ ଏଲଭିଶଙ୍କ ଜାମିନ ପାଇବା ପ୍ରାୟ ଅସମ୍ଭବ ଅଟେ। 

10- ଅସହ୍ୟ ଗରମରୁ ଆଶ୍ବସ୍ତି ପାଇବେ ରାଜ୍ୟବାସୀ । ଆଗକୁ ଖରା ସାଙ୍ଗକୁ କମିବ ତାପମାତ୍ରା । ଆସନ୍ତା ୩ ଦିନ ବଡ଼ ଧରଣର କାଳବୈଶାଖୀ ନେଇ ଆଶଙ୍କା ରହିଛି । ସେହିପରି ରାଜ୍ୟରେ ଆଗମୀ ୨୩ ତାରିଖ ଯାଏଁ ବର୍ଷା ନେଇ ସମ୍ଭାବନା ରହିଛି । ଏହାସହ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ କମିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି 

Also Read- Crime News:ଏକତରଫା ପ୍ରେମରୁ ତୁମୁଳ କାଣ୍ଡ, ଜଣେ ମୃତ

Also Read- Surya Gochar 2024: ଆଜି ରାତିରୁ ବଦଳିଯିବ ଭାଗ୍ୟ, ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଧନ ଓ ସମ୍ମାନ