Top 10 News Headlines: ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ଭୋଟ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement

Top 10 News Headlines: ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ଭୋଟ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Headlines: ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ଭୋଟ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ଆଜି ଜାରି ହେବ ବିଜ୍ଞପ୍ତି
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହେବ। ଗେଜେଟ ବିଜ୍ଞପ୍ତି ଜାରି ହେବା ସହିତ ନାମାଙ୍କନ ପତ୍ର ଦାଖଲ ପର୍ବ ଆରମ୍ଭ ହେବ। ଏଠାରେ କହି ରଖୁ କି ପ୍ରଥମ ପର୍ଯ୍ୟାୟ ମତଦାନ ମଇ ୨୮ ତାରିଖରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, ଲୋକସଭା ଆସନ ସହିତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। 

H2. ରାମନବମୀରେ ପଶ୍ଚିମବଙ୍ଗରେ ଦଙ୍ଗା
ବୁଧବାର ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରା ସମୟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା।  ଏହି ଉତ୍ତେଜନା ସମୟରେ ଅନେକ ସାଧାରଣ ଲୋକ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ତେବେ ଏହି ଘଟଣା ମୁର୍ସିଦାବାଦ ଜିଲ୍ଲାର ଶକ୍ତିପୁର ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଛାତ ଉପରୁ ଶୋଭାଯାତ୍ରା ଉପରକୁ ପଥର ଫିଙ୍ଗୁଥିବାର ଦେଖିବାକୁ ମିଳିଛି। ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି।

H3. ଆହୁରି ୪ ଦିନ କଲବଲ ହେବ ଅଧା ଓଡ଼ିଶା!
ଆଜି ମଧ୍ୟ ଅସମ୍ଭାଳ ହୋଇଛି ତାତି। ଏମିତିକା ଭୟଙ୍କର ତାତି ଆହୁରି ୪ ଦିନ ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ରହିଛି। ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ ଗୁରୁବାର ମୟୂରଭଞ୍ଜ, ନୟାଗଡ଼, ଗଜପତି ଓ ନୂଆପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ହେବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

H4. ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ
ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବୁଧବାର ପ୍ରଚାର ଅଭିଯାନରେ ଲାଗିଛି ବିରାମ । ମତଦାନର ୪୮ ଘଣ୍ଟା ପୂର୍ବରୁ ରାଜନୈତିକ ସଭା, ରୋଡ୍ ସୋ' ଏବଂ ଶୋଭାଯାତ୍ରା ଭଳି କାର୍ଯ୍ୟକ୍ରମ ଉପରେ ରୋକ୍ ଲାଗିଛି । ଆସନ୍ତା ୧୯ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ ଆସନରେ ମତଦାନ ହେବ । ପ୍ରାୟ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରଚାର ଅଭିଯାନର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ରାହୁଲ ଗାନ୍ଧୀ ପ୍ରମୁଖ ଭୋଟରଙ୍କ ମନ ଜିଣିବାକୁ କରିଛନ୍ତି ପ୍ରୟାସ ।

H5. ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୦ ମୃତ
ମହାରାଷ୍ଟ୍ରରୁ ଜମ୍ମୁ ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ୍ସପ୍ରେସ୍‌ ୱେ’ର ନଦିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ୟାଙ୍କରକୁ ଏକ ଦୃତଗାମୀ କାର୍‌ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆଉ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭିତରେ ୨ ଜଣ ପିଲା ଥିବା ଖେଦା ଏସ୍‌ପି ରାଜେଶ ଗଦିୟା କହିଛନ୍ତି।

H6. ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସାକ୍ଷୀ, ଆଲିୟା
ଟାଇଟ ମାଗାଜିନ ଚଳିତ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ କରିଛି। ବୁଧବାର ପ୍ରକାଶିତ ଏହି ତାଲିକାରେ ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲ୍ଲିକ ଓ ଅଭିନେତ୍ରୀ ଆଲିୟା ଭଟ୍ଟ ସ୍ଥାନ ପାଇଛନ୍ତି । ଭାରତୀୟ ବଂଶୋଦ୍ଭବ ହଲିଉଡ ଅଭିନେତା ଦେବ ପଟେଲ, ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା, ଜିଗର ଶାହଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ବିଶ୍ୱ ବ୍ୟାଙ୍କର ସଭାପତି ତଥା ପ୍ରତିଷ୍ଠିତ ବ୍ୟବସାୟୀ ଅଜୟ ବଙ୍ଗା, ଲୋକପ୍ରିୟ ରୋଷେୟା ଏବଂ ଦାର୍ଜିଲିଂ ଏକ୍ସପ୍ରେସର ମାଲିକ ଆସମ ଖାଁ ମଧ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।

H7. ସି ଭୋଟର ସର୍ଭେରେ ବିଜେପିକୁ ସଫଳତା
୨୦୨୪ ଲୋକସଭା ନିର୍ବାଚନରେ କେଉଁ ଦଳକୁ କେତେ ଆସନ ମିଳିବ ସେ ନେଇ ଏବିପି ନ୍ୟୁଜ-ସି ଭୋଟର ପକ୍ଷରୁ ଏକ ସର୍ଭେ କରାଯାଇଛି। ଏହି ସର୍ଭେ ଅନୁସାରେ ବିଜେପି ନେତତ୍ୱାଧିନ ଏନଡ଼ିଏ ମେଣ୍ଟ ତୃତୀୟ ଥର ଲାଗି କ୍ଷମତାକୁ ଫେରିପାରେ। ସେହିପରି କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟ ଇଣ୍ଡିଆ ପରାଜୟ ବରଣ କରିବ। ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନେତତ୍ୱାଧିନ ଏନଡ଼ିଏ ଏକ ବଡ଼ ବିଜୟ ହାସଲ କରିପାରେ। ଏହି ସର୍ଭେ ଫଳାଫଳା ଅନୁସାରେ ଏନଡିଏ ୩୭୩ ଆସନ ପାଇପାରେ। ସେହିପରି ଇଣ୍ଡିଆ ୧୫୫ ସିଟ୍ ହାତେଇପାରେ। 

H8. ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ଟିଏମସି 
ଲୋକସଭା ନିର୍ବାଚନ ପାଇଁ ଟିଏମସି ପକ୍ଷରୁ ଘୋଷଣା ପତ୍ର ଜାରି । ୧୦ଟି ଶପଥ ମଧ୍ୟରେ ସିଏଏକୁ ଉଚ୍ଛେଦ କରିବା ସହ ଏନଆରସିକୁ ବନ୍ଦ କରିବା ଏବଂ ୟୁସିସିକୁ ଦେଶରେ ଲାଗୁ କରାଇଦେବନି ବୋଲି ନିଜ ଇସ୍ତାହାର ପତ୍ରରେ ପ୍ରତିଶ୍ରୁତି ଦେଇଛି। ଦଳ କ୍ଷମତାକୁ ଆସିଲେ ୫ କିଲୋଗ୍ରାମ ମାଗଣା ରାସନ ଦେବା ସହିତ ମାଗଣାରେ ବର୍ଷକୁ ୧୦ଟି ସିଲିଣ୍ଡର ଦେବାକୁ ଘୋଷଣା କରିଛି। ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ପେନସନ୍ ଦେବା ସହିତ ମନରେଗା ଯୋଜନାରେ ମଜୁରୀ ୪୦୦ଟଙ୍କାକୁ ବୃଦ୍ଧି ଏବଂ ସମସ୍ତଙ୍କ ପାଇଁ ପକ୍କାଘର ପାଇଁ ଘୋଷଣା କରାଯାଇଛି।

H9. ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି
୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଜାରି କରିଛି ଶାସକ ବିଜୁ ଜନତା ଦଳ। ଏହି ନିର୍ବାଚନରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳିକାଟୁ ସହ କଣ୍ଟାବାଞ୍ଝି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବୁଧବାର (ଅପ୍ରେଲ ୧୭) ବିଜେଡ଼ି ୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ସହ ବିଜେପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

H10. ୬୭ ବଲ ବାକି ଥାଇ ଗୁଜରାଟକୁ ହରାଇଲା ଦିଲ୍ଲୀ
ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ସମ୍ପୂର୍ଣ୍ଣ ଏକତରଫା ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ହାତରେ ୬ଟି ୱିକେଟ ଏବଂ ୬୭ ବଲ ବାକି ଥାଇ ଶୋଚନୀୟ ଭାବେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୮୯ ରନରେ ଅଲଆଉଟ ହୋଇଥିଲା। ୯୦ ରନର ବିଜୟ ଲକ୍ଷ୍ୟକୁ ୮.୫ ଓଭରରେ ୪ଟି ୱିକେଟ ହରାଇ ଦିଲ୍ଲୀ ହାସଲ କରି ନେଇଥିଲା। ଜ୍ୟାକ ଫ୍ରେଜର ୨୦, ସାଇ ହୋପ ୧୯ ରନ କରିଥିବା ବେଳେ ଅଧିନାୟକ ରିଷଭ ପନ୍ତ ୧୬ ରନ କରି ଅପରାଜିତ ରହିଥିଲେ। ଗୁଜରାଟର ସନ୍ଦୀପ ୱାରିୟର ୨ଟି ୱିକେଟ ନେଇଥିଲେ। ୮୯ ରନ ଆଇପିଏଲରେ ଗୁଜରାଟର ସବୁଠାରୁ କମ ଦଳଗତ ସ୍କୋର। ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦଳ ୧୨୫ରେ ଅଲଆଉଟ ହୋଇଥିଲା। ଟସ ଜିତି ଦିଲ୍ଲୀ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା।