Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର
Trending Photos
ଆଜି ଯିବେ ସ୍ୱାସ୍ଥ୍ୟ ସଚିବ
ଗତ ୧୧ ତାରିଖରୁ ରାଉରକେଲାରେ ବ୍ୟାପିଥିବା ଡାଇରିଆ ତଳମୁହାଁ ହେଉନି। ଅବଶ୍ୟ ପୂର୍ବ ଅପେକ୍ଷା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ସଂକ୍ରମଣ ରୋକିବାକୁ ଉଭୟ ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳବାର ବନ୍ଧମୁଣ୍ଡା ତିଲକନଗରର ୮ ବର୍ଷର ଶିଶୁକନ୍ୟା ଅଞ୍ଜଳି ଶୁଣ୍ଢିଙ୍କର ମୃତ୍ୟୁ ହୋଇଛି। ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଜିଏଚ୍ରେ କେବଳ ୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦିଆଯାଇଛି। ଆଜି ପର୍ଯ୍ୟନ୍ତ ରାଉରକେଲା ଓ ଏହାର ଆଖପାଖରେ ୫୮୦ ଜଣ ଡାଇରିଆରେ ଆକ୍ରାନ୍ତ ହେଲେଣି। ସେପଟେ ସ୍ଥିତି ପରଖିବାକୁ ରାଉରକେଲା ଯିବେ ସ୍ନାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଗ୍ରାଉଣ୍ଡଜିରୋରୁ ସ୍ଥିତି ପରଖିବାକୁ ନିର୍ଦ୍ଦେଶ ଜାରି ରହିଛି।
୩୭୧୪ ଟିଜିଟି ଓ ୪୫୨ ପିଇଟି ଶିକ୍ଷକ ପାଇବେ ନିଯୁକ୍ତି
ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି ଶିକ୍ଷକ ଏବଂ ୪୫୨ ପିଇଟିଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକମାନଙ୍କୁ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ମାର୍ଗଦର୍ଶନ କରାଇବେ ମୁଖ୍ୟମନ୍ତ୍ରୀ । ଏହି ଶିବିରରେ ନିଯୁକ୍ତି ପାଇବାକୁ ଥିବା ସମସ୍ତ ଶିକ୍ଷକ ଯୋଗଦେବାର ଆୟୋଜନ କରାଯାଇଛି ।
ପ୍ରଥମ ଥର ପାଇଁ ହେବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଏହି ସମ୍ମିଳନୀ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ଏହି ସମ୍ମିଳନୀ ହେବାକୁ ଯାଉଥିବା ସୂଚନା ମିଳିଛି । ବିଭାଗୀୟ ମନ୍ତ୍ରୀ ଏବଂ ମୁଖ୍ୟ ସଚିବ ଏ ନେଇ ସୂଚନା ଦେଇଛନ୍ତି । ତେବେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ ।
୪ଘଣ୍ଟା ଜଗା ଦର୍ଶନ ବନ୍ଦ
ଆଜି ମାର୍ଗଶିର-ଶୁକ୍ଳ ଅଷ୍ଟମୀ ତିଥି ବୁଧବାର । ତେଣୁ ଆଜି ଶ୍ରୀ ବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ଣ ୪ଟା ପରଠାରୁ ରାତି ୮ରା ପର୍ଯ୍ୟନ୍ତ ଏହି ନୀତି ଚାଲଇବାକୁ ଥିବାରୁ ଏହି ସମୟରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ହାଡ଼ଭଙ୍ଗା ଶୀତ
ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା। କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ୮.୫, କୋରାପୁଟରେ ୮.୭, କେନ୍ଦୁଝରରେ ୮.୮, ସୁନ୍ଦରଗଡ଼ରେ ୯, ଝାରସୁଗୁଡ଼ାରେ ୯.୨, ଦାରିଙ୍ଗବାଡ଼ିରେ ୯.୫, ଅନୁଗୁଳ ଓ ରାଉରକେଲାରେ ୯.୬ ଡିଗ୍ରି ରହିଥିଲା। ବାକି ସମସ୍ତ ସହର ତାପମାତ୍ରା ସହ କଟକ ୧୩.୫ ଓ ଭୁବନେଶ୍ୱର ରାତ୍ରି ତାପମାତ୍ରା ୧୩.୮ ଡିଗ୍ରୀ ରହିଥିଲା।
ଦିଲ୍ଲୀରେ ବିଜେପି ବିଧାୟକ ଟିମ୍
ଦିଲ୍ଲୀ ଗସ୍ତରେ ରାଜ୍ୟର ବିଜେପି ବିଧାୟକ ଟିମ୍ । ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ସମସ୍ତ ବିଧାୟକ ଏକାଠି ହୋଇଥିଲେ। ଏହି ଗସ୍ତରେ ବିଧାୟକ ଟିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି.ନଡ୍ଡାଙ୍କୁ ଭେଟିବେ। ଓଡ଼ିଶାରେ ଦଳର ସଙ୍ଗଠନ ଓ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଶୀର୍ଷ ନେତୃତ୍ୱଙ୍କ ସହ ବିଧାୟକ ମାନେ ଆଲୋଚନା କରିବେ। ଏନେଇ ଦିଲ୍ଲୀରେ ପହଞ୍ଚିଛନ୍ତି ରାଜ୍ୟ ବିଜେପି ସଭାପତିଙ୍କ ସହ ୨୨ ବିଧାୟକ ଓ ସାଂସଦ ମାନେ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଦିଲ୍ଲୀରେ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବା ନେଇ ସୂଚନା ରହିଛି।
କୋଭିଡ ସ୍ଥିତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା
କୋଭିଡର ନୂଆ ସବ ଭ୍ୟାରିଆଣ୍ଟ JN.1କୁ ନେଇ ବଢୁଛି ଚିନ୍ତା । କେରଳ ପରେ ଗୋଆ ଏବଂ ମହାରାଷ୍ଟ୍ରରୁ ଚିହ୍ନଟ ହେଲେ ଆଉ ୧୯ ଆକ୍ରାନ୍ତ । ୧୮ ସଂକ୍ରମିତ ଗୋଆରୁ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ଗତ ୯ ଦିନରେ ଦେଶରେ କୋଭିଡ ସଂକ୍ରମଣ ଦୁଇ ଗୁଣା ବୃଦ୍ଧି ପାଇଛି । ଡିସେମ୍ବର ୧୧ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୯୩୮ ଥିବା ବେଳେ ମଙ୍ଗଳବାର ସୁଦ୍ଧା ଏହି ସଂଖ୍ୟା ୧୯୭୦ ଛୁଇଁଛି । ଏଥିସହ ୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କେରଳରୁ ୫ଜଣ, ଉତ୍ତରପ୍ରଦେଶରୁ ଜଣେ ଓ କର୍ଣ୍ଣାଟକରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । କୋଭିଡ ନୂଆ ସବ ଭ୍ୟାରିଆଣ୍ଟକୁ ନେଇ ବଢୁଛି ଚିନ୍ତା । ୯ ଦିନରେ ଦୁଇ ଗଣ ହେଲା ସଂକ୍ରମିତଙ୍କ ସଂଖ୍ୟା, ୭ ମୃତ । ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ରହିଛି।
ତାମିଲନାଡୁର ପିଛା ଛାଡ଼ୁନି ବର୍ଷା ବିତ୍ପାତ
ଦକ୍ଷିଣ ତାମିଲନାଡୁର କନ୍ୟାକୁମାରୀ, ତିରୁନେଲଭେଲି, ଥୁଥୁକୁଡି ଏବଂ ତେନକାସୀ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା ଜାରି ରହିଥିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ବନ୍ୟା ପ୍ରଭାବିତ ଅଂଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି କେନ୍ଦ୍ରଠାରୁ ପର୍ଯ୍ୟାପ୍ତ ସହାୟତା ମାଗିବା ପାଇଁ ଦିଲ୍ଲୀ ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ବର୍ଷାଜନିତ ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ମହୁଆଙ୍କ ବଢିଲା ଅଡ଼ୁଆ
ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କୁ ପୁଣି ଝଟକା । ଦିଲ୍ଲୀ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି । ମହୁଆଙ୍କ ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟ ତୁରନ୍ତ ଶୁଣାଣିକୁ ସ୍ଥଗିତ କରିଛନ୍ତି । ଏହି ମାମଲାର ଶୁଣାଣୀ ଜାନୁୟାରୀ ୪ରେ କରାଯିବ । ଏନେଇ ମଙ୍ଗଳବାର ହାଇକୋର୍ଟ କହିଛନ୍ତି, ବର୍ତ୍ତମାନ ଏହି ମାମଲାରେ ଶୁଣାଣି କରିବାର କୌଣସି ଯଥାର୍ଥତା ନାହିଁ, ତେଣୁ ନିଦ୍ଧିଷ୍ଟ ସମୟ ସୀମା ଯାଏଁ ଅପେକ୍ଷା କରିବାକୁ କୋର୍ଟ ମହୁଆଙ୍କୁ କହିଛନ୍ତି । ଲୋକସଭାରୁ ନିଷ୍କାସିତ ହେବା ପରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ନୋଟିସ୍ ମିଳିବା ପରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ରେକର୍ଡ କଲେ ଅଷ୍ଟ୍ରେଲିଆ ଖେଳାଳି
ଆଇପିଏଲ ୨୦୨୪ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଏହି ନିଲାମରେ ରେକର୍ଡ କରିଛନ୍ତି ଅଷ୍ଟ୍ରେଲିଆ ଖେଳାଳି । ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ହୋଇଥିଲା ଟଙ୍କାର ବର୍ଷା । ଏହି ନିଲାମ ରେକର୍ଡ କରିଛନ୍ତି ଅଷ୍ଟ୍ରେଲିଆ ଦ୍ରୁତ ବୋଲର୍ ମିଚେଲ୍ ଷ୍ଟାର୍କ । ମିଚେଲ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷରେ କିଣିଲା କୋଲକାତା ନାଇଟି ରାଇଡର୍ସ । ଆଇପିଏଲ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେଲେ ଷ୍ଟାର୍କ । ପ୍ରଥମେ ହେଡ୍, ତା’ପରେ କମିନ୍ସ ଆଉ ଏବେ ଷ୍ଟାର୍କ ଆଇପିଏଲର ଦାମୀ ଖେଳାଳି ପାଲଟିଛନ୍ତି ।
Also Read: Weather Update: ଶୀତରେ ଥରୁଛି ରାଜ୍ୟ, ୧୦ ଡିଗ୍ରୀ ତଳେ ୯ ସହର