Top 10 News Today: ଶେଷ ହେଲା ଅଧରପଣା ନୀତି, ଗୋଣ୍ଡାରେ ଓଲଟିଲା ଦିବ୍ରୁଗଡ଼ ଏକ୍ସପ୍ରେସ ଏବଂ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2342396

Top 10 News Today: ଶେଷ ହେଲା ଅଧରପଣା ନୀତି, ଗୋଣ୍ଡାରେ ଓଲଟିଲା ଦିବ୍ରୁଗଡ଼ ଏକ୍ସପ୍ରେସ ଏବଂ ଅନ୍ୟ ଅପଡେଟ

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଶେଷ ହେଲା ଅଧରପଣା ନୀତି, ଗୋଣ୍ଡାରେ ଓଲଟିଲା ଦିବ୍ରୁଗଡ଼ ଏକ୍ସପ୍ରେସ ଏବଂ ଅନ୍ୟ ଅପଡେଟ

ଶେଷ ହେଲା ଅଧରପଣା ନୀତି
ରଥ ଉପରେ ଶେଷ ହୋଇଛି ଅଧରପଣା ନୀତି। ତିନିଟି ରଥରେ ୯ଟି ଅଧରପଣା ହାଣ୍ଡି ଭଙ୍ଗା ଯିବା ସହିତ ନୀତି ସମ୍ପନ୍ନ ହୋଇଛି। ନବଦିନାତ୍ମକ ଯାତ୍ରା ସାରି ସିଂହଦ୍ୱାରକୁ ଫେରିବା ପରେ ଗତକାଲି ସୁନାବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିୟୁ। ଆଉ ଆଜି ରଥ ଉପରେ ମହାପ୍ରଭୁଙ୍କ ଆଗରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଗତକାଲି ରଥ ଉପରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ବିଶ୍ୱାସ ରହିଛି କି ପାଖାପାଖି ୪୫୦ ବର୍ଷର ଏହି ଅଧରପଣାର ନୀତି ପାଳିତ ହୋଇ ଆସୁଛି। ରଥାରୁଢ଼ ଶ୍ରୀବିଗ୍ରହମାନଙ୍କ ଅଧର ପର୍ଯ୍ୟନ୍ତ ହାଣ୍ଡିରେ ପଣା ଭର୍ତି କରାଯାଉଥିବାରୁ ଏହାକୁ ଅଧରପଣା କୁହାଯାଇଥାଏ। 

ରତ୍ନ ଭଣ୍ଡାରରୁ ସ୍ଥାନାନ୍ତର ହେଲା ରତ୍ନ
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ଆଜି ସ୍ଥାନାନ୍ତର କରାଯାଇଛି। ଖଟଶେଯ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ କରାଯାଇ ଭିତର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସେଠାକୁ ସ୍ଥାନାନ୍ତର କରାଯାଇଛି। ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା ଥିଲା। ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ୧୧ ଜଣ ଟିମ୍‌ ସକାଳ ୯ଟା ୫୧ରେ  ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ ଓ ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। 

ଧର୍ମଶାଳାର ବିଭିନ୍ନ ଖଣିରେ ଚଢାଉ
ଯାଜପୁର ଜିଲ୍ଲା ଧର୍ମଶାଳାର ଡଙ୍କାରୀ, ଚଢେଇଧରା, ଲୁଣିବର ଖଣି ଅଞ୍ଚଳରେ ଆଜି ଚଢାଉ କରିଛି ଖଣି ବିଭାଗର ଏକ ସ୍ୱତନ୍ତ୍ର ଟିମ୍। ବିଧାୟକଙ୍କ ଅଭିଯୋଗ ଅନୁସାରେ- ସଂପୃକ୍ତ ଅଞ୍ଚଳରେ (GFX IN) କେତୋଟି ବେଆଇନ ଖଣି ଚାଲିଛି, ଲିଜ୍‌ପ୍ରାପ୍ତ ଖଣି ଗୁଡ଼ିକ ନିୟମ ପାଳନ କରିଛନ୍ତି କି ନାହିଁ, କେଉଁମାନେ ଏକ୍ସେସ ମାଇନିଂ କରିଛନ୍ତି, ପରବେଶ ମଞ୍ଜୁରୀ ଅଛି କି ନାହିଁ, ଏସବୁର ଯାଞ୍ଚ କରିଛନ୍ତି ଖଣି ବିଭାଗର ଅଧିକାରୀ ମାନେ। ଏପରିକି ନିଜେ ଅଭିଯୋଗକାରୀ ଧର୍ମଶାଳାର ବିଧାୟକ ହିମାଂଶୁ ସାହୁ ଅଧିକାରୀ ମାନଙ୍କୁ ବୁଲି ବୁଲି ବିବାଦୀୟ ଖଣି ସବୁ ଦେଖାଇଥିଲେ

ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ
ଗୋଟିଏ ନଯାଉଣୁ ଆଉ ଏକ ଲଘୁଚାପ ଦାନା ବାନ୍ଧିଲାଣି ବଙ୍ଗୋପସାଗରରେ। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହୋଇଛି। ଯାହା ଆସନ୍ତା ୨ ଦିନ ଭିତରେ ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, ସୋନପୁର, ପୁରୀ ଓ ନୟାଗଡ଼ ଜିଲ୍ଲା ପାଇଁ ଜାରି କରାଯାଇଛି ଅରେଞ୍ଜ ୱାର୍ଣ୍ଣିଂ। ଏସବୁ ସ୍ଥାନରେ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ କିଛି ସ୍ଥାନରେ କଚ୍ଚା ଘର ଭାଙ୍ଗିପାରେ। 

ସିଏମଓରୁ ରୂପା ରୋଶନ ସାହୁଙ୍କ ବଦଳି
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ(ସିଏମଓ)ରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ରୂପାରୋଶନ ସାହୁଙ୍କୁ ଆଜି ହଟାଇ ଦିଆଯାଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ୨୦୦୬ ବ୍ୟାଚ୍ ଆଇଏଏସ୍ ରୂପାରୋଶନ ସାହୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । କିନ୍ତୁ ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପଦରୁ ହଟାଇ ଦିଆଯାଇ କେବଳ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ଟିମ୍ ନବୀନ’ର ପାୱାରଫୁଲ ଅଫିସର ଭାବେ ରୂପା ଓ ତାଙ୍କ ଆଇପିଏସ୍ ସ୍ୱାମୀ ଅନୁପ ସାହୁ ପରିଚିତ ଥିଲେ । ଡିଏସ୍ କୁଟ୍ଟେଙ୍କ ଖାସ୍ ଆଇପିଏସ୍ ଅନୁପ ଏବେବି ଗୁଇନ୍ଦା ବିଭାଗର ଆଇଜି ଅଛନ୍ତି ।

ପୁଣି ଟ୍ରେନ ଦୁର୍ଘଟଣା: ୧୨ ବଗି ଲାଇନଚ୍ୟୁତ, ୪ ମୃତ
ପୁଣି ଗୋଟିଏ ବଡ଼ଧରଣର ଟ୍ରେନ ଦୁର୍ଘଟଣା। ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ। ଏହି ଏକ୍ସପ୍ରେସର ମୋଟ ୧୨ଟି ବଗି ଲାଇନଚ୍ୟୁତ ହୋଇଛି। ଏହା ମଧ୍ୟରେ ୪ ଏସି ବଗି ରହିଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଟ୍ରେନ ନମ୍ବର ୧୫୯୦୪ ଚଣ୍ଡିଗଡ଼ରୁ ଲୋକଙ୍କୁ ଧରି ଆସାମର ଦିବ୍ରୁଗଡ଼ ଯାଉଥିଲା।  କିନ୍ତୁ ଦିନ ୨.୩୫ରେ ଉତ୍ତର ପ୍ରଦେଶର ଗୋଣ୍ଡା ଓ ଝିଲାହି ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନର ୧୨ଟି ବଗି ଝିଲାହି ଷ୍ଟେସନ ଠାରୁ ଅଳ୍ପଦୂରରେ ଥିବା ପିକାଉରାଠାରେ ଓଲଟି ପଡ଼ିଛି।

ଏସସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ
ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ପଡ଼ିଥିବା ପଦ୍ମଶ୍ରୀ କମଳା ପୂଜାରୀ କଟକ ଏସସିବି ମେଡିକାଲରେ ଭତ୍ତି ହୋଇଛନ୍ତି। ଆଜି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଣାଯାଇ ଏସସିବର ମେଡ଼ିସିନ ବିଭାଗରେ ଭର୍ତ୍ତି କରାଯାଇଛି। ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି। କିଡନୀ ଜନିତ ସମସ୍ୟା ସହ ଜ୍ୱର ରୋଗରେ ଆକ୍ରାନ୍ତ ହୋଇଛନ୍ତି କମଳା ପୂଜାରୀ। ଏସସିବି ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି।

ସୁପ୍ରିମକୋର୍ଟକୁ ମିଳିଲା ୨ ନୂଆ ବିଚାରପତି
ଜମ୍ମୁ କାଶ୍ମୀର ହାଇକୋର୍ଟର ପ୍ରଧାନ ବିଚାରପତି ଏନ. କୋଟିଶ୍ୱର ସିଂ ଗୁରୁବାର ଦିନ ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ମଣିପୁରରୁ ସୁପ୍ରିମକୋର୍ଟକୁ ଉନ୍ନୀତ ହୋଇଥିବା ପ୍ରଥମ ବିଚାରପତି ହୋଇଛନ୍ତି। ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଆର. ମହାଦେବନ୍ ସୁପ୍ରିମକୋର୍ଟର ବିଚାରପତି ଭାବରେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ କମ୍ପ୍ଲେକ୍ସରେ ଆୟୋଜିତ ଏକ ସମାରୋହରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୁ଼ଡ଼ ଉଭୟ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ଏହା ସହ ସୁପ୍ରିମକୋର୍ଟରେ CJI ସମେତ ବିଚାରପତିଙ୍କ ସଂଖ୍ୟା ବର୍ତ୍ତମାନ ୩୪ ରେ ପହଞ୍ଚିଛି ଓ ସମସ୍ତ ପଦ ପୂର୍ଣ୍ଣ ହୋଇଛି।

ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ
ବିସିସିଆଇ ଗୁରୁବାର ଦିନ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ଟି-୨୦ ଦଳର କମାଣ୍ଡ ଦିଆଯାଇଛି। ଅଧିନାୟକତ୍ୱ ରେସରେ ସୂର୍ଯ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପରାସ୍ତ କରିଛନ୍ତି। ସୂର୍ଯ୍ୟକୁମାର ଟି-୨୦ ବିଶ୍ୱକପ ୨୦୨୬ ପର୍ଯ୍ୟନ୍ତ ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ଅଛି। ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଏହା ଏକ ବଡ ପରିବର୍ତ୍ତନ ବୋଲି ବିବେଚନା କରାଯାଏ। ଉପ-ଅଧିନାୟକ ଭାବେ ଶୁବମନ ଗିଲଙ୍କୁ ନିଯୁକ୍ତ କରାଯାଇଛି। ଗିଲଙ୍କ ନେତୃତ୍ୱରେ ଭାରତ ନିକଟରେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ଜିତିଛି।

ଦିନିକିଆ ସିରିଜ: ରୋହିତ ଅଧିନାୟକ, ଗିଲ ଉପ ଅଧିନାୟକ
ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ନଜର ଆସିବେ ଦୁଇ ହେଭିୱେଟ ରୋହିତ ଶର୍ମା ଓ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଗୌତମ ଗମ୍ଭୀରଙ୍କ କୋଚିଂ କାର୍ଯ୍ୟକାଳ ଆରମ୍ଭ ହେଉଛି। ପ୍ରଥମ ସିରିଜରେ ଦୁଇ ଷ୍ଟାର ଖେଳାଳି ଖେଳିବେ। ରୋହିତ ପୂର୍ବଭଳି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତର କମାଣ ସମ୍ଭାଳିବେ। ତାଙ୍କ ଡେପୁଟି ଭାବେ ପୂର୍ବରୁ କେଏଲ ରାହୁଲ ରହିଥିଲେ। ହେଲେ ଟି-୨୦ ଭଳି ଭାରତୀୟ ଟିମର ନୂଆ ଉପ ଅଧିନାୟକ ହୋଇଛନ୍ତି ଶୁବମନ ଗିଲ୍‌। କେଏଲ ରାହୁଲ ୱିକେଟ କିପର ଭାବେ ଦଳରେ ସୁଯୋଗ ପାଇଛନ୍ତି।