Top 10 News Today: କାଲି ଠୁ ଅଧିବେଶନ, ୨୦୫୦ ସୁଦ୍ଧା ଦୁଇଗୁଣା ହୋଇଯିବ ବୟସ୍କଙ୍କ ସଂଖ୍ୟା ଏବଂ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2346642

Top 10 News Today: କାଲି ଠୁ ଅଧିବେଶନ, ୨୦୫୦ ସୁଦ୍ଧା ଦୁଇଗୁଣା ହୋଇଯିବ ବୟସ୍କଙ୍କ ସଂଖ୍ୟା ଏବଂ ଅନ୍ୟ ଅପଡେଟ

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: କାଲି ଠୁ ଅଧିବେଶନ, ୨୦୫୦ ସୁଦ୍ଧା ଦୁଇଗୁଣା ହୋଇଯିବ ବୟସ୍କଙ୍କ ସଂଖ୍ୟା ଏବଂ ଅନ୍ୟ ଅପଡେଟ

H1. କାଲିଠୁ ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ
କାଲିଠୁ ଆରମ୍ଭ ହେବ ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ। ୨୫ ବର୍ଷ ପରେ ଏଥର ବିଧାନସଭାରେ ନୂଆ ଚିତ୍ର ଦେଖିବାକୁ ମିଳିବ। ବିଜେଡି ହେବ ମୁଖ୍ୟ ବିରୋଧୀ ଦଳ। ବିରୋଧୀ ଦଳ ନେତା ପଦରେ ବସିବେ ନବୀନ ପଟ୍ଟନାୟକ। ଆଉ ସରକାରୀ ଦଳ ଆସନରେ ବସିବ ବିଜେପି। ନୂଆ ବିଧାନସଭାରେ ନୂଆ ସରକାର ଓ ନୂଆ ବିରୋଧୀ ଦଳ ସହ ଏଥର ପ୍ରସଙ୍ଗ ବି ନୂଆ ରହିଛି। ଶନିବାର ବିଧାୟକ ଦଳ ବୈଠକରେ ନୂଆ ବିଧାନସଭା ପାଇଁ ରଣନୀତି କରିସାରିଛି ବିଜେଡି। ଦରବୃଦ୍ଧି, ରଥଯାତ୍ରାରେ ପରିଚାଳନା, ଆଇନଶୃଙ୍ଖଳା ପରିସ୍ଥିତି, ଏଏସଓଙ୍କୁ ମାଡ ଘଟଣା, ବାଲେଶ୍ବର ହିଂସା ପ୍ରସଙ୍ଗ ଉଠାଇବ ବିଜେଡି। ଆଉ ବିଜେପି କହିଛି  ସବୁ ପ୍ରସଙ୍ଗର ଉପରେ ଆଲୋଚନ କରିବାକୁ ସରକାର ରାଜି ଅଛନ୍ତି । 

H2. କାଲିଠୁ ସଂସଦରେ ମୌସୁମୀ ଅଧିବେଶନ
କାଲିଠାରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଆସନ୍ତା ୨୩ ତାରିଖରେ ବଜେଟ ଉପସ୍ଥାପିତ ହେବ। ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଦୀଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ ଅଧିବେଶନ। ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ। ବଜେଟ ଅଧିବେଶନକୁ କିପରି ସୁରୁଖୁରୁରେ ଚଳାଇବେ ସେଥିପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। 

H3. ଯାଂଚ ହେବ ସମସ୍ତ ସ୍କୁଲ ବସର ଅଗ୍ନି ନିରାପତ୍ତା ବ୍ୟବସ୍ଥା
ସ୍କୁଲ ବସର ସୁରକ୍ଷାକୁ ନେଇ ରାଜ୍ୟ ସରକାର ଆକ୍ସନମୋଡକୁ ଆସିଛନ୍ତି । ରାଜ୍ୟରେ ଚାଲୁଥିବା ସମସ୍ତ ଘରୋଇ ସ୍କୁଲବସ୍ ଗୁଡିକର ଅଗ୍ନି ନିରାପତ୍ତା ଯାଂଚ ହେବା ନେଇ ସରାକର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାସହ ସ୍କୁଲ ବସ ଚଳାଉଥିବା ସମସ୍ତ ବସ୍ ମାଲିକ ଓ ସ୍କୁଲଗୁଡିକୁ ନିୟମ କଡ଼ାକଡି ପାଳନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିୟମ ମୁତାବକ ସ୍କୁଲ ବସ୍ ଗୁଡିକର ଅଗ୍ନି ନିରାପତ୍ତା ନିୟମିତ ଯାଂଚ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି । ଯଦି କୌଣସି ବସ୍ ମାଲିକ ଏନେଇ ନିୟମର ଉଲଙ୍ଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲ ଏନେଇ ରାଜ୍ୟ ପରିବହନ କମିସନର ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି ।

H4. ୨୦୫୦ ସୁଦ୍ଧା ଦୁଇଗୁଣା ହୋଇଯିବ ବୟସ୍କଙ୍କ ସଂଖ୍ୟା
ୟୁଏନଏଫପିଏ-ଇଣ୍ଡିଆ ମୁଖ୍ୟ କହିଛନ୍ତି ଯେ ଭାରତରେ ଏକ ବୃହତ ଯୁବ ଜନସଂଖ୍ୟା ଅଛି ଏବଂ ୧୦ ରୁ ୧୯ ବର୍ଷ ବୟସ ବର୍ଗରେ ୨୫ କୋଟି ୨୦ ଲକ୍ଷ ଲୋକ ଅଛନ୍ତି। ସେ କହିଛନ୍ତି ଯେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ଚାକିରି ତାଲିମ ଏବଂ ରୋଜଗାର ସୃଷ୍ଟିରେ ବିନିଯୋଗ କରି ଏହି ଜନସଂଖ୍ୟା ସମ୍ଭାବନାକୁ ବ୍ୟବହାର କରାଯାଇପାରିବ ଏବଂ ଦେଶ ନିରନ୍ତର ପ୍ରଗତି ଆଡକୁ ଯାଇପାରିବ। ୱୋଜନାର କହିଛନ୍ତି ଯେ ଭାରତରେ ୨୦୫୦ ସୁଦ୍ଧା ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ରହିବେ ବୋଲି ଆଶା କରାଯାଏ। ତେଣୁ ଝୋପଡ଼ି ବସ୍ତିର ବୃଦ୍ଧି, ବାୟୁ ପ୍ରଦୂଷଣ ଏବଂ ପରିବେଶ ସମସ୍ୟାର ମୁକାବିଲା ପାଇଁ ସ୍ମାର୍ଟ ସିଟି, ଦୃଢ ଭିତ୍ତିଭୂମି ଏବଂ ସୁଲଭ ଗୃହ ନିର୍ମାଣ ଗୁରୁତ୍ୱପୂର୍ଣ୍ଣ ଅଟେ।

H5. ଶ୍ରାବଣ ପ୍ରଥମ ସୋମବାର, କମିଶନରେଟ୍ ପୋଲିସର ସୁରକ୍ଷା ବ୍ୟବସ୍ତା କଡାକଡି
ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର। ଦେବଦେବ ମହାଦେବଙ୍କୁ ଜଳଲାଗି କରିବେ ଶିବଭକ୍ତ । ସେଥିପାଇଁ ଆଜିଠୁ କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ନେଇ ରାଜ୍ୟର ବିଭିନ୍ନ ଶୈବାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି ଶିବଭକ୍ତ କାଉଡ଼ିଆ। ବୋଲବମ… ହରହର ବମ… ଧ୍ୱନୀରେ ପ୍ରକମ୍ପିତ ହେଉଛି ମହାନଦୀର ଗଡଗଡ଼ିଆ ଘାଟ । ଅନ୍ୟପଟେ କାଉଡ଼ିଆଙ୍କ ସୁରକ୍ଷା ପାଇଁ ମୁତୟନ ରହିଛନ୍ତି ଅଗ୍ନିଶମ ଓ ପୁଲିସ । ପବିତ୍ର ନଦୀର ଜଳ ଆଣି, ବାଲିରେ ମହାଦେବଙ୍କୁ ଫୁଲ ଚନ୍ଦନ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିବା ପରେ କାନ୍ଧରେ ବାହୁଙ୍ଗି ଓ କଳସ ଧରି ରାଜ୍ୟର ବିଭିନ୍ନ ଶୈବାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡିଆ । କିଏ ବାବା ଲିଙ୍ଗରାଜଙ୍କ ପାଖକୁତ ଆଉ କିଏ ଧବଳେଶ୍ବରଙ୍କ ନିକଟକୁ ଆଉ କିଛି ଭକ୍ତ ଲୋକନାଥ ଓ ଆରଡି ଭଳି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି।

H6. ରାମଚନ୍ଦ୍ର କାଡାମ ହେଲେ ବିଧାୟକ ଦଳର ନେତା
ଆଜି ଅପରାହ୍ଣରେ ଆଜି ବିଧାୟକ ଦଳର ନେତା ବାଛିଛି କଂଗ୍ରେସ। ଏଆଇସିସି ପକ୍ଷରୁ କଂଗ୍ରେସର ବିଧାୟକ ଦଳର ନେତା ଚୟନ କରାଯାଇଛି। ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସର ବିଧାୟକ ଦଳର ନେତା ଭାବେ ଏଆଇସିସି ପକ୍ଷରୁ ଚୟନ କରାଯାଇଛି। ସେହିପରି ଡେପୁଟି ଲିଡର ଭାବେ ଅଶୋକ ଦାସଙ୍କୁ ନିଯୁକ୍ତି ମିଳିଛି। ବିଧାନସଭାରେ ଡ. ସିଏସ ରାଜନ ଏକ୍କାଙ୍କୁ ଚିଫ ହ୍ୱିପ ଭାବେ ନିଯୁକ୍ତି ଦେଇଛି ଏଆଇସିସି। 

H7. ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ
ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ଗାଁ ପାତ୍ରପୁଟର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି। ପଞ୍ଚଭୂତରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପାର୍ଥିବ ଶରୀର ବିଲୀନ ହୋଇଛି। କମଳାଙ୍କ ଶେଷକୃତ୍ୟ ସଂପନ୍ନ ବେଳେ କୋରାପୁଟ ଜିଲ୍ଲାପାଳ ଭି. କିର୍ତ୍ତୀଭାସନ୍, ଏସପି ଅଭିନବ ସୋନାକର, ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ଏସଡିପିଓ ଅଙ୍କିତ ବର୍ମା, ବିଡିଓ ଶକ୍ତିପ୍ରସାଦ ମହାପାତ୍ରଙ୍କ ସହିତ ଅନେକ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ।

H8. ହାଉସ୍ କମିଟିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୨ ଜଣିଆ ହାଉସ୍‌ କମିଟିରେ ତାଙ୍କୁ ସ୍ଥାନ ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ହାଉସ କମିଟି ଗଠିତ ହୋଇଛି। ଏହି କମିଟିରେ କଲ୍ୟାଣ ବାନାର୍ଜୀ, ସୁଧୀର ଗୁପ୍ତା, କୃପାନାଥ ମଲ୍ଲାହ, ଡି. ପୁରନ୍ଦେଶ୍ୱରୀ, ସୁଖଜିନ୍ଦର ସିଂହ ରାନ୍ଧୱା, ଏମ୍‌ଏସ୍‌ ରେଡ୍ଡୀ, କୋଡିକୁନ୍ନିଲ ସୁରେଶ, ଡକ୍ଟର ଟି ସୁମତି, ଅକ୍ଷୟ ଯାଦବ ଓ ଦୀନେଶ ଚନ୍ଦ୍ର ଯାଦବ ଅଛନ୍ତି।

H9. ଗାଁରେ ବୁଲୁଛି ବାଘ; ଭୟରେ ଘରୁ ବାହାରୁ ନାହାନ୍ତି ଲୋକ
ରାତି ହେଲେ ଗାଁରେ ବୁଲୁଛି ବାଘ। ଖଡିଆଳ ରେଞ୍ଜର ବୋଡ଼େନ୍‌ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ବାଘଟି ସୁନାବେଡ଼ା ଅଭୟାରଣ୍ୟରୁ ଆସିଥିବା ଅନୁମାନ କରାଯାଉଛି। ଗତ ୪ ତାରିଖରେ ବାଘଟି ଚିକଲଚୁଆଁ ଗାଁକୁ ଆସିଥିଲା। ଆଉ ମନସାଏ ମାଝୀଙ୍କ ବାଛୁରୀକୁ ଶିକାର କରିଥିଲା। ସେହିପରି ୧୪ ତାରିଖରେ କୁସୁମଖୁଣ୍ଟା ଗାଁରେ ଅବିଲ ବଛା ନମକ ଜଣେ ଚାଷୀଙ୍କ ବାଛୁରୀକୁ ବାଘ ମାରି ଖାଇ ଦେଇଥିଲା। ପୁଣି ବୋଡ଼େନ ଦମକଳ କେନ୍ଦ୍ରରେ ଥିବା ଗୋଟିଏ ପୋଷା କୁକୁରକୁ ମଧ୍ୟ ବାଘ ଆକ୍ରମଣ କରି ଗୁରୁତର କରିଦେଇଥିଲା।

H10. ହକି ଇଣ୍ଡିଆ ଜୁନିୟର ଇଷ୍ଟ ଜୋନ ଚାମ୍ପିୟନଶିପ: ଓଡିଶା ପୁରୁଷ ଟିମ ଚାମ୍ପିୟନ
ହକି ଇଣ୍ଡିଆ ଇଷ୍ଟ ଜୋନ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶାର ପୁରୁଷ ଟିମ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ଓଡିଶା ୨-୦ ଗୋଲରେ ଝାଡଖଣ୍ଡକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଓଡିଶା ପକ୍ଷରୁ ଆର୍ଯ୍ୟନ ଏକ୍ସ ୨୫ତମ ଓ ଦେଓନାଥ ନାନୱାଲ ୨୭ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଝାଡଖଣ୍ଡ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଗୋଲ କରିବାରେ ସଫଳ ହୋଇ ନ ଥିଲା ।