Top 10 News Today: ୪ ଘଣ୍ଟା ଜଗା ଦର୍ଶନ ବନ୍ଦ, ଆଜି ବ୍ରୋଞ୍ଜ ପାଇଁ ଖେଳିବ ଭାରତ, ନୀରଜଙ୍କ ଉପରେ ନଜର ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2371930

Top 10 News Today: ୪ ଘଣ୍ଟା ଜଗା ଦର୍ଶନ ବନ୍ଦ, ଆଜି ବ୍ରୋଞ୍ଜ ପାଇଁ ଖେଳିବ ଭାରତ, ନୀରଜଙ୍କ ଉପରେ ନଜର ଓ ଅନ୍ୟାନ୍ୟ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today: ୪ ଘଣ୍ଟା ଜଗା ଦର୍ଶନ ବନ୍ଦ, ଆଜି ବ୍ରୋଞ୍ଜ ପାଇଁ ଖେଳିବ ଭାରତ, ନୀରଜଙ୍କ ଉପରେ ନଜର ଓ ଅନ୍ୟାନ୍ୟ ଖବର

H1.ବ୍ରୋଞ୍ଜ ପାଇଁ ଲଢିବ ଭାରତ
ବ୍ରୋଞ୍ଜ ପଦକକୁ ରକ୍ଷା ପାଇଁ ଗୁରୁବାରଦିନ ଏକ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ସ୍ପେନକୁ ଭାରତ ଭେଟିବ। ଏହାପରେ ହେବ ଫାଇନାଲ୍‍ ମ୍ୟାଚ୍‍। ଯେଉଁଥିରେ ଜର୍ମାନୀକୁ ଭେଟିବ ନେଦରଲ୍ୟାଣ୍ଡପ୍ରଥମ କ୍ୱାର୍ଟରର ସପ୍ତମ ମିନିଟରେ ଭାରତ ପକ୍ଷରୁ ଅଧିନାୟକ ହରମାନପ୍ରୀତ ସିଂହ ଗୋଲ୍ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। କିନ୍ତୁ ଦ୍ବିତୀୟ କ୍ୱାର୍ଟରର ପ୍ରାରମ୍ଭରେ ଜର୍ମାନୀ ଦଳର ଗୋଞ୍ଜାଲୋ ପେଲାଟ ଡ୍ରାଗଫ୍ଲିକଙ୍କ ଗୋଲ ଏବଂ ହାଫ୍ ଟାଇମ୍ ପୂର୍ବରୁ କ୍ରିଷ୍ଟୋହର ରୁହରଙ୍କ ଷ୍ଟ୍ରୋକ୍ ଜର୍ମାନୀକୁ ଅଗ୍ରଣୀ କରିଥିଲେ। ତୃତୀୟ କ୍ୱାର୍ଟରରେ ସୁଖଜିତ ସିଂହ ଗୋଲ୍ ଦେଇ ଭାରତକୁ ଜବାବ ଦେଇଥିଲେ। କିନ୍ତୁ ଜର୍ମାନୀ ୫୪ତମ ମିନିଟରେ ଏକ ଗୋଲ ଦେଇ ଭାରତୀୟ ଟିମ୍‍କୁ ନିରାଶ କରିଥିଲା।   

H2.ହିଣ୍ଡାଲ୍‌କୋ ନାଁରେ ସିବିଆଇର ଏତଲା
ଦୁର୍ନୀତି ଓ ଲାଞ୍ଚ ଅଭିଯୋଗରେ ସିବିଆଇ ପକ୍ଷରୁ ଆଦିତ୍ୟ ବିର୍ଲା ଗ୍ରୁପ୍‌ର କମ୍ପାନି ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ ବିରୋଧରେ ଏତଲା ରୁଜୁ କରାଯାଇଛି। ସିବିଆଇ ଅଭିଯୋଗ କରିଛି ଯେ ଓଡ଼ିଶାର ଝାରସୁଗୁଡ଼ାରେ ଥିବା ତଲାବିରା-୧ କୋଇଲା ଖଣିର ପରିବେଶ ମଞ୍ଜୁରୀକୁ କମ୍ପାନି ଉଲ୍ଲଂଘନ କରିଛି। କମ୍ପାନି ଅନୁମୋଦିତ କ୍ଷମତାଠାରୁ ଅଧିକ ୩.୦୪୫ ନିୟୁତ ଟନ୍ କୋଇଲା ଉତ୍ତୋଳନ କରିଥିବା ଅଭିଯୋଗ ‌ରହିଛି। ଏହି ଖଣିଟି ଅତ୍ୟଧିକ ପ୍ରଦୂଷିତ ଅଞ୍ଚଳରେ ରହିଛି। ସେହି ବିଷୟକୁ ସମ୍ପୂର୍ଣ୍ଣ ଅଣଦେଖା କରି ଖଣିର କ୍ଷମତାକୁ ଦ୍ବିଗୁଣିତ କରିବା ଲାଗି ୨୦୧୧ରେ ପରିବେଶ ମଞ୍ଜୁରି ପ୍ରଦାନ କରାଯାଇଥିଲା। ସେଥିପାଇଁ ଲାଞ୍ଚ କାରବାର ହୋଇଥିଲା। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଟି ଚାନ୍ଦିନୀ ନିଜ ପଦର ଅପବ୍ୟବହାର କରି କମ୍ପାନିକୁ ଲାଭ ପହଞ୍ଚାଇବା ପାଇଁ ଅତ୍ୟଧିକ ପ୍ରଦୂଷିତ ଅଞ୍ଚଳ ପାଇଁ ରହିଥିବା ନିୟମକୁ ଅଣଦେଖା କରିଥିଲେ ଓ ଖଣି ପାଇଁ ପରିବେଶ ମଞ୍ଜୁରି ପ୍ରଦାନ କରିଥିଲେ।

H3.ଆଜି ବନକଲାଗି ନୀତି
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆଜି ପ୍ରାୟ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବନକଲାଗି ନିତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ।

H4.ଆଗାମୀ ୩ ଘଣ୍ଟିଆ ପ୍ରବଳ ବର୍ଷା, ୟେଲୋ ଆଲର୍ଟ ଜାରି
ଆଗାମୀ ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡିକ ହେଲା ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା। ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ। ଆଗାମୀ ୩ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ବର୍ଷା ବଜ୍ରପାତ ହେବ ବୋଲି ଜଣାପଡିଛି। ଏଠିକାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନବାହାରିବା ସହ ବାହାରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

H5.ରାଜ୍ୟରେ ଟଳୁନି ଆଳୁ ସଂକଟ
ଓଡ଼ିଶା ବଜାରରେ ପୁଣିଥରେ ଆଳୁ ଅଭାବ ଦେଖାଦେଇଛି। ଗତ ୨-୩ ଦିନ ହେବ ଆଳୁ ଗାଡ଼ି ଆସି ନ ଥିବାରୁ ଦର ବଢ଼ିବା ଆଶଙ୍କା ଦେଖାଦେଇଛି। ଯେଉଁ ବ୍ୟବସାୟୀଙ୍କ ପାଖରେ ଆଳୁ ରହିଛି ସେମାନେ ଚଢ଼ା ଦରରେ ବିକ୍ରି କରିବା ଆରମ୍ଭ କରିସାରିଲେଣି। ଗତକାଲି ଖାଉଟିମାନେ ୩୫ଟଙ୍କାରେ ଆଳୁ କିଣିଥିବା ବେଳେ ଆଜି ୪୦ ଟଙ୍କା ଓ କିଛି ସ୍ଥାନରେ ଏହା ୫୦ ଛୁଇଁଲାଣି। ବେଶ୍ କିଛିଦିନ ଧରି ଚଢ଼ା ଦରରେ ଆଳୁ ବିକ୍ରି ହେବା ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି।

H6.ବାଂଲାଦେଶ ସଂକଟ: କ୍ଷତି ସହିବ ଓଡ଼ିଶା
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ହିଂସାର ପ୍ରଭାବ ବ୍ୟବସାୟ ଓ ବାଣିଜ୍ୟ ଉପରେ ପଡ଼ିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ସଡ଼କ, ରେଳ ଏବଂ ବିମାନ ଜରିଆରେ ପରିବହନ ଠପ୍‌ ହୋଇଯାଇଛି। ଏହି ଅନିଶ୍ଚିତତା କେତେଦିନ ଲାଗି ରହିବ ତାହା ଏବେଠାରୁ କହିବା ସହଜ ନୁହେଁ। ବାଂଲାଦେଶରେ ସେନା ନିଜ ହାତରେ ଶାସନକୁ କେତେଦିନ ରଖିବ ଏବଂ ଗଣତନ୍ତ୍ର କେବେ ଫେରିବ ତାହା ଉପରେ ରାଜନୈତିକ ସ୍ଥିରତା ଫେରିବା ନିର୍ଭର କରୁଛି। ଏଥିସହିତ ଗଣତନ୍ତ୍ର ଫେରିଲେ ମଧ୍ୟ ଶାସନ କ୍ଷମତାକୁ ଆସୁଥିବା ଦଳ ଏବଂ ବ୍ୟକ୍ତି କିଏ ‌ହେବେ ତାହା ଉପରେ ଦ୍ବିପାକ୍ଷିକ ବାଣିଜ୍ୟ ନିର୍ଭର କରିବ।

H7.ସୁବର୍ଣ୍ଣପୁରରେ ଦୁଇ ମୃତ
ସୁବର୍ଣ୍ଣପୁର ଜିଲ୍ଲାର ବିନିକା ନିକଟସ୍ଥ ଚୂଲିମାଲ ଗାଁରେ ପୁଲିସ ଗୁଳିରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁହେଁ ସମ୍ପର୍କରେ ଭାଇ ହେବେ। ଜଣଙ୍କ ନାଁମନୋଜ ଝାଙ୍କର ଏବଂ ଅନ୍ୟ ଜଣେ ସହଦେବ ଝାଙ୍କର। ମନୋଜ ପିଏସ୍‍ଓ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ପିସ୍ତଲରୁ ଗୁଳି ଫୁଟିଥିବା ସନ୍ଦେହ କରାଯାଉଛି। ଦୁଇ ଭାଇଙ୍କ ଭିତରେ ବଚସା ହେତୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରାଯାଇଛି। 

H8.ରାଷ୍ଟ୍ରପତିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ  ‘କମ୍ପାନିୟନ ଅଫ ଦି ଅର୍ଡର ଆଫ୍‍ ଫିଜି’  ପ୍ରଦାନ କରାଯାଇଛି।  ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ତାଙ୍କୁ  ଏହି ସମ୍ମାନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏବେ ଦୁଇ ଦିନିକିଆ ଫିଜି ଗସ୍ତରେ ରହିଛନ୍ତି।  ଏହି ସମ୍ମାନ ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର ବନ୍ଧୁତାର ପ୍ରତିଫଳନ ବୋଲି ରାଷ୍ଟ୍ରପତି ମୁର୍ମୁ ଅବିହିତ କରିଛନ୍ତି। 

H9.ଦମ ଦେଖାଇଲେ ଫୋଗାଟ
ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଷ୍ଟାର ରେସଲର ଭିନେଶ ଫୋଗାଟ। ସେ ଭାରତ ପାଇଁ ମହିଳା ୫୦ କେଜି ବର୍ଗ କୁସ୍ତିରେ ପଦକ ପକ୍କା କରିଛନ୍ତି। ସେମି ଫାଇନାଲରେ ସେ ଦମଦାର ପ୍ରଦର୍ଶନ କରି କ୍ୟୁବାର ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଯଦି ସେ ଫାଇନାଲରେ ବି ହାରୁଛନ୍ତି, ତା’ହେଲେ ଭାରତ ରୌପ୍ୟ ପଦକ ପାଇବ। କିନ୍ତୁ ଭିନେଶ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି।

H10. ସ୍ୱର୍ଣ୍ଣ ଉପରେ ନିରଜଙ୍କ ନଜର
ପ୍ରଥମ ପ୍ରୟାସରେ ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ (୮୯.୩୪ ମିଟର) ସହ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ସ୍ଥାନରେ ରହି ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ଜାଭଲିନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତା’ ସହିତ ଆଥଲେଟିକ୍ସରୁ ଭାରତ ଓ ନୀରଜ ଲଗାତାର ଦ୍ବିତୀୟ ସ୍ବର୍ଣ୍ଣ ଜିତିବାର ସମ୍ଭାବନା ବଢ଼ିଯାଇଛି। ନୀରଜଙ୍କ ଜବରଦସ୍ତ ଓ ପରାକ୍ରମୀ ପ୍ରଦର୍ଶନକୁ ନେଇ ମଧ୍ୟ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି।  ୧୪୫ କୋଟି ଭାରତୀୟଙ୍କ ଶୁଭେଚ୍ଛା, ଆଶୀର୍ବାଦ ଓ ପ୍ରାର୍ଥନାକୁ ପାଥେୟ କରି ନୀରଜ ପ୍ୟାରିସ୍‌ରୁ ଦେଶକୁ ଆ‌ଉ ଏକ ଅଲିମ୍ପିକ୍ସ ସ୍ବର୍ଣ୍ଣ ଆଣିବାକୁ ମଇଦାନକୁ ଓହ୍ଲାଇବେ।