)
Odisha News: ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଲା। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସତ୍ତ୍ୱ ଓ ପରିଚାଳନା ନିୟମ ଆଣିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବାସଗୃହ କ୍ରେତା ଆସୋସିଏସନ ଗଠନ ଏବଂ ପଞ୍ଜିକରଣ ନେଇ ସବିଶେଷ ନିୟମ ରହିଛି। ୨୦୨୩ ଅକ୍ଟୋବର ୧୩ ତାରିଖରେ ଓଡି଼ଶା ଆପାର୍ଟମେଣ୍ଟ ମାଲିକାନା ସତ୍ତ୍ୱ ଓ ପରିଚାଳନା ଚିଠା ନିୟମ ପ୍ରକାଶ ପାଇଥିଲା। ଧାର୍ଯ୍ୟ ସମୟରେ ଆସିଥିବା ଅଭିଯୋଗ ଓ ମତାମତକୁ ବିଚାର କରାଯାଇଛି।
କେବେଠୁ ହୋଇଥିଲା ବନ୍ଦ-;
୨୦୨୨ ମେ ପର ଠାରୁ ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ବନ୍ଦ ରହିଛି। ସେତେବେଳେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଯେବେଯାଏଁ ଆପାର୍ଟମେଣ୍ଟ ଅନୁକୂଳ ନିୟନ ନ ଆସୁଛି ତାହେଲେ ରାଜ୍ୟରେ କୌଣସି ଆପାର୍ଟମେଣ୍ଟ ପଞ୍ଜିକରଣ ହୋଇପାରିବ ନାହିଁ ।
ନିୟମର କ'ଣ ରହିଥିଲା ଲକ୍ଷ୍ୟ-:
ରେରା ଅନୁକୂଳ ନିୟମ ଅନୁସାରେ, ଆପାର୍ଟମେଣ୍ଟ ମାଲିକାନା ସତ୍ତ୍ୱ ଓ ପରିଚାଳନା ନିୟମ ଅର୍ଥାତ୍ ଯେତେବେଳେ ଜଣେ ଆପାର୍ଟମେଣ୍ଟ କିଣୁଛି ସେ କେଉଁ ନିୟମ ବା କେମିତି କିଣିବେ, ଅନ୍ୟପଟେ ଜଣେ ବିଲଡର ଆପାର୍ଟମେଣ୍ଟ କେମିତି ବିକ୍ରୟ କରିବ ସେଥିପାଇଁ କଣ ଆସୋସିଏସନ ଗଠନ ହେବ ସେନେଇ ଏକ ସମ୍ପୂର୍ଣ୍ଣ ନିୟମକୁ ଅନୁସରଣ କରାଯିବ। ବର୍ତ୍ତମାନ ରାଜ୍ୟ ସରକାର ଏହି ନିୟମ ଆଣିଛନ୍ତି। ପ୍ରଥମେ ଅଧ୍ୟାଦେଶ, ପରେ ଆଇନ ପରବର୍ତ୍ତୀ ସମୟରେ ଏହାକୁ ନେଇ ଚିଠା ନିୟମ ମଧ୍ୟ ଆସିଥିଲା। ତେବେ ଗତକାଲି ଏହାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆପାର୍ଟମେଣ୍ଟ ପଞ୍ଜିକରଣ ବାଟ ସଫା ହୋଇଛି ବୋଲି କୁହାଯାଉଛି।
କ'ଣ ମିଳିବ ଫାଇଦା-:
ଆପାର୍ଟମେଣ୍ଟ ମାଲିକାନା ସତ୍ତ୍ୱ ଓ ପରିଚାଳନା ନିୟମ ଆଣିବାରେ ଦେଶରେ ପ୍ରଥମ ହେଉଛି ଓଡ଼ିଶା । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସମସ୍ତେ । ପୂର୍ବରୁ ବିଲଡର ମାନେ ନିଜ ଆପାର୍ଟମେଣ୍ଟ ବିକ୍ରିକୁ ଅନେଇ ରହୁଥିଲେ ଯାହା ଫଳରେ ବର୍ଷ ବର୍ଷ ବିତିଯାଉଥିଲା ସେଥିରେ ଅବସାନ ଘଟିବ । ଏହାସହ ଯେଉଁ ଗ୍ରାହକ ମାନେ ଜମି, ଘର ଓ କମନ ଏରିଆ ପାଇଁ ଟଙ୍କା ଦେଉଥିଲେ ତେବେ ନିୟମ ପୂର୍ବରୁ ଗ୍ରାହକଙ୍କ ନାଁରେ କେବଳ ଘର ରେଜିଷ୍ଟ୍ରେସନ ହେଉଥିଲା । ଜମି ଓ ଅନ୍ୟାନ୍ୟ ମାଲିକାନା ସତ୍ତ୍ୱ ବିଲଡର ମାନଙ୍କ ନାଁରେ ରହୁଥିଲା। ଏହି ନିୟମ ଆସିବା ପରେ ଏହା ବନ୍ଦ ହେବ ।