)
Garlic prices: ହିମାଚଳ ପ୍ରଦେଶରେ ବର୍ଷା ଓ ତୁଷାରପାତ କାରଣରୁ ପନିପରିବା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ରସୁଣର ମୂଲ୍ୟ ସର୍ବାଧିକ ବୃଦ୍ଧି ପାଇ କେଜି ପିଛା ୫ ଶହ ଟଙ୍କାରେ ପହଞ୍ଚିଛି । ବାହାର ରାଜ୍ୟରୁ ରସୁଣ ଯୋଗାଣ ସଠିକ ଭାବରେ ହୋଇନପାରିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇଛି ।
ହିମାଚଳ ପ୍ରଦେଶର ମଣ୍ଡିରେ ରସୁଣର ମୂଲ୍ୟ ୪୯୬ ଟଙ୍କା ରହିଥିବା ଜଣାପଡିଛି । ଖୁଚୁରା ଦୋକାନୀ ଗୁଡିକ କିଲୋ ପିଛା ୫ଶହ ଟଙ୍କାରେ ବିକ୍ରି କରୁଛନ୍ତି । କେବଳ ସେତିକି ନୁହେଁ ଅନ୍ୟାନ୍ୟ ପନିପରିବାର ଦର ମଧ୍ୟ ବୃଦ୍ଧି ପାଇଛି । ଟମାଟୋ କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଛି। କ୍ୟାପସିକମ୍ ୧୧୦, ଅଦା ୧୫୦, ମଟର ୪୦, କୋବି ୩୫, ଗାଜର ୩୫, ବାଇଗଣ ୬୦ ଟଙ୍କାରେ ବିକ୍ରି ହେଉଛି। ତୁଷାରପାତ କାରଣରୁ ପନିପରିବା ଯୋଗାଣ ପ୍ରଭାବିତ ହୋଇଛି। ବର୍ତ୍ତମାନ ପାଗରେ ପରିବର୍ତ୍ତନ ପରେ ପନିପରିବା ଦର ପ୍ରଭାବିତ ହୋଇପାରେ ବୋଲି ଗ୍ରାହକମାନେ ଆଶା କରିଛନ୍ତି ।
କୃଷି ଉତ୍ପାଦନ ବଜାର କମିଟି (ଏପିଏମ୍ସି) ର ଅଧ୍ୟକ୍ଷ ସଞ୍ଜୀବ ଗୁଲେରିଆଙ୍କ କହିବାନୁଯାୟୀ, ରସୁଣ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରୁ ହିମାଚଳ ପ୍ରଦେଶକୁ ଆସିଥାଏ । ବର୍ତ୍ତମାନ ରସୁଣ ଯୋଗାଣ ଖୁବ୍ କମ ହେଉଛି । ଏହି କାରଣରୁ ବଜାରରେ ରସୁଣର ମୂଲ୍ୟ ଅଧିକ ରହିଛି । ସେ କହିଛନ୍ତି ଯେ, ଏହି ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିବା ପାଇଁ ପାଖାପାଖି ସପ୍ତାହେ ଲାଗିଯିବ । ଏଥିସହ ସେ ଏକଥା ମଧ୍ୟ କହିଛନ୍ତି ଯେ, ଚାଇନାରୁ ଅନେକ ଜିନିଷ ଏଠାକୁ ଆସିଥାଏ ଚଳିତଥର ସେସବୁ ମଧ୍ୟ ଆସିନାହିଁ ।
ରସୁଣର ଦର ବଢିବାର ଆଉଏକ କାରଣ ଏହା ଯେ, ଚଳିତଥର ରସୁଣ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି । ଫେବୃଆରୀ ଶେଷ ଭାଗରେ ଦେଶର ବିଭିନ୍ନ ସ୍ଥାନରୁ ଉତ୍ପାଦିତ ହୋଇଥିବା ନୂଆ ରସୁଣ ଆସିଥାଏ କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ଆସିନଥିବାରୁ ମହଜୁତ ଥିବା ପୁରୁଣା ରସୁଣର ଦାମ ଅଧିକରେ ବିକ୍ରି କରାଯାଉଛି ।