Live Now

Odisha Live News Today: ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟି ୨୪ ଜଣକର ମୃତ୍ୟୁ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Live News Today: ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟି ୨୪ ଜଣକର ମୃତ୍ୟୁ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
25 May 2024 10:54 PM (IST)

Rajkot TRP Game Zone Fire Update: ଶନିବାର ସନ୍ଧ୍ୟାରେ ଗୁଜୁରାଟର ରାଜକୋଟରେ ଗେମିଂ ଜୋନରେ ପ୍ରବଳ ଅଗ୍ନିକାଣ୍ଡରେ ଶିଶୁଙ୍କ ସମେତ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଗୁଜରାଟ ପୋଲିସ ଗେମିଂ ଜୋନର ମାଲିକଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଅଧିକାରୀକ ସୂତ୍ର ଅନୁଯାୟୀ, ଏହି ଭୟଙ୍କର ଅଗ୍ନିକାଣ୍ଡରେ ପୋଲିସ ଟିଆରପି ଗେମିଂ ଜୋନ୍ ମ୍ୟାନେଜର ନିତିନ ଜେନା ଓ ଗେମିଂ ଜୋନ ମାଲିକ ଯୁବରାଜ ସିଂ ସୋଲାଙ୍କିଙ୍କୁ ଗିରଫ କରିଛି। ଦୁର୍ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି।

25 May 2024 09:11 PM (IST)

Rajkot TRP Game Zone Fire Update: ମୃତ୍ଯୁ ସଂଖ୍ୟା ୨୪କୁ ବୃଦ୍ଧି। ରାଜକୋଟରେ ଗେମିଂ ଜୋନରେ ଅଗ୍ନିକାଣ୍ଡ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ X ରେ ଏକ ପୋଷ୍ଟ କରି କହିଛନ୍ତି, "ରାଜକୋଟରେ ଘଟିଥିବା ଅଗ୍ନିକାଣ୍ଡରେ ମୁଁ ଅତ୍ୟଧିକ ଦୁଃଖିତ। ପ୍ରିୟଜନଙ୍କୁ ହରାଇଥିବା ସମସ୍ତଙ୍କ ସହ ମୋର ସମବେଦନା ଜଣାଉଛି। ଆହତମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି। ପୀଡ଼ିତାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ପ୍ରଶାସନ କାର୍ଯ୍ୟ କରୁଛି।”

25 May 2024 08:38 PM (IST)

Rajkot TRP Game Zone Fire Update: ଶନିବାର ଅପରାହ୍ନରେ ଗୁଜୁରାଟର ରାଜକୋଟରେ ଏକ ଗେମିଂ ଜୋନରେ ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅନେକ ଶିଶୁ ମଧ୍ୟ ମୃତମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଘଟଣାସ୍ଥଳକୁ ଅନେକ ଅଗ୍ନିଶମ ବାହିନୀ ପଠାଯାଇଥିଲା ଓ ଅନେକ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରିବା ସହ ଆହତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

25 May 2024 08:17 PM (IST)

Rajkot TRP Game Zone Fire: ଗୁଜୁରାଟର ରାଜକୋଟର ଗେମ ଜୋନରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଶନିବାର ଦିନ (ମେ ୨୫) ରେ ଘଟିଛି ଓ ରାଜକୋଟ ପୋଲିସ କମିଶନର କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ କ’ଣ ତାହା ଆମେ ତଦନ୍ତ କରୁଛୁ। ଏହା ସହିତ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ଏକ ବାର୍ତ୍ତା ଜାରି କରାଯାଇଛି ବୋଲି ସେ କହିଛନ୍ତି।

25 May 2024 07:42 PM (IST)

Lokshabha Elections 2024 Updates: ଷଷ୍ଠ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୫୮ ଟି ଆସନରେ ଭୋଟ୍ ହାର ୫୭.୭୦ ଥିଲା। ମତଦାନ ଦୃଷ୍ଟିରୁ ପଶ୍ଚିମବଙ୍ଗ ସକାଳୁ ଆଗୁଆ ରହିଆସିଛି। ସର୍ବାଧିକ ଭୋଟ୍ ହାର ମଧ୍ୟ ପଶ୍ଚିମବଙ୍ଗରେ ୭୭.୯୯ ପ୍ରତିଶତ ରହିଛି।

25 May 2024 05:48 PM (IST)

Odisha Election 2024 Live: ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦%। ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ୫୩.୫୪% େଭାଟ୍‍ ରେକର୍ଡ ହୋଇଥିବା ବେଳେ କଟକ ୫୪.୩୬%, ଢେଙ୍କାନାଳରେ ୬୦.୮୮%, କେନ୍ଦୁଝରରେ ୬୨.୪୩%, ପୁରୀରେ ୬୧.୧୭% ଏବଂ ସମ୍ବଲପୁରରେ ୬୫.୯୧%  ଭୋଟ୍‍ ହୋଇଛି।

25 May 2024 05:48 PM (IST)

Lok Sabha Election 2024 voting LIVE: ଦେଶର ଆଠଟି ରାଜ୍ୟରେ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି। ପ୍ରବଳ ଗରମ ସତ୍ତ୍ୱେ  ଲୋକମାନେ ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଅପରାହ୍ନ ୫ଟା ପର୍ଯ୍ୟନ୍ତ ଦେଶରେ ୫୭.୭୦ ପ୍ରତିଶତ ମତଦାନ ହୋଇଛି।

ଓଡି଼ଶା- ୫୯.୬୦
ଉତ୍ତରପ୍ରଦେଶ- ୫୨.୦୨
ଜମ୍ମୁ କାଶ୍ମୀର- ୫୧.୩୫
ଝାଡଖଣ୍ଡ- ୬୧.୪୧
ପଶ୍ଚିମବଙ୍ଗ-୭୭.୯୯
ବିହାର- ୫୨.୨୪
ଦିଲ୍ଲୀ ଏନସିଆର- ୫୩.୭୩
ହରିୟାଣା- ୫୫.୯୩

25 May 2024 05:19 PM (IST)

Odisha News Live: ରାଜସୁନାଖଳା କାଉରିଆଁ ପାଟଣା ୧୧୪ ନମ୍ବର ବୁଥ ବର ଏକ ବୁଥରେ ଆକ୍ରମଣ କରିଥିବା ଅଭିଯୋଗରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବା ଲାଗି ବିଜେଡି ଦାବି କରିଛି। ତାଙ୍କ ନାଁରେ ଇଭିଏମ୍‍ ଭାଙ୍ଗିଥିବା ଅଭିଯୋଗ ରହିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ ହୋଇଛି।

25 May 2024 03:54 PM (IST)

ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୮.୪୪% ପ୍ରତିଶତ ଭୋଟ୍‍ 
ଅପରାହ୍ଣ ୩ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୪୮.୪୪% ମତଦାନ ହୋଇଥିବା ଜଣାପଡ଼ିଛି। ଭିତରୁ ସବୁଠାରୁ ଅଧିକ ମତଦାନ ହୋଇଛି କେନ୍ଦୁଝରରେ। ଏଠାରେ ପ୍ରାୟ ୫୩.୨୯ ପ୍ରତିଶତ ଭୋଟ୍‍ ହୋଇଛି। ସେହିପରି ଭୁବନେଶ୍ୱରରେ ସବୁଠାରୁ କମ୍‍ ୪୨.୫୩% ମତଦାନ ହୋଇଛି। କଟକରେ ୪୩.୫୨%, ଡେଙ୍କାନାଳରେ ୫୦.୪୦, ସମ୍ବଲପୁରରେ ୫୨.୭୭ %, ଏବଂ ପୁରୀରେ ୪୮.୭୧ ପ୍ରତିଶତ ଭୋଟିଂ ହୋଇଛି।

25 May 2024 12:35 PM (IST)

Odisha Election News Live: ଭୋଟ୍‍ ଉତ୍ସାହ ଜାରି, ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ଭୋଟ୍‍ 

ଭୁବନେଶ୍ୱର:  ରାଜ୍ୟରେ ଜାରି ରହିଛି ମତଦାନ ଉତ୍ସାହ। ପ୍ରବଳ ଗ୍ରୀଷ୍ମ ମଧ୍ୟରେ ଲମ୍ବା ଧାଡ଼ିରେ ଆସି ମତଦାନ କରୁଛନ୍ତି ସାଧାରଣ ଜନତା।ଅପରାହ୍ଣ ୧ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୩୫.୬୯%  ମତଦାନ ହୋଇଥିବା ଜଣାପଡ଼ିଛି। ନିର୍ବାଚନ କମିଶନଙ୍କ  ସୂଚନା ଅନୁସାରେ ଯେଉଁ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ସଂସଦୀୟ ନିର୍ବାଚନ ଲାଗି ଭୋଟ୍‍ ଗ୍ରହଣ କରାଯାଉଛି ସେଭିତରେ ଓଡ଼ିଶା ୬ଷଷ୍ଠ ସ୍ଥାନରେ ରହିଛି।  ସର୍ବାଧିକ ଭୋଟିଂ ହୋଇଥିବା ରାଜ୍ୟ ହେଉଛି ପଶ୍ଚିମବଙ୍ଗ। ଯେଉଁଠାରେ ୫୪.୮୦ ପ୍ରତିଶତ ଭୋଟ ହୋଇଛି। ଏହାତଳକୁ ଝାଡ଼ଖଣ୍ଡରେ ୪୨.୫୪%, ବିହାର ଓ ହରିୟାଣାରେ ୩୬.୪୮%, ଦିଲ୍ଲୀରେ ୩୪.୩୭%, ଉତ୍ତର ପ୍ରଦେଶରେ ୩୭.୨୩% ଏବଂ ଜମ୍ମୁ କଶ୍ମୀରରେ ୩୫.୨୨ ପ୍ରତିଶତ ଭୋଟିଂ ହୋଇଛି। 
ରାଜ୍ୟ ଭିତରେ ୬ଟି ଲୋକସଭା ଆସନ ଭିତରୁ ସବୁଠାରୁ ଅଧିକ ମତଦାନ ହୋଇଛି ସମ୍ବଲପୁରରେ। ଏଠାରେ ପ୍ରାୟ ୩୮.୧୩ପ୍ରତିଶତ ଭୋଟ୍‍ ହୋଇଛି। ସେହିପରି ଭୁବନେଶ୍ୱରରେ ସବୁଠାରୁ କମ୍‍ ୩୩.୦୧% ମତଦାନ ହୋଇଛି। କଟକରେ ୩୪.୪୦%, ଡେଙ୍କାନାଳରେ ୩୬, କେନ୍ଦୁଝରରେ ୩୫.୨୬%, ଏବଂ ପୁରୀରେ ୩୭,୨୬ ପ୍ରତିଶତ ଭୋଟିଂ ହୋଇଛି।

25 May 2024 12:31 PM (IST)

Odisha Election News Live: ଗଜପତି ମହାରାଜଙ୍କ ସହିତ ମହାରାଣୀ ଲୀଳାବତୀ ପାଟ ମହାଦେଇ ଦେଲେ ଭୋଟ
ଦୋଳମଣ୍ଡପ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଛି ମତଦାନ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କ ସହ ମହାରାଣୀ ଲୀଳାବତି ପାଟ ମହାଦେଇ ୧୧୪ନମ୍ବର ବୁଥରେ  ମତଦାନ କରିଛନ୍ତି।

25 May 2024 12:28 PM (IST)

Odisha Election News Live: କୁଜଙ୍ଗରେ ସ୍ମୃତି ଇରାନୀ
କୁଜଙ୍ଗରେ ସ୍ମୃତି ଇରାନୀ: ମୋଦୀ ସରକାରଙ୍କ ସମୟରେ ୫୮ ହଜାର କୋଟି ଟଙ୍କା ଖଣିଜ ବାବଦ ଆୟ କରିଛି ଓଡ଼ିଶା। ବିକାଶ ବର୍ଷା କରିବାକୁ ମୋଦୀଙ୍କୁ ଭେଟ ଦିଅନ୍ତୁ କହିଲା ସ୍ମୃତି ଇରାନୀ। ଯେମିତି ଆମେଥିରୁ ରାହୁଲ ଗାନ୍ଧିଙ୍କୁ ହଟାଇଲୁ ସେମିତି ଓଡ଼ିଶାରୁ ବିଜେଡିକୁ ହଟାଇବୁ।

25 May 2024 12:19 PM (IST)

Odisha Election News Live: ଯାଜପୁରରେ ଭିକେ ପାଣ୍ଡିଆନ
ଯାଜପୁର ଜିଲ୍ଲା ସୁକିନ୍ଦାର ହରିପୁର କଲେଜ ପଡ଼ିଆାରେ ନିର୍ବାଚନ ପ୍ରଚାର କରୁଛନ୍ତି ବିଜେଡି ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସେ ବୁଝାଇଥିଲେ। ବିଜେପିର ଇସ୍ତାହାରରେ ଥିବା ଯୋଜନାକୁ ଦିନରେ ଲଣ୍ଠନ ଦେଖାଇବା ଭଳି ବୋଲି କହିଛନ୍ତି ପାଣ୍ଡିଆନ। ଶେଷ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍‍ ଜୁନ୍‍ ୧ ତାରିଖରେ ଭୋଟ ଦେବ ଯାଜପୁର।

25 May 2024 11:47 AM (IST)

Odisha Election News Live: ଯାଜପୁରରେ ଭିକେ ପାଣ୍ଡିଆନ
ଯାଜପୁର ଜିଲ୍ଲା ସୁକିନ୍ଦାର ହରିପୁର କଲେଜ ପଡ଼ିଆାରେ ନିର୍ବାଚନ ପ୍ରଚାର କରୁଛନ୍ତି ବିଜେଡି ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସେ ବୁଝାଇଥିଲେ। ବିଜେପିର ଇସ୍ତାହାରରେ ଥିବା ଯୋଜନାକୁ ଦିନରେ ଲଣ୍ଠନ ଦେଖାଇବା ଭଳି ବୋଲି କହିଛନ୍ତି ପାଣ୍ଡିଆନ। ଶେଷ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍‍ ଜୁନ୍‍ ୧ ତାରିଖରେ ଭୋଟ ଦେବ ଯାଜପୁର।

 

25 May 2024 11:28 AM (IST)

Odisha Election News Live: ଦିନ ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୧.୩୦ ପ୍ରତିଶତ ମତଦାନ ହୋଇଛି। ସବୁଠାରୁ ଅଧିକ ମତଦାନ ହାର ରହିଛି ଢେଙ୍କାନାଳରେ। ସବୁଠାରୁ କମ୍‍ ମତଦାନ ପୁରୀରେ ରେକର୍ଡ କରାଯାଇଛି। ନିର୍ବାଚନ କମିଶନଙ୍କ ଓ୍ୱେବସାଇଟ୍‍ ତଥ୍ୟ ଅନୁସାରେ ଭୁବନେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୦.୭୨ ପ୍ରତିଶତ ମତଦାନ ହୋଇଛି। କଟକରେ ପ୍ରାୟ ୨୦.୪୭%, ଡେଙ୍କାନାଳରେ ୨୨.୪୧%, କେନ୍ଦୁଝରରେ ୨୦.୮୯%, ପୁରୀରେ ୨୧,୫୧% ଏବଂ ସମ୍ବଲପୁରରେ ୨୧.୮୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ବୁଥ ଆଗରେ ଭୋଟରଙ୍କ ଲମ୍ବା ଧାଡ଼ି ଲାଗି ରହିଛି। କାଁ ଭାଁ ବିଶୃଙ୍ଖଳା ହୋଇଥିଲେ ମଧ୍ୟ ରାଜ୍ୟରେ ମତଦାନ ବେଶ୍ ଶୃଙ୍ଖଳିତ ରହିଛି। ପୁରୀର କିଛି ବୁଥରେ ବର୍ଷା ହୋଇଥିବାରୁ ଭୋଟର ସାମୟିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

25 May 2024 11:25 AM (IST)

Odisha Election News Live: ବହୁ ମାତ୍ରାରେ ଭୋଟ ଦେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ
ଭୋଟ୍ ଦେବା ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମୁଁ ସମସ୍ତ ଭୋଟରଙ୍କୁ, ବିଶେଷ କରି ଯୁବ ଭୋଟରଙ୍କୁ ବାହାରକୁ ଆସି ଭୋଟ୍ ଦେବାକୁ ଅନୁରୋଧ କରୁଛି। ମୁଁ ଆଶା କରୁଛି ଯେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ​​ବିଜେଡି ଏକ ବଡ଼ ବିଜୟ ହାସଲ କରିବ। ଆମେ ଏକ ସ୍ଥିର ସରକାର ଗଠନ କରିବୁ।

 

 

25 May 2024 10:56 AM (IST)

Odisha Election News Live: ବ୍ରହ୍ମଗିରି ଗଡ଼ରୋଢଙ୍ଗ ଚାପା ଉତ୍ତେଜନା
ବ୍ରହ୍ମଗିରି ଗଡ଼ରୋଢଙ୍ଗ 127 ନମ୍ବର ବୁଥରେ ଚାପ ଉତ୍ତେଜନା। ବାରମ୍ବାର EVM ତ୍ରୁଟି ଯୋଗୁ ଚାପାଉତ୍ତେଜନା ଲାଗିରହିଛି। ବିଳମ୍ବରେ ମତଦାନ ହୋଇଥିଲା। ପୋଲିଙ୍ଗ ଅଫିସରଙ୍କ ଅବହେଳା ନେଇ ଅଭିଯୋଗ ଆଣିଲେ ବିଜେପି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର। ବିଜେପି ବିଧାୟିକା ପ୍ରାର୍ଥୀଙ୍କ ନିଜଗାଁ ବୁଥ।  ବିଧାୟିକା ପ୍ରାଥୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ନିଜେ ପ୍ରାର୍ଥୀ।

25 May 2024 10:55 AM (IST)

Odisha Election News Live: ଡିଜି ପୋଲିସଙ୍କ ଭୋଟଦାନ
ସକାଳୁ ବ୍ୟସ୍ତ ରହିଛୁ। ସେଥିରୁ କିଛି ସମୟ ବାହାର କରି ପୋଷାକ  ବଦଳାଇ ଭୋଟ୍‍ ଦେଇଛି। ଏହା ଆନନ୍ଦର ମୁହୂର୍ତ୍ତ। ଲୋକେ ନିଜର ମତଦାନ ସାବ୍ୟସ୍ତ କରନ୍ତୁ। ଆମେ ଆଶା କରୁଛୁ ଶାନ୍ତିଶୃଙ୍ଖଳାରେ ସମାପନ ହେବ ଭୋଟ ବୋଲି କହିଲେ ଡିଜି ପୁଲିସ ଅରୁଣ କୁମାର ଷଡ଼ଙ୍ଗୀ।

25 May 2024 10:46 AM (IST)

Odisha Election News Live: ଡିଜି ପୋଲିସଙ୍କ ଭୋଟଦାନ
ଭୁବନେଶ୍ୱରରେ ଭୋଟ୍‍ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ। ଉଭ୍ରୟ ଲୋକସଭା ଓ ବିଧାନସଭା ପାଇଁ ସେ ଭୋଟ୍‍ ଦେଇଛନ୍ତି। ମତଦାନ କରିବା ପରେ ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ଫଟୋ ପାଇଁ ସୁଯୋଗ ଦେଇଥିଲେ।

25 May 2024 10:29 AM (IST)

Odisha Election News Live: ଭୋଟ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୋଟ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଭୋଟ ଦେଇଛନ୍ତି। ସାଧାରଣ ଧାଡ଼ିରେ ଆସି ସେ ଭାଟ ଦେଇଥିଲେ। ସେହିଭଳି ଭୁବନେଶ୍ୱରରେ ଥିବା ବିଭିନ୍ନ ସରକାରୀ ଅଧିକାରୀ ମଧ୍ୟ ଭୋଟ ଦେଇଛନ୍ତି। ଏଥିରେ ସୁଜାତା କାର୍ତ୍ତିକେୟ ମଧ୍ୟ ସାମିଲ।

25 May 2024 10:24 AM (IST)

Odisha Election News Live: ଅଟୋରେ ଆସି ଭୋଟ ଦେଲେ ପାଣ୍ଡିଆନ
ଅଟୋରେ ଆସି ଭୋଟ ଦେଲେ ପାଣ୍ଡିଆନ୍‍: ଭୁବନେଶ୍ୱରରେ ଭୋଟ ଦେଇଛନ୍ତି ଓ ବିଜେଡିର ଦ୍ୱିତୀୟ୍ର ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍। ନିଜ ସରକାରୀ ବାସଭବନରୁ ବୁଥକୁ ସେ ଅଟୋରେ ବସି ଆସିଥିଲେ। ଡ୍ରାଇଭରଭାଇମାନେ ଅନୁରୋଧ କରିଥିଲେ ଅଟୋରେ ଆସିବା ପାଇଁ, ଏଣୁ ମୁଁ ଅଟୋରେ ଆସି ଭୋଟ ଦେଇଛି ବୋଲି କହିଛନ୍ତି ପାଣ୍ଡିଆନ୍‍। ଭୋଟ ଦେଇସାରିବା ପରେ କହିଛନ୍ତି ଯେ, ଏହା ହେଉଛି ଗଣତନ୍ତ୍ରର ଏକ ବଡ଼ ପର୍ବ। ସମସ୍ତେ ଏଥିରେ ସାମଲ୍‍ ହୁଅନ୍ତୁ। ଗଣତନ୍ତ୍ରରେ ପ୍ରତିଜଣଙ୍କ ଭୋଟ ଦିଅନ୍ତୁ।

25 May 2024 10:01 AM (IST)

Odisha Election News Live:  ବ୍ରହ୍ମଗିରିରେ ଉତ୍ତେଜନା, ଗଡ଼ ରୋଡ଼ଙ୍ଗରେ ବିଜେପି ପ୍ରାର୍ଥୀଙ୍କ ଗୁରୁତର ଅଭିଯୋଗ
ଭୁବନେଶ୍ୱର: ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଗଡ଼ ରୋଡ଼ଙ୍ଗଠାରେ ଉତ୍ତେଜନା ଦେଖାଦେଇଛି। ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ସିଧାସଳଖ ପ୍ରିଜାଇଡିଂ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ବୁଥ ଭିତରେ ବିଜେଡି ଏଜେଣ୍ଟ ତାଙ୍କୁ ଦୁର୍ବ୍ୟବହାର କରୁଥିବା ବି ଅଭିଯୋଗ ଆଣିଥିବା ଅଭିଯୋଗ ଆଣିଛନ୍ତି ଉପାସନା। ଏ ବିଷୟରେ ସେ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କୁ ଜଣାଇଛନ୍ତି ବୋଲି ସେ କହିଛନ୍ତି। 

25 May 2024 09:56 AM (IST)

Odisha Election News Live: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ
ମୁଁ ଭାବୁଛି ବିଜୁ ଜନତା ଦଳ ଉଭୟ ସଂସଦୀୟ ଓ ବିଧାନସଭା ନିର୍ବାଚନ ବିପୁଳ ବିଜୟ ପାଇବ। ଲୋକଙ୍କ ଆଶୀର୍ବାଦ ଓ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବଳରେ ଆମେ ସରକାର ଗଢ଼ିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

25 May 2024 09:53 AM (IST)

Odisha Election 2024: ଭୁବନେଶ୍ୱର: ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହୋଇଛି। ସର୍ବାଧିକ କେନ୍ଦୁଝର ଲୋକସଭା ମଣ୍ଡଳୀରେ ଭୋଟଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ଭୋଟିଂ ରେକର୍ଡ କରାଯାଇଛି। ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁସାରେ ଭୁବନେଶ୍ୱରରେ ୬.୬%%, କଟକରେ ୭.୩୨%, ଢେଙ୍କାନାଳରେ ୭.୯୫%, କେନ୍ଦୁଝରରେ ୮.୭୪%, ପୁରୀରେ ୬.୮୭% ଏବଂ ସମ୍ବଲପୁରରେ ୭.୦୯% ମତଦାନ ହୋଇଛି। 

ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦେଖିଲେ କେନ୍ଦୁଝରର ପାଟଣା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଭୋଟିଂ ରେକର୍ଡ କରାଯାଇଛି। ଏଠାରେ ସମୁଦାୟ ମତଦାନ ହାର ସକାଳ ୯ଟା ସୁଦ୍ଧା ପ୍ରାୟ ୧୨.୫୦% ରହିଥିବା ନିର୍ବାଚନ କମିଶଙ୍କ ଓ୍ୱେବସାଇଟରୁ ଜଣାପଡ଼ିଛି। ଠିକ ସେହିପରି ସର୍ବନିମ୍ନ ଭୋଟିଂ ଭୁବନେଶ୍ୱରରର ଜୟଦେବ ନିର୍ବାଚନ ମଣ୍ଡଳୀରେ ହୋଇଛି। ଏଠାରେ ମତଦାନ ହାର ରହିଛି ମାତ୍ର ୨%। ଭୁବନେଶ୍ୱରର ଅନ୍ୟ ତିନି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକାମ୍ରରେ ୪%, ଉତ୍ତରରେ ୮.୨୦% ଏବଂ ମଧ୍ୟ ଭୁବନେଶ୍ୱରରେ ସର୍ବାଧିକ ୧୦% ଭୋଟିଂ ରେକର୍ଡ କରାଯାଇଛି। ଖଣ୍ଡପଡ଼ାରେ ୧୧ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଥିବାବେଳେ କେନ୍ଦୁଝରରେ ୧୧,୫୦% ତେଲକୋଇରେ ୧୦ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି ।

25 May 2024 09:53 AM (IST)

Odisha Election News LIve: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ
ଭୋଟ ଦେଲେ ମୁଖ୍ୟମନ୍ତ୍ରୀ: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି। ଭୁବନେଶ୍ୱର ଏକାମ୍ରା ନିର୍ବାଚନ ମଣ୍ଡଳର ପଳାସପଲ୍ଲୀଠାରେ ସେ ଭୋଟ୍‍ ଦାନ କରିଥିଲେ। ନବୀନ ନିବାସ ପାଖରେ ଥିବା ଆଦର୍ଶ ଭୋଟିଂ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ଭୋଟ ଦେଇଥିଲେ।ଅନ୍ୟମାନଙ୍କୁ ମଧ୍ୟ ଭୋଟ ଦେବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେଲ୍ଫି ଜୋନ୍‍ରେ ସାଲଫି ନେଇଥିଲେ।

25 May 2024 09:36 AM (IST)

Odisha Election News LIve: ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ
ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହୋଇଛି। ସର୍ବାଧିକ କେନ୍ଦୁଝର ଲୋକସଭା ମଣ୍ଡଳୀରେ ଭୋଟଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ଭୋଟିଂ ରେକର୍ଡ କରାଯାଇଛି। ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁସାରେ ଭୁବନେଶ୍ୱରରେ ୬.୬%%, କଟକରେ ୭.୩୨%, ଢେଙ୍କାନାଳରେ ୭.୯୫%, କେନ୍ଦୁଝରରେ ୮.୭୪କ୍ୟ%, ପୁରୀରେ ୬.୮୭% ଏବଂ ସମ୍ବଲପୁରରେ ୭.୦୯% ମତଦାନ ହୋଇଛି।

25 May 2024 09:34 AM (IST)

Odisha Election News Live: ଭୁବନେଶ୍ବରରେ ଲମ୍ବା ଲାଇନ୍‌
ନେତା ବାଛୁଛନ୍ତି ଜନତା। ଭୋଟ ଦେବାକୁ ଭୁବନେଶ୍ୱରରେ ଲମ୍ବା ଲାଇନ୍‌। ସହରୀ ଭୋଟରଙ୍କ ମଧ୍ୟରେ ଭୋଟ୍‌ ଦେବାକୁ ଆଗ୍ରହ। ପୂର୍ବ ନିର୍ବାଚନ ତୁଳନାରେ ଭୋଟ୍‌ ହାର ବଢ଼ିବା ଆଶା ଉଜ୍ଜ୍ବଳ।

25 May 2024 09:15 AM (IST)

Odisha Election News Live : ଭୋଟ ଦେଲେ ରାଷ୍ଟ୍ରପତି
ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀରେ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପାଇଁ କଡା ସୁରକ୍ଷା ମଧ୍ୟରେ ସେ ମତଦାନ ବୁଥରେ ପହଞ୍ଚିଥିଲେ। ଭୋଟ୍ ଦେବା ପରେ ସେ ଗଣମାଧ୍ୟମକୁ ଆଙ୍ଗୁଠିରେ ଥିବା ଇଙ୍କି ମଧ୍ୟ ଦେଖାଇଥିଲେ। ତେବେ ସେ ଗଣମାଧ୍ୟମ ସହିତ କୌଣସି ଆଲୋଚନା କରିନଥିଲେ। 

 

25 May 2024 09:06 AM (IST)

Odisha Election News Live: ସମ୍ବଲପୁରରେ ମତଦାନରେ ବିଳମ୍ବ
ସମ୍ବଲପୁରରେ ମତଦାନ ଆରମ୍ଭ। ମାନେଶ୍ୱର ବ୍ଲକ ଅନ୍ତର୍ଗତ ତବଲା ଗ୍ରାମର ୧୪୨ ନମ୍ବର ବୁଥର ଭୋଟିଂ ମେସିନ ଅଚଳ। ୪୭ ମିନିଟ୍ ବିଳମ୍ବରେ ଆରମ୍ଭ ହେଲା ମତଦାନ। ସେହିଭଳି ଭାବରେ ସମ୍ବଲପୁରର ଅନେକ ବୁଥରେ ମତଦାନ ବିଳମ୍ବ ହେଉଥିବାର ସୂଚନା।

25 May 2024 08:59 AM (IST)

Odisha Election News Live: ଅଚଳ ଇଭିଏମକୁ ନେଇ ତାତିଲେ ଭୋଟର
କେନ୍ଦୁଝର ଜିଲ୍ଲାରେ ଆଜି ସକାଳ 7ଟା ରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ତେବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ହୋଇଥିବା ସଖି ବୁଥ ର 225 ନମ୍ବର ରେ ଇଭିଏମ ମେସିନ ବାରମ୍ବାର ତ୍ରୁଟି ଯୋଗୁ ତାତିଲେ ଲୋକେ। ପରେ ଘଟଣା ସ୍ଥଳରେ ପର୍ଯ୍ୟବେକ୍ଷକ ପହଁଚି ଇଭିଏମ ଠିକ କରିବା ପରେ ଦୁଇ ଘଂଟା ବିଳମ୍ବ ରେ ଲୋକେ ଭୋଟ ଦେଇଛନ୍ତି।

 

25 May 2024 08:54 AM (IST)

Odisha Election News Live: ଅଟୋରେ ଆସି ଭୋଟ ଦେଲେ ପାଣ୍ଡିଆନ
ଶନିବାର ସକାଳେ ବିଜେଡି ନେତା ଭିକେ ପାଣ୍ଡିଆନ ୟୁନିଟ୍-୬ର ୪୪ ନମ୍ବର ବୁଥ୍‌ରେ ପହଞ୍ଚି ଭୋଟ୍ ଦେଇଛନ୍ତି। ସକାଳୁ ଏକ ଅଟୋରେ ବସି ବୁଥରେ ପହଞ୍ଚି ଲମ୍ବା ଧାଡିରେ ଲାଇନରେ ଛିଡା ହୋଇ ସେ ଭୋଟ୍ ଦେଇଛନ୍ତି। ଭୋଟ ଦେବା ପରେ ପାଣ୍ଡିଆନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସମସ୍ତେ ବହୁସଂଖ୍ୟାରେ ଆସି ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ।

25 May 2024 08:53 AM (IST)

Odisha Election News Live: ଅସନ୍ତୋଷ ଝାଡ଼ିଲେ ସମ୍ବିତ ପାତ୍ର
ଭୁଦାନ ନଗର ୭୭ନମ୍ବର ବୁଥର ଇଭିଏମ୍ ଅଚଳ, ଦୀର୍ଘ ସମୟ ଧରି ଅଚଳ ହେବା ଯୋଗୁଁ ମତଦାନ ବାଧାପ୍ରାପ୍ତ। ବହୁ ଭୋଟର ଫେରିଯାଇଥିବା ଦେଖିବାକୁ ମିଳିଛି। ସକାଳୁ ଏପର୍ଯ୍ୟନ୍ତ ଗୋଟିଏ ବି ଭୋଟ ପଡିନାହିଁ ଏହି ବୁଥରେ। ସେହିପରି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ମତଦାନ ପାଇଁ ଅପେକ୍ଷା କରିଛନ୍ତି। ଫଳରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି ଶ୍ରୀ ପାତ୍ର। ଶୁଣନ୍ତୁ କଣ କହୁଛନ୍ତି ସମ୍ବିତ...

 

25 May 2024 08:41 AM (IST)

Odisha Election News Live: ଭୋଟ ଦେଲେ ଗମ୍ଭୀର
ବିଜେପିର ପୂର୍ବ ଦିଲ୍ଲୀର ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀରେ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ ସେ କହିଥିଲେ ଯେ ମୁଁ କେବଳ କହିବାକୁ ଚାହେଁ ଯେ ସମସ୍ତେ ବାହାରକୁ ଆସି ବହୁ ସଂଖ୍ୟାରେ ଭୋଟ୍ ଦେବା ଉଚିତ୍। ଏହା ଆମର ଶକ୍ତି, ଏହା ଆମର ଗଣତନ୍ତ୍ର। ଗତ ୧୦ ବର୍ଷ ମଧ୍ୟରେ ବିଜେପି ସରକାର ବିକାଶ ପାଇଁ କାର୍ଯ୍ୟ କରିଛି। ଏଥର ଦଳକୁ ମଜବୁତ କରିବାରେ ମଧ୍ୟ ସହଯୋଗ କରିବେ।

 

25 May 2024 08:37 AM (IST)

Odisha Election News Live: ଧାରଣାରେ ମେହବୁବା ମୁଫତି
ଆଜି ଷଷ୍ଠ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ମତଦାନ ଚାଲିଛି। ଆଜି ସକାଳେ ଅନନ୍ତନାଗ-ରଜୌରୀ ଲୋକସଭା ଆସନରୁ ପିଡିପି ମୁଖ୍ୟ ତଥା ପ୍ରାର୍ଥୀ ମେହବୁବା ମୁଫତି ଦଳର ନେତା ଓ କର୍ମୀଙ୍କ ସହ ଏକ ଧର୍ମଘଟରେ ବସିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ବିନା କାରଣରେ ପୋଲିସ ପିଡିପି ପୋଲିଂ ଏଜେଣ୍ଟ ଏବଂ କର୍ମଚାରୀଙ୍କୁ ଅଟକ ରଖିଛି।

 

25 May 2024 08:32 AM (IST)

Odisha Election News Live: ବିଭିନ୍ନ ସ୍ଥାନରେ ଇଭିଏମ ଅଚଳ
୧୦୮ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 212 ଓ 211ରେ  EVM ତ୍ରୁଟି ହୋଇଥିବାର ଖବର ସାମ୍ନାକୁ ଆସିଛି। ଯାହା ଫଳରେ ୪୫ ମିନିଟରୁ ଊର୍ଦ୍ଧ୍ୱ ସମୟ ଧରି ଭୋଟରଙ୍କୁ ଅପେକ୍ଷା କରିବାକୁ ପଡିଥିଲା। 

25 May 2024 08:32 AM (IST)

Odisha Election News Live: ପୁରୀରେ ଇଭିଏମ ସମସ୍ୟା
ଭୁଦାନ ନଗର ୭୭ନମ୍ବର ବୁଥର ଇଭିଏମ୍ ଅଚଳ, ଦୀର୍ଘ ସମୟ ଧରି ଅଚଳ ହେବା ଯୋଗୁଁ ମତଦାନ ବାଧାପ୍ରାପ୍ତ। ବହୁ ଭୋଟର ଫେରିଯାଇଥିବା ଦେଖିବାକୁ ମିଳିଛି। ସକାଳୁ ଏପର୍ଯ୍ୟନ୍ତ ଗୋଟିଏ ବି ଭୋଟ ପଡିନାହିଁ ଏହି ବୁଥରେ। ସେହିପରି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ମତଦାନ ପାଇଁ ଅପେକ୍ଷା କରିଛନ୍ତି। 

25 May 2024 08:06 AM (IST)

Odisha Election News Live: ଆଜି ଓଡ଼ିଶା ଆସୁଛନ୍ତି ସ୍ମୃତି ଇରାନୀ
ଆଜି ଓଡ଼ିଶାଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ । କୁଜଙ୍ଗ, ଆଳି ଓ ରେମୁଣାରେ ତିନିଟି ଜନସଭା କରିବେ । ପାରାଦୀପର କୁଜଙ୍ଗଠାରେ ପ୍ରଥମ ସଭାରେ ଯୋଗ ଦେବେ ସ୍ମୃତି । ଏହାପରେ ଆସିବେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ଆଳି। ତା’ପରେ ରେମୁଣାରେ ନିର୍ବାଚନୀ ସଭାରେ ଯୋଗଦେବେ ।

25 May 2024 07:55 AM (IST)

Odisha Election News Live: ଭୋଟ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୋଟ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ କୁମାର ଧଳ ଆଜି ବୁଥକୁ ଆସି ଭୋଟ ଦେଇଛନ୍ତି। ତାଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ, ପୋଲିସ ଅଧିକାରୀଗଣ ଆସି ଭୋଟ ପ୍ରଦାନ କରିଛନ୍ତି। 

25 May 2024 07:53 AM (IST)

Odisha Election News Live: ଭୋଟ ଦେଲେ ବୈଦେଶିକ ମନ୍ତ୍ରୀ
ଦେଶର କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଆଜି ଦିଲ୍ଲୀର ୭ଟି ଲୋକସଭା ଆସନରେ ମତଦାନ ଚାଲିଛି। ଭୋଟ୍ ଦେବା ପାଇଁ ବୈଦେଶିକ ମନ୍ତ୍ରୀ ତାଙ୍କ ପତ୍ନୀଙ୍କ ସହ ପହଞ୍ଚିଥିଲେ। ସେ ଦିଲ୍ଲୀର ଦେଶବାସୀ ତଥା ଲୋକଙ୍କୁ ସେମାନଙ୍କର ଭୋଟ ଦେବାକୁ ନିବେଦନ କରିଛନ୍ତି ଏବଂ ବିଜେପିର ବିଜୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ଆମେ ବର୍ତ୍ତମାନ ଭୋଟ୍ ଦେଇଛୁ ଏବଂ ମୁଁ ଏହି ବୁଥରେ ପ୍ରଥମ ପୁରୁଷ ଭୋଟର ଥିଲି। ଆମେ ଚାହୁଁ ଲୋକମାନେ ବାହାରକୁ ଆସନ୍ତୁ ଏବଂ ଭୋଟ୍ ଦିଅନ୍ତୁ କାରଣ ଏହା ଦେଶ ପାଇଁ ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତ।

 

25 May 2024 07:50 AM (IST)

Odisha Election News Live: ଭୋଟ ଦେଲେ ମନୋହର ଲାଲ ଖଟ୍ଟର
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କର୍ଣ୍ଣଲ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମନୋହର ଲାଲ ଖଟ୍ଟର ଭୋଟ୍ ଦେଇଛନ୍ତି। ସେ କର୍ଣ୍ଣଲର ଏକ ମତଦାନ ବୁଥରେ ଭୋଟ୍ ଦେଇଥିଲେ। କଂଗ୍ରେସର ଦିବ୍ୟାଂଶୁ ବୁଦ୍ଧିରାଜା ତାଙ୍କୁ କର୍ଣ୍ଣଲ ଆସନରୁ କଡ଼ା ପ୍ରତିଯୋଗିତା ଦେଉଛି। ସେ ଲୋକସଭା ଆସନ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ, ତେଣୁ ତାଙ୍କର ବିଶ୍ୱସନୀୟତା ବିପଦରେ ରହିଛି। ଭୋଟ୍ ଦେବା ପରେ ସେ ହରିୟାଣାର ଲୋକଙ୍କୁ ଖୋଲାଖୋଲି ଭୋଟ୍ ଦେବାକୁ ନିବେଦନ କରିଛନ୍ତି।

25 May 2024 07:20 AM (IST)

Odisha Election News Live: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ
ଭୁଦାନ ନଗର ୭୭ନମ୍ବର ବୁଥର ଇଭିଏମ୍ ଅଚଳ, ଦୀର୍ଘ ସମୟ ଧରି ଅଚଳ ହେବା ଯୋଗୁଁ ମତଦାନ ବାଧାପ୍ରାପ୍ତ।

25 May 2024 07:15 AM (IST)

Odisha Election News Live: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ
କୌଣସି ବୁଥ ଭିତରକୁ ମୋବାଇଲ୍‍ ଫୋନ୍ ନେବା ନିଷିଦ୍ଧ କରାଯାଇଛି। ଏଥିଲାଗି ପୁଲିସ ପକ୍ଷରୁ ଆବଶ୍ୟକ ବିଜ୍ଞପ୍ତି ଜାରି କରାଯାଇ ଶୃଙ୍ଖଳିତ ଭୋଟରଙ୍କ ଦାୟିତ୍ୱ ସମ୍ପର୍କରେ କୁହାଯାଇଛି। ବୁଥର ୨୦୦ ମିଟର ପରିଧି ଭିତରେ କୌଣସି ପ୍ରଚାର ହୋଇପାରିବ ନାହିଁ।  ଆପଣ ବି କାହାକୁ ଭୋଟ୍‍ ଦେବା ଲାଗି କାହାକୁ ପ୍ରବର୍ତ୍ତଇବା ଅପରାଧ ଭାବେ ଗ୍ରହଣ କରାଯିବ। କୌଣସି ଭାବେ ପ୍ରତିବନ୍ଧକ ଲାଗିଥିବା ଅଞ୍ଚଳରେ ପ୍ରବେଶ ନକରିବାକୁ କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି। ପୁଣି ଏକାଠି ସାଙ୍ଗ ହୋଇ ବା ଦଳ ବଦ୍ଧ ଭାବେ ପ୍ରବେଶକୁ ମଧ୍ୟ ବାରଣ କରାଯାଇଛି।

25 May 2024 07:14 AM (IST)

Odisha Election News Live: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ
ସବୁଠାରୁ ଅନନ୍ୟ ହୋଇଛି ୟୁନିଟ୍‍ ୧ ସରକାରୀ ଉଚ୍ଚ ବିଦ୍ୟାଳୟ। ଉଡ଼ନ୍ତା ଗୁଡ଼ି ଭଳି ଏକ ସେଲ୍ଫି ପଏଣ୍ଟ ଏଠାରେ ନିର୍ମାଣ କରାଯାଇଛି। ଭୋଟର ଏଠାରେ ନିଜର ସେଲ୍ଫି ଉଠାଇପାରିବେ।

25 May 2024 07:13 AM (IST)

Odisha Election News Live: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ
ୟୁନିଟ ୬ ବାଳକ ବିଦ୍ୟାଳୟରେ ପରିବେଶ ସହାୟକ ବୁଥ ନିର୍ବାଣ କରାଯାଇଛି। ଏଠାରେ ଏକ ଗ୍ରାମୀଣ ପରିବେଶ ଭିତରେ ଭୋଟ ଦେବା ବ୍ୟବସ୍ଥା ହୋଇଛି। ୟୁନି୩ କ୍ୟାପିଟାଲ୍‍ ହାଇସ୍କୁଲ୍‍ ବୁଥ ଯୁବ କର୍ମଚାରୀଙ୍କ ଦ୍‍ୱାରା ପରିଚାଳିତ। ଏଠାରେ ଗୀତାର ଭଳି ଏକ ସେଲ୍ଫି ପଏଣ୍ଟ କରାଯାଇଛି।ୟୁନିଟ ୬ ବାଳିକା ବିଦ୍ୟାଳୟର ବୁଥ ହେଉଛି ସଖି ବୁଥ। ଦୋଳି ଭଳିଆ ଏକ ସେଲ୍ଫି ପଏଣ୍ଟ ଏଠାରେ ହୋଇଛି।

25 May 2024 06:58 AM (IST)

Odisha Election News Live: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। 
ଭୁବନେଶ୍ୱରର ୬ଟି ସ୍ଥାନରେ ମଡେଲ୍‍ ବୁଥ ବ୍ୟବସ୍ଥା କରାଯାଇଛି। ପ୍ରତିଟି ବୁଥରେ ସ୍ୱତନ୍ତ୍ର ସେଲ୍ଫି ପଏଣ୍ଟ ତିଆରି କରଯାଇଛି। ଭିନ୍ନ ଭିନ୍ନ ପ୍ରକାରେ ଏହି ସେଲ୍‍ଫି ପଏଣ୍ଟକୁ ସଜା ଯାଇଛି।  ୟୁନିଟ ୯ ସରକାରୀ ବାଳିକା ବିଦ୍ୟାଳୟରେ ଚେସ୍‍ ବୋର୍ଡ ଆକାରରେ ରହିଛି ସେଲ୍ଫି ପଏଣ୍ଟ। ରାଜଭବନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କେବଳ ମହିଳାମାନେ ପରିଚାଳନା କରୁଛନ୍ତି। ଏଥିରେ ବି ମହିଳାମାନଙ୍କ ମୁହଁ ଥାଇ ଏକ ସେଲ୍ଫି ପଏଣ୍ଟ କରାଯାଇଛି।

25 May 2024 06:45 AM (IST)

Odisha Election News Live: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। 
କେଉଁ ବୁଥରେ ହୋଇଛି ଆପଣଙ୍କ ଭୋଟଦାନ ବ୍ୟବସ୍ଥା ଜାଣିବେ କେମିତି? ଏଥିଲାଗି ନିର୍ବାଚନ କମିଶନଙ୍କ ଓ୍ୱେବସାଇଟ୍‍  https://electoralsearch.eci.gov.in/ କିମ୍ବା ଭୋଟର ହେଲ୍ପଲାଇନ ଆପ୍‍ ଡାଉନଲୋଡ୍‍ କରି ଜାଣିପାରିବେ। ଏଥିରେ ତିନି ପ୍ରକାରେ ଆପଣ ନିଜର ଭୋଟିଂ କେନ୍ଦ୍ର ବିଷୟରେ ଜାଣିବା ସହଜ ହେବ। ଗୋଟିଏ ଫଣଙ୍କ ଭୋଟର ପରିଚୟ ପତ୍ର ତଥ୍ୟ ଦେଇ, ଦ୍ୱିତୀୟରେ ନିଜର ବିବରଣୀ ଦେଇ ନହେଲେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍‍ ନମ୍ବର ଦେଇ ମଧ୍ୟ ଆପଣ ପୁଲିଂ ବୁଥ ସମ୍ପର୍କିତ ତଥ୍ୟ ଡାଉନଲୋଡ୍‍ କରିପାରିବେ।

25 May 2024 06:45 AM (IST)

Odisha Election News Live: ୮ ରାଜ୍ୟରେ ହେବ ମତଦାନ
ଦେଶର ଏହା ଷଷ୍ଠ ପର୍ଯ୍ୟାୟ ସାଧାରଣ ନିର୍ବାଚନ। ୮ ରାଜ୍ୟର ୫୮ଟି ଲୋକସଭା ମଣ୍ଡଳୀ ଲାଗି ଭୋଟ ଗ୍ରହଣ କରାଯିବ। ଏଥିରେ ୪୯ ଆସନ ସାଧାରଣ ବର୍ଗର ହୋଇଥିବା ବେଳେ ୨ଟି ଆଦିବାସୀ ଏବଂ ୭ଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଆସନ।

ଉତ୍ତରପ୍ରଦେଶ: ଫୁଲପୁର, ସୁଲତାନପୁର, ପ୍ରତାପଗଡ଼, ଆହ୍ଲାବାଦ, ଆମ୍ବେଦକର ନଗର, ବସ୍ତି, ଶ୍ରୀବସ୍ତୀ, ଡୁମାରିଆଗଞ୍ଜ, ଲାଲଗଞ୍ଜ, ଆଜମଗଡ଼, ଭଦୋହୀ, ଜୌନପୁର, ମଛଲି ସହର

ହରିଆଣା: ହିସାର, କରନାଲ, ଅମ୍ବାଲା, କୁରୁକ୍ଷେତ୍ର, ସିର୍ସା, ସୋନିପତ, ରୋହତକ, ଫରିଦାବାଦ, ଭିୱାଣ୍ଡି, ମହେନ୍ଦ୍ରଗଡ଼, ଗୁରୁଗ୍ରାମ

ବିହାର: ପଶ୍ଚିମ ଚମ୍ପାରଣ, ବାଲ୍ମିକୀ ନଗର, ପୂର୍ବ ଚମ୍ପାରନ, ବୈଶାଳୀ, ଶିବହର, ଗୋପାଳଗଞ୍ଜ, ମହାରାଜଗଞ୍ଜ, ସିୱାନ

ଝାଡ଼ଖଣ୍ଡ: ରାଞ୍ଚି, ଗିରିଡିହୀ, ଧାନବାଦ, ଜାମସେଦପୁର

ଓଡ଼ିଶା: ଭୁବନେଶ୍ୱର, କଟକ, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ପୁରୀ

ପଶ୍ଚିମ ବଙ୍ଗ: ଘାଟଲ, ଝାଡଗ୍ରାମ, ତମଲୁକ, କାନ୍ଥି, ମେଦିନିପୁର, ବିଷ୍ଣୁପୁର, ପୁରୁଲିଆ, ବାଙ୍କୁଆରା

ଦିଲ୍ଲୀ: ପୂର୍ବ ଦିଲ୍ଲୀ, ନୂଆ ଦିଲ୍ଲୀ, ଚାନ୍ଦିନୀ ଚୌକ, ଉତ୍ତରପୂର୍ବ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ଉତ୍ତର ପଶ୍ଚିମ ଦିଲ୍ଲୀ

ଜମ୍ମୁ କାଶ୍ମୀର: ଅନନ୍ତନାଗ-ରଜୌରୀ

25 May 2024 06:42 AM (IST)

Odisha Election News Live: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। 
ଦେଶରେ ଏଥିଲାଗି ୧୧ କୋଟି ୧୩ ଲକ୍ଷ ଭୋଟର ଏଥର ଭୋଟ ଦେଉଛନ୍ତି। ସେଥିରୁ ୫ କୋଟି ୮୪ ଲକ୍ଷ ଭୋଟର ପୁରୁଷ ହୋଇଥିବା ବେଳେ ୫ କୋଟି ୨୯ ଲ୪ ମହିଳା ଭୋଟର। ୫୧୨୦ ଜଣ ହେଉଛନ୍ତି ତୃତୀୟ ଲିଙ୍ଗୀ। ଏମାନଙ୍କ ସୁବିଧା ଲାଗି ୧୧ ଲକ୍ଷ ୪୦ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।  ସମଗ୍ର ଦେଶରେ ୧ଲକ୍ଷ ୧୪ ହଜାର ମତଦାନ କେନ୍ଦ୍ର ଖୋଲାଯାଇଛି।

25 May 2024 06:37 AM (IST)

Odisha Election News Live: ଦିଲ୍ଲୀରେ ଆଜି ୭ଟି ଆସନରେ ମତଦାନ
ଆଜି ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ୭ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ମକ୍ ପୋଲ୍ ଠିକ୍ ୬ଟାରୁ ଆରମ୍ଭ ହୋଇଥିଲା। ଲୋଧି ଇଷ୍ଟେଟର ଏକ ମତଦାନ ବୁଥରେ ମକ ପୋଲିଂ ପ୍ରସ୍ତୁତି ଶେଷ ହୋଇଛି। ବୁଥରେ ପୋଷ୍ଟ କରାଯାଇଥିବା ଅଧିକାରୀମାନେ ଏକ ମକ୍ ପୋଲ୍ କରିଥିଲେ। ଭୋଟ୍ ହେତୁ ଆଜି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ।

 

25 May 2024 06:32 AM (IST)

Odisha Election News Live: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। 
ଆଜି ମୁଖ୍ୟତଃ ୩ ମହାନଗରରେ ନିର୍ବାଚନ ହେବ। କଟକ, ଭୁବନେଶ୍ୱର, ସମ୍ବଲପୁର ସମେତ ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ନିର୍ବାଚନ ମଣ୍ଡଳୀ ଲାଗି ଭୋଟିଂ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୯୮ ଲକ୍ଷ ୪୮ ହଜାର। ଏଥିରେ  ପ୍ରାୟ ୪୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ମହିଳା ଭୋଟର ୪୬ ହଜାର। ସାଧାରଣତଃ ଏଠାରେ ମହିଳାଙ୍କ ଭୋଟ୍‍ ଅଧିକ ଗୁରୁତ୍ୱପୂର୍ଣ୍ଣ  ବୋଲି ଗ୍ରହଣ କରାଯାଇଥାଏ।

25 May 2024 06:28 AM (IST)

Odisha Election News Live: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। 
ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ସମୁଦାୟ ୬ ଲୋକସଭା ଆସନ ପାଇଁ ମତଦେନ ଗ୍ରହଣ କରାଯିବ। ଏଥିଲାଗି ୧୨ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇଛନ୍ତି। ୩୫ ହଜାର ପୁଲିସ କର୍ମଚାରୀଙ୍କ ସହ ୧୨୧ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ରବଳ ମହଜୁଦ ଅଛନ୍ତି। ସେମାନେ ପୁଲିଂ ପାର୍ଟିକୁ ସୁରକ୍ଷା ପ୍ରଦାନ ସହ ବୁଥ ନିକଟରେ ଯେପରି କୌଣସି ଅଶାନ୍ତି ନହୁଏ ତାହା ଉପରେ ନଜର ରଖିବେ।

25 May 2024 06:17 AM (IST)

Odisha Election News Live: ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ!
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ଡିପ୍ରେସନ୍‌ରେ ପରିଣତ ହୋଇଛି। ଏହାର ଗତି ଉତ୍ତର-ପୂର୍ବ ଦିଗକୁ ରହିଛି। ଏହା ଅଧିକ ତୀବ୍ର ହୋଇ ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨୫ ତାରିଖ ରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେଇ ଉତ୍ତର ଦିଗକୁ ଗତି କରିବ। ଆସନ୍ତା ୨୬ ତାରିଖ ମଧ୍ୟ ରାତିରେ ବାତ୍ୟା ସାଗର ଆଇଲ୍ୟାଣ୍ଡ ଓ ଖେପୁପରା ମଝିରେ ବଂଲାଦେଶ ଏବଂ ପଶ୍ଚିମବଙ୍ଗ ସୀମା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।

25 May 2024 06:16 AM (IST)

Odisha Elections News LIVE: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୨୫ ହେଉଛି ଶନିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

25 May 2024 06:15 AM (IST)

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Add Zee News as a Preferred Source

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More