Bahuda Yatra: ଆଜି ବାହୁଡ଼ାଯାତ୍ରା, ଅପରାହ୍ଣରେ ହେବ ପହଣ୍ଡି
Advertisement
Article Detail0/zeeodisha/odisha2336265

Bahuda Yatra: ଆଜି ବାହୁଡ଼ାଯାତ୍ରା, ଅପରାହ୍ଣରେ ହେବ ପହଣ୍ଡି

Bahuda Yatra: ଆଜି ଆଉ ଏକ ବିଶେଷ ନୀତି ବଡ଼ଦାଣ୍ଡରେ ପାଳନ କରାଯିବ। ଏହା ବାହୁଡ଼ା ପର୍ବର ଅଂଶ ବିଶେଷ ।ମହାପ୍ରଭୁ ମାଉସୀମା ମନ୍ଦିରରେ ଅଟକି ପୋଡ଼ ପିଠା ଭୋଗ ଖାଇବେ। ଏହା ଏକ ଅନନ୍ୟ ପରମ୍ପରା । 

 

Bahuda Yatra: ଆଜି ବାହୁଡ଼ାଯାତ୍ରା, ଅପରାହ୍ଣରେ ହେବ ପହଣ୍ଡି

Bahuda Yatra: ଆଜି ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା। ଆଡ଼ପ ମଣ୍ଡପକୁ ଛାଡ଼ି ପୁଣିଥରେ ଶ୍ରୀମନ୍ଦିର ଅଭିମୁଖେ ଆସିବେ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ନୀତି ନିର୍ଘଣ୍ଟ କରାଯାଇଛି।  ଶ୍ରୀମନ୍ଦିର ପକ୍ଷରୁ ପ୍ରକାଶିତ ନୀତି ତାଲିକା ଅନୁସାରେ ପ୍ରାତଃ ୪ଟାରେ ମଙ୍ଗଳ ଆଳତି ହୋଇଛି। ଏହାପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷହୋଇ ଗୋପାଳ ବଲ୍ଲଭ ଖେଚୁଡ଼ି ଭୋଗ ଶେଷ ହୋଇଛି। ସକାଳ ସାତଟା ସୁଦ୍ଧା ଏସବୁ ନୀତି ଶେଷ ହୋଇ ସେନାପଟା ଲାଗି ଆରମ୍ଭ ହୋଇଛି। ଦିନ ୧୨ଟାରେ ଆରମ୍ଭ ହେବ ବାହୁଡ଼ା ପହଣ୍ଡି। ଅପରାହ୍ଣ ୪ଟାରେ ରଥଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। 

ରଥଉପରେ ବିରାଜମାନ କଲାପରେ ଶ୍ରୀ ଜିଉଙ୍କୁ ପରମ୍ପରା ଅନୁସାରେ ବେଶ କରାଯିବ। ଅପରାହ୍ଣ ୧ଟାରୁ ୨ଟା ୩୦ ଭିତରେ ଏହି ନୀତି ସମାପନ ହୋଇ ଗଜପତି ମହାରାଜାଙ୍କୁ ଛେରା ପହଁରା ପାଇଁ ଆସିବାକୁ ନିମନ୍ତ୍ରଣ ଦିଆଯିବ। ଗଜପତି ମହାରାଜା ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ତିନି ରଥରେ ଛେରା ପହଁରା ଶେଷ କରିବେ। ଏହାପରେ ଚାରମାଳ ଖୋଲାଯିବ। ଘୋଡ଼ା ଲାଗିବ ଏବଂ ରଥଟଣା ହେବ। ରଥଟଣା ସରିଲାପରେ ଅନ୍ୟ ରୀତିନୀତି ହେବ। 

ଆଜି ଆଉ ଏକ ବିଶେଷ ନୀତି ବଡ଼ଦାଣ୍ଡରେ ପାଳନ କରାଯିବ। ଏହା ବାହୁଡ଼ା ପର୍ବର ଅଂଶ ବିଶେଷ ।ମହାପ୍ରଭୁ ମାଉସୀମା ମନ୍ଦିରରେ ଅଟକି ପୋଡ଼ ପିଠା ଭୋଗ ଖାଇବେ। ଏହା ଏକ ଅନନ୍ୟ ପରମ୍ପରା । ଏଥିଲାଗି ବଡ଼ ଦାଣ୍ଡରେ ଥିବା ମାଉସୀ ମା ମନ୍ଦିରରେ ପୋଡ଼ପିଠା ପ୍ରସ୍ତୁତ ହୋଇଛି। ପୁଣି ବଡ଼ ଦାଣ୍ଡରେ ଲକ୍ଷ୍ମୀ ନାରାୟ୍ରଣ ଭେଟ ପର୍ବ ରହିଛି। ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀ ମହାଲକ୍ଷ୍ମୀଙ୍କ ଭେଟ କରାଯିବ। ରାଜା ନଅର ଠାରେ ଏହି ପରମ୍ପରା ଗଜପତି ମହାରାଜା ପାଳନ କରିବା ବିଧି ରହିଛି। 

ଶ୍ରୀମନ୍ଦିର ପ୍ରଶାସନ ପାଖରେ ବାହୁଡ଼ା ପହଣ୍ଡି ଏବଂ ସୁରୁଖୁରୁରେ ରଥ ପରିଚାଳନା ଏକ ଆହ୍ୱାନ ହୋଇ ଠିଆ ହୋଇଛି। କାରଣ ଆଡ଼ପ ପହଣ୍ଡ ବେଳେ ଶ୍ରୀ ବଳଭଦ୍ରଙ୍କ ମୂର୍ତ୍ତି ହାତରୁ ଖସିଯିବା ସମସ୍ତ ହିନ୍ଦୁ ସମାଜ ତଥା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ଏହା ପୁଣି ବିଜେପି ସରକାର ପାଇଁ ମଧ୍ୟ ଏକ ଆଲୋଚନାର ବିଷୟ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ବଦଳି କରାଯାଇ ନୂଆ ମୁଖ୍ୟ ପ୍ରଶାସକ ନିଯୁକ୍ତ ହୋଇଛନ୍ତି। ନୂଆ ପ୍ରଶାସକ ରଥ ଉପରେ ମୋବାଇଲ୍‍ ବ୍ୟବହାରକୁ ମନା କରିଛନ୍ତି। ଏହା ପୂର୍ବ ନିର୍ଦ୍ଧାରଣ ଅନୁସାରେ ପାଳନ କରାଯାଉଛି ବୋଲି ସେ କହିଛନ୍ତି।

Also Read: Sri Jagannath Ratna Bhandara: ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ବାହାର ରତ୍ନ ହେଲା ସ୍ଥାନାନ୍ତରଣ, ଭଣ୍ଡାର ଭିତରକୁ ଯାଇପାରିଲେନି ଟିମ୍‍