Nayagarh: ମଧ୍ୟାହ୍ନଭୋଜନ ବାଟବଣା, ଅଣ୍ଡା ଖାଇଗଲେ ଶିକ୍ଷୟିତ୍ରୀ!
Advertisement
Article Detail0/zeeodisha/odisha1361257

Nayagarh: ମଧ୍ୟାହ୍ନଭୋଜନ ବାଟବଣା, ଅଣ୍ଡା ଖାଇଗଲେ ଶିକ୍ଷୟିତ୍ରୀ!

Midday Meal: ହରିଲୁଟ୍ ହେଉଛି ମଧ୍ୟାହ୍ନଭୋଜନ ଯୋଜନା । କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଦ୍ୱାରା ଯୋଗାଇଦିଆଯାଉଥିବା ଅଣ୍ଡାକୁ ମଧ୍ୟ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ହଡ଼ପ କରୁଥିବାରୁ ଯୋଜନାର ସଫଳତା କୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନବାଚୀ ।

ସୌ: ସୋସିଆଲ ମିଡିଆ

ନୟାଗଡ଼: ଅଣ୍ଡା ଖାଇଗଲେ ଶିକ୍ଷୟିତ୍ରୀ । ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାପାଇଁ ସରକାର ସ୍କୁଲକୁ ଅଣ୍ଡା ଯୋଗାଉଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଅଣ୍ଡାକୁ ସ୍କୁଲ ଶିକ୍ଷୟିତ୍ରୀ ଖାଇଦେବା ଓ ଚୋରି କରିନେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏ ଘଟଣାଟି ଘଟିଛି ନୟାଗଡ଼ ରଣପୁର ବ୍ଲକ୍ ଚମ୍ପାଗଡ ସରକାରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ।

ମିଳିଥିବା ସୂଚନା ଅନୁଯାୟୀ,ଜଣେ ଶିକ୍ଷୟିତ୍ରୀ ମଧ୍ୟାହ୍ନ ଭୋଜନ ଅଣ୍ଡା ପିଲାଙ୍କୁ ନଦେଇ ନିଜେ ଖାଉଛନ୍ତି । କିଛି ଅଣ୍ଡା ଲୁଚାଇ ରଖିଥିବା ବେଳେ ସ୍କୁଲ କମିଟି ଓ ଅଭିଭାବକମାନେ ଏହାକୁ ଧରିଛନ୍ତି । ଏହି ଘଟଣା ପରେ ସ୍କୁଲ କମିଟି ଓ ଅଭିଭାବକ ସ୍କୁଲ ପରିସରରେ ପହଞ୍ଚି ଶିକ୍ଷୟିତ୍ରୀଙ୍କ ଠାରୁ ଅଣ୍ଡା ଜବତ କରିବା ସହ ବ୍ଲକ୍ ଶିକ୍ଷାଧିକାରୀ ଓ ପୋଲିସକୁ ଖବର ଦେଇଥିଲେ । ଏଭଳି ଶକ୍ଷୟିତ୍ରୀଙ୍କୁ ତୁରନ୍ତ ସ୍କୁଲରୁ ବଦଳି କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି । ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ୍ ଶିକ୍ଷାଧିକାରୀ କହିଥିବା ପ୍ରକାଶ କରିଛନ୍ତି  ସ୍କୁଲ ପରିଚାଳନା କମିଟି ସଭାପତି ।

ଛାତ୍ରଛାତ୍ରୀଙ୍କ ସହିତ ଆଗରୁ ଏମିତି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଆଗରୁ ଏମିତି ଅଭିଯୋଗ ଆସିଥିବାବେଳେ ସେମାନେ ସ୍କୁଲର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣେଇଥିଲେବି କିଛି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଏ ଘଟଣାର ଉଚିତ ତଦନ୍ତ କରାଯାଇ ଦୋଷୀ ବୁରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜିବୀ ।

ଓଡିଶାରେ ସରକାର ଶିକ୍ଷାର ଉନ୍ନତି ଆଣିବାପାଇଁ ୫ ଟି ମାଧ୍ୟମରେ ଅନେକ ସଂସ୍କାର ଆଣିବାକୁ ଚେଷ୍ଟା କରୁଛନ୍ତି । ନୁତନ ସ୍କୁଲ ଗୃହ ନିର୍ମାଣ କରିବା ସହିତ ସ୍ମାର୍ଟ କ୍ଲାସରୁମ,ସ୍ମାର୍ଟ ଲାଇବ୍ରେରୀ,ଲ୍ୟାବ୍ ସହିତ ଖେଳପଡ଼ିଆର ଉନ୍ନତିକରଣ କରୁଛନ୍ତି । ଏଥିପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ତେବେ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ଉପସ୍ଥାନରେ ଉନ୍ନତି ଆଣିବା ଲକ୍ଷରଖି ପ୍ରାଥମିକ ବିଦ୍ୟାଳୟରେ ୧ ଜୁଲାଇ,୧୯୯୫ ରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସରକାର ।  ଏହି କାର୍ଯ୍ୟକ୍ରମ ଷାଠିଏ ହଜାରରୁ ଅଧିକ ପ୍ରାଥମିକ ବିଦ୍ୟାଳୟରେ ଚାଲିଛି ଏବଂ ପ୍ରାୟ ଷାଠିଏ ଲକ୍ଷ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରୁ ଲାଭବାନ ହେଉଛନ୍ତି। ତେବେ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହେଉଛି ।

ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟାହ୍ନ ଭୋଜନ ଯୋଜନାର ନାମ ପରିବର୍ତ୍ତନ କରି ପିଏମ୍‌-ପୋଷଣ ରଖିଛନ୍ତି। ଏହା ହେଉଛି ଏକ କେନ୍ଦ୍ର ପ୍ରାୟୋଜିତ ରାଷ୍ଟ୍ରୀୟ ଯୋଜନା । ଏଥିରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ଦିନକୁ ଗୋଟିଏ ଥର ଗରମ ରନ୍ଧାଖାଦ୍ୟ ଦିଆଯିବ। ପାଞ୍ଚ ବର୍ଷରେ ଏହି ଯୋଜନାରେ ୧,୩୦,୭୯୫ କୋଟି ଟଙ୍କା ବ୍ୟୟ କରାଯିବ। ଏନେଇ ୨୦୨୧ ସେପ୍ଟେମ୍ୱର ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ  ନିଷ୍ପତ୍ତି ନିଆଯାଇଥିଲା । ପିଏମ୍‌-ପୋଷଣ ଯୋଜନା ଦ୍ବାରା ଦେଶର ୧୧ ଲକ୍ଷ ୨୦ ହଜାରରୁ ଅଧିକ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ୧୧.୮ କୋଟି ଛାତ୍ରଛାତ୍ରୀ ଉପକୃତ ହେବେ। ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ  ଚାଲିବ ଏହି ଯୋଜନା।

ଏ ସବୁ ଭିତରେ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଯୋଗାଇଦେଉଥିବା ବ୍ୟବସ୍ଥାର ଯଦି ହରିଲୁଟ୍ କରାଯାଏ,ତେବେ ସରକାରଙ୍କ ଯୋଜନା ଯେ କେତେ ସଫଳ ହେବ ତାହା ସ୍ପଷ୍ଟ ଅନୁମେୟ । ଯଦି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉଚ଼ିତ ଦଣ୍ଡବିଧାନ କରାଯାଇପାରନ୍ତା,ତେବେ ଯୋଜନା ଫଳପ୍ରଦ ହୋଇପାରନ୍ତା ।