ରାଜ୍ୟସଭା ନିର୍ବାଚନ: କେହି ପଲଟିବେନି, ପୁଣି ଏକାଠି ହେବେକି ବିଜେପି ବିଜେଡି ?
Advertisement
Article Detail0/zeeodisha/odisha2085064

ରାଜ୍ୟସଭା ନିର୍ବାଚନ: କେହି ପଲଟିବେନି, ପୁଣି ଏକାଠି ହେବେକି ବିଜେପି ବିଜେଡି ?

ଓଡ଼ିଶାର ତିନି ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏଥର ଶେଷ ହେବକୁ ଥିବାରୁ ସେମାନଙ୍କ ସ୍ଥାନରେ କିଏ ହେବେ ରାଜ୍ୟସଭା ପ୍ରାର୍ଥୀ ତାହା ଚର୍ଚ୍ଚା ପରିଧିକୁ ଆସିଛି। ପୁଣି ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଆସନ୍ନ ହୋଇଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି।

ରାଜ୍ୟସଭା ନିର୍ବାଚନ: କେହି ପଲଟିବେନି, ପୁଣି ଏକାଠି ହେବେକି ବିଜେପି ବିଜେଡି ?

ଭୁବନେଶ୍ୱର: ରାଜ୍ୟସଭାର ଦ୍ୱିବାର୍ଷିକ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ଟି ରାଜ୍ୟ କୋଟାରେ ୫୬ ଜଣ ସଦସ୍ୟଙ୍କ ଲାଗି ଏହି ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶାର ତିନି ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏଥର ଶେଷ ହେବକୁ ଥିବାରୁ ସେମାନଙ୍କ ସ୍ଥାନରେ କିଏ ହେବେ ରାଜ୍ୟସଭା ପ୍ରାର୍ଥୀ ତାହା ଚର୍ଚ୍ଚା ପରିଧିକୁ ଆସିଛି। ପୁଣି ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଆସନ୍ନ ହୋଇଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି।

ଦୁଇ ପ୍ରମୁଖ ରାଜନୀତିକ ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉଭୟ ବିଜେଡି ଓ ବିଜେପି ପୂର୍ବତନ ସଦସ୍ୟଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବାକୁ ଚାହୁଁ ନାହାନ୍ତି। ପୁଣି ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଏଥର ଲୋକସଭା ପାଇଁ ନତିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବାରୁ ଏଥର ସମୀକରଣ ବଦଳିବା ସମ୍ଭାବନା ରହିଛି।

ଏକକ ସ୍ଥାନାନ୍ତରଣ ଭୋଟ୍‍ ପ୍ରକ୍ରିୟାରେ ରାଜ୍ୟର ବିଧାୟକମାନେ ରାଜ୍ୟସଭା ନିର୍ବାଚନ ଲାଗି ଭୋଟ ଦେଇଥାଆନ୍ତି। ଏଥିଲାଗି ଭୋଟର ଭାବେ ବିଧାୟକମାନେ ନିଜର ପସନ୍ଦକୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ଅନୁସାରେ ବ୍ୟାଲଟରେ ଦର୍ଶାଇଥାଆନ୍ତି। ଏହାପରେ ଏହି ପସନ୍ଦକୁ ହିସାବକୁ ନେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯାଇଥାଏ। ଅର୍ଥାତ୍‍ ଯଦି ତିନିଜଣ ପ୍ରାର୍ଥୀ ନିର୍ବାଚନରେ ଥାଆନ୍ତି ତେବେ ବିଧାନସଭାର ସଦସ୍ୟ ତାଙ୍କ ବ୍ୟାଲଟରେ କିଏ ପ୍ରଥମ ପସନ୍ଦ , କିଏ ଦ୍ୱିତୀୟ ଏବଂ କିଏ ତୃତୀୟ ପସନ୍ଦ ତାହାକୁ ଦର୍ଶାଇଥାଆନ୍ତି। ଏହିକ୍ରମରେ ସମସ୍ତ ବିଧାୟକମାନେ ଦେଇଥିବା ପ୍ରଥମ ପସନ୍ଦ ସଂଖ୍ୟାରେ ଯିଏ ଅଧିକ ଭୋଟ୍‍ ପାଇଥିବେ ତାହାଙ୍କୁ ବିଜୟୀ ଘୋଷଣା କରାଯାଇଥାଏ। ସେ ୬ ବର୍ଷ ପାଇଁ ରାଜ୍ୟସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଥାଆନ୍ତି।

ଜୁନ୍‍ ମାସ ୨୦୧୯ ମସିହାରେ  ଏହି ତିନି ପ୍ରାର୍ଥୀଙ୍କ ଲାଗି ନିର୍ବାଚନ  ଅନୁଷ୍ଠିତ ହୋଇଥିଲା। ସେଥିରୁ ଅମର ପଟ୍ଟନାୟକ ଏବଂ ପ୍ରଶାନ୍ତ ନନ୍ଦ ୬ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବାବେଳେ ଅଶ୍ୱିନୀ ବୈଷ୍ଣବ ୫ ବର୍ଷ ପାଇଁ ସଦସ୍ୟତା ପାଇଥିଲେ। ଯେହେତୁ ବିଧାନସଭା ନିର୍ବାଚନ ଲଢ଼ିବା ଲାଗି ରାଜ୍ୟସଭାରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ, ସେଥିଲାଗି ତାଙ୍କ ସ୍ଥାନରେ ଅଶ୍ୱିନୀ ନିର୍ବାଚନ ଲଢ଼ିଥିଲେ। ସେତେବଳେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ କଥା ରକ୍ଷା କରି ନବୀନଙ୍କ ବିଜେଡି ନିଜସ୍ୱ ପ୍ରାର୍ଥୀ ନଦେଇ  ଅଶ୍ୱିନୀଙ୍କୁ ସମର୍ଥନ ଦେବାରୁ ବିନା ନିର୍ବାଚନରେ ଅଶ୍ୱିନୀ ବିଜୟୀ ଘୋଷଣା ହୋଇଥିଲେ। ଏବେ ଆଉ ସେ ସମୟ ନାହିଁ। ରାଜନୀତିକ ପାଣିପାଗ ବଦଳିଛି। ପୁଣି ଅଶ୍ୱିନୀ ନିଜ ଦମ୍‍ରେ ଏଥର ଲୋକସଭାରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ଜଣେ ରାଜସ୍ଥାନୀ ହୋଇଥିଲେ ମଧ୍ୟ ସେ ଓଡ଼ିଶାରେ ଅନେକ ସଭୟ ଆଇଏଏସ୍‍ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଆଉ ସେଥିଲାଗି ସେ କଟକ ଲୋକେ ତାଙ୍କ ସମର୍ଥନ ଦେବେ ବୋଲି ସେ ଆଶା କରିଛନ୍ତି।

ଅପରପକ୍ଷେ ଅମର ପଟ୍ଟନାୟକ ପୂର୍ବଭଳି ଆଉ ବିଜେଡିର ଗୁଡ୍‍ବୁକରେ ନଥିବା ଭଳି ପ୍ରତୀୟମାନ ହେଉଛନ୍ତି। ଏଣୁ ତାଙ୍କୁ ଦଳ ଆଉଥରେ ପ୍ରାର୍ଥୀ ନକରିପାରେ। ପ୍ରଶାନ୍ତ ନନ୍ଦଙ୍କ କ୍ଷେତ୍ରରେ ମଧ୍‍ୟ ସେହି ସମୀକରଣ ଲାଗୁ ହେଉ ଥିବାରୁ ବିଜେଡି ଏଥର ଦୁଇଜଣ ନୂଆ ପ୍ରାର୍ଥୀ ଦେବ। ଏପରିକି ଅଶ୍ୱିନୀଙ୍କ ସ୍ଥାନରେ ତୃତୀୟ ଆସନ ଲାଗି ମଧ୍‍ୟ ପ୍ରାର୍ଥିପତ୍ର ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ତାହା ଯଦି ନହୁଏ ତେବେ ପୁରୁଣା ରାଜନୀତି ବି କଡ଼ ଲେଉଟାଇପାରେ। ଅର୍ଥାତ୍‍ ବିଜେପିକୁ ରାଜ୍ୟସଭା ଲାଗି ବିଜେଡି ସହାୟକ ହୋଇପାରେ। ଯଦି ତାହା ହୁଏ, ତେବେ ବିଜେଡି ପ୍ରାର୍ଥୀ ନଦେଇ ନୀରବ ରହିବ, ଯେମିତି ଅଶ୍ୱିନୀଙ୍କ ବେଳେ ହୋଇଥିଲା। ଏହା ଦୁଇ ଦଳ ଭିତରେ ଥିବା ମଧୂରତାକୁ ପୁଣିଥରେ ଚର୍ଚ୍ଚା ପରିସରକୁ ଆଣିପାରିବ ବୋଲି ଚର୍ଚ୍ଚା ହେଉଛି।

Also Read- ବିଜେଡିରେ ମିଶିଲା ଜଲିଉଡ୍ ! ଦୈତାରୀ ପଣ୍ଡାଙ୍କ ସହ ୨୯ କଳାକାର ଫୁଙ୍କିଲେ ଶଙ୍ଖ

Also Read- ଓଡ଼ିଶା ପ୍ରଜ୍ଞାପନ ମେଢ଼ ପାଇଲା ପ୍ରଥମ ପୁରସ୍କାର