Durga Puja : ୧୫୬୦ ମସିହାରେ କଟକରେ ଦୁର୍ଗାପୂଜା କିଏ ଆରମ୍ଭ କଲା ? ମଣ୍ତପରେ ଲାଗିଛି ୧୦୦ କ୍ୟୁଣ୍ଟାଲ ଚାନ୍ଦି ଓ ସୁନା
Advertisement

Durga Puja : ୧୫୬୦ ମସିହାରେ କଟକରେ ଦୁର୍ଗାପୂଜା କିଏ ଆରମ୍ଭ କଲା ? ମଣ୍ତପରେ ଲାଗିଛି ୧୦୦ କ୍ୟୁଣ୍ଟାଲ ଚାନ୍ଦି ଓ ସୁନା

Cuttack Durga Puja : ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା ( Durga )। ଚଳିତ ବର୍ଷ ବେଶ ଯାକଜମକରେ ରୌପ୍ୟ ନଗରୀରେ ଦୁର୍ଗା ପୂଜା ପାଳନ ହେଉଛି । କୋରୋନା ମହମାରୀର କଳା ବାଦଲ ହଟିବା ପରେ ପାର୍ବଣକୁ ସ୍ଵାଭାବିକ ଭାବେ ପାଳନ କରିବା ପାଇଁ ଅନୁମତି ମିଳିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Cuttack Durga Puja  : ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା ( Durga )। ଚଳିତ ବର୍ଷ ବେଶ ଯାକଜମକରେ ରୌପ୍ୟ ନଗରୀରେ ଦୁର୍ଗା ପୂଜା ପାଳନ ହେଉଛି । କୋରୋନା ମହମାରୀର କଳା ବାଦଲ ହଟିବା ପରେ ପାର୍ବଣକୁ ସ୍ଵାଭାବିକ ଭାବେ ପାଳନ କରିବା ପାଇଁ ଅନୁମତି ମିଳିଛି । ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଏବେ ଚଳଚଞ୍ଚଳ ହୋଇ ଉଠିଛି ହଜାର ବର୍ଷର ସହର କଟକ । ଏଠାରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶରା’, ଚାନ୍ଦିମେଢ଼ ପଛରେ ରହିଛି ଏକ ସୁନ୍ଦର ଇତିହାସ।

ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକାରିଣୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ ପୂଜା ପରମ୍ପରା ଏହାର ଦୁଇ ଶତାବ୍ଦୀ ପରେ କଟକରେ ଆରମ୍ଭ କରାଯାଇଥିଲା। ଚୈତନ୍ୟଦେବ ଓଡ଼ିଶାରେ ପାଦ ଦେବା ପରେ କଟକ ସହରରେ ଶାରଦୀୟ ପୂଜାର ଭିତି ପଡ଼ିଥିବା ଅନୁମାନ କରାଯାଏ। ୧୫୧୦ରେ ଚୈତନ୍ୟଦେବଙ୍କ ସହ ଓଡ଼ିଶା ଆସିଥିବା ବାନାର୍ଜୀ ପରିବାର ପ୍ରଥମେ ଏଠାରେ ଦୁର୍ଗାଦେବୀଙ୍କ ପୂଜା ଆରମ୍ଭ କରିଥିଲେ। ବିନୋଦବିହାରୀରେ ଆରମ୍ଭ ହୋଇଥିଲା ଦେବୀଙ୍କ ଘଟପୂଜା। ୧୫୧୪ରେ ଦେବୀଙ୍କ ମୃଣ୍ମୟୀ ପ୍ରତିମା ଗଢ଼ାଯାଇ ଦେବୀ ଉପାସନା କରାଗଲା। 

ଏହାର ଦୁଇ ଶତାବ୍ଦୀ ପରେ ମାଛୁଆ ବଜାରରେ ଦେବୀଙ୍କ ମୂର୍ତ୍ତି ପୂଜାର ଶୁଭାରମ୍ଭ ହୋଇଥିଲା। ୧୯୦୦ ମସିହା ପୂର୍ବରୁ କଟକ ସହରରେ ୫ ରୁ ୬ଟି ଦୁର୍ଗାମେଢ଼ ସାଙ୍ଗକୁ ୧୦ଟି ଅନ୍ୟ ମେଢ଼ କରାଯାଉଥିଲା । ଯାହାର ସଂଖ୍ୟା ବର୍ତ୍ତମାନ ୧୭୨ରେ ପହଞ୍ଚିଛି । କିନ୍ତୁ ବିନୋଦବିହାରୀ ସର୍ବପୁରାତନ ପୂଜା ମଣ୍ଡପ ହୋଇଥିବାରୁ ଏହାକୁ ସହରର ସବୁ ପୂଜା କମିଟି ଭିତରେ ବଡ଼ଭଉଣୀର ଆଖ୍ୟା ମିଳିଛି। ଏଠିକାର ପୂଜା ନୀତିକାନ୍ତି, ମେଢ଼ ଏବେ ବି ନିଜର ସ୍ୱାତନ୍ତ୍ର୍ୟତା ବଜାୟ ରଖି ଆସିଛି। ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ଯାଏ ଦୀର୍ଘ ୧୬ ଦିନ ଧରି କଟକର ବିଭିନ୍ନ ଶକ୍ତିପୀଠରେ ଦେବୀଙ୍କ ପୂଜାର୍ଚ୍ଚନା, ଉପଚାର, ବେଶ ଚାଲେ।

ଏହାବି ପଢନ୍ତୁ : Navratri 2022 Day 8: ନବରାତ୍ରୀରେ ମହାଗୌରୀଙ୍କୁ ଘରେ କେମିତି କରିବେ ଆରାଧନା,ଜାଣି ରଖନ୍ତୁ ଶୁଭ ମୂହୁର୍ତ୍ତ ଓ ପୂଜାବିଧି

କଟକ ଦଶରା’ର ଏକ ପ୍ରମୁଖ ବିଶେଷତା ହେଉଛି ଏହାର ମେଢ଼। ତାରକସିର ସହରରେ ପ୍ରଥମେ ଦେବୀଙ୍କ ଅଭ୍ର, କାଗଜ ଓ ସୋଲରେ ମେଢ଼ ତିଆରି ହେଉଥିଲା। ଏହାପରେ ଜରିମେଢ଼ ଓ ପରକୁ ପର ଚାନ୍ଦି ମେଢ଼, ସୁନା ମୁକୁଟ ଦଶହରାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଆଗେ ସୁନା, ରୁପା ଜାଗାରେ ଜରିମେଢ଼ ହେଉଥିଲା, ଯାହା ରୁପେଲି ଓ ସୁନେଲି ରଙ୍ଗରେ ଦେଖଣାହାରୀଙ୍କ ଆଖି ଝଲସାଇ ଦେଉଥିଲା। ମଙ୍ଗଳାବାଗର ଜରି ନିର୍ମିତ ସୁନେଲି ମେଢ଼ ବହୁବର୍ଷ ଧରି ଆକର୍ଷଣ ସାଜିଥିଲା। କ୍ରମେ ଚାନ୍ଦିମେଢ଼ ଏହାର ଜାଗା ନେଲା। କିନ୍ତୁ ଏବେ ବି କଟକ ସହରର ଅନେକ ପୂଜା ମଣ୍ଡପରେ ଜରିମେଢ଼ ନିଜ ଆକର୍ଷଣ ପୂର୍ବପରି ବଜାୟ ରଖିଛି।

୧୯୫୬ ମସିହାରେ କଟକରେ ପ୍ରଥମ ଚାନ୍ଦିମେଢ଼ ଦେଖିବାକୁ ମିଳିଥିଲା। ଚୌଧୁରୀ ବଜାର ପୂଜାମଣ୍ଡପରେ ଚାନ୍ଦିମେଢ଼ରେ ଶୋଭା ପାଇଥିଲେ ଦେବୀ ଦୁର୍ଗା। ୧୯୯୧ରେ ଶେଖ୍‌ ବଜାର ଦ୍ୱିତୀୟ ଚାନ୍ଦିମେଢ଼ କରିଥିବା ସୂଚନା ରହିଛି। ଏହାପରେ ଚାନ୍ଦି ମେଢ଼ ତାଲିକାରେ ଚାଉଳିଆଗଞ୍ଜ, ଅଲିଶାବଜାର, ଚାନ୍ଦିନୀଚୌକ, ଶଙ୍କରପୁର, ରାଣୀହାଟ, ହରିପୁର-ଦୋଳମୁଣ୍ଡାଇ, ତୁଳସୀପୁର, କାଠଗଡ଼ା ସାହି, ମାଛୁଆ ବଜାର, ଖାନନଗର-ଖପୁରିଆ, ଶିଖରପୁର, ଫିରିଙ୍ଗିବଜାର, ବାଲୁବଜାର, ବାଖରାବାଦ, ପିଠାପୁର, କାଳିଗଳି, ଗଣେଶଘାଟ ସାମିଲ ହୋଇଥିଲା ବେଳେ ଚଳିତ ବର୍ଷ କଲେଜ ଛକ ପୂଜା କମିଟି ରେ ଚାନ୍ଦି ମେଢ଼ ତିଆରି କରାଯାଇଛି।ଯାହା ଏବେ ଚାନ୍ଦି ମେଢ଼ ର ସଂଖ୍ୟା ପହଞ୍ଚିଛି ୨୮ ରେ।  ମା’ଙ୍କ ସୁନା ମୁକୁଟ ମଧ୍ୟ ପ୍ରଥମେ ତିଆରି କରିଥିଲା ଚୌଧୁରୀ ବଜାର। ଏହାପରେ ଶେଖବଜାର, ଚାଉଳିଆଗଞ୍ଜ, ରାଣୀହାଟରେ ,ଖାନ ନଗରରେ ମା’ଙ୍କ ମୁଣ୍ଡରେ ଶୋଭା ପାଇଛି ସୁନା ମୁକୁଟ। ଯଦି ହିସାବ କରାଯାଏ ତେବେ ବର୍ତ୍ତମାନ କଟକ ସହରରେ ପାଖାପାଖି ୧୦୦ କୁଇନ୍ଟାଲ ଚାନ୍ଦି ଓ ପାଖାପାଖି ୧୦୦ କେଜି ର ସୁନା ଅଳଙ୍କାରରେ ପୂଜା ପାଉଛନ୍ତି ମା ଦୁର୍ଗା ଓ ହର ପାର୍ବତୀ।

ସେହିଭଳି ଗତ ଦୁଇବର୍ଷ ଧରି କରୋନା କଟକଣା ପାଇଁ ବନ୍ଦ ରହିଥିଲା ଦୂର୍ଗାପୂଜା। ପରଦା ଭିତରେ ଓ ଛୋଟ ମୂର୍ତ୍ତିରେ ପୂଜା ପାଉଥିଲେ ମା ଦୁର୍ଗା ଓ ହର ପାର୍ବତୀ । ଯାହା ଶ୍ରଦ୍ଧାଳୁ ମାନଙ୍କ ମନରେ ଆଘାତ ଦେଇଥିଲା କିନ୍ତୁ ଚଳିତ ବର୍ଷ ସ୍ଥିତି ବଦଳିଛି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନ ହୋଇଛି । ସୁସଜ୍ଜିତ ଆଲୋକ ମାଳା,ମେଲୋଡି ପୂଜା ମଣ୍ତପ ବୁଲିବାରେ ବେଶ୍ ମଜଗୁଲ ଅଛନ୍ତି ସମସ୍ତେ।