)
Weather Update: ଗତକିଛି ଦିନ ହେବ ରାଜ୍ୟରେ କାଳବୈଶାଖି ବର୍ଷା ଲାଗି ରହିଥିବାରୁ ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ମିଳିଥିଲା। କିନ୍ତୁ ଏବେ ରାଜ୍ୟକୁ ଫେରିଛି ତାତି। ମଙ୍ଗଳବାର ଆଭ୍ୟନ୍ତରୀଣ ତଥା ପଶ୍ଚିମାଞ୍ଚଳରେ ପାରଦ ୪୦ ଡିଗ୍ରୀ ଟପିଛି। ୪୫.୦୯ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ତଥା ଦେଶର ଉତ୍ତପ୍ତ ସହର ପାଲଟିଛି। ରାଜସ୍ଥାନର ଚୁରୁ ଅଞ୍ଚଳରେ ମଙ୍ଗଳବାର ଦିନର ସର୍ବୋଚ୍ଚ ତାପମାତ୍ରା ୫୦.୫ ଡିଗ୍ରୀ ରେକର୍ଡ଼ ହୋଇଛି। ରାଜ୍ୟରେ ଉପକୂଳ ଅଞ୍ଚଳରେ ଉଷ୍ଣ ଆଦ୍ର ସ୍ଥିତି ଲାଗି ହିଟ୍ ଇଣ୍ତେକ୍ସ ରେକର୍ଡ଼ ଭାଙ୍ଗିଛି।
ଭୁବନେଶ୍ବରରେ ସର୍ବାଧିକ ହିଟ୍ ଇଣ୍ତେକ୍ସ ୬୩ ଶତକଡ଼ା ରେକର୍ଡ ହୋଇଛି। ରାଜ୍ୟରେ ଆଉ ୨ ଦିନ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉପକୂଳରେ ଗୁଳୁଗୁଳି ଲାଗି ରହିବ। ମଙ୍ଗଳବାର ରାଜ୍ୟର ୧୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ଼ ହୋଇଥିବା ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି। ବୌଦ୍ଧ ପରେ ସୋନପୁରରେ ତାପମାତ୍ରା ୪୫.୩ ଡିଗ୍ରୀ ଓ ଟିଟିଲାଗଡରେ ୪୫ ଡିଗ୍ରୀ ରେକର୍ଡ଼ ହୋଇଛି। ଏହାଛଡା ଝାରସୁଗୁଡା ୪୪.୮, ସମ୍ବଲପୁର ୪୪.୬, ବଲାଙ୍ଗୀରରେ ୪୪.୫, ଭବାନୀପାଟଣା ୪୪, ହୀରାକୁଦ୍ ୪୩.୬, ଫୁଲବାଣୀ ୪୩.୩ ଓ ନୂଆପଡାରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ସେପଟେ ରାଜ୍ୟରେ ଆଉ ୨ ଦିନ ଏପରି ପାଣିପାଗ ଲାଗି ରହିବ।
୩୧ ତାରିଖରୁ ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡି଼ ସାଙ୍ଗକୁ ବର୍ଷା ହେବା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। ଆଜି, ସୁନ୍ଦରଗଡ଼ , ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ସମ୍ବଲପୁର, ନୂଆପଡା,ସୋନପୁର, ବୌଦ୍ଧ, କଳାହାଣ୍ତି ଓ କନ୍ଧମାଳକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି ହୋଇଛି। ସେହିପରି, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ , ଗଜପତି ଓ ଗଂଜାମକୁ ପ୍ରବଳ ଗୁଳୁଗୁଳି ନେଇ ଆଲର୍ଟ ଜାରି ହୋଇଛି। ସେହିପରି ୩୦ ତାରିଖରେ ଗରମ ସହ ଗୁଳୁଗୁଳି ରାଜ୍ୟରେ ଜାରି ରହିବ। ୩୧ ତାରିଖରୁ ପାଗର ମିଜାଜ୍ ବଦଳିବ। ଅର୍ଥାତ୍ ରାଜ୍ୟର ମୟୂରଭଂଜ, ସୁନ୍ଦରଗଡ, କେନ୍ଦୁଝର, ମାଲକାନଗିରି, କୋରାପୁଟ୍, ରାୟଗଡା, ଗଜପତି, ଗଂଜାମ, ଝାରସୁଗୁଡା, ନବରଙ୍ଗପୁର ଓ କଳାହାଣ୍ତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।