Weather Update: ଦୀପାବଳିରୁ ରାଜ୍ୟରେ ଥଣ୍ତା ଅନୁଭୂତ ହେବ। ୩୧ ରୁ ଉତ୍ତର ଭାରତ ପଟୁ ଥଣ୍ତା ପବନ ବହିବ। ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାରେ ଆସନ୍ତା ୧ ତାରିଖରୁ ସର୍ବନିମ୍ନ ତାପମାତ୍ରା କମିବ। ଆଜି ଉତ୍ତର ଆଭ୍ୟନ୍ତରିଣର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ବିଶେଷକରି, ସମ୍ବଲପୁର, ଢେଙ୍କାନାଳ, ନୂଆପଡା, ଜଗତସିଂହପୁର ଓ ନବରଙ୍ଗପୁର ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ପଶ୍ଚିମ ଓ ଉତ୍ତର ଓଡି଼ଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ଗୁରୁବାର ଠାରୁ ସୋମବାର ଭିତରେ ରାତିର ତାପମାତ୍ରା ୩ ଡିଗ୍ରୀ କମିପାରେ। ଦକ୍ଷିଣ ଅଭ୍ୟନ୍ତରୀଣ ଓଡି଼ଶାରେ ଗୁରୁବାର ରାତିରୁ ପରବର୍ତ୍ତୂ ୩ ଦିନ ମଧ୍ୟରେ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ କମିପାରେ। ଭୁବନେଶ୍ବର ଉପକୂଳ ଅଞ୍ଚଳରେ ନଭେମ୍ବର ୧ରୁ ୫ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା (ରାତି) ତାପମାତ୍ରା ପ୍ରାୟ ୨ ଡିଗ୍ରୀ ସେଲସିୟସ୍ କମିପାରେ। ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ପ୍ରଫେସର୍ ସୁରେନ୍ଦ୍ର ନାଥ ପଶୁପାଳକ।
ତାଙ୍କ ଅନୁମାନ ଅନୁସାରେ, ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ମେଘୁଆ ପାଗ ସହିତ କାଁ ଭାଁ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ଉପକୂଳ ଅଞ୍ଚଳରେ ଆସନ୍ତା ୩ ଦିନ ସକାଳେ ହାଲୁକା ପାଗ କୁହୁଡିଆ ଓ ତା ପରେ ଶିଶିରପାତ ହେବାର ସମ୍ଭାବନା ରହିଛି। ସେପଟେ, ପାଣିପାଗ ବିଭାଗ କହିଛି ଯେ, ଛତିଶଗଡ ଏବଂ ପାଶ୍ବବର୍ତ୍ତୀ ଓଡି଼ଶା ଉପରେ ଏକ ଘୂର୍ଣ୍ଣିବଳୟ ଅଛି। ବର୍ତ୍ତମାନ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆଂଶିକ ମେଘୁଆ ପାଗ ସହ ପ୍ରତିଦିନ କିଛି ସ୍ଥାନରେ ବର୍ଷା ହୋଇପାରେ। ୩ ତାରିଖରୁ ପାଗ ଶୁଖିଲା ରହିବ। ଗତରାତି ତାପମାତ୍ରା ଫୁଲବାଣୀରେ ୧୮ ଡିଗ୍ରୀ ସେଲସିୟସ୍ ଓ ଅନୁଗୁଳରେ ୧୯ ଡିଗ୍ରୀ ରହିଥିଲା।
Add Zee News as a Preferred Source