ଆଜି ଓଡ଼ିଆ ନବବର୍ଷ: ଜାଣନ୍ତୁ, ପଣା ସଂକ୍ରାନ୍ତି ପଛରେ ଥିବା ବୈଜ୍ଞାନିକ କାରଣ
Advertisement
Article Detail0/zeeodisha/odisha1151953

ଆଜି ଓଡ଼ିଆ ନବବର୍ଷ: ଜାଣନ୍ତୁ, ପଣା ସଂକ୍ରାନ୍ତି ପଛରେ ଥିବା ବୈଜ୍ଞାନିକ କାରଣ

ବୈଶାଖ ମାସ (ଏପ୍ରିଲ-ମେ)ର ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଇଥାଏ । ଏଣୁ ବୈଶାଖ ମାସ ବା ମେଷ ସଂକ୍ରାନ୍ତିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହିଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଓଡ଼ିଆମାନେ ଏହିଦିନଟିକୁ ନବବର୍ଷ ଭାବେ ମଧ୍ୟ ପାଳନ କରିଥାଆନ୍ତି ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କହନ୍ତି । ପ୍ରତି ଇଂରାଜୀ ମାସର ୧୩ ତାରିଖଠାରୁ ୧୫ ତାରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ଭାରତବର୍ଷରେ ବର୍ଷଗଣନା ସୌରମାସ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଥିବା ବେଳେ ଚାନ୍ଦ୍ରମାସ ପୂର୍ଣ୍ଣମୀଠାରୁ ହୋଇଥାଏ । ବୈଶାଖ ମାସ (ଏପ୍ରିଲ-ମେ)ର ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଇଥାଏ । ଏଣୁ ବୈଶାଖ ମାସ ବା ମେଷ ସଂକ୍ରାନ୍ତିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହିଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଓଡ଼ିଆମାନେ ଏହିଦିନଟିକୁ ନବବର୍ଷ ଭାବେ ମଧ୍ୟ ପାଳନ କରିଥାଆନ୍ତି ।

ଓଡ଼ିଶାରେ ବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ପାରମ୍ପରିକ ରୀତିନୀତି ଅନୁସାରେ ଏହି ଦିନ ଓଡ଼ିଶାରେ ଘରେ ଘରେ ପଣା ଭୋଗ ହୋଇ ତୁଳସୀ ଗଛରେ ଅର୍ପଣ କରାଯାଇଥାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ଏହି ସମୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ହେତୁ ଖାଦ୍ୟ ଶୀଘ୍ର ହଜମ ହୋଇଯାଏ । ଏଣୁ ଗୁରୁଖାଦ୍ୟ ରୂପେ ଛତୁଆ ଏପରିକି ବେଲକୁ ପଣାରେ ମଧ୍ୟ ବ୍ୟବହୃତ କରିବାର ବ୍ୟବସ୍ଥା ରହିଛି । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟ ଛତୁଆ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁଆ ଓ ପଣା ଭୋଗର ବିଧି ରହିଛି । 

Also Read: ଆଜିର ରାଶିଫଳ: ପଣା ସଂକ୍ରାନ୍ତିରେ ୪ ରାଶିକୁ ବିପଦ, ଏମିତି କଲେ ହେବ ସମସ୍ୟାର ସମାଧାନ

 

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ । ଏହି ଦିନ ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଝାମୁ ଯାତ୍ରା ପାଳନ କରାଯାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି । 

ମହାବିଷୁବ ସଂକ୍ରାନ୍ତି ଦିନ ଶ୍ରୀରାମ ଭକ୍ତ ଶ୍ରୀହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ । ଶାସ୍ତ୍ର ପୁରାଣରେ ବ୍ରହ୍ମା, ବିଷ୍ଣୁ ଓ ଇନ୍ଦ୍ରାଦି ଦେବତାମାନଙ୍କ ଦ୍ୱାରା ବରପ୍ରାପ୍ତ ହୋଇ ସାକ୍ଷାତ ଶିବ ଏକାଦଶ ରୁଦ୍ର ଅବତାର ଭାବେ ଜନ୍ମଗ୍ରହଣ କରିଥିଲେ । ଶ୍ରୀମନ୍ଦିରରେ ପରମ୍ପରା ରୀତିନୀତିରେ ପଣା ସଂକ୍ରାନ୍ତି ଦିନ ହନୁମାନ ଜୟନ୍ତୀ ପାଳନ କରାଯାଏ । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ବିଭିନ୍ନ ଆଖଡ଼ାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ କୁସ୍ତି ଯୋଦ୍ଧାମାନେ କୁସ୍ତି ଯୋଦ୍ଧା ଶିକ୍ଷା ଆରମ୍ଭ କରିଥାନ୍ତି । ଏହାସହ ମହାପ୍ରଭୁ ଜଗନ୍ନାଥଙ୍କ ପଞ୍ଜିକା ଆଜିଠାରୁ ଆରମ୍ଭ ହେବ। ପଣା ସଂକ୍ରାନ୍ତିରେ ବିଭିନ୍ନ ସ୍ଥାନରେ ଚାଲିଥିବା ଝାମୁଯାତ୍ରା ବା ଦଣ୍ଡ ନାଚ ଶେଷ ହୋଇଥାଏ ।