୨୬ ବର୍ଷ ପରେ ମହାପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ, ଜାଣନ୍ତୁ ଏହାର ବିଶେଷତ୍ୱ
Advertisement
Article Detail0/zeeodisha/odisha793128

୨୬ ବର୍ଷ ପରେ ମହାପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ, ଜାଣନ୍ତୁ ଏହାର ବିଶେଷତ୍ୱ

ପୂର୍ବଥର ଏହି ତିଥି ୧୬ ନଭେମ୍ବର ୧୯୯୪ ମସିହାରେ ପଡିଥିଲା। ତେବେ ଚଳିତବର୍ଷ ପୁଣି ଥରେ ମହାପ୍ରଭୁଙ୍କ ଏହି ବିରଳ ନାଗାର୍ଜୁନ ବେଶ ଦେଖିବାକୁ ମିଳିବ। କାରଣ କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥି ଅର୍ଥାତ ୨୭ ନଭେମ୍ବର ୨୦୨୦, ଶୁକ୍ରବାର ଦିନ ମହାପ୍ରଭୁ ନାଗାର୍ଜୁନ ବେଶରେ ଦର୍ଶନ ଦେବେ।

ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହୁଏ। ସେଥି ମଧ୍ୟରୁ ରଘୁନାଥ ବେଶ ଓ ନାଗାର୍ଜୁନ ବେଶ ଅତି ବିରଳ। ଅନେକ ବର୍ଷ ଧରି ରଘୁନାଥ ବେଶ ହୋଇନଥିଲା ବେଳେ ୧୯୯୪ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ। କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ କେବଳ ପୋଷାକ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳେ। ଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ। ମହାପ୍ରଭୁମାନଙ୍କ ସବୁ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଧ ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି। 

ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅ ଦିନ ପଡେ, ସେହି ବର୍ଷ ମଳ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୁଏ। ଏହି ବେଶକୁ ପର୍ଶୁରାମ ବେଶ ମଧ୍ୟ କୁହାଯାଏ। ଶ୍ରୀକ୍ଷେତ୍ରରେ ଏହି ବେଶକୁ ଶ୍ରୀକ୍ଷେତ୍ର ଲୋକ ସଂସ୍କୃତିର ଏକ ପ୍ରତିଛବି ବୋଲି ଜଣାଯାଏ। ପୂର୍ବଥର ଏହି ତିଥି ୧୬ ନଭେମ୍ବର ୧୯୯୪ ମସିହାରେ ପଡିଥିଲା। ତେବେ ଚଳିତବର୍ଷ ପୁଣି ଥରେ ମହାପ୍ରଭୁଙ୍କ ଏହି ବିରଳ ନାଗାର୍ଜୁନ ବେଶ ଦେଖିବାକୁ ମିଳିବ। କାରଣ କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥି ଅର୍ଥାତ ୨୭ ନଭେମ୍ବର ୨୦୨୦, ଶୁକ୍ରବାର ଦିନ ମହାପ୍ରଭୁ ନାଗାର୍ଜୁନ ବେଶରେ ଦର୍ଶନ ଦେବେ।

ମାର୍ଗଶିର ମାସ କୃଷ୍ଣ ପଞ୍ଚମୀ ଓ ବୈଶାଖ, ମେଷ ପଣା ସଂକ୍ରାନ୍ତି ଦିନ ଶ୍ରୀକ୍ଷେତ୍ରରେ ଅଧିଷ୍ଠିତ ସିଦ୍ଧ ମହାବୀରଙ୍କୁ ମଧ୍ଯ ନାଗା ବେଶରେ ସଜେଇ ଦିଆଯାଏ। ଶ୍ରୀକ୍ଷେତ୍ରର ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ଯ ରହି ଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହେଇଛି ବୋଲି ବିଶ୍ୱାସ ରହିଛି। ନାଗାର୍ଜୁନ ବେଶରେ ମହାପ୍ରଭୁଙ୍କ ଶ୍ରୀମୁଖରେ ବିଶେଷ ସାହିଯାତ ନାଗା ଶୈଳୀର ଦାଢି ଯୁକ୍ତ କରାଯାଏ।

Also read- ନାଗାର୍ଜୁନ ବେଶ ପାଇଁ ପ୍ରଶାସନର ବ୍ୟାପକ ବ୍ୟବସ୍ଥା

ପୌରଣିକ ମାନ୍ୟତା ଅନୁଯାୟୀ, ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ, ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ। ଏହି ବେଶ ଅତ୍ଯନ୍ତ ପୁରୁଣା ନହେଲେ ମଧ୍ଯ ପୁରୀର ସାହି ଯାତ୍ରାରେ ବାହାରୁ ଥିବା ନାଗା ସଂସ୍କୃତିର ଅନୁକରଣରେ ଏହି ବେଶ ସୃଷ୍ଟି ହୋଇଥିବା ଅନୁମାନ କରାଯାଏ। ନାଗାର୍ଜୁନ ବେଶରେ ଠାକୁରମାନେ ମୁଖ୍ଯତଃ ସୋଲ, କନା ଜରି, ବେତରେ ନିର୍ମିତ ହାଣ୍ଡିଆ, ଢେଣୁ, ନିଶ, ଦାଢି, ଛୁରୀ, କଟୁରୀ, ବାଘଛାଲ, ସ୍ୱର୍ଣ୍ଣଶ୍ରୀଭୂଜ, ଶ୍ରୀପୟର, ବାଘନଖ ମାଳି, ଶଙ୍ଖ, ଚକ୍ର ଓ ହଳ, ମୂଷଳ ଇତ୍ଯାଦି ଧାରଣ କରିଥାନ୍ତି।

 

 

ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଉଛି ନାଗାର୍ଜୁନ ବେଶ। କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ, ସେପରି ନାଗାର୍ଜୁନ କହିଲେ ବିଷ୍ଣୁଙ୍କର ଏକ ରୂପକୁ ବୁଝାଯାଏ। ନାଗାର୍ଜୁନ ବେଶ ଯୋଦ୍ଧା ଓ ସନ୍ଯାସୀର ସମ୍ମିଶ୍ରଣ ବେଶ। ମହାଭାରତନୁଯାୟୀ ଅର୍ଜୁନ ବନବାସ ସମୟରେ କିରାତ ବେଶଧାରୀ ଶିବଙ୍କ ସହ ଯୁଦ୍ଧ କରିଥିଲେ। ସେହି ଯୁଦ୍ଧାରେ ଅର୍ଜୁନ ପରାସ୍ତ ହେଲେ ସତ କିନ୍ତୁ ଶିବ ତାଙ୍କ ଉପରେ ବହୁତ ଖୁସି ହୋଇ ଦିବ୍ଯ ଅସ୍ତ୍ର ପ୍ରଦାନ କରିଥିଲେ। 

Also read- ମହାପ୍ରଭୁଙ୍କ ରଘୁନାଥ ବେଶ ପାଇଁ ଖର୍ଚ୍ଚ ହେବ ୨୫-୩୦ କୋଟି

ଅତୀତରେ ନାଗା ସନ୍ଯାସୀମାନେ ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ। ସେମାନେ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିଲେ ବୋଲି ମଧ୍ୟ ବିଶ୍ୱାସ ରହିଛି। ସେହିପରି ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନାଅନୁସାରେ କାର୍ତ୍ତିକ ମାସ ହିଁ ଭଗବତ ଆରାଧନା, ଉପାସନା ପ୍ରଭୃତି ଦୃଷ୍ଟିରୁ ସର୍ବ ଶ୍ରେଷ୍ଠ ଆଧ୍ଯାତ୍ମିକ ମାସ ରୂପରେ ପରିଗଣିତ ହୋଇଆସିଛି।