)
ବ୍ରହ୍ମପୁର: ରାଜ୍ୟର ଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତ ବିବାହ ବିବାଦ ମାମଲା ଏବେ ହିଂସାତ୍ମକ ମୋଡ ନେଇଛି। ସୋମବାର ସନ୍ଧ୍ୟାରେ ଶତାଧିକ ମହିଳା ଏକତ୍ରୀତ ହୋଇ ସୁମିତଙ୍କ ଘର ଗ୍ରୀଲ ଭାଙ୍ଗି ଦେଇଛନ୍ତି। ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଡାକ୍ତର ସୁମିତଙ୍କ ଘର ଗ୍ରୀଲ ଭାଙ୍ଗି ଘରେ ଧସେଇ ପଶିଥିଲେ। କିନ୍ତୁ ଭିତର କବାଟକୁ ଭାଙ୍ଗିପାରି ନାହାନ୍ତି। ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ଗେଟ୍ ଭାଙ୍ଗିଲୁ ବୋଲି ମହିଳାମାନେ କହିଛନ୍ତି।
ସୋମବାର ବ୍ରହ୍ମପୁର ବ୍ରହ୍ମାନଗର ଏକ ଅପ୍ରତ୍ୟାଶିତ ଘଟଣା ଘଟିଛି। ସୁମିତ ସାହୁଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିବା ତପସ୍ୱିନୀ ଦାଶଙ୍କ ସମର୍ଥନରେ ଆସି ହିଂସାତ୍ମକ ପ୍ରଦର୍ଶନ କରିଛନ୍ତି। ଶତାଧିକ ମହିଳା ଏକତ୍ରିତ ହୋଇ ଦଳବଦ୍ଧ ଭାବେ ସୁମିତଙ୍କ ଘରର ମୁଖ୍ୟ ଫାଟକ ଭାଙ୍ଗି ଧସେଇ ପଶିଛନ୍ତି। ସେମାନେ କେବଳ ବାରଣ୍ଡା ପର୍ଯ୍ୟନ୍ତ ପ୍ରବେଶ କରିଛନ୍ତି। କିନ୍ତୁ ଘର କବାଟ ବର୍ତ୍ତମାନ ସୁଦ୍ଧା ଖୋଲାଯାଇପାରିନାହିଁ। ଗ୍ରୀଲ ଭାଙ୍ଗିଲା ପରେ ତପସ୍ୱିନୀଙ୍କୁ ରାସ୍ତାରୁ ବାରଣ୍ଡାକୁ ସ୍ଥାନାନ୍ତର କରାଯାଇଛି।
ତପସ୍ୱିନୀ କହିଛନ୍ତି, 'ଗାନ୍ଧୀନଗରର ମହିଳାମାନେ ମୋତେ ନ୍ୟାୟ ଦେବା ପାଇଁ ଏଠାକୁ ଆସିଛନ୍ତି। ଏହି ମହିଳାମାନେ ମୋ ଶାଶୁଙ୍କ ଘରେ ପ୍ରବେଶ କରିବାରେ ସାହାଯ୍ୟ କରିବେ। ସେମାନଙ୍କ ସାହାଯ୍ୟ ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି।' ଜଣେ ଉତ୍ୟକ୍ତ ମହିଳା କହିଛନ୍ତି, 'ଆମକୁ ଏମିତି କରିବାକୁ ପଡିବ। ମାମଲାଟି ବହୁତ ଦିନ ପର୍ଯ୍ୟନ୍ତ ଲମ୍ବିଛି। ସୁମିତ ବର୍ତ୍ତମାନ ତାପସ୍ୱିନୀଙ୍କୁ ନେବା ଆବଶ୍ୟକ। ଏହି ଧାରଣା ଆମ ସ୍ୱାମୀଙ୍କ ପାଇଁ ଏକ ଖରାପ ଉଦାହରଣ ସୃଷ୍ଟି କରୁଛି। ଭବିଷ୍ୟତରେ ସେମାନେ ଆମକୁ ସୁମିତଙ୍କ ପରି ବ୍ୟବହାର କରିବେ।'
ମହିଳାଙ୍କ ତୁମଳକାଣ୍ଡର ଖବର ପାଇ ଘଟଣା ସ୍ଥଳରେ ଅତିରିକ୍ତ ଏସ୍ ପି ପହଞ୍ଚି ବୁଝାସୁଝା କରିଛନ୍ତି। ସେପଟେ ତପସ୍ୱିନୀ-ଡାକ୍ତର ସୁମିତ ବିବାହ ବିବାଦ ମାମଲାରେ ଏସଡିଜେଏମ୍ କୋର୍ଟ ନିଜ ପୂର୍ବ ରାୟକୁ ପୁଣି ଦୋହରାଇଛନ୍ତି । ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ଲାଇଟ୍, ପାଣି, ପରିମଳ ବ୍ୟବସ୍ଥା ଥିବା ଘର ନେଇ ରଖିବା ସହ ଖାଦ୍ୟପେୟର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟଙ୍କ ନିର୍ଦ୍ଦେଶରେ ତପସ୍ୱିନୀଙ୍କ ଓକିଲ ସନ୍ତୁଷ୍ଟ ନ ଥିବା ଜଣାଇଛନ୍ତି। କୋର୍ଟଙ୍କ ରାଏକୁ ନେଇ ଉପର କୋର୍ଟକୁ ଯିବେ ବୋଲି ତପସ୍ବିନୀଙ୍କ ଓକିଲ କହିଛନ୍ତି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଛତ୍ରପୁରର ତାପସ୍ୱିନୀ ଦାଶ, ବ୍ରହ୍ମପୁର ସହରର ବ୍ରହ୍ମାନଗରରେ ସ୍ୱାମୀ ସୁମିତଙ୍କ ଘର ସମ୍ମୁଖରେ ଧାରଣରେ ବସି ଲାଇମଲାଇଟକୁ ଆସିଛନ୍ତି। ତାଙ୍କୁ ତାଙ୍କ ବୋହୂ ଭାବରେ ଗ୍ରହଣ କରିବାକୁ ସେ ଦାବି କରୁଛନ୍ତି। ଗତବର୍ଷ ସେପ୍ଟେମ୍ୱରରେ ସୁମିତ ଓ ତପସ୍ୱିନୀ କୋର୍ଟରେ ବିବାହ କରିଥିଲେ। କିନ୍ତୁ ଏବେ ତାଙ୍କୁ ଘରୁ ବାହାର କରାଯାଇଥିବା ତପସ୍ୱିନୀ ଅଭିଯୋଗ ଆଣି ସୁମିତଙ୍କ ଘର ସମ୍ମୁଖରେ ଧାରଣା ଦେବା ସହ କୋର୍ଟରେ କେସ କରିଛନ୍ତି। ଅନ୍ୟପଟେ କୋର୍ଟଙ୍କ ରାୟକୁ ଅବମାନନା କରି ଡାକ୍ତର ସୁମିତ ଆତ୍ମଗୋପନ କରିଛନ୍ତି।